ସତ୍ୟନାରାୟଣ ଗନ୍ତାୟତ

ଏହା ଭିତରେ ଅଳ୍ପଅଳ୍ପ କରି ହେଉ ପଛେ ଆପଣଙ୍କ ସହ ଆମର ଅନେକ ଆଳାପ ହୋଇଗଲାଣି । ଆପଣ ଆମକୁ ସମ୍ଭାଳି ନେଉଛନ୍ତି ବୋଲି ସିନା ! ସେସବୁ ଭିତରୁ କିଛି’ ସୁଦ୍ଦୁ ଶୁଖିଲା ମୁଖିଲା ନିରସ ଲାଗି ଥାଇପାରେ, ଜାଣୁ ! ତେବେ ମଝି ମଝିରେ ଗୋଟେ ଯୋଡ଼େ ଦୈବାତ୍ ‘ଦମ୍ ଦାର୍’ ମନେ ହୋଇଥିବା ନେଇ କିନ୍ତୁ ଆମେ ନିଶ୍ଚେ ଆଶାବାଦୀ । ଏଥର କହିଲେ ଦେଖି, ଆମ କଥିତ ଏଇ ‘ଦମ୍ ଦାର୍’ ଶବ୍ଦଟି କିଞ୍ଚିତ ଆପଣା ପେଁକାଳି ଆପେ ବଜାଇବା ପ୍ରାୟେ ଶୁଭୁନି ? ସେମିତି ‘ମଜାଦାର୍’ ଆଉ ଏକ ଶବ୍ଦ, ଯାହା ଭିତରେ ତ’ ମଜା ହିଁ ମଜା ! ତେଣୁ ଏହାର କହିବା ଓ ଶୁଣିବା ଉଭୟ ମନରେ ମଉଜ ଉପୁଜାଇ ଥାଏ ।

ହେଲେ ‘ଖବରଦାର୍’ କିନ୍ତୁ ଏଭଳି ଏକ ଓଜନିଆ ଶବ୍ଦ, ଯାହାର ହରକତ କହିଲେ ନସରେ । ଏହି ଶବ୍ଦଟି ଶୁଣିବା ମାତ୍ରେ ମନରେ ମାମୁଲି ଭୟ ହିଁ ନୁହେଁ, ବରଂ ଏକାନଟେ ଆତଙ୍କ ଖେଳି ଯାଇଥାଏ । ନିଜକୁ ନେଇ ନିଜ ଭିତରେ ଥିବା ଯାବତ ପାରିବାପଣିଆ କ୍ଷଣିକ ଭିତରେ ଦୋହଲି ଉଠେ । ମନେମନେ ଆଙ୍କି ହୋଇଯାଏ ଏଭଳି କିଛି ଦୃଶ୍ୟ, ଯହିଁରେ କେହିଜଣେ ଠେଙ୍ଗାଠୁ ଆରମ୍ଭ କରି ପିସ୍ତଲାଦି ତା’ ପସନ୍ଦର ଅସ୍ତ୍ରଶସ୍ତ୍ର ଧାରଣ କରତଃ ସଜିଲ୍ ହୋଇ ରହି ଏମିତି ହାଙ୍କି ପକାଉ ଅଛି !

‘ଖବରଦାର୍’ ଉଚ୍ଚାରିବା ନେଇ ସିନା ଏତକ ଗପିଗଲୁ, ହେଲେ କିଆଁ ଏହା ଏମିତି ଉଚ୍ଚାରିତ ହୋଇଥାଏ ସେନେଇ ନଭାବି ନିରବି ଯିବା କଣ ଠିକ୍ ହେବ ? ଏଥକୁ କିଛି କାରଣ ଅବଶ୍ୟ ରହିଥିବ । ନା ‘ କଣ କହୁଛନ୍ତି ?

ହଁ ଆଜ୍ଞା, ମୂଳତଃ ଏହା ଅନନ୍ୟୋପାୟ ହୋଇ ହିଁ ଉଚ୍ଚାରିତ ହୋଇଥାଏ । କହିଲେ ଏଠି ନିଜ ନିରାପତ୍ତା ନିଜେ ନବୁଝି ଗତ୍ୟନ୍ତର ଥାଏ କି ? ଜଣେ ଭଦ୍ର ଶାନ୍ତ ଓ ସରଳ ହୋଇ ସ୍ଥଳ ବିଶେଷରେ ଟିକେ ନେହୁରା ବି ହୋଇ ବୁଝାଇସୁଝାଇ ମାମଲା ସଜାଡ଼ିବା ପାଇଁ କରି ଚାଲିଥିବା ଯାବତ ପ୍ରୟାସ ଯେବେ ନିଷ୍ଫଳ ହୋଇଯାଏ ଓ ଅପରପକ୍ଷରୁ ଆକ୍ରମଣର ଆଶଙ୍କା କିନ୍ତୁ ବଢିବଢି କ୍ରମେ ସୀମା ଲଙ୍ଘନ ଅବଶ୍ୟମ୍ଭାବୀ ହୋଇଯାଆନ୍ତେ ସ୍ୱକୀୟ ସୁରକ୍ଷାର୍ଥେ ପାଟିରୁ ସ୍ୱତଃ ନିର୍ଗତ ହୋଇଯାଏ : “ଖବରଦାର୍, ମୋ ଆଡ଼କୁ ମାଡ଼ି ଆସନା !”

