ସତ୍ୟନାରାୟଣ ଗନ୍ତାୟତ

ଦୀପ ଜଳେ । ଆଲୋକ ଦିଏ । ଗୋଟିଏ ଦୀପରୁ ଆଉ ଗୋଟିଏ, ତହିଁରୁ ଆଉ ଏକ ଦୀପ ଏମିତି ଜଳାଇ ଆଲୋକର ସମ୍ପ୍ରସାରିତ ବିଚ୍ଛୁରଣ କରି ହୁଏ । ଏମିତି ଦୀପଙ୍କ ମାଳା ଜଳିବା ହିଁ ଦୀପାବଳି । ଜଳୁଥିବା ଦୀପଙ୍କ ସମାହାର ସମ୍ଭବ ହେଲା ମାନେ ଜାଣ ଯେ ଅନ୍ଧକାର ପଛକୁ ହଟି ଛୁ’ ମାରିବା ଥୟ ।
ତେଣୁ ତ’ କହନ୍ତି ଆଲୋକର ପର୍ବ ହେଲା ଦୀପାବଳି, ଯାହା ଅନ୍ଧାରର ବୁକୁ ଚିରି ଆଲୋକରେ ଉଦ୍ଭାସିତ କରିଥାଏ । ଏମିତିରେ ମଣିଷ ମାତୃଗର୍ଭରୁ ବାହାରି ଭୂମିଷ୍ଠ ହେବା ଅର୍ଥ ଆଲୋକାଭିମୁଖୀ ହୋଇଥାଏ ।
ଆଲୋକ ବି ଆନନ୍ଦ ଆଣି ଦେଇଥାଏ । କୁହାଯାଏ ସଂସାରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ । ଏହି ଆନନ୍ଦ ଉତ୍ସବାୟନର ଆନନ୍ଦ । କେବଳ ଶ୍ରଦ୍ଧାର୍ପଣ ସ୍ମୃତି ଚାରଣ ଓ କୃତଜ୍ଞତା ଜ୍ଞାପନର ଲୋଡ଼ା ଏହି ସୁବିମଳ ଆନନ୍ଦ ଅନୁଭବିବା ପାଇଁ । ଦୀପାବଳି ଅବସରରେ ଦୀପମାନେ ନିଜେ ଜଳି ଆଲୋକ ସୃଜି ଏହି ଆନନ୍ଦ ବିତରଣ କରନ୍ତି । ସଫାସଫି ସାଜସଜ୍ଜା ସହ ପିଠା ମିଠାର ବିତରଣ ବାଦ୍ ମଣିଷ ବଡ଼ବଡୁଆଙ୍କୁ ସୁମରି ଥାଏ, ଶ୍ରଦ୍ଧା ଓ କୃତଜ୍ଞତା ଜଣାଇ ଆକାଶୋନ୍ମୁଖୀ ଆଲୋକ ପ୍ରଦର୍ଶନ ପୂର୍ବକ ଏକ ଅପୂର୍ବ ଶାନ୍ତି ଓ ସନ୍ତୋଷ ଲଭିଥାଏ । ମାଆ ଲକ୍ଷ୍ମୀ ଓ ମାଆ କାଳୀଙ୍କ ପୂଜନ ମାଧ୍ୟମରେ ଭକ୍ତି ଭାବ ସମ୍ପନ୍ନ କରେ ମଣିଷର ଅନ୍ତଃକରଣକୁ । ଏହା ହିଁ ଯାତ୍ରା, ମନ ପ୍ରାଣ ହୃଦୟରୁ ଯାବତ କାଳିମା ଦୂରେଇ ଆଲୋକାଭିମୁଖୀ ହେବା ପାଇଁ !
ହେଲେ ଲାଗେ ଆଲୋକ ଓ ଅନ୍ଧାରର ସମ୍ପର୍କ ଏଠି ବହୁଧା ବିଡ଼ମ୍ବିତ । ବୋଲିବା ବାହୁଲ୍ୟ ଏହି ଯେ ବିଡ଼ମ୍ବନା ମଣିଷ କୃତ ଅଟଇ । ନୋହିଲେ କହୁ ନାହାଁନ୍ତି କେଉଁ କାଳୁ ଏହି ପବିତ୍ର ଦୀପାବଳି ଅବସରରେ ଶୁଦ୍ଧ ପୂତ ହୋଇ ଦୀପ ଦାନ କରିବା ଭଳି ଦିବ୍ୟ କର୍ମ ସହ କେମିତି ଯୋଡ଼ି ହୋଇଯାଇଛି ବାଣ ଫୁଟାଇବା ବା ଆତସବାଜିର ମେଲା ମୁକୁଳା ପ୍ରଦର୍ଶନ ! ଗୋଟେ ଦିଗରୁ ଧନାଗମ ପାଇଁ ପୂଜନ ସହ ଧନନାଶ ପାଇଁ ସଜିଲ୍ ହୋଇ ରହିଥାଏ ବାଣ ଫୁଟାଇବାର ଅବାଞ୍ଛିତ ଓ ଅହେତୁକ ପ୍ରହସନ । ଦୀପମାଳାଙ୍କ ଆଲୋକର ଶୃଙ୍ଖଳାକୁ ଏକରକମ ଉପହାସ କଲା ଭଳି ଥାଏ ଭଳିକି ଭଳି ବାଣଫୁଟାରୁ ସୃଷ୍ଟ ଶବ୍ଦମାଳା ଓ ତା ସହ ଯୋଡ଼ି ହୋଇ ରହିଥିବା ଧୂଆଁମାଳା !
ଏସବୁ ଏତେ ସରି ହୋଇଗଲାଣି ଯେ ଲାଗେ ବାଣ ଫୁଟାଇବା ହିଁ ସତେ ଅବା ଦୀପାବଳି ପାଳନର ଏକ ଗତାନୁଗତିକ ଅଂଶ ବା ପରମ୍ପରା । ଆତସବାଜିର ଆକର୍ଷଣ ଓ ବେପାରିକ ଫିସାଦି ଫଳରେ ବାଣ କିଣିବା ବାଧ୍ୟବାଧକତା ହୋଇଗଲାଣି । ଏଥିରୁ ଲବ୍ଧ ଆନନ୍ଦ ହିଁ ଯେମିତି ଆନନ୍ଦ । ଯେମିତି ଆଉ କିଛି ଆନନ୍ଦଦାୟୀ ନୁହେଁ ଦୀପାବଳିରେ । ଦୀପଙ୍କ ଶୁଦ୍ଧ ପ୍ରଜ୍ୱଳନରୁ ବିଚ୍ଛୁରିତ ବିଶୁଦ୍ଧ ଆଲୋକ ପ୍ରଦାନ କରୁଥିବା ପ୍ରକୃତ ପୁଲକ ହଜିଯାଏ । ସଂଯମ ଓ ସମ୍ବେଦନଶୀଳତା ହରାଇ ଆଲୋକର ପର୍ବ ଅଚିରେ ପାଲଟିଯାଏ ଏକ ଶବ୍ଦର ପ୍ରତିଯୋଗିତା ! କିଏ କେତେ ଉତ୍ସୃଙ୍ଖଳ ହୋଇ କେତେ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇ ପାରିଲା, କିଏ କେତେ ଦାମୀ ଆତସବାଜି କିଣିଛି, କାହା ବାଣ କେଡ଼େ ଘାଏଁ ଆକାଶ ମୁହାଁ ହେଲା ଏସବୁର ତୁଚ୍ଛ ତୁଳନା ଯୋଗୁ ହିଁ ଦୀପାବଳୀର ଉତ୍ସବାୟନ ବିଡ଼ମ୍ବିତ ହୋଇଯାଏ ।
ବାସ୍ତବ ପାଳନଠୁ ଦୂରେଇ ଯାଇ ବାଣ ଫୁଟାଇ ପର୍ବ ପାଳନ କିନ୍ତୁ ଆନନ୍ଦ ଆଳରେ ଦେଇଯାଏ ଅସ୍ୱସ୍ତି ଓ ଆପଦ । ଏକେ ତ ନିଆଁ ସହ ଉନ୍ମାଦଗ୍ରସ୍ତ ଏ ଖେଳ ନିଜ ପାଇଁ ଓ ଅନ୍ୟ ପାଇଁ ଦୁର୍ଘଟଣା ଟାଣି ଆଣେ ସାମାନ୍ୟ ଅସାବଧାନ ହୋଇଗଲେ ! ପୁଣି ବାଣ ଛୋଟ ହେଉ କି ବଡ଼, ଶବ୍ଦ ସୃଷ୍ଟିକାରୀ ହେଉ କି ଆଲୋକ ସୃଷ୍ଟିକାରୀ, ଦେଶୀ ହେଉ ବା ବିଦେଶୀ ଆତସବାଜି ହେଉ, ଏସବୁ କିନ୍ତୁ ପରିବେଶକୁ ପ୍ରଦୂଷିତ କରେ । ଆଲୋକରେ ଉଦ୍ଭାସିତ ହେବାର ଆନନ୍ଦ ଅପସରି ଯାଇ ଧୂମାଭ ପରିବେଶର ଅଶ୍ୱସ୍ତି ପ୍ରସରି ଯାଇ ବୟସ୍କ, ଶିଶୁ, ରୋଗୀଙ୍କ ବାଦ୍ ପଶୁପକ୍ଷୀ ମାନେ ମଧ୍ୟ ଅଯଥାରେ ପ୍ରଦୂଷଣ ଜନିତ ଦୁରବସ୍ଥାର କରୁଣ ଶୀକାର ହୁଅନ୍ତି । ଦୁଃଖର ବିଷୟ ଏଥକୁ ବାଣ ଫୁଟାଇବାରେ ଉନ୍ମାଦିତଙ୍କ ହେଜ ନଥାଏ ।ଫଳତଃ ପ୍ରଦୂଷଣର ଅନ୍ଧକାର ଘୋଟିବା ଭଳି ବିଡ଼ମ୍ବନା ସୃଷ୍ଟି ହୁଏ ।
ଦୀପାବଳି ପାଳନ ଅର୍ଥ ଦୀପଦାନ । ଆଲୋକର ଆବାହନ । ଆନନ୍ଦର ବଣ୍ଟନ । ବାଣ ଫୁଟାଇ ବୃଥା ଅହମିକା ସୃଷ୍ଟ ସ୍ୱକୀୟ ଆର୍ଥିକ ସାମର୍ଥ୍ୟ, ସାମାଜିକ ପ୍ରତିପତ୍ତି ଓ ଆତ୍ମ ବଡ଼ିମାର ପ୍ରଦର୍ଶନ ଆଦୌ ନୁହେଁ । ଅହମିକା ଯଦି ଆଲୋକର ଆନନ୍ଦକୁ ଆଚ୍ଛାଦିତ କରି ଦେଲା ତ ଯୋଉ ଅନ୍ଧାରକୁ ସେଇ ଅନ୍ଧାର ରହିଥିବ ଆମଠି ! ବୋଲିବା ବାହୁଲ୍ୟ ଏହାର ଫଳସ୍ୱରୂପ ଦୀପଦାନର ଆତ୍ମା ଆହତ ହେବା ନିଶ୍ଚିତ ।
ବଡ଼ବଡୁଆଙ୍କ ଆଶୀଷ ଲାଭ କରିବା ଆଳରେ ବାଣ ଫୁଟାଇ ବଡ଼ିମାର ବଡ଼ ଦୟନୀୟ ପ୍ରଦର୍ଶନ ହୁଏ । ଯେଉଁ ପିତୃପୁରୁଷଙ୍କୁ ଆମେ ଶ୍ରଦ୍ଧାର ସହ ସ୍ମରଣ କରୁଛୁ, ସେମାନଙ୍କ ନାମରେ ଆମେ ଯଦି ପରିବେଶକୁ ଅଶାନ୍ତ କରୁ, ଅନ୍ୟ ଜୀବଙ୍କୁ କଷ୍ଟ ଦେଉ, ଅହଂକାରର ପ୍ରଦର୍ଶନ କରୁ, ତେବେ ସେହି ଶ୍ରଦ୍ଧାର ସାର୍ଥକତା ଆଉ ରହିଲା କେଉଁଠି ?
