ବିନୟ ମହାପାତ୍ର

ହେ ଦେବୀ, ତୁମେ ବି ତ
ମୋ ପରି ନାରୀଟିଏ,
ତୁମେ ବି ତ
ମୋ ପରି ମାଆଟିଏ,
କେବଳ ଫରକ ଏତିକି,
ମୁଁ ଜୀବନ୍ତ, ରକ୍ତ ମାଂସର
ମଣିଷ ଗୋଟିଏ,
ଆଉ, ତୁମେ ନିର୍ଜୀବ
ପାଷାଣ ପ୍ରତିମାଟିଏ,
କିନ୍ତୁ, ଆଜି ତୁମେ ପୂଜା ପାଅ
ପିଠେ, ନଗରେ
ପ୍ରତି ଜନ ଘରେଘରେ ।
ମୁଁ କିନ୍ତୁ ହତାଦରେ
ପ୍ରତିକ୍ଷଣ ଲାଞ୍ଛିତ ହୁଏ,
ଦିନ ଦିପହରେ,
ରାତ୍ରୀର ଘନ ଅନ୍ଧକାରେ,
ପ୍ରତିକ୍ଷଣ ଅପମାନିତ,
ଗଣଧର୍ଷିତା ହୁଏ …
ପଥର ହେଲେ, ଯଦି ପୂଜା ମିଳେ,
ତେବେ ମୋତେ,
ପଥର କରିଦେ ମାଆ,
ଜୀବନ୍ତ ମଣିଷକୁ
ପଚାରେ ବା କିଏ ?
ପୂଜା ଯୋଗ୍ୟ କେବଳ
ପଥର ପ୍ରତିମା ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

