ବ୍ୟଙ୍ଗର ଛୁରିରେ ଛିନ୍ନଭିନ୍ନ ଛଳନାର ମୁଖା

ସମୀକ୍ଷା: ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ
ପୁସ୍ତକ: ଭୋଳାରାମର ଆତ୍ମା
ମୂଳ ହିନ୍ଦୀ: ହରିଶଙ୍କର ପରସାଇ । ଓଡ଼ିଆ ଅନୁବାଦ: ମୃଣାଳ
ପ୍ରକାଶକ: ଯୁଗ ପ୍ରବର୍ତ୍ତକ ପ୍ରକାଶନ, ଭୁବନେଶ୍ୱର
ପ୍ରଥମ ପ୍ରକାଶ: ଡିସେମ୍ବର ୨୦୨୩, ପୃଷ୍ଠା: ୧୫୭, ମୂଲ୍ୟ: ୧୫୦

ହିନ୍ଦୀ ଭାଷାର ପ୍ରଥିତଯଶା ବ୍ୟଙ୍ଗକାର ହରିଶଙ୍କର ପରସାଇଙ୍କୁ ଜନ୍ମ ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ଭାବରେ ପ୍ରକାଶିତ ଏ ସଙ୍କଳନଟିରେ ତାଙ୍କର ୨୮ଟି ଭିନ୍ନ ଭିନ୍ନ ଧରଣର ରଚନା (ଗଳ୍ପ, ଲଳିତ ନିବନ୍ଧ ଆଉ ରମ୍ୟ ରଚନା) ରହିଛି । ଏଗୁଡ଼ିକ ଉନବିଂଶ ଶତକର ପଚାଶ ଦଶକରୁ ନବେ ଦଶକର ଆଦ୍ୟକାଳ ମଧ୍ୟରେ ପ୍ରକାଶିତ ।

ପରସାଇଙ୍କ ସୃଷ୍ଟି ଜଗତ ବିବିଧତାରେ ପରିପୂର୍ଣ୍ଣ । ତାଙ୍କ ସମୟର ସମାଜରେ ଘଟିତ ବାସ୍ତବ ଚିତ୍ରସବୁକୁ ଅଭିଜ୍ଞତାର ବିସ୍ତୃତ ତଥା ପରିପକ୍ୱ ସୃଷ୍ଟିକ୍ରିୟାର ପ୍ରକରଣ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ସେତେବେଳକାର ହିନ୍ଦୀ ସାହିତ୍ୟର ପାରମ୍ପରିକ ସ୍ୱରୁପକୁ ପରିବର୍ତ୍ତନ କରି ଅନେକ ପାଦ ଆଗକୁ ଅତିକ୍ରମ କରିପାରିଛନ୍ତି । ବାସ୍ତବତାର ଜୀବନ୍ତ ଚିତ୍ରର ଅଙ୍କନ ତାଙ୍କର ରଚନା ଗୁଡିକୁ ସତ୍ୟର ବହୁ ନିକଟତର କରିବାକୁ ସକ୍ଷମ ହୋଇ ପାରିଛି ।

ପରସାଇ ଥିଲେ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି । ଭାରତୀୟ ସମାଜରେ ବହୁଳ ଭାବରେ ସ୍ଥିତ ଶ୍ରେଣୀ ଅସଙ୍ଗତିକୁ ସେ ନିଜ ରଚନା ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ମାନବ ନିୟତିର ପରିବର୍ତ୍ତନ ନିମନ୍ତେ ମାର୍କ୍‍ସବାଦୀ ଚିନ୍ତାଧାରାକୁ ଚରମ ଦର୍ଶନ ଭାବରେ ବିବେଚନା କରି ପରସାଇ ସେଇ ଚିନ୍ତା ଧାରାର ଦୃଢ଼ ଆଧାରରେ ତାଙ୍କର ସମଗ୍ର ସାହିତ୍ୟ ସୃଷ୍ଟି କରିଛନ୍ତି । ଜଣେ ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା ହୋଇଥିବାରୁ ସେ ପୁଂଜିବାଦୀ ସମାଜ ତଥା ସଂସ୍କୃ୍‍ତିର ବିଭ୍ରାନ୍ତକାରୀ ଉପାଦାନଗୁଡିକୁ ବିଶ୍ଳେଷଣ କରି ସମାଜବାଦୀ ମୂଲ୍ୟବୋଧ ସପକ୍ଷରେ ନିଜର ଆଭିମୂଖ୍ୟ ସ୍ପଷ୍ଟ କରିଥିବା କଥା ସଂକଳନଟିର ‘ମୁଖବନ୍ଧ’ ରେ ଡକ୍ଟର ଜୟନ୍ତ କରଶର୍ମା ଉଲ୍ଲେଖ କରିଛନ୍ତି ।

ତାଙ୍କ ରଚିତ ଭୋଳାରାମର ଆତ୍ମା, ଅଶ୍ଳୀଳ, ଟର୍ଚ୍ଚ ବିକ୍ରେତା, ଗହମର ସୁଖ, ବିଶୃଙ୍ଖଳିତ ଭିଡ଼ର ଭୟ, ନୂଆବର୍ଷ, ଗ୍ରୀଟିଙ୍ଗସ୍‍ କାର୍ଡ ଓ ରାସନ କାର୍ଡ, ବୁଦ୍ଧିବାଦୀ, ପୋଲିସ୍‍ ମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି, ମୂଷା ଆଉ ମୁଁ, ଏକ ମଧ୍ୟମବର୍ଗୀୟ କୁକୁର, ଜଣେ ଗୋ-ଭକ୍ତ ସହିତ ସାକ୍ଷାତ, ଆଦି ଗଳ୍ପ, ରମ୍ୟରଚନା ତଥା ଲଳିତ ନିବନ୍ଧଗୁଡିକରେ ଭାରତୀୟ ଜନଜୀବନର ସମସ୍ୟା, ସ୍ୱାଧିନତା ପରର ଭାରତୀୟ ସମାଜ, ଶିକ୍ଷା ଓ ରାଜନୀତିକ ଘଟଣାକ୍ରମର ଆଖିଦେଖା ବିବରଣୀ ସାହିତ୍ୟର ରଙ୍ଗରୂପ ଗ୍ରହଣ କରି ଆତ୍ମପ୍ରକାଶ କରିଛି ।

ହରିଶଙ୍କର ପରସାଇଙ୍କ ବ୍ୟଙ୍ଗ ଖୁବ୍‍ ତୀକ୍ଷ୍ଣ ଆଉ ଶାଣିତ । ତେଣୁ ସେ ସହଜିଆ ହାସ୍ୟରସ ସୃଷ୍ଟି କରିବାକୁ ବ୍ୟଙ୍ଗର ଉପଯୋଗ କରିବାକୁ ପସନ୍ଦ କରୁନଥିଲେ । ତାଙ୍କର ବ୍ୟଙ୍ଗ ଗମ୍ଭୀର ଆଉ ଗଭୀର । ତା ମଧ୍ୟରେ ତାଙ୍କ ଜୀବନ-ଦର୍ଶନ ସାଙ୍ଗକୁ ବିସ୍ତାରିତ ଭାବରେ ବିଶ୍ୱ ଦୃଷ୍ଟିକୋଣ ଭରିରହିଛି । ଫଳରେ ପରସାଇଙ୍କର ବ୍ୟଙ୍ଗ-ଦର୍ଶନ ଏକ ସ୍ୱତନ୍ତ୍ର ମାନ ସୃଷ୍ଟିକରିବା ସାଙ୍ଗକୁ ହିନ୍ଦୀ ସାହିତ୍ୟରେ ବ୍ୟଙ୍ଗ-ଧର୍ମିତାକୁ ସମ୍ମାନଜନକ ସ୍ଥାନ ମିଳିପାରିଛି ।

‘ଭୋଳାରାମର ଆତ୍ମା’ ସଂକଳନଟିର ଅନୁବାଦ ବେଶ ସଫଳ । ପରସାଇଙ୍କ ବ୍ୟଙ୍ଗର ଛଟାକୁ ସେ ବେଶ ସୁନ୍ଦର ଭାବେରେ ଓଡ଼ିଆ ଭାଷାରେ ଫୁଟାଇ ପାରିଛନ୍ତି । ‘ଭୋଳାରାମର ଆତ୍ମା’ ଅନୁବାଦ ପୁସ୍ତକଟି ପାଠକମାନଙ୍କ ଦ୍ୱାରା ଗୃହୀତ ହେବ ନିଶ୍ଚୟ ।

++
ଅବସରପ୍ରାପ୍ତ ନିର୍ଦ୍ଦେଶକ, ଆକାଶବାଣୀ, ପ୍ରସାର ଭାରତୀ

Related Posts

Leave a Reply

Your email address will not be published. Required fields are marked *