ଡମ୍ବରୁଧର ବେହେରା

କେବେ ଏଇ ଘରର କାନ୍ଥରେ,
ପିଲାଦିନର ଛବି ହସୁଥିଲା,
ଝରକା ଦେଇ ଆସୁଥିବା ପବନ ବି,
ଆପଣାର ସ୍ପର୍ଶ ନେଇ ବହୁଥିଲା ।
ଆଜି କବାଟର ଦୁଆର ବନ୍ଧରେ,
କିଛି ପୁରୁଣା ଅପେକ୍ଷା ପଡ଼ିଛି,
ତୁଳସୀ ଚଉରାର ଶୁଖିଲା ମାଟିରେ,
ସ୍ମୃତିର ଦୁଇଟି ଫୁଲ ଫୁଟିଛି ।
ନିମ୍ବ ଗଛଟି ଆଜି ବି ଠିଆ ହୋଇ,
ଦୁଇଟି ଡାଳକୁ ଖୋଜୁଛି,
ଗୋଟିଏ ଡାଳ ରୋଜଗାର ପାଇଁ,
ଆଉ ଗୋଟିଏ ନୂଆ ସଂସାର ଗଢୁଛି ।
ଚୁଲିରେ ଆଜି ବି ନିଆଁ ଜଳୁଛି,
ହାଣ୍ଡିରେ ଭାତ ବି ଫୁଟୁଛି,
ହେଲେ ଚାରି ଥାଳିର ସେଇ ଆନନ୍ଦ,
ଏକା ଥାଳିରେ କାହିଁ ମିଳୁନି ?
ମାଆ ସିନ୍ଦୁକରେ ସାଇତି ରଖିଛି,
ପିଲାଦିନର ଭଙ୍ଗା ଖେଳନା,
ବାପା ପୁରୁଣା କ୍ୟାଲେଣ୍ଡରରେ ଖୋଜୁଛି,
ସମସ୍ତେ ଏକାଠି ହେବାର ଠିକଣା ।
ଛାତ ଉପରେ ଜହ୍ନ ଆସୁଛି,
ହେଲେ କାହାଣୀ ଶୁଣିବାକୁ କେହି ନାହିଁ,
ତାରାମାନେ ବି ନିରବ ହୋଇଛନ୍ତି,
ସେଇ ପିଲାଦିନର ହସ ଆଉ ଶୁଭୁନାହିଁ ।
ସମୟ ସମସ୍ତଙ୍କୁ ଡେଣା ଦେଇଛି,
ନିଜ ନିଜ ଆକାଶରେ ଉଡ଼ିବା ପାଇଁ,
ହେଲେ ଫେରିବାର ପାଦଚଲା ରାସ୍ତାରେ,
ଏତେ ନିରବତା କିଏ ଭରିଦେଲା ଭାଇ ?
ପର୍ବପର୍ବାଣୀରେ ଦୀପ ଜଳୁଛି,
ହେଲେ ଆଲୋକରେ ଅଭାବ ରହୁଛି,
କବାଟ ଖୋଲା ରହୁଛି ସବୁଦିନ,
କିନ୍ତୁ ପିଲାଦିନ କାହିଁ ଫେରୁନାହିଁ ?
ଘରର କାନ୍ଥ କେବେ ସମ୍ପର୍କ ବାଣ୍ଟେନି,
ଦୂରତା କେବଳ ରାସ୍ତାରେ ବଢ଼ିଥାଏ,
ହେଲେ ମାଆର ଅପେକ୍ଷାର ଆୟୁଷ,
ବୟସ ବଢ଼ିଲେ ବି କମି ନଥାଏ ।
ଯେବେ ଫେରିବ ନିଜ ଘରକୁ,
କେବଳ ଦେଖା କରିବାକୁ ଆସିବନି,
ମାଆ ଆଖିରେ ଟିକିଏ ପିଲାଦିନ ଦେଇଯିବ,
ବାପା ମୁହଁରେ ଟିକିଏ ହସ ଫୁଟାଇ ଯିବ
କାରଣ…
ଅଗଣାରେ ତୁମ ପ୍ରଥମ କୁଆଁକୁଆଁ
ଆଜି ବି ତୁମକୁ ଝୁରୁଛି,
ଯେଉଁ ଦୁଆର ଦିନେ ତୁମକୁ ବିଦାୟ ଦେଇଥିଲା,
ଆଜି ବି ତୁମ ଫେରିବା ବାଟକୁ ଅନେଇ ରହିଛି ।
ଘର ଇଟା, ପଥର ଓ ସିମେଣ୍ଟରେ ତିଆରି ହୁଏନି,
ଘର ତିଆରି ହୁଏ ହସ, ଲୁହ ଓ ଆପଣାପଣରେ ।
ଲୋକ ଦୂରେଇ ଯାଇପାରନ୍ତି,
ହେଲେ ସେମାନଙ୍କ ପାଇଁ ଅପେକ୍ଷା କରୁଥିବା ମାଆବାପାଙ୍କ ହୃଦୟ
କେବେ ଖାଲି ହୁଏନି ।
ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪
ଲେଖକ ପରିଚୟ
ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

