ଆମ ସପନର ହିନ୍ଦୁସ୍ଥାନ

ଅରୁଣ କୁମାର ମିତ୍ର

ସେଇ ଦିନଟିରେ ପଦାର୍ପଣ କଲା
ପୁରିଲାଣି ଆଜି ଅଶି ବରଷ
ମଦରେ ମତ୍ତ ଭାରତବର୍ଷ
ରନ୍ଧ୍ରେରନ୍ଧ୍ରେ ନବ ହରଷ ।

ଘନ ମେଘମାଳା ଶ୍ରାବଣ ଗଗନେ
ଝରିପଡ଼େ ଆମ ଦେହ ଉପରେ
ଜାଗେ ଶିହରଣ ଅଙ୍ଗେଅଙ୍ଗେ
ଭାରତମାତାଙ୍କ ସ୍ନେହ ଆଦରେ ।

ଏଇ ସେହି ଦେଶ ମହାନ ଉଦାର
ସୁଖ ଶାନ୍ତିରେ ପୂର୍ଣ୍ଣ ମାଟି
ଈଶ୍ଵରଙ୍କ ଏହା ଅମୋଘ ସୃଷ୍ଟି
ଅତି ମନଲୋଭା ସୁ-ପରିପାଟୀ ।

ନଥିଲା ହିଂସା ଦ୍ୱେଷ ବିଦ୍ୱେଷ
କୋଟିଏ କୋଟିଏ ସହାବସ୍ଥାନେ
ଏବେ ଉପୁଜିଲା ଶତ ସମସ୍ୟା
ସ୍ଵାର୍ଥାନ୍ଵେଷୀଙ୍କ ବନ୍ଧୁ ଆହ୍ଵାନେ ।

ଦେଶ ବିଭାଜନ ଜନ ବିଭାଜନେ
ସ୍ଵାଧୀନ ଯଦ୍ୟାପି ଆମର ଦେଶ
ନିତ୍ୟ ନୂତନ ଭାବରେ ସୃଷ୍ଟ
ସମସ୍ୟାର ନାହିଁ ଏବେ ବି ଶେଷ ।

ପଡ଼ୋଶୀ ଶତ୍ରୁର ତତ୍ପରତାରେ
ସ୍ଥିରକୁ ଅସ୍ଥିର ତାଙ୍କର ନୀତି
ଅନ୍ତର୍କଳହେ ବୃଦ୍ଧି ପ୍ରାପ୍ତି
ଭୁଲିଗଲେ ଲୋକ ପୁରୁଣା ସ୍ମୃତି ।

ଏହି ସେଇ ଦେଶ ହିନ୍ଦୁସ୍ଥାନ
ଶାନ୍ତି ସ୍ଵସ୍ତିର ଆବାସ ସ୍ଥଳ
ଫାଟ ସୃଷ୍ଟିର କେତେ କଳାକାର
ନବ ରୂପେ ଦିଶେ ଦଳକୁ ଦଳ ।

ଆସ ହେ ବନ୍ଧୁ ହୁଅ ଏକତ୍ରିତ
ଭାରତମାତାଙ୍କ ଶ୍ରୀପାଦ ଦେଶେ
ଜୟ ମାଆ ଭବାନୀ ନାମ ନେଇ ମୁଖେ
ଆସ ହିନ୍ଦୁସ୍ଥାନୀ ସନ୍ନ୍ୟାସୀ ବେଶେ ।

ଆଜି ଶୁଭ ଦିନେ ନେବାଟି ଶପଥ
ନୂତନ ଭାରତ ଆମର ପଣ
ଏହି ହିନ୍ଦୁସ୍ଥାନ ଆମ ଭବିତବ୍ୟ
ଆମରି ଗର୍ବ ଆମ ସପନ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *