ବିନୟ ମହାପାତ୍ର

ପଥ ଆଜଣା ଥିଲା
ରାସ୍ତା କେତେ ସରିଲା,
ଆଉ କେତେ ବାକି ରହିଗଲା
କେବେ କେହି କହି ତ ନଥିଲା !
ଜୀବନର ଯାତ୍ରାରେ
ତୁମେ ମୋର ସାଙ୍ଗରେ ଥିଲ,
ତୁମ ସାଥେ ପଥ ଚାଲିବାରେ
ଜୀବନରେ ଅବସାଦ, କ୍ଳାନ୍ତି ନଥିଲା ।
ପଥ କେବେ ସମତଳ
କେବେ କଙ୍କରୀତ ବନ୍ଧୁର,
ତଥାପି ତୁମ ହାତ,
ମୋ ହାତରେ ଥିଲା,
କେବେ ମୁଁ, ତୁମକୁ ସାହାରା ଦେଲି,
କେବେ ତୁମେ ବାଟ କଢାଇ ନେଲ,
ଏଇ ଚାଲିବାରେ
କଷ୍ଟ ତ ଅନେକ ଥିଲା,
କିନ୍ତୁ, ଏ ଯାତ୍ରାରେ
ତୁମେ ମୋର ସାଙ୍ଗରେ ଥିଲ,
ତୁମ ସାଥେ ପଥ ଚାଲିବାରେ
ଜୀବନରେ ଅବସାଦ, କ୍ଳାନ୍ତି ନଥିଲା ।
କେବେ ବୈଶାଖର ଦେହଜଳା ଖରା,
କେବେ ଛାଇ,
କେବେ ଶ୍ରାବଣର ଅବିଶ୍ରାନ୍ତ ଧାରା,
ଝାଳ ଟୋପେ ଚିବୁକକୁ ଛୁଇଁବା ଆଗରୁ
ତୁମେ ପଣତରେ ପୋଛି ନେଲ,
ବର୍ଷାର ବୁନ୍ଦାରେ
ତୁମେ ଭିଜିବା ଆଗରୁ
ମୋ ବାହୁବନ୍ଧ
ତୁମ ନିର୍ଭୟ ଆଶ୍ରୟ ହେଲା,
ଜୀବନର ଯାତ୍ରାରେ,
କେତେ ଝଡ଼ଝଞ୍ଜା ପଥରେ ଆସିଲା,
କିନ୍ତୁ, ତୁମେ ମୋର ସାଥିରେ ଥିଲ
ତୁମ ସାଥେ ପଥ ଚାଲିବାରେ
ଜୀବନରେ ଅବସାଦ, କ୍ଳାନ୍ତି ନଥିଲା ।
ଜୀବନର ଅପରାହ୍ନେ ପ୍ରତୀକ୍ଷିତ ସଂଧ୍ୟା
ଏବେ ଯେ ଫେରିବାକୁ ହେବ,
ହେଲେ ଡର ଲାଗେ,
କେବେ କାଳେ ସଙ୍ଗ ତୁଟି ଯିବ,
ନିସଙ୍ଗ ଜୀବନେ,
ତୁମ କଥା ମନେ ପଡୁଥିବ ।
ସୂର୍ଯ୍ୟ ତ ବୁଡ଼ିନି ଏଯାଏଁ
ରାତ୍ରୀକୁ ଆସିବାକୁ ଦିଅ,
ସାଥି ହୋଇ ବାହୁଡ଼ି ଯିବା
କାଳେ ଆଉଥରେ,
ଦେଖା ହେବ କି ନହେବ ।
ଯଦି କେବେ
କାଳ ବଳେ ସଙ୍ଗ ତୁଟି ଯାଏ
ଜନ୍ମ ଜନ୍ମାନ୍ତର ପାଇଁ
ଏତିକି ତ ମନେ ରହିଯିବ,
ତୁମେ ମୋର ସହଯାତ୍ରୀ ଥିଲ,
ଜୀବନର ଯାତ୍ରା,
କେତେ କେତେ ଅନୁଭବ ଦେଇ ଗଲା,
ସେଥିପାଇଁ, ତୁମ ସାଥେ ପଥ ଚାଲିବାରେ,
ଜୀବନରେ କେବେ, ଅବସାଦ କ୍ଳାନ୍ତି ନଥିଲା ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

