ଭୁବନେଶ୍ଵର : କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଚଳିତଥର ଓଡ଼ିଆ ଭାଷାରେ ଏକାଡ଼େମୀର ଯୁବ ପୁରସ୍କାର ପାଇବେ ଲେଖକ ସୁବ୍ରତ କୁମାର ସେନାପତି । ସେହିପରି ବାଲ୍ ସାହିତ୍ୟ ପୁରସ୍କାର ପାଇବେ ଜଣାଶୁଣା ଶିଶୁ ସାହିତ୍ୟିକ ରାଜକିଶୋର ପାଢୀ ।
ଗଳ୍ପ ସଂକଳନ ‘କଦମ୍ବ ବନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ୨୦୨୫ ପାଇବେ ସୁବ୍ରତ କୁମାର ସେନାପତି । ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପୁରସ୍କାର ବାବଦକୁ ତାଙ୍କୁ ତାମ୍ର ଫଳକ ସହ ୫୦ ହଜାର ଟଙ୍କା ପୁରସ୍କାର ରଶି ପ୍ରଦାନ କରାଯିବ । ଯୁବ ପୁରସ୍କାର ପାଇଁ ପ୍ରତ୍ୟେକ ଭାଷାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା । ସେହି ବିଚାର ମଣ୍ଡଳୀଗୁଡ଼ିକର ସୁପାରିଶ କ୍ରମେ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷା ପାଇଁ ଗଠିତ ବିଚାରକମଣ୍ଡଳୀରେ ବିଶିଷ୍ଟ ଲେଖିକା ଯଶୋଧାରା ମିଶ୍ର, ରବି ସ୍ଵାଇଁ ଓ ସୁଭାଷ ଶତପଥୀ ସଦସ୍ୟ ଥିଲେ ।
ଶ୍ରୀ ସେନାପତିଙ୍କ ଗଳ୍ପ ସଂକଳନ ‘କଦମ୍ବ ବନ’ରେ ୧୫ଟି ଗଳ୍ପ ରହିଛି । ‘କଦମ୍ବ ବନ’ ସହିତ ଏହି ଗଳ୍ପ ସଂକଳନରେ ସ୍ଥାନିତ ହୋଇଥିବା ଅନ୍ୟ ଗପଗୁଡ଼ିକ ହେଉଛି, ଖୁଚୁରା, ବାସ୍ନା, ଦାୟାଦ, ଶୀର୍ଷ ସୁଖ, ସର୍ପମନସ୍କ, ଅନ୍ଧାର, ଇନ୍ଧନ, ପଲ୍ଲୀ ପତନ, ଦେବୀ ଦର୍ଶନ, ଗୋଟାଏ ସମତଳ, ତିନୋଟି ସମାନ୍ତର ସରଳରେଖା, ଶୀତ ରାତିର ଫୁଲମାନେ, ଡିସେମ୍ବରୀ ରଙ୍ଗର ଶାଢୀ, ନିବୁଜ କୋଠରୀ ଓ ମୃତ୍ୟୁର ପରିଧି ବାହାରେ । ଉକ୍ତ ପୁସ୍ତକଟି ୨୦୨୩ରେ ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ମଧ୍ୟ ତାଙ୍କର ଆଉଏକ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ଯାହାର ନାମ ‘ନିଷିଦ୍ଧ ବନ’ ଏବଂ ଏହାକୁ ଖୁବ ପ୍ରସିଦ୍ଧି ମିଳିଥିଲା । କଥା ନବପ୍ରତିଭା ପୁରସ୍କାର (୨୦୧୨) ସମେତ ‘ସୃଜନଝର ଗଳ୍ପ ସମ୍ମାନ’ ଓ ‘ବ୍ରହ୍ମପୁର ସାହିତ୍ୟ ପରିଷଦ ଯୁବପ୍ରତିଭା ସମ୍ମାନ’ ଆଦି ଅନେକ ପୁରସ୍କାର ପାଇଛନ୍ତି ।
ସେହିପରି କବିତା ସଂକଳନ ‘କେତେ ଫୁଲ ଫୁଟିଚି’ ପାଇଁ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢୀ ବାଲ୍ ସାହିତ୍ୟ ପୁରସ୍କାର ପାଇବେ । ପୁରସ୍କାର ବାବଦକୁ ତାଙ୍କୁ ବି ଏକ ତାମ୍ର ଫଳକ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ‘କେତେ ଫୁଲ ଫୁଟିଚି’ର ପ୍ରଥମ ସଂସ୍କରଣ ୨୦୨୩ରେ ପ୍ରକାଶିତ ହୋଇଥିଲା । ଯୁବ ପୁରସ୍କାର ଭଳି ବାଲ୍ ପୁରସ୍କାର ପାଇଁ ପ୍ରତି ଭାଷାରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା । ଓଡ଼ିଆ ଭାଷା ପାଇଁ ଗଠିତ ବିଚାରକମଣ୍ଡଳୀରେ ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ, ଶକୁନ୍ତଳା ବଳିଆରସିଂହ ଓ ଶିଶୁ ସାହିତ୍ୟିକ ରାମଚନ୍ଦ୍ର ନାୟକ ରହିଥିଲେ । ସୂଚନାଯୋଗ୍ୟ ଚଳିତ ବର୍ଷ ତୋଗରୀ ଭାଷା ପାଇଁ କାହାକୁ ଯୁବ ପୁରସ୍କାର ଦେବାକୁ ମନୋନୀତ କରାଯାଇ ନାହିଁ ।