ସତ୍ୟନାରାୟଣ ଗନ୍ତାୟତ

ଥରେ ଉତ୍ତମ ରୂପେ ଅନୁଧ୍ୟାନ କରନ୍ତୁ, ଏହି “କଳେ ବଳେ କୌଶଳେ” ଶବ୍ଦ ତ୍ରୟୀଙ୍କ ଉଚ୍ଚାରଣ ପରେ କୌଣସିନା କୌଣସି କର୍ମ ବା ଲକ୍ଷ୍ୟ ହାସଲର କଥା ନିଶ୍ଚେ ଜଡ଼ିତ ହୋଇଥିବ । ଏଥକୁ ଟିକେ ଗଭୀରକୁ ଯାଇ ନିମିଷେ ଭାବିଲେ ସ୍ପଷ୍ଟ ହୋଇଯାଏ ଯେ କର୍ମ କରିବା ଆଗରୁ ବା କରିବା ସମୟରେ ହିଁ କର୍ମଲବ୍ଧ ଫଳ ଚିନ୍ତା ବି ସବାର ହୋଇଥିବାରୁ ହିଁ ଯେମିତି ହେଉ କର୍ମ ସମ୍ପାଦନ କରି ପକାଇବା ପାଇଁ ଏହି ତତ୍ପରତା ସ୍ୱତଃ ଜାଗି ଉଠିଥାଏ । ଏହାକୁ ନିତିଦିନିଆ ଜୀବନର କଥୋପକଥନ କ୍ରମରେ କଳେ ବଳେ କୌଶଳେ କରାହେବା କୁହାଯାଏ ।

ଫଳଚିନ୍ତା ପରିହାର ପୂର୍ବକ ଯଦି କେବଳ କର୍ମ ସମ୍ପାଦନ ହିଁ ଧ୍ୟେୟ ହୋଇଥାନ୍ତା, ତେବେ ମନ ଓ ଚୈତନ୍ୟ ନିବିଷ୍ଟ ହୋଇ କର୍ମଟି ସମ୍ପାଦିତ ହୋଇଥାନ୍ତା । କଳ ବଳ କୌଶଳାଦି ପ୍ରସଙ୍ଗ ବହିର୍ଭୁତ ହୋଇ ରହିଥାନ୍ତେ । କିନ୍ତୁ ସେପରି ହୁଏନା । ଫଳ ଅର୍ଥାତ ସୁଫଳମାନେ ନିଜର ଲୋଭସୃଷ୍ଟ ଲାଭ ହିଁ କର୍ମ କରିବା ଆଗରୁ ମନରେ ବସି ସାରିଥାଏ । ଫି’କ୍ଷଣ ଉଚ୍ଚାଟିତ କରୁଥାଏ ଯେମିତି ହେଉ ଏହି ଆଶା ବା ସ୍ୱାର୍ଥ ବା ଲାଭ ହାସଲ କରିବା ପାଇଁ । ତେଣୁ ଅବଲୀଳା କ୍ରମେ ହୋଇଥାଏ କଳେ ବଳେ କୌଶଳେ କର୍ମ କରିବାର ଯୋଜନା । ସୁତରାଂ ପ୍ରାୟ ସଭିଙ୍କ ନିତ୍ୟ ନୈମିତ୍ତିକ ଜୀବନର ପ୍ରତିଟି ସୋପାନରେ କଳ ବଳ ଓ କୌଶଳ ଏକ ସରଳ ଓ ଜୀବନ୍ତ ମାଧ୍ୟମ ଭାବେ ଆପଣାଛାଏଁ ପ୍ରକଟିତ ହୁଏ ।

ପାଟିକୁ ଖାଇବା ନେଉଥିବା ହାତର ଜରୁରୀ ଆବଶ୍ୟକତାଠୁ ଆରମ୍ଭି ହାତ ସଫେଇ, ହାତାହାତି ଭଳି ​ଯାବତ କାର୍ଯ୍ୟ ପାଇଁ ହାତ ଆଗରେ ଦୃଶ୍ୟମାନ ହୁଅନ୍ତି କଳ ବଳ ଓ କୌଶଳ ପ୍ରୟୋଗର ଲୋଭନୀୟ ଆହ୍ୱାନମାନ । କାରଣ କାର୍ଯ୍ୟ ହାସଲ ହିଁ ମୁଖ୍ୟ । ତହିଁକି କଳ ଲୋଡ଼ା ହେଉ ବା ଲୋଡ଼ା ପଡୁ ବଳ, ନତୁବା କୌଶଳ । ଏପରିକି ଏ ତିନି ମହାର୍ଘ୍ୟ ପଦ୍ଧତି ଏକାନଟେ ବ୍ୟବହୃତ ହେଲେ ସୁଦ୍ଧା ଚଳିବ । ଏମିତି ସବୁଠି କଳ ବଳ କୌଶଳର ପ୍ରୟୋଗ ବେଳୁବେଳ ଗତାନୁଗତିକ ହୋଇଗଲାଣି । ଯେତେବେଳେ କାର୍ଯ୍ୟ ହାସଲ କରିବା ପାଇଁ ଚିରାଚରିତ ବାଟରେ ବାଧା ଆସେ, ତାକୁ ଲଙ୍ଘି ପୁଣି କାର୍ଯ୍ୟ କ୍ଷେତ୍ରରେ ଆଗୁସାର ହେବା ବଦଳରେ ସ୍ୱାଭାବିକ ଭାବେ ମଣିଷ ମନେପକାଏ ସହଜ ପନ୍ଥା କ୍ରମରେ କଳ ବଳ କୌଶଳ ରୂପୀ ଏହି ନିୟମ ତ୍ରୟୀଙ୍କୁ ।

ତଦୁତ୍ତାରେ କଳ ଅର୍ଥାତ ବିନମ୍ର ଭାବ, ଧୈର୍ଯ୍ୟ ଓ କୋମଳ ଅନୁନୟ, ବଳ ଅର୍ଥାତ ବାହୁ, ଅର୍ଥ ଆଦି ବିବିଧ ବଳ ଏବଂ କୌଶଳ ମାନେ ଚାତୁର୍ଯ୍ୟ ଓ କୂଟ କପଟାଦି କର୍ମପନ୍ଥାକୁ କାବୁ କରି ଆପଣା ଲୀଳାଖେଳା ଆରମ୍ଭ କରି ଅବଶେଷେ ଈପସିତ ଲକ୍ଷ୍ୟ ହାସଲ କରି ଦେଇଥାନ୍ତି । ଏସବୁକୁ ସହଜରେ ହେୟଜ୍ଞାନ ବି କରିହୁଏନି । କାରଣ ଆମ ଇତିହାସ ଓ ପୁରାଣ ତ କଳ ବଳ କୌଶଳର ପ୍ରୟୋଗ କ୍ଷେତ୍ର ଭାବେ ପରିଗଣିତ ହୋଇଆସିଛି । କହୁ ନାହାନ୍ତି, ମହାଭାରତର ମହାସମରରେ ଅବଶେଷେ ଶ୍ରୀକୃଷ୍ଣଙ୍କ ଅବ୍ୟର୍ଥ କୂଟନୈତିକ କୌଶଳ ସିନା ପାଣ୍ଡବ ପକ୍ଷଙ୍କୁ ବିଜୟୀ କରି ପାରିଥିଲା !

ଅନୁରୂପ ଭାବେ କେହିକେହି ଐତିହାସିକ ଦୃଷ୍ଟାନ୍ତ ଛଳରେ ଚାଣକ୍ୟଙ୍କ ସାମ ଦାନ ଦଣ୍ଡ ଭେଦ ନୀତି ବି ଏହି କଳ ବଳ କୌଶଳର ରୁପାନ୍ତର ଛଡ଼ା ଆଉକିଛି ନୁହେଁ ବୋଲି ବର୍ଣ୍ଣିଥାନ୍ତି । ଏଥିରୁ ଏହା ସୁସ୍ପଷ୍ଟ ଯେ ରାଜନୈତିକ କ୍ଷେତ୍ରରେ ମଧ୍ୟ ଅନ୍ୟଥା ଅସମ୍ଭବକୁ ସମ୍ଭବ କରି ଆସିଛି ଏବଂ ଏହା ଇତିହାସ ସିଦ୍ଧ ତଥ୍ୟ ଅଟେ ।

କଳେ ବଳେ କୌଶଳେ କାମ ହାସଲ ପ୍ରତି କ୍ଷେତ୍ରରେ ପ୍ରଚଳିତ । ପହିଲେ କୋମଳ କଥା, ତହିଁରେ କାମ ନୋହିଲେ ଗଳାଚଢା କରତଃ ଗର୍ଜନ, ତଦୁତ୍ତାରେ ନାଲି ଆଖି ଦେଖାଇ ବଳ ପ୍ରୟୋଗ କରାଯାଇଥାଏ । ତଥାପି ଅମଣାମାନେ ତ, ଛନ୍ଦ କପଟାଧାରିତ ଜାଲ ବୁଣାଯାଏ, ଯାହା ଆଜିକାଲି ବ୍ଲାକ୍ ମେଲ୍ ନାମେ କୁଖ୍ୟାତ ! ହାତ ଗୁଞ୍ଜାଠୁ ହାତମୁଠାଘାତ ଯାଏ ପରିବ୍ୟାପ୍ତ କଳ ବଳ କୌଶଳର ବିବିଧ ଉପାୟ । ଏସବୁ କାମ ହାସଲ ପାଇଁ ଉଦ୍ଦିଷ୍ଟ । ଭଲ ମନ୍ଦ ବିଚାର୍ଯ୍ୟଠୁ ବହୁ ଦୂରରେ । କାର୍ଯ୍ୟ ସିଦ୍ଧି ହିଁ ମହାବିଧି ଏଥକୁ ।

ଅବଶ୍ୟ ଏନେଇ କଥାଏ ଫେର୍ ଅଛି । ବେଳେବେଳେ ଏ ତ୍ରୟୀଙ୍କୁ ବି ପହିଲେ ବେଖାତିର କରାଯାଇଥାଏ, ବିଶେଷ ଭାବେ କିଛି ସମୂହଙ୍କ କ୍ଷେତ୍ରରେ ସାମୂହିକ ଦାବୀ ହାସଲ ବେଳେ । ସେଭଳି କ୍ଷେତ୍ରରେ ସେଠି ବୋଧଗମ୍ୟ ହେବାଭଳି ଧାରଣା ଓ ଧର୍ମଘଟାଦି ଭାଷାଙ୍କ ମାଧ୍ୟମରେ ବୁଝାଇ ଦିଆଗଲେ ହିଁ ପୁଣି ମୂଳରୁ ଗା’ ହୋଇ ଦ୍ୱିପାକ୍ଷିକ ଆଲୋଚନା ଓ ବୁଝାମଣା ମାଧ୍ୟମରେ କଳ ବଳ କୌଶଳର ସମ୍ମିଳିତ ରୂପର ପ୍ରୟୋଗ ପୂର୍ବକ ଦାବୀ ହାସଲ କରିବା ସମ୍ଭବ ହୋଇଥାଏ ।

ଆପଣ ଏଥର ପୁଚ୍ଛି ପାରନ୍ତି, ଉଦ୍ଦେଶ୍ୟ ଯେବେ ଏଡ଼େ ଗୁରୁତ୍ୱ ବହନ କରେ, ସେଥକୁ ଉଦ୍ଦିଷ୍ଟ ପଥ ବା ମାଧ୍ୟମ ମଧ୍ୟ ତ ନୀତିନିୟମ ଆଧାରିତ ଓ ସାଧୁ ହେବା ଲୋଡ଼ା ନା ନାହିଁ ? ଅସାଧୁ ଉପାୟ ଅବଲମ୍ବନ କ’ଣ ଶ୍ରେୟ ? ତେବେ ବାସ୍ତବ କ୍ଷେତ୍ରରେ ଏସବୁର ଉପଯୋଗବେଳେ ସ୍ୱତଃ ଏଇଆ ପ୍ରତୀତ ହୋଇଥାଏ ଯେ କାର୍ଯ୍ୟସିଦ୍ଧି ହିଁ ଚରମ ଓ ପରମ ଲକ୍ଷ୍ୟ ହୋଇଥିବା କାରଣରୁ ତାହା ହାସଲ କରିବା ସର୍ବାଦୌ ଆବଶ୍ୟକ । ସାଧୁ ସାଧନ ସହ ଜଡ଼ିତ ସରଳତା ବହୁବେଳେ କୌଶଳଭରା ଚାତୁର୍ଯ୍ୟ ଲୋଡ଼ିଥାଏ କାମକୁ ଆଗେଇ ନେବା ପାଇଁ । ସଫଳତା ହିଁ ଯେ ଧ୍ୟେୟ,ଏହା ମାନିଲେ ହିଁ ବିଜୟୀ ଭବ ହେବା ସମ୍ଭବ ହୋଇଥାଏ ।

ହଁ, କଳେ ବଳେ କୌଶଳେ ଜିତି ହେଉଥିଲେ ସୁଦ୍ଧା ମଣିଷ ଭିତରେ ସନ୍ନିହିତ ବୁଦ୍ଧି ଓ ବିବେକର ସମୟାନୁସାରୀ ଉପଯୋଗ ମାଧ୍ୟମରେ ହିଁ ପ୍ରକୃତ ପକ୍ଷେ ଏହି କଳ ବଳ କୌଶଳଙ୍କୁ ସନ୍ତୁଳିତ ଭାବେ ପରିଚାଳିତ କରିବାକୁ ପଡ଼ିଥାଏ । ଏଥିରେ ସଫଳତା ହାସଲ କରିବା ହିଁ ଜୀବନର ପ୍ରକୃତ ସଫଳତା ଅଟେ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *