ରାମକୃଷ୍ଣ

ଆମେ ଯେତେ ଚିତ୍କାର କଲେ
ନିନ୍ଦିଲେ, ଗାଳିଗୁଲଜ କଲେ
ଯେତେ ଧିକ୍କାରିଲେ ଦୁଃଖକୁ;
ବିଫଳ ହେଲା ସବୁ ଅସ୍ତ୍ର ।

ଏବେ ସବୁ ଶବ୍ଦମାନଙ୍କୁ ବିଦାୟ ଦେବା
ଏବେ କେବଳ ଶୁଣିବା
ନିଶ୍ଵାସର ନିଶବ୍ଦ ଗୀତ
ଦେଖିବା ସେ ସବୁ ଅଦୃଶ୍ୟ ଦୃଶ୍ୟ
ଯାହା ଆମେ ଦେଖିବା କଥା ବୋଲି
ଭାବି ନଥିଲେ ସ୍ଵପ୍ନରେ
ଏବେ ଦେଖିବା ଗାଢ ଅନ୍ଧାରରେ କେମିତି
ଚାଲିଛି ଖେଳ; ଭିତରେ ଦେହ ଆଉ ମନର ।

ଏ ସବୁ ଦୃଶ୍ୟ ଦୃଶ୍ୟ ହୁଏନା ଆଖିରେ
ଆଖିରେ ଦିଶେ କେବଳ ରକ୍ତ ମାଂସ ହାଡ଼
ବନ୍ଦ ଆଖିରେ ତେଣୁ ଦେଖ
କେମିତି ପିମ୍ପୁଡ଼ି ପଲ ପରି
ଭୋକ ସଂଗ୍ରହରେ ବ୍ୟସ୍ତ ଇନ୍ଦ୍ରିୟ ସକଳ…
ଯାହାର ସ୍ପର୍ଶରେ ଥରହର ଦେହ
ତା ଉପରେ ମୋହର ମାରି ଚାଲିଛି ମନ
ଇଏ ମନ୍ଦ ଇଏ ଭଲ
ଇଏ ସୁଖ ଇଏ ଦୁଃଖ ।

ଏ ଘର ତମର ନୁହେଁ, ଗୋଟେ ପାନ୍ଥଶାଳା
ସଭିଙ୍କ ପାଇଁ ଖୋଲା ମେଲା
ପଡୁପଡୁ ଲିଭିଯାଏ ସବୁ ପାଦଚିହ୍ନ
ପାଣି ଫୋଟକା ପରି ଆୟୁଷ
ତରଙ୍ଗ ହି ତରଙ୍ଗ ସବୁ
ବୁଦବୁଦ ହି ବୁଦବୁଦ,

କିଛି ବି ନୁହେଁ ସଘନ
ସବୁ ଭାସମାନ ଅଣୁପୁଞ୍ଜ କେବଳ
କ୍ଷୟଶୀଳ ଭଙ୍ଗୁର
ଜନ୍ମୁ ଜନ୍ମୁ ମରିବା, ପୁଣି ମରୁ ମରୁ ଜନ୍ମିବା
ଏହା ହିଁ ନିୟମ ଚିରକାଳ ।

ସ୍ରୋତକୁ ଡେଇଁ ପଡ଼ନା
କେବଳ ଦର୍ଶକ ହୋଇ ରୁହ ଏ ଖେଳର
ନିର୍ଲିପ୍ତ, ନିରାସକ୍ତ, ତଟସ୍ଥ ।

କୁଦୋପାଲି, ବରଗଡ଼

ଲେଖକ ପରିଚୟ

ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।

Related Posts

Leave a Reply

Your email address will not be published. Required fields are marked *