ସତ୍ୟନାରାୟଣ ଗନ୍ତାୟତ

ରକ୍ଷା କରିବା ପାଇଁ ଆକୁଳ ବ୍ୟାକୁଳ ହେଲେ ଯାହା ସ୍ୱତଃ ଅନ୍ତର ଫେଇ ବାହାରି ଆସେ ତାହା ହେଲା : ରକ୍ଷା କର ! ଏହା ସୂଚାଇ ଦିଏ ଯେ ଜଣେ ସୁରକ୍ଷା ପାଇବା କଥା ବା ଏଯାବତ ପାଇ ଆସୁଥିଲା ଅଥଚ ଏବେ ପାଇ ନପାରି ସେଥକୁ ବିକଳ ହେଉଛି ।

ତେବେ ନିମିଷେ ଭାବିଲେ ଲାଗେ ଯେ କି ମନୁଷ୍ୟ ବା ପଶୁପକ୍ଷୀ ଆଦି ଜୀବ, ସଭିଏଁ ଜନମିବା ସହ ସୁରକ୍ଷା ଏକରକମ ସଜିଲ ହୋଇ ରହିଥାଏ । ମାଈ କୁକୁଡ଼ା ସହ ପଲେ ଚିଆଁ, କଙ୍ଗାରୁ ମୁଣିରୁ ଜୁଳୁଜୁଳୁ ଦିଶୁଥିବା ଶାବକ, ଶାଖାମୃଗ ବୋଲାଇ ଡାଳରୁ ଡାଳକୁ ଡେଇଁ ବୁଲୁଥିବା ମାଙ୍କଡ଼ ସହ ତା ଛୁଆ ଏମିତି କେତେ କଣ ପ୍ରାକୃତିକ ସୁରକ୍ଷାର ଚିତ୍ରମାନ ଆଖି ଆଗରେ ନାଚି ଉଠନ୍ତି ।

ମଣିଷ କଥା ତ’ ଆହୁରି ନିଆରା । ପ୍ରସୂତି ପୂର୍ବରୁ ବାରଣ୍ଡାରେ ଏପଟୁସେପଟ ଟହଲୁଥିବା ବିବ୍ରତ ବାପା ଓ ନବ ଜାତକଟି ଭୂମିଷ୍ଠ ହେଉହେଉ ବୋଇଲା ପରି ଦୁଇଶ ଛ’ ଖଣ୍ଡି ହାଡ଼ ଏକ କାଳୀନ ଭାଙ୍ଗିଯିବା ପରି ଲାଗିଥିବା ପ୍ରସବ ବେଦନା ଭୁଲି ଯାଇ ତା କୁଆଁକୁଆଁ କ୍ରନ୍ଦନକୁ ମୁହଁରେ ଧାରେ ସରୁ ହସ ଖେଳାଇ ତାକୁ ଆପଣା ଆତ୍ମା ଭିତରେ ତୁରିତେ ରଖି ନେଇ ପାରୁଥିବା ମାଆ, ସଭିଏଁ ପ୍ରାକୃତିକ ସୁରକ୍ଷାର ମୂର୍ତ୍ତିମନ୍ତ ଅବତାର ସିନା ! ପରେ ଘରର ପରିବାର ପରିଜନଙ୍କର ପ୍ରଦତ୍ତ ସୁରକ୍ଷା ଛାଏଁ ସ୍କୁଲ ଅଫିସ ବା ସାହି ବସ୍ତି ଭଳି ବିବିଧ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଥାଏ । ଏମିତି ଜଣକ ପାଇଁ ଆଉ ଜଣେ ସୁରକ୍ଷା ପ୍ରଦାନ କରିବାର ପ୍ରକ୍ରିୟା ଗତାନୁଗତିକ ହୋଇ ସମାଜ ଗଠନ ଓ ସାମାଜିକ ଜୀବନ ପ୍ରବାହର ମୂଳ ଭିତ୍ତି ପାଲଟିଯାଏ ।

କେବଳ ଜୀବଜଗତରେ ହିଁ ପରିଦୃଷ୍ଟ ହୋଇ ନଥାଏ ରକ୍ଷା କରିବା । ବୀଜଟିଏ ସୁରକ୍ଷିତ ହୋଇ ବୃକ୍ଷ ରୂପ ଗ୍ରହଣାନ୍ତେ ଋଣ ପରିଶୋଧ କରେ ଖରା ବର୍ଷାଦିରୁ ସୁରକ୍ଷା ଦେଇ । ନଦୀ, ନାଳ, ଝରଣାଦି ପ୍ରତ୍ୟେକ ଜଳସ୍ରୋତ ମଧ୍ୟ ପ୍ରବାହିତ ହୋଇଥାନ୍ତି ମୂଳତଃ ଜଳ ପ୍ରଦାନ ମାଧ୍ୟମରେ ଜୀବ ରକ୍ଷା ଭଳି ମହତ୍ତର କର୍ମ ସମ୍ପାଦନ ପାଇଁ । ସୁତରାଂ ରକ୍ଷା ପ୍ରଦାନ ଯେ ଏକ ନିରନ୍ତର ଦିବ୍ୟ ଆହ୍ୱାନ, ଏଥିରେ ସଂଶୟ ନାହିଁ ।

ଯେଉଁ ମାନେ ଏଭଳି ରକ୍ଷା କାରୀ ଭାବେ ଆପଣାକୁ ନିୟୋଜିତ କରି ଥାନ୍ତି, ସେମାନେ ସର୍ବାଦୌ ଏକ ଉଚ୍ଚ ସ୍ତରୀୟ ଭୂମିକାରେ ଅବତୀର୍ଣ୍ଣ ହୋଇ କଲ୍ୟାଣକାରୀ ଭାବେ ସମାଜରେ ସମ୍ମାନନୀୟ ହୋଇଥାନ୍ତି । ସର୍ବଦା ଅନ୍ୟ ପ୍ରତି ସମ୍ପର୍କିତ ହୋଇ ଅନ୍ୟର ଧନଜୀବନ ମାନସମ୍ମାନ ତଥା ସାମଗ୍ରିକ ଭାବେ ସୁଖଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ପରୋକ୍ଷ ନିୟାମକ ହୋଇଥାନ୍ତି । ଶାରୀରିକ ବଳଠୁ ବରଂ ଉଦାର ଚେତା ତଥା ହୃଦୟବତ୍ତାଧିକାରୀ ହେବା ଏଥକୁ ଜରୁରୀ ହୋଇଥାଏ, ଯାହା ଅତ୍ୟନ୍ତ ବିରଳୋପମ ।

ରକ୍ଷା ବିଷୟକ ଏସବୁ କଥା ଆଲୋଚନା କରିବା ପରେ ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଉଠେ ଯେ କେଉଁ କାରଣରୁ ଅନେକ ସମୟରେ ଜଣେ ସୁରକ୍ଷା ପାଇ ପାରେ ନାହିଁ । ଅତ୍ର ତତ୍ର ସର୍ବତ୍ର ଯେତେ ଖୋଜିଲେ ହେଁ କେହି ଆପଦ ବିପଦ କାଳେ ରକ୍ଷା କରିବାକୁ ଆଗେଇ ନଆସି ବରଂ ଜାଣିଶୁଣି ଆଡ଼େଇ ଦେଇ ଆପଣା ବାଟରେ ଚାଲି ଯାଆନ୍ତି ? କିଭଳି ଓ କେଉଁ ସ୍ଥିତିରେ ଜଣେ ନିଜର ସାମର୍ଥ୍ୟ ହରାଇ ବସେ, ନିଜକୁ ଅସହାୟ ମଣିବାକୁ ବାଧ୍ୟ ହୋଇ ଅନ୍ୟକୁ ଲୋଡ଼େ ତାକୁ ସେଇ ଦୁଃସ୍ଥିତିରେ କିଞ୍ଚିତ ସହାୟତା ପ୍ରଦାନ ପୂର୍ବକ ରକ୍ଷା କରିବା ପାଇଁ ?

ଏଭଳି ପରିସ୍ଥିତିରେ ହିଁ ମଣିଷଟି ଅବଶେଷରେ ଆକୁଳ ହୋଇ ତା ଆତ୍ମା ନିଗାଡ଼ି ନିବେଦନ କରେ : ରକ୍ଷା କର ବୋଲି ! ଏଭଳି ବିକଳାବସ୍ଥାରୁ ନିର୍ଗତ ସ୍ୱର ମଧ୍ୟ ପ୍ରାର୍ଥନାକୁ ବଳି ଯାଏ । ଏହା ହିଁ ଅନ୍ତିମ ଆଶା ଓ ଭରସା ପାଇଁ ଏକମାତ୍ର ରାହା ପାଲଟିଯାଏ ।

ତେବେ ଏନେଇ ସାମାନ୍ୟ ଚିନ୍ତନରୁ ସ୍ପଷ୍ଟ ହୋଇଯାଏ ଯେ ଏସବୁ ଭିତରେ ମୂଳତଃ ସନ୍ନିହିତ ମଣିଷର ସବୁ ଜାଣିଶୁଣି କିଛି ନକରିବାର ଦୁଷ୍ଟ ପ୍ରବଣତା । ଏହା ହିଁ ସମୟାନୁସାରେ ସ୍ୱାର୍ଥସର୍ବସ୍ଵ ହେବା ସହ ଅନ୍ୟ ପ୍ରତି ଇଚ୍ଛାକୃତ ଭାବେ ଉଦାସୀନ ଓ ନିଷ୍କ୍ରିୟ କରାଇଥାଏ । ଫଳତଃ “ଯା ‘ବାଧା ତା’ର “ହୋଇ ରହେ ଓ ଆଉକେହି ସେନେଇ ଦଣ୍ଡେ ଭାବନ୍ତି ନାହିଁ । ରକ୍ଷା କରିବା ତେଣୁ ସ୍ୱାଭାବିକ ଭାବେ ସୁଦୂର ପରାହତ ହେବା ଅବଶ୍ୟମ୍ଭାବୀ ହୋଇ ମଣିଷକୁ “ରକ୍ଷା କର” ବୋଲି ରୋଦନ କରିବାକୁ ବାଧ୍ୟ କରାଇ ଥାଏ ।

ବୋଲିବା ବାହୁଲ୍ୟ, ଏଭଳି କ୍ଷେତ୍ରରେ ଆଗରୁ ରକ୍ଷା ପାଇଥିବା ଲୋକେ ବି ରକ୍ଷା ପ୍ରଦାନ କରି ଋଣ ଶୁଝିବା ଦୂରେ ଥାଉ, ବରଂ ସ୍ୱାର୍ଥାନ୍ଧ ପାଲଟି ଯାଇ “ମୋର କି ଯାଏ ?’ ଜାତୀୟ ପ୍ରତିକ୍ରିୟା ପ୍ରଦର୍ଶନ କରି ଜାଣି ନଜାଣିବା ପରି ନିରବରେ ରହିବାକୁ ପସନ୍ଦ କରିଥାନ୍ତି ।

ପୁଣି ଆହୁରି ଭୟାନକ ବାସ୍ତବତା ହେଲା ରକ୍ଷା କରିବାର ପଣ ନେଇ ସୁଦ୍ଧା ଆବଶ୍ୟକ ବେଳେ ପଟି ମାରିଦେବା । ଏହି କ୍ରମେ ଜଘନ୍ୟ ଦୃଶ୍ୟ ଭାବେ ଦିଶେ ବିପଦ ବେଳରେ ରକ୍ଷା ନକରି ଦୃଶ୍ୟ ଉତ୍ତୋଳନ ଓ ସେନେଇ ତୁଚ୍ଛା ବକବାସ ଜାତୀୟ ଭାଷଣ ପ୍ରଦାନ । ଆଖି ଥାଇ ନଦେଖିବା ଓ କାନ ଥାଇ ନଶୁଣିବା ପ୍ରାୟେ ନିଦାବିଷ୍ଣୁ ବାଗିଆ ମଣିଷ ରୂପୀ ଅମଣିଷମାନେ ରକ୍ଷକ ନହୋଇ ଯେବେ ଭକ୍ଷକ ପାଲଟିଯିବେ ତ’ ଜଣେ ଚରମ ଅସହାୟତାର କରୁଣ ଶିକାର ହେବାକୁ ବାଧ୍ୟ ହୋଇଥାଏ ।

ତେଣିକି ନିଜ ଭିତରର ଯତ କିଞ୍ଚିତ ମନୋବଳ ଧରି ସେ ଶେଷ ଆଶା ଓ ଭରସା ରଖେ କେଉଁ ଏକ ଅଦୃଶ୍ୟ ଶକ୍ତି ଉପରେ ! କାଳେ ସେ ଶକି ତା ପାଇଁ ଓହ୍ଲାଇ ଆସି ତାକୁ ରକ୍ଷା କରିବେ। ଅରକ୍ଷିତ ଜନଙ୍କ ଚିର କାଳର ସେହି ଏକମାତ୍ର ରକ୍ଷକଙ୍କୁ ଆକୁଳ ପ୍ରାର୍ଥନା କରିବାକୁ ମନ ପ୍ରାଣ ବିଳପି ଉଠେ। ଅଗତ୍ୟା ପୌରାଣିକ ଯୁଗର ଗଜରାଜ, ଦ୍ରୌପଦୀ ଆଦିଙ୍କ କ୍ଷେତ୍ରରେ ରକ୍ଷା କର୍ତ୍ତା ସାଜିଥିବା ସେହି ଶକ୍ତି ଉଦ୍ଦେଶ୍ୟରେ ଦୁଇ ହାତ ତୋଳି “ରକ୍ଷା କର” ବୋଲି ଡାକିବା ହିଁ ଆଶା ଓ ଭରସା ଜାଗ୍ରତ କରେ।

ହଁ,ଏଣୁ ତ’ “ଅରକ୍ଷ ରକ୍ଷକ ହରି”,”ରଖେ ହରି ମାରେ କିଏ ? “,ଅରକ୍ଷିତକୁ ଦଇବ ସାହା” ଏବଂ “ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ ?” ବୋଲି କୋଉ ଅନନ୍ତ କାଳୁ କୁହା ହୋଇ ଆସୁଛି ।

ତଥାପି ଜଣେ ଯଦି ଟିକିଏ ଉର୍ଦ୍ଧ୍ଵକୁ ଉଠି ସୁକର୍ମା ହୋଇ ଆର ଜଣକୁ ରକ୍ଷା କରିବା ଭଳି ପ୍ରତ୍ୟୟ ଟିକକ ସୃଜିବ, ତେବେ କାହାକୁ ବି ଅସମୟରେ “ରକ୍ଷା କର” ବୋଲି ବିଳପିବାକୁ ପଡି ନାହିଁ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *