ବିନୟ ମହାପାତ୍ର

ଏଇ ବର୍ଷାରେ
ଛତା କାହାର ଲୋଡ଼ା,
ଯଦି ତୁମେ ସାଥେ ଥାଅ
ଭିଜିବାକୁ ଧାରା ଶ୍ରାବଣରେ ।
ଭାରି ଭଲଲାଗେ ତୁମ ସଙ୍ଗ,
ଆକାଶରେ ବାଦଲ ସୁଆଙ୍ଗ,
ତୁମ ଗୋରାଗୋରା ଦେହରେ
ବର୍ଷାଭିଜା ତୁମ ଝିନ୍ନ ଶାଢୀର,
ମୟୁର ଚନ୍ଦ୍ରିକାର ରଙ୍ଗ ।

ବରଷାର ବୁନ୍ଦାବୁନ୍ଦା ପାଣି,
ତୁମ ଲାଜୁକି ଆଖିର ନିଶା,
ସଙ୍ଗୀତମୟୀ ତରଙ୍ଗାୟିତ ଚାଲି,
ପାଦ ପାଉଁଜୀର
ଛମଛମ୍ ଛନକର ଭାଷା ।
ବର୍ଷାର ରିମ୍ ଝିମ୍ ସୁର, ତାଳ
ବର୍ଷାଭିଜା କଳା ମେଘମାଳ
ବର୍ଷାର ମଧୂର ସଂଗୀତ ଛନକ,
ଚପଳ ବିଜୁଳି କନ୍ୟାର ଚମକ ।
ଘାସର ସବୁଜ ଗାଲିଚା ଆଉ
ନାଲି ଟିପିଟିପି ସାଧବବୋହୂର
ଲାଜକୁଳୀ ନରମ ଚାଲିରେ,
ଝରଣାର କୁଳୁକୁଳୁ ସୁରେ,
ତୁମେ ଆଉ ମୁଁ
ଧୂଆଁଧୂଆଁ ବାଦଲର ସବାରୀରେ
ବେଙ୍ଗରାଣୀ ସାରୁ ଗଛ ମୂଳେ
ନିରାପଦେ ପୃଷ୍ଟଭୂମି ସଙ୍ଗୀତ ଦିଏ ।

ବଡ଼ ରୋମାଣ୍ଟିକ ଲାଗେ ସତେ
ଝିପିଝିପି ବରଷାରେ
ପ୍ରିୟା ତୁମେ ସାଥେ ମୋର
ପ୍ରକୃତିର ସବୁଜ କାନଭାସରେ
ସତେ କିଏ ସଜାଡ଼ି ଦେଇଛି ଅବା
ନବ ବିବାହିତ ଜୋଡ଼ି ପାଇଁ
ସୁନ୍ଦର ତୋରଣ ସଜାଇ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *