ଅପର ପକ୍ଷରେ ଶ୍ରଦ୍ଧାର୍ପଣ

ସତ୍ୟନାରାୟଣ ଗନ୍ତାୟତ

ବର୍ଷର ବାର ମାସ ମଧ୍ୟରେ ଆଶ୍ୱିନ ମାସ ଏଭଳି ଏକ ଅନନ୍ୟ ମାସ, ଯାହାର କୃଷ୍ଣପକ୍ଷ ଆମ ଜୀବନଧାରା ସହ ଅନ୍ତରଙ୍ଗ ଭାବେ ଜଡ଼ିତ । ଉପରେ ତୋଫା ତୋରା ଆକାଶ ଓ ତଳେ ଅନୁରୂପେ ବିମଣ୍ଡିତା ଧରା ! ଅପର ପକ୍ଷ ନାମେ ଏକ ମାହାର୍ଘ୍ୟ ଓ ପାବନାବସର ନେଇ । ଆଶ୍ୱିନ ଆସେ । ଲାଗେ ଆକାଶ ଯେମିତି ଗମ୍ଭୀର ହୋଇ ସ୍ମରଣ କରାଇଦେଉଛି ତା’ଠି ତାରା ହୋଇ ଯାଇଥିବା ଆମ ଆତ୍ମୀୟ ଓ ଆତ୍ମୀୟୋପମ ସଭିଙ୍କୁ ! ଅତୀତ ସହ ବର୍ତ୍ତମାନକୁ ସମ୍ପର୍କିତ କରିଦେଉଛି ଏକ ଦିବ୍ୟ ରଜ୍ଜୁରେ ।

ଏହି ପକ୍ଷ ଅପର ପକ୍ଷ, ଏହି କାରଣରୁ ଯେ ଅନ୍ୟ ଅନେକ କିଛି ପରେ କରି ପହିଲେ ଏହି ପକ୍ଷରେ ପୁଜ୍ୟ ଓ ପ୍ରଣମ୍ୟମାନଙ୍କୁ ଆମ ଶ୍ରଦ୍ଧା ନିବେଦନ ପୂର୍ବକ ସ୍ମରଣ କରିବା । ଏହି ଶ୍ରଦ୍ଧାରୁ ହିଁ ଜାତ ଶ୍ରାଦ୍ଧ ଯାହା ଏହି ପକ୍ଷ ପାଳନାବସରରେ ପ୍ରମୁଖ କର୍ତ୍ତବ୍ୟ । ତର୍ପଣ ଓ ଦାନ ମାଧ୍ୟମରେ ପକ୍ଷ ବ୍ୟାପୀ ସ୍ମରଣକୁ ହିଁ ଧ୍ୟେୟ ଓ କର୍ତ୍ତବ୍ୟ ମଣିବା ମାଧ୍ୟମରେ ଏହି ପକ୍ଷର ଯଥାର୍ଥ ପାଳନ ସମ୍ଭବ ହୋଇଥାଏ । ପୂର୍ବଜଙ୍କୁ ସ୍ମରିବା ଅର୍ଥ ସଶ୍ରଦ୍ଧ ଅତୀତାବଲୋକନ । ତେଣୁ ତ’ ଏହି ପକ୍ଷ ଅନନ୍ୟ ଓ ପାବନ ! ଏହାର ଅର୍ଥ ଗତାନୁଗତିକ ଓ ସମସାମୟିକ ଜୀବନରୁ ନିଜକୁ ଅପସାରଣ କରତଃ ପୂର୍ବାପର ଭାବେ ସମୟ ନିର୍ବାହ କରିବା । ପୂର୍ଣ୍ଣିମା ଆଲୋକର ଔଜଲ୍ୟ ପରିତ୍ୟାଗ କରି ଜାଗତିକ ସୁଖଙ୍କୁ ପଛରେ ପକାଇ ଅମାବାସ୍ୟାର ଅମା ଅନ୍ଧାର ରୂପୀ ସତ୍ୟ ଦିଗକୁ ନିରବରେ ମୁହାଁଇ କାୟୋ ମନୋ ବାକ୍ୟରେ ପୂର୍ବସୂରୀଙ୍କ ସଶ୍ରଦ୍ଧ ସ୍ମୃତି ଚାରଣୀରେ ନିମଗ୍ନ ରହିବା ହେଉଛି ପ୍ରକୃତ ଅପରପକ୍ଷର ଶ୍ରଦ୍ଧାର୍ପଣ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପିତାମାତା ଆଦି ସମ୍ପର୍କୀୟଙ୍କ ଦେହାବସାନର ତିଥିରେ ଶ୍ରାଦ୍ଧ କରା ଯାଉଥିବା ସତ୍ତ୍ୱେ ଏହି ପକ୍ଷ ସାରା ତର୍ପଣ ଦାନ ଆଦି ମାଧ୍ୟମରେ ସେମାନଙ୍କ ସମେତ ସାମଗ୍ରିକ ଭାବେ ସମସ୍ତ ପିତୃଲୋକ ଓ ମାତୃଲୋକଙ୍କୁ ଶ୍ରଦ୍ଧାର୍ପଣ ସହ ଗୋଚର ଅଗୋଚରରେ ଅବେଳ ବିଦାୟ ନେଇଥିବା ସକଳ ଆତ୍ମୀୟ ଓ ଆତ୍ମୀୟୋପମଙ୍କୁ ମଧ୍ୟ ତର୍ପଣ ଓ ପିଣ୍ଡ ଦାନ ଆଦି ମାଧ୍ୟମରେ ତୃପ୍ତ କରାଯିବା ଏହି ପକ୍ଷର ବିଧି ଅଟେ। ପୁନଶ୍ଚ ଏହି କ୍ରମରେ ନିରନ୍ନ ତୃଷାର୍ତ୍ତ ଜନ , ପଶୁ ଓ ପକ୍ଷୀଙ୍କୁ ସୁଦ୍ଧା ସଯତ୍ନ କ୍ଷୁଧା ତୃଷା ନିବାରଣ ପୂର୍ବକ ଶ୍ରଦ୍ଧା ନିବେଦନ କଲେ ତାହା ବ୍ୟାପକ ଓ ବୃହତ୍ତର ଅର୍ଥରେ ଯଥାର୍ଥ ଅପର ପକ୍ଷ ପାଳନ ଭାବେ ପରିଗଣିତ ହୋଇଥାଏ। ପରିଶେଷରେ ପକ୍ଷାନ୍ତରେ ଆସେ ସର୍ବପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟା, ଯାହାକୁ ସକଳ ପିତୃମାତୃଲୋକ ଆତୁର ହୋଇ ରହିଥାନ୍ତି। ସୁତରାଂ ତିଥି ପାଳନ ସତ୍ତ୍ୱେ ହେଉ କି ତିଥି ବିସ୍ମୃତ ହୋଇଥିବା କାରଣରୁ ହେଉ ଏହି ପାବନ ତିଥିରେ ପୁନଶ୍ଚ ପିଣ୍ଡ ଦାନ ମାଧ୍ୟମରେ ଶ୍ରାଦ୍ଧ ସମ୍ପନ୍ନ କରିବା ଅତ୍ୟନ୍ତ ପାବନ ଓ ମହନୀୟ ଭାବେ ଗ୍ରହଣୀୟ ହୋଇଥାଏ ।

ସୁତରାଂ ଏହି ପାଳନକୁ ଆମ ପାରମ୍ପରିକ କୃତଜ୍ଞତା ଜ୍ଞାପନର ମହବସର ବୋଲି ହେବ। ଶ୍ରଦ୍ଧା ରୁ ଜାତ ଶ୍ରାଦ୍ଧ ଓ ତର୍ପଣ ମାନେ ତୃପ୍ତି ପ୍ରଦାନ। ଭାବଗତ ଶ୍ରଦ୍ଧା ଭରେ ସ୍ମରଣ ହିଁ ଏହି ପକ୍ଷର ମୂଳ ସନ୍ଦେଶ । ଏହି ପକ୍ଷ ପ୍ରକାରାନ୍ତରେ ଆମକୁ ସ୍ମରଣ କରାଇ ଦିଏ ଆମ ପୂର୍ବଜଙ୍କ ଅପାର ଅବଦାନ ଓ ଆଶୀର୍ବାଦ, ଯାହା ଆମେ ଭୋଗି ଚାଲିଛୁ । ସେମାନଙ୍କ ବର୍ତ୍ତମାନ କିଭଳି ସେମାନେ ଆମ ପାଇଁ ବିନିଯୋଗ କରି ଯାଇଛନ୍ତି। ତର୍ପଣର ଜଳଧାର ପରି ଆମ ଜୀବନ କେମିତି ଚିର ପ୍ରବାହିତ ହେଉ ଥାଏ। ଅତୀତକୁ ସୁମରି ବର୍ତ୍ତମାନ ଉପଲବ୍ଧ ଆତ୍ମୀୟଙ୍କୁ ବି ସମ ପରିମାଣରେ ଶ୍ରଦ୍ଧା ନିବେଦନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ,ଏହି ପକ୍ଷ ବୁଝାଇ ଦେଇଥାଏ । ଅନ୍ୟ ରୋପିତ ବୃକ୍ଷର ଫଳ ଆମେ ଏବେ ଭକ୍ଷଣ କରୁଛୁ । ଅନୁରୂପ ଭାବେ ଆମେ ବି ବୃକ୍ଷ ଲତା ଜୀବ ଜଗତ ପ୍ରତି ଆତ୍ମିକ ଶ୍ରଦ୍ଧା ନିବେଦନ କରିବା ଚାହି । ମୁଠାଏ ଅନ୍ନ,ପୋଷେ ଜଳ,କିଞ୍ଚିତ ସ୍ନେହ, ପ୍ରେମ କରୁଣା ଓ ସହଯୋଗ ହିଁ ଯେ ଜୀବନର ଅସଲ ଆଧାର ,ଏହା ଏହି ପକ୍ଷ ପାଳନ ମଧ୍ୟରେ ସ୍ୱତଃ ଅନୁଭବି ପାରିବାରେ ହିଁ ଶ୍ରଦ୍ଧାର୍ପଣର ସାର୍ଥକତା ସନ୍ନିହିତ।

ଅପର ପକ୍ଷର ଶ୍ରଦ୍ଧାର୍ପଣ ପ୍ରକୃତ ପକ୍ଷେ ଆମ ଜୀବନ ଧାରାର ଏକ ନୀରବ ଅନୁରଣନ । ଜନମ ଓ ମରଣର ଗତାନୁଗତିକ ପ୍ରବାହ ଭିତରେ ଆମେ ନିର୍ବାହ କରୁଥିବା ଜୀବନ ଓ ଏହି କ୍ଷେତ୍ରରେ ସମ୍ପୃକ୍ତ ଆମ ଆତ୍ମୀୟ ତଥା ସାରା ଜଗତର ବିଭିନ୍ନ ଜୀବଙ୍କ ସହ ଆମ ଆତ୍ମିକ ବନ୍ଧନର ସୁଦୃଢୀକରଣ ହେଲେ ହିଁ ଆମ ଜୀବନ ଜୀବନୋପମ ହୋଇଥାଏ। ଏହା ସୃଚାଇ ଦେଇଥାଏ ଅପର ପକ୍ଷ। ପୂର୍ବଜଙ୍କୁ ସୁମରି ଶ୍ରଦ୍ଧା ପ୍ରଦର୍ଶନ ସହ ସେମାନଙ୍କ ସୁଗୁଣ ଗୁଡିକୁ ଆମ ଜୀବନର ପ୍ରତି ମୂହୁର୍ତ୍ତରେ ଆମେ କେତେ ପାଳନ କରିଥାଉ ,ତାହାର ଏକ ଐକାନ୍ତିକ ଓ ନିଷ୍ଠାପର ଆତ୍ମ ସମୀକ୍ଷଣ କରି ସେମାନଙ୍କ ନିର୍ଦ୍ଦେଶିତ ପଥଗାମୀ ହେବା ହିଁ ଆମ ଠାରୁ ଅପର ପକ୍ଷର ଶ୍ରଦ୍ଧାର୍ପଣ ଆଶା କରିଥାଏ ।

ଏମିତିରେ ଆମର ସେଇ ମହାନୁଭବ ମାନଙ୍କ ଜୀବନର ଗତିପଥ ହିଁ ଯେ ଆମ ଜୀବନର ନିର୍ଭରଯୋଗ୍ୟ ସୁପଥ , ଏଥକୁ ସଂଶୟ ନାହିଁ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *