ବିନୟ ମହାପାତ୍ର
ସଂଧ୍ୟା ନଇଁଆସିଲା ବେଳକୁ, ସକାଳର କଥା ଖୁବ୍ ବେଶି ମନେପଡ଼େ । ସକାଳଟା ସବୁବେଳେ ସତରେ କେତେ ସୁନ୍ଦର ଲାଗେ ! ସିନ୍ଦୁରା ଫଟେଇ ସୂର୍ଯ୍ୟ ଉଇଁ ଆସେ । ସୂର୍ଯ୍ୟର ନାଲିଆ କିରଣରେ ସବୁ କିଛି ଲାଲ ହୋଇଯାଏ । ମନେହୁଏ ସତେଯେମିତି ଋତୁ ଫଗୁଣରେ କେହିଜଣେ ପ୍ରେମିକ ଆସି, ସକାଳ ଆକାଶର ଖୋଲା ପଡ଼ିଆଟାରେ ତାର ଫୁଲେଇ ରାଧିକା ସଙ୍ଗେ ନାଲିନାଲି ରଙ୍ଗରେ ହୋଲି ଖେଳି ଚାଲିଯାଇଛି । ନାଲିଆ ଅବିର ସବୁ ବିଛାଡ଼ି ହୋଇପଡ଼ିଛି ପୂର୍ବ ଆକାଶର ବିସ୍ତୀର୍ଣ୍ଣ ନିଳାଭ ଅଗଣାରେ । ସେଇ ଅବିରର ରଙ୍ଗରେ ସବୁ କିଛି ଲାଲ ହୋଇଯାଇଛି । ଏ ଆକାଶ, ଗଛର ପତ୍ର, ନଈର ଜଳ, ସବୁଜ କ୍ଷେତ, ଚାରିଦିଗରେ ସବୁକିଛି ଲାଲ ହୋଇଯାଇଛି ।
ସକାଳ ସତେଯେମିତି କୁଆଁରୀ ଝିଅଟିଏ, ଏବଂ ତାର ଅଜାଣତରେ ତାକୁ କେହି ଛୁଇଁଦେଇ ଚାଲିଗଲା । ଆଉ ତା ଜୀବନର ପ୍ରଥମ ପ୍ରଣୟ ଛୁଆଁରେ ସେ ଲାଜେଇ ଲାଲ ହୋଇଯାଇଛି ସତେ, ଆଉ ଲାଲ ହୋଇଯାଇଛି ତାର ଦୁଧଅଳତା ରଙ୍ଗର ଗୋରୀ ମୁହଁଟା । ସୂର୍ଯ୍ୟର ନାଲିଆ ବିନ୍ଦିଟିଏ ଝଟକୁଛି ତାର ଖୋଲା ମଥାଟାରେ । କଅଁଳ ସୂର୍ଯ୍ୟକିରଣ ବିଛେଇ ହୋଇ ଯାଇଯାଏ ଦଶ ଦିଶାରେ । କାଉ ଆସିଲା, ସକାଳ ହେଲା ବୋଲି ସଭିଙ୍କୁ ନିଦରୁ ଉଠେଇ ଦେଇ ଚାଲିଗଲା । ପୁଣି ଚଳଚଞ୍ଚଳ ହୋଇଉଠିଲା ସୁପ୍ତ ପୃଥିବୀ । ହେଲେ ଅବଶୋଷ ସକାଳକୁ ଧରି ରଖିହୁଏନି । ଦି’ପ୍ରହରକୁ ବି, ଅପରାହ୍ନକୁ ବି, କିମ୍ବା ସଂଧ୍ୟାକୁ ବି ଅଟକେଇ ହୁଏନି । ସମସ୍ତେ ଆସନ୍ତି, ଦି’ ଘଡ଼ି ସାଙ୍ଗରେ ରହି, ପୁଣି ଆପଣା ଆପଣା ସମୟରେ ନିଜନିଜ ବାଟରେ ବାହୁଡ଼ି ଯାଆନ୍ତି ।
ସବୁଦିନ ସମୟକୁ କହେ,
– ଆରେ ସମୟ ! ରହି ଯାଆରେ ଆଉ ଟିକିଏ । ଆଉ ଘଡ଼ିଏ କି ଦି’ଘଡ଼ି ମୋ ସାଥିରେ ରହିଯା ! ପୁରା କରିବାକୁ କେତେ ଯେ କାମ ବାକି ରହିଗଲା ଜୀବନରେ ।
ପରୀକ୍ଷା ବେଳର ଶେଷ ଘଣ୍ଟି ବାଜିସାରିବା ପରେ ପରୀକ୍ଷକ ଖାତା ଛଡ଼େଇ ନେଲାପରି ସମୟ ବି ହାତଛଡ଼ା ହୋଇଯାଏ । ଆଉ ଦି’ ଧାଡ଼ି ବାକି ରହିଯାଏ ଶେଷ ପ୍ରଶ୍ନର ଉତ୍ତରଟା ପୁରା କରିବାକୁ । ହେଲେ ପରୀକ୍ଷକ ଶୁଣେନା କାହାର ଅନୁନୟ ବୀନତି । କିଏ ପାସ୍ ହେଲେ କି ଫେଲ୍ ହେଲେ ପରୀକ୍ଷକର ବା କଣ ଯାଏ ଆସେ ? ସେମିତି ଏଇ ନିର୍ଦ୍ଦୟ ସମୟ, କାହାର ସୁଖଦୁଃଖ ସାଙ୍ଗରେ ତାର କିଛି ଦେବାନେବାର ନଥାଏ, ତାକୁ କିଛି ଫରକ ପଡ଼େନା କାହାର ଘର ବସିଗଲା କି କାହାଘର ଉଜୁଡ଼ି ଗଲା । କାହା ମୁହଁରେ ହସ ଅଛି, କି କାହା ଆଖିରେ ଲୁହର ବନ୍ୟା ଛୁଟୁଛି । ଏମିତି ଏ ସମୟ, କେବେ ବନ୍ଧୁପରି ଲାଗେ, କେବେ ଲାଗେ ଯେପରି ପରମ ଶତ୍ରୁ । କିନ୍ତୁ ସମୟ କେତେ ନିର୍ଲିପ୍ତ, ଟିକିଏ ବି କଳଙ୍କ ଲାଗେନା ତା ଦେହରେ ।
ସମୟ ରହିଲାନି, ସେ ଚାଲିଗଲା, ଗଲାବେଳେ ଖାଲି ମୁହଁ ମୋଡ଼ି ଦେଇ କହିଲା,
– ବୁଝିଲୁ । ମୁଁ କାହା ପାଇଁ କେବେ ଅପେକ୍ଷା କରେନି ! ମୁଁ କାହା ସାଥିରେ ଚାଲେନା । ତୁମ ଅନୁସାରେ ମୁଁ ଆସେନା, କି ଯାଏନା । ପାରିବ ତ ତୁମେ ମୋ ସାଥିରେ ଚାଲିବାକୁ ଚେଷ୍ଟା କର ।
ସମୟକୁ ଅଟକେଇ ହୁଏନା । ଘଡ଼ିର ଟିକ୍ ଟିକ୍ ଶବ୍ଦ ସାଥିରେ ପାଦ ମିଳେଇ ସତେ ଅବା ସମୟ ଦୌଡ଼ି ପଳେଇ ଯାଏ । ଦିନ ସରିଆସିଲା ବେଳକୁ ମନେପଡେ, ସତରେ କରିବାକୁ କେତେ ଯେ କାମ ବାକି ରହିଗଲା, କିନ୍ତୁ ସବୁ କାମ ସରିବା ଆଗରୁ ସମୟ ସରିଗଲା ।
ସବୁବେଳେ ମନହୁଏ, ସମୟକୁ ଆଉ ଟିକିଏ ଅଟକେଇ ନବାକୁ । କିନ୍ତୁ ସମୟ ତ ସମୟ, କାହା ପାଇଁ କେବେ ଅପେକ୍ଷା କରିଛି ଭଲା ? ସେ ଆପଣାଛାଏଁ ଆସେ, ନିଜ ମନ ଅନୁସାରେ ଚାଲିଯାଏ, ସତେ ଅବା ମହାନଦୀର ଜଳଧାରା । ଯିଏ ବୋହିଗଲା, ସିଏ ଗଲା, ପଛକୁ ଆଉଥରେ ଫେରି ଚାହେଁନା କିମ୍ବା ପଛକୁ ଆଉ କେବେ ବି ଫେରେନା । ମଣିଷ ସବୁବେଳେ ଆଖିମଳି ସେମିତି ଚାହିଁ ରହିଥାଏ । ବିତିଗଲା ସମୟ କଥା ଭାବି ମନେମନେ ବାହୁନି ହୁଏ, କିନ୍ତୁ ଅତୀତ କେବେ ଫେରେନା । ଜୀବନ ନାଟକର ପ୍ରତିଟି ଦୃଶ୍ୟ ଏମିତି ବିନା ରିହଲସାଲ, ବିନା ରି-ଟେକରେ ହୁଏ । ଠିକ୍ ଭାବେ ନାଚି ପାରିଲ ତ ଠିକ୍, ନହେଲେ ବ୍ୟର୍ଥଗଲା ସେହି ମୁହୁର୍ତ୍ତଟି । ଯେତେ ଝୁରିହେଲେ ବି ପଛକୁ ଫେରି ସେଇ ଭୁଲଟିକୁ ଆଉଥରେ ସଂଶୋଧନ କରିହୁଏନା ।
– କାମ ସରିଲା ପରେ ଆସିବୁରେ ସଂଧ୍ୟା, ଆଉ ଟିକିଏ ଅପେକ୍ଷା କରିଯା । ବାସ୍ କାମ ସରି ଆସିଲାଣି । ଖାଲି ଫାଇନାଲ ଟଚ୍ ଟା ବାକିଅଛି । ହେଲେ ଅବୁଝା, ଅମାନିଆ ପିଲାଟିଏ ଏଇ ସମୟ, ସିଏ କଣ ଶୁଣିବ କାହାର ଅନୁରୋଧ, ବୁଝିବ କାହାର ହୃଦୟର ବେଦନା ? ଓଲଟି ପଚାରିବ, ଏତେ ବେଳଯାଏ କଣ କରୁଥିଲ ? ଦିନ ସରିଲାବେଳକୁ ମନେପଡୁଛି କାମ ବାକି ରହିଗଲା ବୋଲି ? ଦିନସାରା ତ ବଡ଼ ଆରାମରେ କଟେଇ ଦେଲ, ନା ଗଲାକାଲି କଥା ମନେପଡ଼ିଲା ନା ଆସନ୍ତାକାଲିର କଥା ଭାବିଲ ? ସୂର୍ଯ୍ୟ ବୁଡ଼ିଗଲେ ଅନ୍ଧାର ଆସିଯିବ, ଏ କଥା କଣ ଜାଣି ନଥିଲ ? ନିଜ ଲଣ୍ଠନରେ କିରୋସିନ ରଖିବନି, ହାତରେ ଦିଆସିଲି ନାହିଁ, ଆଉ କଣ ନା ବାହାରିଛ ଅନ୍ଧାରକୁ ଅଟକେଇ ଦେବ ବୋଲି । ଅନ୍ଧାରକୁ କହିବ, ଅଟକି ଯାଆରେ ଟିକେ, ଅନ୍ଧାର କାହିଁକି ଶୁଣିବ ଯେ ତୁମର ଅନୁରୋଧ ?
ସମୟର କଥା ଶୁଣି ଚମକି ପଡିଲି ଟିକିଏ । ପୁଣି ମନକୁ ମନ କହିଲି, ନାହିଁରେ ଅନ୍ଧାର, ସବୁ କଥା ଭାବିଛି ମୁଁ, ଗଲାକାଲିର କଥା, ଆସନ୍ତା କାଲିର କଥା ବି । ହେଲେ କଣ ବା କରିପାରି ଥାଆନ୍ତି କହ ? ସବୁ ବେଳେ ବର୍ତ୍ତମାନଟା ହିଁ ମୋ ପାଇଁ ସବୁ ଠାରୁ ମୁଲ୍ୟବାନ ଥିଲା, କିନ୍ତୁ ସେଇ ବର୍ତ୍ତମାନଟା କେବେ ବି ସରିଲାନି । ତୁ ତ ସବୁ ଦେଖିଛୁ, ଆଉ ଜାଣିଛୁ, ତୋତେ କଣ’ବା ଅଛପା ଯେ ? ଦେଖୁନୁ ମୁଁ ସବୁ ବେଳେ କିପରି ସେଇ ବର୍ତ୍ତମାନର ଖାଲି ମାଠିଆଟିକୁ ଭରିବାରେ ଲାଗି ପଡିଛି ! ବର୍ତ୍ତମାନର ମାଠିଆ ଭରିବାରେ ମୋର ପୁରା ଦିନ ସରି ଯାଉଛି ସିନା, ହେଲେ ବର୍ତ୍ତମାନଟା ଏମିତି ଗୋଟିଏ ଫଟା ମାଠିଆ ଯେ, ଯେତେ ଭରିଲେ ବି ପୁରା ହେବାର ନାଆଁ ନେଉନି । ସବୁବେଳେ ପାଟି ମେଲେଇ ଆଁ କରି ଅନେଇ ବସିଛି । ଆହୁରି ଦିଅ, ଆହୁରି ଦିଅ, ସର୍ବଗିଳା ବର୍ତ୍ତମାନ । ସବୁ ଖାଇ ହଜମ କରି ଦେଉଛି, ତଥାପି ସବୁବେଳେ ଭୋକିଲା ରହିଯାଉଛି । କିଛି ବଳିଲେ ସିନା ଗଲାକାଲି କଥା ଭାବିବି କି ଆସନ୍ତା କାଲି ପାଇଁ କିଛି କରିବି ।
ସମୟକୁ କହିଲି,
– ତୁ କଣ ଜାଣିନୁ, ଚାର୍ବାକଙ୍କ ସେଇ ଗଳ୍ପଟି, ପିଲାଦିନେ ସ୍କୁଲରେ ପଢିଥିଲେ । ତାଙ୍କର ସେଇ ତିନୋଟି ଉପଦେଶ, ତିନୋଟି ମୁଲ୍ୟବାନ ନୀତି । ‘ସବୁଠାରୁ ମୂଲ୍ୟବାନ ସମୟ କେଉଁଟା, ସବୁଠାରୁ ମହତ୍ୱପୂର୍ଣ୍ଣ ବ୍ୟକ୍ତି କିଏ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଣ’ ! ତୋର ମନେନାହିଁ ଯଦି, ଆଉଥରେ ମନେପକେଇ ଦେଉଛି, ଶୁଣ ।
ବହୁତ ପୁରୁଣା ଦିନର କଥା । ଅଗନାଅଗନୀ ବନସ୍ତରେ ଆଶ୍ରମଟିଏ ଥିଲା । ସେଠାରେ ଜଣେ ୠଷି ତାଙ୍କର ଶିଷ୍ୟମାନଙ୍କ ସହିତ ରହୁଥିଲେ । ଖୁବ୍ ସୁନ୍ଦର ଆଶ୍ରମଟିଏ । କହନ୍ତି ସେ ଆଶ୍ରମରେ ସବୁ ଋତୁରେ କେବଳ ବସନ୍ତର ହିଁ ବାସ ଥାଏ । ବର୍ଷସାରା ଆଶ୍ରମଟି ଫଳ ଫୁଲରେ ଭରି ରହୁଥିଲା । ସମସ୍ତ ଆଶ୍ରମବାସୀ ବହୁତ ଖୁସିରେ ଥିଲେ । ୠଷିଙ୍କର ଖ୍ୟାତି ଚାରିଦିଗରେ ବ୍ୟାପିଥିଲା । ସମସ୍ତେ ବଡ଼ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ ୠଷିଙ୍କୁ । ଏକଦା ସେ ଦେଶର ରାଜା ୠଷିଙ୍କର ଦର୍ଶନ ପାଇଁ ଆଶ୍ରମ ଭ୍ରମଣରେ ଆସୁଛନ୍ତି ବୋଲି ଖବର ମିଳିଗଲା । ରାଜାଙ୍କ ଆଗମନ ବାର୍ତ୍ତା ପାଇ ସମସ୍ତ ଆଶ୍ରମବାସୀ ଖୁସିରେ ରାଜାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଗଲେ ।
ଠିକ୍ ସମୟରେ ରାଜା ଆସି ଆଶ୍ରମରେ ପହଞ୍ଚିଗଲେ । ରାଜା ଆସିବା ଖବର ଶୁଣି ତାଙ୍କର ସ୍ୱାଗତ ପାଇଁ ୠଷି ଆଶ୍ରମରୁ ବାହାରି ଆସି ତାଙ୍କ ସମ୍ନାରେ ପହଞ୍ଚିଛନ୍ତି, ଠିକ୍ ଏହି ସମୟରେ କେଉଁଠାରୁ ଗୋଟିଏ ଶିକାରୀ କ୍ଷତବିକ୍ଷତ ଅବସ୍ଥାରେ ଅକସ୍ମାତ ଆସି ୠଷିଙ୍କ ସାମ୍ନାରେ ଅଚେତ ହୋଇ ଖସି ପଡ଼ିଲା । ହଠାତ୍ ଏପରି ଏକ ଅଭାବନୀୟ ପରିସ୍ଥିତିରେ ୠଷି ଟିକିଏ ବିତଳିତ ହୋଇଗଲେ ଏବଂ ଶିକାରୀଟିର ଗୁରୁତର ଅବସ୍ଥା ଦେଖି ସେ ରାଜାଙ୍କର ସ୍ୱାଗତ କରିବା କଥା ଭୁଲିଗଲେ ଏବଂ ଶିଷ୍ୟମାନଙ୍କ ସହିତ ଅଚେତ ଶିକାରୀକୁ ଆଶ୍ରମ ଭିତରକୁ ନେଇଗଲେ । ସେଠାରେ ତାର ସେବା କରିବାରେ ଲାଗି ପଡ଼ିଲେ ଏବଂ କିଛି ସମୟ ପରେ ଶିକାରୀଟିର ଚେତା ଫେରିଲା । ୠଷି ଶିକାରୀକୁ ଶିଷ୍ୟମାନଙ୍କ ଦାୟିତ୍ୱରେ ଛାଡ଼ି ରାଜାଙ୍କର ସ୍ୱାଗତ କରିବା ପାଇଁ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।
ଏସବୁ ଘଟଣା ଦେଖି ରାଜା କିଛି ବୁଝି ପାରୁନଥାନ୍ତି, ୠଷି ଏପରି କାହିଁକି କଲେ ! ସିଏ ଏ ଦେଶର ରାଜା, କିନ୍ତୁ ୠଷି ପ୍ରଥମେ ତାଙ୍କର ସ୍ୱାଗତ ନକରି ଜଣେ ସାମାନ୍ୟ ଶିକାରୀର ସେବାରେ ଲାଗିଗଲେ ? ରାଜା ତାଙ୍କର ଜିଜ୍ଞାସାକୁ ବେଶି ସମୟ ମନରେ ଚାପି ରଖିପାରିଲେ ନାହିଁ । କିଛି ସମୟ ପରେ ତାଙ୍କର ସନ୍ଦେହ ଦୂର କରିବା ପାଇଁ ରାଜା ୠଷିଙ୍କୁ ପଚାରିଲେ, ହେ ଗୁରୁଦେବ ! ଆପଣଙ୍କ ବ୍ୟବହାର ଦେଖି ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି । ଦୟାକରି ମୋର ସନ୍ଦେହ ମୋଚନ କରନ୍ତୁ ।
ୠଷି କହିଲେ,
– ହେ ରାଜନ ! ନିସଙ୍କୋଚ ଆପଣ ନିଜର ଜିଜ୍ଞାସା ମୋତେ ଖୋଲି କରି କୁହନ୍ତୁ ।
ରାଜା ଆସ୍ୱସ୍ତ ହୋଇ ୠଷିଙ୍କୁ ପଚାରିଲେ,
– ମହାଭାଗ, ମୁଁ ଏ ଦେଶର ରାଜା ଏବଂ ଆଜି ଆପଣଙ୍କର ଅତିଥି ମଧ୍ୟ । କିନ୍ତୁ ଆପଣ ମୋର ସ୍ୱାଗତ କରିବାକୁ ଗୁରୁତ୍ୱ ନଦେଇ ଜଣେ ଅନାମଧେୟ ସାମାନ୍ୟ ଶିକାରୀର ସେବା କରିବାକୁ ଅଧିକ ମହତ୍ତ୍ଵ ଦେଲେ । ଆପଣଙ୍କର ଏପରି ବ୍ୟବହାର ଏବଂ ଏପରି କରିବା ପଛରେ କଣ କାରଣ, ସେକଥା ଜାଣିବାକୁ ମୋ ମନ ଆନ୍ଦୋଳିତ ହେଉଛି ? ୠଷି କିଛି ସମୟ ନିରବ ରହି ଟିକିଏ ମୁରୁକି ହସିଲେ, ପୁଣି କହିଲେ,
– ‘ହେ ରାଜନ୍ ! ସଂସାରରେ ତିନୋଟି ମୂଲ୍ୟବାନ ନୀତି ସର୍ବଦା ମନେ ରଖିବ । ପ୍ରଥମଟି ମୂଲ୍ୟବାନ ସମୟ କେଉଁଟି, ଦ୍ଵିତୀୟଟି ମହତ୍ୱପୂର୍ଣ୍ଣ ବ୍ୟକ୍ତି କିଏ, ତୃତୀୟଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଣ !
ୠଷି କହିଲେ, “ବର୍ତ୍ତମାନ” ହିଁ ମନୁଷ୍ୟ ପାଇଁ ସବୁଠାରୁ ମୂଲ୍ୟବାନ ସମୟ । କାରଣ ଏବେ ଯାହା ବର୍ତ୍ତମାନ ତାହା ପର କ୍ଷଣରେ ଅତୀତ ହୋଇଯାଏ ତାହା ପୁଣି କେବେ ଆଉଥରେ ଫେରି ଆସେନା । ଏହି ସମୟରେ ଆପଣଙ୍କ ସହିତ ଯିଏ ସବୁ ଅଛନ୍ତି ସେମାନେ ହିଁ ଆପଣଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବ୍ୟକ୍ତି ଏବଂ ସେହି ବ୍ୟକ୍ତିମାନଙ୍କ ପାଇଁ ଆପଣ ଏବଂ ଆପଣଙ୍କ ପାଇଁ ସେହି ବ୍ୟକ୍ତିମାନେ ଯାହା କିଛି କରିପାରିବେ ତାହା ହିଁ ହେଉଛି ଆପଣଙ୍କ ପାଇଁ ଅଧିକ ଗୁତ୍ୱତ୍ୱପୂର୍ଣ୍ଣ କାର୍ଯ୍ୟ । ଯେତେବେଳେ ଆପଣ ଏଠାରେ ଆସି ପହଞ୍ଚିଲେ ଠିକ୍ ସେହି ସମୟରେ ଶିକାରୀଟି ମଧ୍ୟ ଆହତ ଅବସ୍ଥାରେ ଆସି ପହଞ୍ଚିଥିଲା । ସେ ସମୟରେ ଆପଣଙ୍କ ସ୍ୱାଗତ ତୁଳନାରେ ଜଣେ ଆହତ ବ୍ୟକ୍ତିର ଜୀବନ ରକ୍ଷା କରିବା ମୋ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ଥିଲା । ଯଦି ସେ ସମୟରେ ମୁଁ ଆହତ ଶିକାରୀକୁ ଛାଡ଼ି ମହାରାଜାଙ୍କର ସ୍ୱାଗତ କରିଥାଆନ୍ତି, ତେବେ ହୁଏତ ଶିକାରୀଟିର ପ୍ରାଣ ଚାଲିଯାଇ ଥାଆନ୍ତା । ଆଶା କରୁଛି ରାଜନ୍, ଆପଣ ମୋର ଏହି ପରିସ୍ଥିତିକୁ ଠିକ ଭାବେ ବୁଝି ପାରୁଛନ୍ତି ।
ରାଜା ଘଟଣାର ଗୁରୁତ୍ୱ ବୁଝିପାରି ୠଷିଙ୍କୁ ପ୍ରଣାମ କରି କହିଲେ,
– ହେ ମହାଭାଗ, ଆପଣଙ୍କର ଏହି ଜ୍ଞାନ ମୁଁ ସର୍ବଦା ମନେ ରଖିବି ।
ସେହିପରି ଚାର୍ବାକଙ୍କର ସେହି ଉକ୍ତି ଏହି “ବର୍ତ୍ତମାନ” ଉପରେ ହିଁ ମୁଁ ମୋର ସମସ୍ତ ଧ୍ୟାନ କେନ୍ଦ୍ରିତ କରି ରଖିଛି । ମୋର ବର୍ତ୍ତମାନରେ ‘ମୋର ସ୍ତ୍ରୀ, ସନ୍ତାନ ପରିବାର’ ମୋ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ମୋର ସମସ୍ତ ଚେଷ୍ଟା ସମସ୍ତ କର୍ମ କେବଳ ସେମାନଙ୍କର ଆବଶ୍ୟକତାକୁ ପୁର୍ଣ୍ଣ କରିବାରେ ଚାଲିଯାଉଛି । କିଛି ବଳିଲେ ସିନା ଗତକାଲି, ମାନେ ମୋର ବୃଦ୍ଧ ମାତା, ପିତାଙ୍କ ପାଇଁ କିଛି କରିବି ଅବା ମୋର ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବି । କିନ୍ତୁ ବିଡ଼ମ୍ବନା ଦେଖ, ମୋର ବର୍ତ୍ତମାନ ଏପରି ଏକ ଫଟା ମାଠିଆ ହୋଇ ଯାଇଛି ଯେ, ମୁଁ ଯେତେ ଚେଷ୍ଟା କଲେ ବି, ସେଥିରେ ଯେତେ ଯାହା ଭରିଲେ ବି ସେଇ ଫଟା ମାଠିଆଟି ସବୁବେଳେ ଶୂନ୍ୟ ରହିଛି, କେବେବି ପୁର୍ଣ୍ଣ ହୋଇପାରୁନି !
ମୁଁ ଜାଣିଛି, ମୋର ଆଜିର ଏ କୃତ୍ୟ ଭବିଷ୍ୟତରେ ମୋ ପାଇଁ କେଉଁ ପରିଣାମ ନେଇ ଆସିବ ! ଦିନ ଆସିବ, ମୁଁ ବି ମୋ ପିତାମାତାଙ୍କ ପରି ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚିଯିବି । ସେତେବେଳେ ଭାବିବି, ମୁଁ ମୋର ଯୌବନରେ ପତ୍ନୀ ପୁତ୍ର ପ୍ରେମରେ କେତେ ଅନ୍ଧ ହୋଇ ଯାଇଥିଲି ସତେ । ମୋର ପରିବାକୁ କେବଳ ମୋର ପତ୍ନୀ ଏବଂ ନିଜ ସନ୍ତାନ ଭିତରେ ହିଁ ସୀମିତ କରି ନେଇଥିଲି । ମୁଁ କିପରି ଭୁଲିଗଲି ମୋର ଜନ୍ମଦାତା ପିତାମାତାଙ୍କୁ, ଯେଉଁମାନେ ମୋତେ ଏ ସଂସାରକୁ ଆଣିଥିଲେ । ଯେଉଁମାନେ ସେମାନଙ୍କର ସାରା ଜୀବନର ତପସ୍ୟା କେବଳ ମୋରି ପଛରେ ସାରି ଦେଇଥିଲେ ।
ସେମିତି ଗୋଟିଏ ଦିନ ଆସିବ, ଯେତେବେଳେ ମୋର ସନ୍ତାନମାନଙ୍କ ପାଇଁ ମୁଁ ମଧ୍ୟ ମୋର ପିତାମାତାଙ୍କ ପରି ଅଦରକାରୀ ଏବଂ ଗୁରୁତ୍ୱହୀନ ହୋଇପଡ଼ିବି । ଶେଷରେ ପିତାମହ ଭୀଷ୍ମଙ୍କ ପରି ଅସହାୟ ନିଃସହାୟ ହୋଇ ଜୀବନର ଅନ୍ତିମ ଶରସଜ୍ୟା ଉପରେ ମୋର ଶେଷ ନିଃଶ୍ଵାସକୁ ଅପେକ୍ଷା କରିଥିବି, ଆଉ ମନେ ପକାଉଥିବି ମୋର ସମସ୍ତ ଜୀବନ ଚରିତ୍ର । ଗୋଟିଏ ବଚନରେ ବାନ୍ଧି ହୋଇ ମୁଁ କିପରି ଅନ୍ଧ ହୋଇ ଯାଇଥିଲି । ଦ୍ରୌପଦୀକୁ ନିର୍ବସ୍ତ୍ର ହେବାର ଆଖିରେ ଦେଖି ମଧ୍ୟ ତାର ଆର୍ତ୍ତକ୍ରନ୍ଦନ ବ୍ୟାକୁଳ ନିବେଦନକୁ କାନରେ ଶୁଣି ମଧ୍ୟ ନିରବ ରହିବାର ଅଭିଶାପକୁ ସହିଗଲି । ମୋର ସମସ୍ତ ଧର୍ମ, ସମସ୍ତ କର୍ତ୍ତବ୍ୟ କେବଳ ନିଜ ପତ୍ନୀ ସନ୍ତାନ ପଛରେ ଖର୍ଚ୍ଚ କରିଦେଲି ଏବଂ ଭୁଲିଗଲି ମୋର ଅନ୍ୟ ସମସ୍ତ ଧର୍ମକୁ ।
ମୋର ପିତାମାତାଙ୍କ ପରି ମୁଁ ଦିନେ ଏହି ନିର୍ଲଜ ଆତ୍ମାକୁ ନେଇ ଅପେକ୍ଷା କରିଥିବି, ମୋର ଅର୍ଜୁନକୁ, ସେ ଆସିବ, ମୁଁ ଶେଷ ନିଶ୍ୱାସ ଛାଡ଼ିବା ପୂର୍ବରୁ ଗଙ୍ଗାଜଳ ଟୋପାଏ ମୋ ମୁହଁରେ ଦେବ । ହେଲେ ସେତେବେଳକୁ ମୋର ସେହି ଅର୍ଜୁନ ପାଖରେ ବି ମୋ ପରି ଗୋଟିଏ ‘ବର୍ତ୍ତମାନ’ର ଫଟାକଳଶ ଥିବ ! ଯେପରି ଦିନେ ମୋ ପାଖରେ ଥିଲା । ଆଉ ସିଏ ବି ବ୍ୟସ୍ତ ଥିବ ତାର ସେଇ ବର୍ତ୍ତମାନର ଆବଶ୍ୟକତାର ଫଟା ମାଠିଆକୁ ପୁରା କରିବାକୁ, ଠିକ୍ ଯେପରି ଦିନେ ମୁଁ ବ୍ୟସ୍ତ ଥିଲି !
ସଂଧ୍ୟା ହସିଲା । କୁଟିଳ ହସଟିଏ । ସତେ ଅବା ଖଳନାୟକର ହସ । କହିଲା,
– ହଁ । ଠିକ୍ ଜାଣିଛୁ । ତୁ ଅର୍ଜୁନକୁ ଅପେକ୍ଷା କରିଥିବୁ ସିନା, ହେଲେ କିଏ ଜାଣେ, ସିଏ ବି ଚାର୍ବାକଙ୍କର ପଟ୍ଟ ଶିଷ୍ୟ ଥାଇପାରେ । ସିଏ ବି ତୋରି ପରି ଲାଗି ପଡ଼ିଥିବ ତାର ‘ବର୍ତ୍ତମାନ’ର ଫଟା ମାଠିଆକୁ ପୂର୍ଣ୍ଣ କରିବାରେ । ହେଲେ ନା ତାର ମାଠିଆ ଭରିବ, ନା ସିଏ ଆସିବ !
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।