ମଧୁମିତା ମିଶ୍ର

ଓଃ…କି ଶୋଷ…!! କେତେ ଯେ ତୋର ଅବଶୋଷ…!
ଯାହା ଦେଲେ ମଧ୍ୟ ତୋତେ, ସବୁ ହୋଇଯାଏ ଶେଷ…?
ତଥାପି ଦେଖିନାହିଁ କେବେ ତୋ ମନେ ସନ୍ତୋଷ…?
କହ ଓଠ …ମୋ ଆଗରେ କର ତୋ ଇଚ୍ଛା ପ୍ରକାଶ…!!
ଦେଲି ମୁଁ ତୋତେ ଅମୀୟ ମାତୃ ଅମୃତର ସ୍ଵାଦ…!
ତଥାପି ରହିଲା କାହିଁକି କହ ତୋ ମନରେ ଅବସାଦ…?
ଦେଇଥିଲି ତେଣୁ ପୁଣି ଖଟା, ମିଠା, ରାଗ ଆଉ ପିତା…!
ତଥାପି କେଉଁଠି ରହିଲା କେଜାଣି ତୋର ଏତେ ଦୁଶ୍ଚିନ୍ତା…?
ଦେଲି ମଧ୍ୟ ତୋତେ ପହିଲି ବର୍ଷାର ଅପୂର୍ବ ମଧୁସ୍ପର୍ଶ…!
ମଧୁମୟ ପ୍ରେମର ଆଦ୍ୟ ମଧୁ ଆଉ ସ୍ନେହର ନିଷ୍କର୍ଷ…!!
ମଦିରା ସହ ଉଷ୍ମ ଶୀତଳ ପାନୀୟ ସବୁ ଦେଇଥିଲି…!
ତଥାପି ତୋ ତୃଷ୍ଣା ମୁଁ ଯେ କେବେ ମେଣ୍ଟାଇ ନପାରିଲି…??
କହିଲା ଓଷ୍ଠ : ମୋ ଶୁଷ୍କତା କେବଳ ଚାହେଁ…ତୋ ଲୋତକର ସିକ୍ତ ଆର୍ଦ୍ରତା…!!
ହୃଦ ଖୋଲି ଢାଳି ଦେଲେ ତୁ… ତୃପ୍ତ ହେବି; ଦୂର ହେବ ମୋର ଏ ଚିର ଶୂନ୍ୟତା…!!
ଭୁବନେଶ୍ଵର, ଖୋର୍ଦ୍ଧା
ଲେଖକ ପରିଚୟ
“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।