ସତ୍ୟନାରାୟଣ ଗନ୍ତାୟତ

ଭକ୍ତ କବି ମଧୁସୂଦନ ରାଓ ନିଜ କାଳଜୟୀ ବର୍ଣ୍ଣନ କ୍ରମେ ଗାଇ ଯାଇଛନ୍ତି : “ଭାଦ୍ର ଆଶ୍ୱିନ ଶରତରେ, ନିର୍ମଳ ଶୋଭା ଜଗତରେ !” ସତରେ ତୋଫାତୋରା ଓ ସଫାସୁତୁରା ପରିବେଶରେ ନୀଳ ଆକାଶକୁ ଅନାଇ, ଶୀତଳ ସକାଳର ଶିଶିର ବିନ୍ଦୁ ବିଛା ଗାଲିଚାରେ କାଶତଣ୍ଡୀ ଫୁଲଙ୍କ ସହ ହସିହସି, ସଧୀରେ ସଭିଙ୍କ ମନରେ ତାଜାପଣ ଭରିଦେବା ପାଇଁ ପାର୍ବଣଙ୍କ ପସରା ନେଇ ଓହ୍ଲାଇ ଆସିଥାଏ ଶରତ ! ଆମର ମନେହୁଏ ନାତିଶୀତୋଷ୍ଣ କହିଲେ କଣ ବୁଝିବା ପାଇଁ ସତେଅବା ଶରତ ଆସିଥାଏ ଭୋଦୁଅର ଖରାରେ ପେଡ଼ିଲୁଗା ଶୁଖାଇ ସଭିଙ୍କୁ ସଜବାଜ ଭିତରେ ମଜ୍ଜିଯିବା ପାଇଁ । ଅଳ୍ପଅଳ୍ପ ତା’ ଶୀତଳ ପରଶରେ ଆନମନା କରିଥାଏ ଏବଂ ଉଚ୍ଚାଟିତ କରିଥାଏ ଏହି ଦୁଇ ମାସର ପାର୍ବଣାବସର ମାନଙ୍କର ମାଦକତାକୁ ମନଭରି ଅନୁଭବିବା ପାଇଁ !

ଏହି ମହାର୍ଘ୍ୟ କାଳରେ ଧରାବତରଣ ହୁଏ ଜଗଜ୍ଜନନୀ ମାଆ ଦୁର୍ଗାଙ୍କର । ଏହାର ସୂଚକ ସ୍ୱରୂପ ମାଆଙ୍କ ସ୍ଥାପନ ଓ ପୂଜନ ସକାଶେ ସର୍ବତ୍ର ଆକର୍ଷଣୀୟ ସାଜସଜ୍ଜା ଓ ଚାକଚକ୍ୟ ସମ୍ବଳିତ ଆଲୋକ ଓ ପୁଲକର ଅପୂର୍ବ ଆୟୋଜନ ହୁଏ । ବେଦୀମାନଙ୍କରେ ମାଆ ଦଶଭୂଜା ଦୁର୍ଗତିନାଶିନୀ ଭାବେ ଶୋଭା ପାଆନ୍ତି ଓ ପୂଜିତା ହୁଅନ୍ତି ।

ତେବେ ମଣ୍ଡପରୁ ମଣ୍ଡପ ବୁଲି ଦେବୀଙ୍କ ଦର୍ଶନବେଳେ ଓ ଦର୍ଶନର ସମାପନାନ୍ତେ କେଜାଣି କାହିଁକି ଏକ ରିକ୍ତାବସ୍ଥା ଆବୋରି ବସେ । ଲାଗେ ସବୁ ବେଦୀରେ ଦେବୀ ଆସୀନା ସିନା ହୃଦୟର ବେଦୀ କିନ୍ତୁ ଶୂନ୍ୟତା ଘେରରେ ଇ’ ରହିଛି ସେମିତି ! ପୂଜାବସରରେ ପରିଦୃଷ୍ଟ ଯାବତ ବାହ୍ୟ ଆଡ଼ମ୍ବର ଭିତରେ ବେଦୀ ହୁଏ ତ ବାହ୍ୟ ଉପାସନାର ପ୍ରତୀକ ହୋଇଥାଏ। । ହେଲେ ହୃଦୟ କିନ୍ତୁ ସତତ ଆନ୍ତରିକ ଶ୍ରଦ୍ଧା, ପବିତ୍ରତା, କରୁଣା ଓ ମାନବିକତାର ଆଧାର । ତେଣୁ ତ’ ଏହି ହୃଦୟର ବେଦୀ ଶୂନ୍ୟଶୂନ୍ୟ ଲାଗୁଥାଏ ! କାରଣ ବାହ୍ୟ ଆଡ଼ମ୍ବରର ଅତ୍ୟାକର୍ଷଣ ମଧ୍ୟରେ ଦେବୀଙ୍କ ଭବ୍ୟ ସ୍ଥାପନ ଓ ପୂଜନ ସତ୍ତ୍ୱେ ବେଦୀ ହିଁ ଅବଲୀଳା କ୍ରମେ ହୋଇଯାଇଥାଏ ଉପଜୀବ୍ୟ ! ସୁତରାଂ ବିଭିନ୍ନ ମଣ୍ଡପର ବେଦୀଙ୍କ ସାଜସଜ୍ଜା ଦେଖି ନିହାତି ଗତାନୁଗତିକ ଭାବେ ପ୍ରଶଂସା କରାଯାଏ । ଆଖିଝଲସା ଆଡ଼ମ୍ବର ଦିବ୍ୟଦୃଷ୍ଟିକୁ ଅକ୍ଳେଶରେ ହଜାଇ ଦେଇଥାଏ । ଏତେ ଚାକଚକ୍ୟଭରା ଆୟୋଜନର ଘନଘଟା ମଧ୍ୟରେ ଶ୍ରଦ୍ଧା ନିଷ୍ଠାଦି ଯାବତ ମାନବୀୟ ସୁଗୁଣଙ୍କ ଅନ୍ୱେଷଣ ତଥାପି ଅସମାହିତ ହୋଇ ରହିଥାଏ, ଯାହା ଶୂନ୍ୟ ହୃଦୟର ଶୂନ୍ୟତାକୁ ମର୍ମେ ମର୍ମେ ଅନୁଭବ କରାଇ ଦିଏ । ହୃଦୟ ଅହଂରହିତ, ସଂଯମୀ ଓ ସତ୍ୟାନୁଶ୍ରୟୀ ହୋଇ ସୁନ୍ଦର ହୋଇଥିଲେ ସିନା ତାହା ପବିତ୍ର ବେଦୀଟିଏ ହୋଇଥାନ୍ତା ଯେ ଦେବୀ ତହିଁରେ ବିରାଜିତା ହୋଇ ଦିବ୍ୟ କରୁଣାର ଆଲୋକ ବିଚ୍ଛୁରଣ କରତଃ ମାନବିକତାକୁ ଊର୍ଦ୍ଧ୍ୱ।ୟିତ କରି ଦିବ୍ୟତ୍ୱ ଆଡ଼କୁ ପଥ ଫେଇଥାନ୍ତେ ?

କିନ୍ତୁ ବେଦୀରେ ମହିଷାସୁରର ବଧ ଦେଖି ସନ୍ତୁଷ୍ଟ ହୋଇ ଅନ୍ତଃକରଣରେ ହିଂସା, ଈର୍ଷା, ଦ୍ୱେଷାଦି ଯାବତ ପ୍ରବୃତ୍ତିଙ୍କ ଆସୁରିକ ଉପସ୍ଥିତି ସାଇତି ରଖିଥିଲେ ହୃଦୟରେ ଦେବତ୍ୱ ତ ସୁଦୂର ପରାହତ, ମାନବିକତା ସୁଦ୍ଧା ଆସୀନ ହୋଇ ସତ୍ ପଥ ପ୍ରଦର୍ଶନ କରିବା ଦୁଃସ୍ୱପ୍ନ ପାଲଟିଯାଏ । ଫଳତଃ ହୃଦୟାଭ୍ୟନ୍ତର ଦାନବ ସୁଲଭ ମହିଷା ପ୍ରବୃତ୍ତିରେ ଭରା ହୋଇ ତଥାପି ଦେବୀଙ୍କ ଉପସ୍ଥିତି ବିହୁନେ ରିକ୍ତ ହୋଇ ହିଁ ରହିଥାଏ ।

ପୂଜାବସରରେ ଶରତ କାଳ ବାହ୍ୟତଃ ଦୃଶ୍ୟମାନ ଜଗତକୁ ସତରେ ତୋଫାତୋରା କରିଥାଏ । ନକ୍ଷତ୍ର ଖଚିତ ନିର୍ମେଘ ମନୋରମ ଆକାଶ ଦେଖିଲେ ଲାଗେ ପ୍ରକୃତି ରାଣୀ ସତେଯେପରି ଆପଣାକୁ ଅପରୂପ ଢଙ୍ଗରେ ସଜାଇ ରଖିଛି । କିନ୍ତୁ ସେହି ନିର୍ମଳ ଆକାଶ ତଳେ ପୂଜାର ମଜାନୁଭବରେ ଅଧୀର ମଣିଷର ମନ କ’ଣ ଥାଏ ଅନୁରୂପ ଭାବେ ନିର୍ମଳ ? ଏଠି ସ୍ମରଣୀୟ ଯେ ମନ ନିର୍ମଳ କରିବା କିନ୍ତୁ ଐକାନ୍ତିକ ଭାବେ ଏକ ମାନବିକ କର୍ମ । ଏଥକୁ ପ୍ରକୃତିର କିଛି କରିବାର ନାହିଁ । ଆଉ ଏହାହିଁ ତ’ ନ୍ୟୂନତମ ଆବଶ୍ୟକତା, ହୃଦୟକୁ ପବିତ୍ର ବେଦୀ ରୂପେ ସଜାଇ ଦେବୀଙ୍କ ଆବାହନ ପାଇଁ !

ଏ ଦିଗରେ ମନ ନବଳାଇ ନିଜକୁ ସଜାଇ ପୂଜାର ମଜା ନେବାରେ ହିଁ ମଜ୍ଜିଯିବା ଅର୍ଥ ଦିବ୍ୟ ଅନୁଭବ ଆମ ପାଇଁ ଦୁର୍ଲଭ ହୋଇ ସେମିତି ରହିଯିବ । ଆତ୍ମସମୀକ୍ଷା ଓ ସ୍ୱକୀୟ ସଂଶୋଧନାଧାରିତ ଆତ୍ମିକ ପରିଚ୍ଛନ୍ନତା ହିଁ ଚିରକାଳ ଦିବ୍ୟତ୍ୱ ଦିଗରେ ପ୍ରଥମ ପଦପାତ ହୋଇଆସିଛି । ଏହା ଫଳପ୍ରସୂ ହେଲେ ହିଁ ସ୍ୱତଃ ଉପଲବ୍ଧ ହୋଇଥାଏ ବାହ୍ୟ ଉତ୍ସବରୁ ବାସ୍ତବାନନ୍ଦ ଓ ମହନୀୟାନୁଭବ !

ଏସବୁ ଆତ୍ମଜିଜ୍ଞାସା କରି, ଆଧ୍ୟାତ୍ମିକ ଆନନ୍ଦ ଲାଭାର୍ଥେ ଉନ୍ମୁଖ ହେବା ଯଦି ଧ୍ୟେୟ ହୁଅନ୍ତା, ତେବେ ବେଦୀର ମନ୍ତ୍ର ପାଠ ଓ ପୃଜନର ପ୍ରତିଟି ବିଧାନ ହିଁ ଐକାନ୍ତିକ ଭାବରେ ଯଥାର୍ଥରେ ଆତ୍ମିକ ସ୍ତରରେ ଆକର୍ଷକ ହୋଇଥାନ୍ତା । କିନ୍ତୁ କ୍ୱଚିତ ସେଭଳି ହୋଇଥାଏ । ବେଦୀରେ ଦେବୀଙ୍କ ଭବ୍ୟ ଉପସ୍ଥିତି ସତ୍ତ୍ୱେ ଆମ କାନକୁ ତାବଦା କରି ପକାଉଥାଏ ମେଲୋଡ଼ିର ଗୀତ, ପାଖ ମଞ୍ଚର ନାଚ ଆଦି ସଂସ୍କୃତି ମଧ୍ୟକୁ ଧସେଇ ପଶି ଆସିଥିବା ବର୍ଜ୍ୟ ପରମ୍ପରାମାନ । ପୂଜାବସରର ତଥାକଥିତ ଆନନ୍ଦ ଲୁଟିବା ଆଳରେ ଆମ ଆବିଳ ମନ ଆକାଶ ପରି ସୁବିମଳ ହେବା ଦୂରେଥାଉ, ଏସବୁ ସହ ମିଶିଯାଇ ଆହୁରି ମଇଳା ହୋଇ ଚାଲିଥାଏ । ଏମିତି ଆତ୍ମବିସ୍ମୂତ ହେଉହେଉ ମଣିଷ ତା’ ଅଲକ୍ଷ୍ୟରେ ନିଜ ଆଭ୍ୟନ୍ତରୀଣ ମାନବିକତାକୁ ହଜାଇ ପକାଇଥାଏ । ଫି]ବର୍ଷ ପୂଜାରେ ମଣ୍ଡପମଣ୍ଡପ ବୁଲି ବେଦୀମାନଙ୍କରେ ଦେବୀଙ୍କୁ ପୂଜିବା ସତ୍ତ୍ୱେ କାଣିଚାଏ ସୁଦ୍ଧା ଆଧ୍ୟାତ୍ମିକ ଆନନ୍ଦ ଲଭି ନପାରି ଯଥା ପୂର୍ବ ତଥା ପର ହୋଇ ରହିବା ହିଁ ଅବଶେଷେ ସାର ହେଉଥାଏ । କାରଣ ଗତାନୁଗତିକତା ଭିତରେ ମାଆଙ୍କ ମହିମା କ୍ୱଚିତ ଅନୁଭବି ହୁଏ ।

ତେବେ ମାଆ ସର୍ବଦା ଅବତରି ଆସିବାକୁ ଉନ୍ମୁଖ ଆମ ହୃଦୟର ବେଦୀକୁ, ଆମ ମନ ମନ୍ଦିର ମଧ୍ୟକୁ । ଆମେ ଏକଥା ବିସ୍ମରି ଯାଇଥାଉ ବାହ୍ୟ ପ୍ରଦର୍ଶନ ମଧ୍ୟରେ ମାଆଙ୍କୁ ସୀମିତ କରି । ଏଥକୁ ମାନବିକତାରେ ପରିପୂର୍ଣ୍ଣ, ବିବେକବାନ, ସମ୍ବେଦନଶୀଳ ଓ ନୈତିକ ଚେତନାସମ୍ପନ୍ନ ମଣିଷଟିଏ ହେବା କେତେ ଜରୁରୀ ଏହା ହିଁ ସୂଚାଇ ଦେଇ ଆସୁଛନ୍ତି ମାଆ ତାଙ୍କ ସାମ୍ବତ୍ସରିକ ଶାରଦୀୟ ଆଗମନ ମାଧ୍ୟମରେ । ଏହାର ଯଥାର୍ଥ ଉପଲବ୍ଧି ମଣିଷକୁ ଚେତନାର ଏକ ଉର୍ଦ୍ଧ୍ଵତର ସୋପାନକୁ ନେଇପାରିବ । ବାସ୍ତବରେ ମାଆ ଦୁର୍ଗା ଶକ୍ତି ସ୍ୱରୂପିଣୀ ଭାବେ ଏକ ଦିବ୍ୟ ଚେତନା ଧାରିଣୀ । ସେ ମାନବ ଭିତରର ପାଶବିକତା ତଥା ଦାନବିକତା ଦୂରେଇ ତାକୁ ଦେବୋପମ କରିବାକୁ ଉନ୍ମୁଖ ହୋଇଥିଲେ କ’ଣ ହେବ, ମାନବ ଯଦି ସେଥକୁ ଭାଜନ ହେବା ପାଇଁ ନିଜ ପକ୍ଷରୁ ହୃଦୟର ବେଦୀକୁ ସୁବିମଳ ଓ ସୁଶୋଭିତ କରି ଆସ୍ଥାନଟିଏ ପ୍ରସ୍ତୁତ କରିବାକୁ ବ୍ୟାକୁଳ ନହୋଇ ତୁଚ୍ଛା ବାହ୍ୟ ପ୍ରଦର୍ଶନରେ ମାତି ରହିଥିବ ?

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

One thought on “ହୃଦୟ ବେଦୀରେ ଦେବୀ”

  1. ମଣିଷ ହେଜିଲେ , ନିଜ ଭିତରେ ମହିଷାସୁର ରୂପକ ନକରାତ୍ମକ ଓ ପାଶବିକ ଶକ୍ତି ଗୁଡିକୁ ଆୟତ କରି ଦେବପୋମ ଦିଗକୁ ବଢିପାରନ୍ତା। ଆପଣଙ୍କ ପ୍ରବନ୍ଧ ଭଲ ଲାଗିଲା . ଶାରଦୀୟ ଶୁଭେଚ୍ଛା ଜଣାଉଛି।

Leave a Reply

Your email address will not be published. Required fields are marked *