ଏହା ସହନଶୀଳତା ଓ ସରଳତା ଭଳି ସୁଗୁଣଙ୍କୁ ଦୁର୍ବଳତା ଭାବେ ଗ୍ରହଣ କରି ନେଇଥିବା ଅପରପକ୍ଷଙ୍କୁ ସତର୍କ କରିବା ପାଇଁ ନିତାନ୍ତ ଆବଶ୍ୟକ ମନେ ହୁଏ । ପୁନଶ୍ଚ ଶାସନର ସଂସ୍ଥାପନ ମାଧ୍ୟମରେ ଅନ୍ୟାୟର ଅନ୍ତ ଓ ଅଧିକାରର ସୁରକ୍ଷା ପାଇଁ ଏକ ଆଦ୍ୟ ସୂଚନା ରୂପେ ଏହାର ବାଚନିକ ପ୍ରୟୋଗ କରାଯାଇଥାଏ ।

ଘରେ ବାହାରେ ସବୁଠି ଏହି ‘ଖବରଦାର୍’ ଶବ୍ଦ ଉଚ୍ଚାରିତ ହୋଇଥାଏ । ଏହା ସମୟ ଓ ସ୍ଥିତି ଉପରେ ଆଧାରିତ ଅଟେ । ଘରେ ବାପାମାଆ ପିଲାଏ ଅତି ଅଝଟ ହେଲେ କହିଥାନ୍ତି, “ଖବରଦାର୍, ଆଉ ଏମିତି ଦୁଷ୍ଟ ହେବୁନି !” ଏହା ଅଭିଭାବକସୁଲଭ ସୁଧାରିବାର ଏକ ସ୍ୱାଭାବିକ ଉଚ୍ଚାରଣ, ଯାହା ପରକ୍ଷଣେ ପିଲା ଭିତରେ ଉଭୟ ଭୟ ଓ ଭକ୍ତି ଉଦ୍ରେକ ହୋଇ ସେ ସୁଧାର ହେଉହେଉ ତାକୁ କୋଳେଇ ନେବା ସହ ଅନ୍ତ ହୋଇଥାଏ । ପରିବାର ଭିତରେ ସୁସମ୍ପର୍କ ରକ୍ଷା କରି ଘରକୁ ସ୍ୱର୍ଗ ପ୍ରାୟେ ଗଢିବାକୁ ହେଲେ ଖବରଦାର୍ କହି ଠିକଣା ସମୟରେ ବେଠିକ୍ କଥା ଓ କାମକୁ ଯଥାଶୀଘ୍ର ସଜାଡ଼ିବା ଲୋଡ଼ା ପଡ଼ିଥାଏ ।

ଆଉ ସମାଜରେ ଚଳିବାକୁ ହେଲେ ବିଭିନ୍ନ ନୀତିନିୟମ ଆଇନକାନୁନ ଓ ଦାୟିତ୍ୱ ମାନିନେବା ଚାହି । ନୋହିଲେ ଏସବୁର ସଂରକ୍ଷଣ ଦାୟିତ୍ୱରେ ଥିବା ଶାସକବର୍ଗଙ୍କ ଆଡୁ “ଖବରଦାର୍” ଶୁଣିବାକୁ ବାଧ୍ୟ । ତଦୁତ୍ତାରେ ସୁଦ୍ଧା ତାକୁ ହେୟଜ୍ଞାନ କରିବା ଅର୍ଥ ତାହା ବିଶୃଙ୍ଖଳା ଓ ଅପରାଧ ଭାବେ ପରିଗଣିତ ହୋଇ ବିପଦ ମଧ୍ୟକୁ ଟାଣି ନେଇଯିବା ଥୟ ।

ବେଳେବେଳେ ସମ୍ପର୍କ ମଧୁର ଥାଏ, ଅଥଚ କୋଉ ଛଟକରେ ଶୁଭେ “ଖବରଦାର୍” ! ପ୍ରାୟତଃ ପ୍ରେମଫ୍ରେମ ବ୍ୟାପାରରେ ଏହା ସର୍ବାଧିକ । ଥରେ ପାର୍କରେ ଅପେକ୍ଷା କରାଇ ନଆସିବା ନେଇ ପ୍ରେମିକା ଯଦି କହି ପକାଇଲା “ଖବରଦାର୍”, ମୋତେ ଆଉ ଦିନେ କଲ୍ କି ମେସେଜ୍ କରିବନି” ତ ଭାବି ଦେଖ ମାମଲା କେଡ଼େ ଘାଏଁ ସଙ୍ଗୀନ ହୋଇଯିବ ! ଏଥୁତ୍ତାରେ ଆଖି ଛୁଇଁ କାନ ଧରି “ଚାନ୍ଦ ନା ତୁମେ ତାରା” ଆଦି ଗାଉଣା ସହ ଅପ୍ରାଧ ମାର୍ଜଣା ପାଇଁ ନାହିଁ ନଥିବା ନେହୁରା ହେବାକୁ ପଡିଥାଏ !

ଏମିତି ଏହି ଖବରଦାର୍ ଶବ୍ଦଟି ନିଶ୍ଚେ ଭୀତିପ୍ରଦ। ତେବେ ଆମ ଭିତରେ ହିଁ ଏହାର ନିରାକରଣାର୍ଥେ ବ୍ୟବସ୍ଥା ସନ୍ନିହିତ । ଆମ ମନ ସିନା ସଦା ଚଞ୍ଚଳ, ହେଲେ ବୁଦ୍ଧି ବିବେକ ବୋଲି ଚିଜ ଆମ ମଗଜ ଭିତରେ ସ୍ଥିର ଭାବେ ରହିବା ପାଇଁ ଖଞ୍ଜା ହୋଇ ରହିଛି ନା ନାହିଁ, କହିଲେଟି ! ଆମେ ଯଦି ଆମ ଅନ୍ତରାତ୍ମା ,ବୁଦ୍ଧି ବିବେକ ଏସବୁକୁ ଯଥୋଚିତ ମାନ୍ୟତା ପ୍ରଦାନ ପୂର୍ବକ ପ୍ରତି କ୍ଷଣେ ପ୍ରତି ପଦପାତରେ ସେମାନଙ୍କ ଠାରୁ ନିର୍ଗତ ନିର୍ଦ୍ଦେଶାନୁସାରୀ ହେବା ,ତେବେ କଣ କେହି ଆମ ଆଡିକି ଭୁଲରେ ସୁଦ୍ଧା ଅନାଇବାର ସାହସ କରି ପାରିବେ କି ? କାହାଠାରୁ “ଖବରଦାର୍” ଶୁଣିବା ତେଣିକି ଥାଉ !

ହଁ, ଏହି “ଖବରଦାର୍” ଶୁଣି ତଦନୁସାରେ କାମ କରି ବିପଦରୁ ରକ୍ଷା ପାଇବା ନେଇ ଅବଶ୍ୟ ଭିନ୍ନ ମତ ରହିଛି, ଯାହା ଏକ ସୁବିଦିତ ହସକଥା ମାଧ୍ୟମରେ ଶୁଣିଅଛୁ । କଥା ହେଉଛି ଜଣେ ଘରୁ ବାହାରିବାବେଳେ ଶୂନ୍ୟରୁ ଶୁଭିଲା : “ଖବରଦାର୍ ! ସବୁବେଳେ ଯାଉଥିବା ରାସ୍ତାରେ ଆଜି ଯାଅନା, ବିପଦ ଅଛି ।” ସେ ମାନିଲା ଓ ଗୋଟେ ବଡ଼ ଅଘଟଣରୁ ରକ୍ଷା ପାଇଲା । ଆଉ ଦିନେ ସେମିତି ସେ ଜଣକ ଉପରେ ଦୟାଳୁ ହୋଇ ତାକୁ ଟଙ୍କା ଧାର ଦେଇ ପକାଇବା ଆଗରୁ ଶୁଭିଲା : “ଖବରଦାର୍ ! ତାକୁ ଧାର ଦିଅନା । ତୁମେ ସିନା ସରଳ । ହେଲେ ସେ ପକ୍କା ମିଛୁଆ ଓ ଠକଟାଏ ! ଏମିତି ଧାର ନେଇ ଯାଏ ଓ ତା’ ପରେ ଆଉ ଧରା ଦିଏନି ।” ତ’ ସେ ଏ ନିର୍ଦ୍ଦେଶ ବି ମାନିଲା ଓ ସତରେ ଆର୍ଥିକ କ୍ଷତିରୁ ରକ୍ଷା ପାଇଲା ।

ଏମିତି ଅନେକଥର ହେବା ପରେ ଥରେ ସେ ଘରୁ ବାହାରିବା ମାତ୍ରେ କୁଆଡ଼େ ନିଜ ଆଡୁ ପଚାରିଦେଲା : “ଫି’ଥର ଖବରଦାର୍ ଏୟା କର, ସେୟା କରନା କହି ମୋତେ ଏଡ଼େ ଘାଏଁ ରକ୍ଷା କରି ଆସୁଥିବା ହେ ମହାରକ୍ଷକ ! ମୁଁ ବରବେଶ ସାଜିବାରମ୍ଭ ବେଳେ ମହାଭାଗ, ଆପଣ କିଆଁ ନିଦ୍ରିତ ହୋଇ ପଡ଼ିଥିଲେ, ଗଭୀର ନିଦ୍ରାରେ ଯେ ???
କେଡ଼େ ଗହନ “ଖବରଦାର୍” କୁ ନେଇ ଏ ମହା ପ୍ରଶ୍ନ, ସତରେ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *