ଲୋକକଥାରେ ପରିବେଶ ସଂରକ୍ଷଣର ବାର୍ତ୍ତା

ବହି: ଦ ନୁଟମେଗ୍ସ କର୍ସର୍: ପାରାବଲ୍ ଫର ଏ ପ୍ଲାନେଟ୍ ଇନ କ୍ରାଇସିସ୍
ଲେଖକ: ଅମିତାଭ ଘୋଷ
ପ୍ରକାଶକ: ପେଙ୍ଗୁଇନ
ପୃଷ୍ଠା: ୩୩୯, ମୂଲ୍ୟ: ୫୯୯ ଟଙ୍କା

ପ୍ରଥମେ ‘ନୁଟମେଗ୍ସ କର୍ସ’ ବା ନୁଟ୍ମେଗ୍ର ଅଭିଶାପ- ଏ ଜିନିଷଟା କଣ ସ୍ପଷ୍ଟ କରିଦିଏ । ନୁଟମେଗ୍ ହେଲା ଇଣ୍ଡୋନେସିଆର ବାନ୍ଦା ଦ୍ୱୀପରେ ଗୋଟେ ଜାଗା । ଏଠି ଗୋଟେ ସମୟରେ ଗୋଲମରିଚ ଆଉ ଲବଙ୍ଗ ପ୍ରଚୁର ପରିମାଣରେ ମିଳୁଥିଲା । ଏହାର ଖ୍ୟାତି କ୍ରମଶଃ ସାରା ପୃଥିବୀରେ ବ୍ୟାପିଲା ଆଉ ସେଠିକାର ଲୋକ ଭୂମଧ୍ୟ ସାଗରୀୟ ନ୍ୟୁରେସିଆରେ ପଞ୍ଚଦଶ ଏବଂ ଷୋଡଶ ଶତାବ୍ଦୀରେ ଏହାର ବ୍ୟବସାୟ କରୁଥିଲେ ।

ସେତେବେଳେ ୟୁରୋପରେ ଏସିଆ ମହାଦେଶର ବିଭିନ୍ନ ଦେଶରେ ଉତ୍ପାଦିତ ହେଉଥିବା ମସଲା ଆଣିବା – ଗୋଟେ ପ୍ରତିଯୋଗୀତା ପର୍ଯ୍ୟାୟରେ ପହଞ୍ଚିଥିଲା । ଭାସ୍କୋଡିଗାମା ଭାରତ ପର୍ଯ୍ୟନ୍ତ ଚାଲି ଆସିଲେ । ସେମିତି ଡଚ୍ କମ୍ପାନୀମାନେ ସେମାନେ ବାନ୍ଦା ଆଡକୁ ଚାଲିଗଲେ । ସେମାନେ ବାନ୍ଦାରେ ପହଞ୍ଚି ସେଠିକାର ଅଧିବାସୀମାନଙ୍କୁ ଅଧିକ ମସଲା ଚାଷ କରିବା ପାଇଁ ବାଧ୍ୟ କଲେ । ଏଥିପାଇଁ ସେମାନେ ଗଣହତ୍ୟା କରିବାକୁ ମଧ୍ୟ ପଛେଇ ନଥିଲେ । ସେମାନେ କ୍ରମଶଃ ଏହାକୁ ବ୍ୟାପକ ଭାବରେ ଚାଷ କରିବାକୁ ଆରମ୍ଭ କଲେ ଫଳରେ ସେଠିକାର ପରିବେଶର ସନ୍ତୁଳନ ନଷ୍ଟ ହୋଇଗଲା ଏବଂ କ୍ରମଶଃ ନୁଟମେଗର ଅଧିବାସୀମାନେ ରୋଗାକ୍ରାନ୍ତ ହୋଇଗଲେ । ଦରିଦ୍ର ବି ହୋଇଗଲେ । ଏହାକୁ ନୁଟମାର୍ଗର ଅଭିଶାପ ବୋଲି କୁହାଯାଏ ।

ଅମିତାଭ ଘୋଷ ଏହି କାହାଣୀ ମାଧ୍ୟମରେ ବିଶ୍ୱରେ ପରିବେଶ ପ୍ରତି ଯେଉଁ ବିପଦ ଘନେଇ ଆସିଛି ଏତାହା ରେଖାଙ୍କିତ କରିଛନ୍ତି ।

ଏ ଧରଣର ବେଶ୍ କେତେଗୁଡିଏ ବହି ନିକଟ ଅତୀତରେ ପ୍ରକାଶିତ ହୋଇଛି । ଯେଉଁଥିରେ ଗୋଟିଏ ବସ୍ତୁର ଇତିହାସକୁ ନେଇ ପୃଥିବୀ ସଭ୍ୟତାରେ, ପରିବେଶରେ, ରାଜନୈତିକ କ୍ଷେତ୍ରରେ କଣ ସବୁ ପରିବର୍ତ୍ତନ ହେଇଛି ତାହା ଦର୍ଶାଯାଇଛି । ଉଦାହରଣ ସ୍ୱରୁପ ମାର୍କ କୁର୍ଲାନସ୍କିଙ୍କର ‘ସଲ୍ଟ’, ଜେମସ୍ ୱାଲଭିନଙ୍କର ‘ସୁଗାର୍’ କିମ୍ବା ସିଭେନ ବ୍ରେକେଟଙ୍କର ‘ଏମ୍ପାୟାର ଅଫ କଟନ୍’ । ଏ ସବୁ ବହିରେ ଗୋଟିଏ ବସ୍ତୁକୁ ନେଇ ପୃଥିବୀ ଇତିହାସକୁ ଦେଖାଯାଇଛି । ଉଦାହରଣ ସ୍ୱରୁପ ‘ସୁଗାର’ ଆଉ ‘ଏମ୍ପାୟାର ଅଫ କଟନ’ରେ ଏହି ଚିନି ଆଉ ତୁଳା- ଏହି ଦୁଇଟି ବସ୍ତୁକୁ ନିୟନ୍ତ୍ରଣ କରିବାପାଇଁ ଦେଶ ଦେଶ ଭିତରେ କେମିତି ସଂଘର୍ଷ ହୋଇଥିଲା ଆଉ ପ୍ରାକୃତିକ ଜଙ୍ଗଲକୁ ନଷ୍ଟକରି ଏଗୁଡିକର ବ୍ୟାପକ ଚାଷ କରାଯାଇଛି ଯାହା ଫଳରେ ପରିବେଶର ସନ୍ତୁଳନ ନଷ୍ଟ ହେଇଛି ଏହା ଦର୍ଶାଯାଇଛି ।

‘ନୁଟମେଗସ କର୍ସ’ ବହିରେ ବି ପରିବେଶ ସନ୍ତୁଳନ କଥା ଆଲୋଚନା କରାଯାଇଛି । ଅମିତାଭ ଘୋଷ ବେଶ କିଛି ବର୍ଷହେଲା ପରବେଶ ସନ୍ତୁଳନ ଏବଂ ଏଥିରେ ପାଶ୍ଚାତ୍ୟ ଦେଶମାନଙ୍କର କେମିତି ଭୂମିକା ରହିଛି ତାକୁ ନେଇ ଲେଖୁଛନ୍ତି । ୨୦୧୬ରେ ତାଙ୍କର ଗୋଟେ ପୁସ୍ତକ ପ୍ରକାଶିତ ହୋଇଥିଲା ‘ଦି ଗ୍ରେଟ୍ ଡିରେଞ୍ଜମେଣ୍ଟ୍: କ୍ଲାଇମେଟ୍ ଚେଞ୍ଜ ଆଣ୍ଡ ଦି ଅନଥିଙ୍କେବଲ୍’ । ଏଥିରେ ସେ ପ୍ରଶ୍ନ କରିଛନ୍ତି ପରିବେଶର ପରବର୍ତ୍ତନ ଏକ ବଡ ବିପଦ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି କିନ୍ତୁ ଏହାକୁ ନେଇ ଯେତେ ସାହିତ୍ୟିକ ବିବ୍ରତ ହେବା କଥା, ଯେତେ ସାହିତ୍ୟକୃତି ସୃଷ୍ଟି ହେବା କଥା ତାହା କାହିଁକି ହେଇପାରିନାହିଁ । ସଙ୍ଗୀତ ବି ହୋଇ ପାରିନାହିଁ ।

‘ନୁଟମେଗ କର୍ସ’ ବହିରେ ସେ ପରିବେଶ ପରବର୍ତ୍ତନ (କ୍ଲାଇମେଟ ଚେଞ୍ଜ)ରେ ପାଶ୍ଚାତ୍ୟ ଦେଶମାନଙ୍କର ଭୂମିକା କଥା ପୁଣି ଥରେ ଆଲୋଚନା କରିଛନ୍ତି । ପାଶ୍ଚାତ୍ୟ ଦେଶଗୁଡିକ ବିଶେଷକରି ଆମେରିକା ଯେଉଁଭଳି ଭାବରେ ଏନର୍ଜି ନଷ୍ଟ କରେ ଏବଂ ତାର ଫଳ ଉନ୍ନତିଶୀଳ ଗରିବ ଦେଶମାନଙ୍କୁ ଭୋଗିବାକୁ ପଡୁଛି ସେ ବିଷୟରେ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଡମ୍ବନାର ହେଲା ଆମେରିକା ଯାହା କରୁଥିଲା ଏବେ ଅନ୍ୟାନ୍ୟ ଦେଶ ମଧ୍ୟ ସେହି ପଥରେ ଯାଉଛନ୍ତି । ଜଳବାୟୁର ପରିବର୍ତ୍ତନକୁ ରୋକିବା ପାଇଁ ଯେତେ ଚୁକ୍ତି ହେଉଛି ଯେତେ ରାଜିନାମା ହେଉଛି ସେଥିରୁ ଖୁବ୍ କମ୍ ବାସ୍ତବ କ୍ଷେତ୍ରରେ ପାଳିତ ହେଉଛି ।

ଏ ବହିରେ ଅମିତାଭ ଘୋଷ ପରିବେଶ ପରିବର୍ତ୍ତନ ସହିତ ଲୋକକଥାକୁ ବି ଆଣିଛନ୍ତି ଏହା ସହିତ ଆଧୁନିକତାକୁ ବି ଆଣିଛନ୍ତି ଏବଂ ବର୍ତ୍ତମାନର ମାନବ ସମାଜକୁ ଏକ ଚେତାବନୀ ମଧ୍ୟ ଦେଇଛନ୍ତି । ଚେତାବନୀଟି ଅତି ସରଳ: ଆମେ ଯଦି ପରିବେଶ କଥା ଚିନ୍ତା ନକରିବା ଏବଂ କାର୍ଯ୍ୟକାରୀ ପଦକ୍ଷେପ କିଛି ନଦେବା ଗୋଟେ ସମୟରେ ଏ ପୃଥିବୀରେ ଆମେ ଆଉ ରହି ପାରିବା ନାହିଁ ।

ପରିବେଶ ସମ୍ପର୍କରେ ଜାଣିବା ପାଇଁ, ଏ ପୃଥିବୀର ଭବିଷ୍ୟତ ସଂପର୍କରେ ଜାଣିବା ପାଇଁ ଅତ୍ୟନ୍ତ ମାର୍ମିକ ଭାବରେ ଲିଖିତ ଏ ବହିଟି ଅବଶ୍ୟ ପାଠ୍ୟ ।

++

Related Posts

Leave a Reply

Your email address will not be published. Required fields are marked *