ସୁତରାଂ ଏଣେ ପିତୃପୁରୁଷଙ୍କ ଆଶୀର୍ବାଦ ଲାଭାର୍ଥେ ବଡ଼ବଡୁଆଙ୍କୁ ଡାକି ତେଣେ ବାଣ ଫୁଟାଇ ବଡ଼ିମାର ପ୍ରଦର୍ଶନ କରିବା ନିରର୍ଥକ ସିନା ! କାରଣ ନମ୍ରତା, ସଂଯମ, ସଦାଚାର ଓ ସତ୍କର୍ମ ସମ୍ପାଦନ ସହ ପାର୍ବଣ ପାଳନ ହିଁ ଯଥାର୍ଥ ପାଳନ । ତୀବ୍ର ଶବ୍ଦ ବା ଦାମୀ ବାଣ ଫୁଟାଇବା ନିହାତି ଅଶାଳୀନ ଲାଗେନି ? ବରଂ ଜୀବେ ଦୟା, “ପରୋପକାରାୟ ସ୍ୱର୍ଗାୟ” ଭଳି ନୀତିଙ୍କୁ ଆଦରି ଅନ୍ୟର ଅଧିକାରକୁ ସମ୍ମାନ ଦେବା, ଅସହାୟର ସହାୟ ହେବା, ଭୋକିଲା ମୁହଁରେ ଆହାର ଦେବା, ନିରାଶ ମନରେ ଆଶା ସଂଚାରିବା, ଅନ୍ୟର ଦୁଃଖରେ ଦୁଃଖୀ ହୋଇ ସମବେଦନା ଜଣାଇବାଦି ସତ୍ କର୍ମ କରି ପୁଲକର ଆଲୋକ ପ୍ରଦାନ କରିବା ହିଁ ଦୀପାବଳି ପାଳନର ମୌଳିକ ଉଦ୍ଦେଶ୍ୟ । କାରଣ ଏସବୁ ମଧ୍ୟ ଆଲୋକଦାନର ଭିନ୍ନ ଭିନ୍ନ ରୂପ । ଦୀପାବଳି ଅନ୍ଧାର ଦୂରେଇ ଥାଏ । ଅଥଚ ଆମେ ମୂଢ ହୋଇ ବାଣ ଫୁଟାଇ ଅନ୍ଧାର ଆମନ୍ତ୍ରି ଆଣିଥାଉ । ତେଣୁ ଆତସବାଜିର ପ୍ରଦର୍ଶନ ଭଳି ପ୍ରହସନ ପରିହାର ପୂର୍ବକ ପରିବେଶ ପ୍ରତି ସଚେତନ ଓ ଆତ୍ମସଂଯମୀ ହେବା ସହ ଅନ୍ୟ ପ୍ରତି ସମ୍ବେଦନଶୀଳ ହୋଇ, ମାଟି ଦୀପ ଜାଳି ପାରମ୍ପରିକ ଆଲୋକସଜ୍ଜା, ପରିବାରର ସାମୂହିକ ଆନନ୍ଦ, ଦାନଧର୍ମ ଓ ପରସ୍ପର ପ୍ରତି ସଦ୍ଭାବ ରଖିବାକୁ ଆମେ ଦୀପାବଳିର ମୁଖ୍ୟ ଆକର୍ଷଣ କରିପାରିବା । ଏମିତି ହିଁ ଦୀପାବଳିକୁ ଆମ ପରମ୍ପରାନୁସାରୀ ଉତ୍ସବ ଭାବେ ପାଳନ କରିବା ଉଚିତ ।
ଦୀପାବଳି ଆସିଥାଏ ଦୀପଙ୍କ ମାଳା ନେଇ ଅନ୍ଧାର ଦୂରେଇ ଆଲୋକ ଦେଇ ଯିବା ପାଇଁ । ଆଲୋକର ଏହି ପାର୍ବଣକୁ ବାଣ ଫୁଟାଇ ଆସ୍ଫାଳନର ପାର୍ବଣ କଲେ ପୁଲକ ଆଉ ମିଳିବଟି ? ସୁତରାଂ ଅଜ୍ଞାନାନ୍ଧକାର ସୃଷ୍ଟ ଅହମିକାକ୍ରାନ୍ତ ହୋଇ ବାଣ ଫୁଟାଇ ଅନାବଶ୍ୟକ ଶବ୍ଦ ପ୍ରଦୂଷଣରେ ମାତି, ଦୀପାବଳି ପାଳିବା କଦାଚିତ ଉଚିତ ନୁହେଁ । ନିରିହ ଦୀପମାନେ ଶିଖା ତୋଳି ଶାନ୍ତିରେ ଜଳିବା ମାଧ୍ୟମରେ ଆଲୋକିତ କରୁଥିବାବେଳେ ବାଣଙ୍କ ବିସ୍ଫୋରଣ କରି କିଆଁ ସେ ଶାନ୍ତିକୁ ବ୍ୟାହତ କରିବା ? ବଡ଼ବଡୁଆଙ୍କୁ ଶ୍ରଦ୍ଧାଭରେ ସ୍ମରଣ ପୂର୍ବକ ଦୀପଦାନ କରୁଛୁ ପରା ? ଫେର୍ ତା’ସହ ବାଣ ଫୁଟାଇ ଆମ ତୁଚ୍ଛା ବଡ଼ିମାର ପ୍ରଦର୍ଶନ କରିବା ସତେ କେଡ଼େ ନାକରା ନୁହେଁ ଯେ ? ଏଥକୁ ଆମେ ନିଜେ ନିଜ ଅନ୍ତରକୁ ପୁଚ୍ଛିବା ହେଉ, ସତରେ ଆମେ ପାଳିବା ଦୀପାବଳି ନା ବାଣାବଳି ?
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

