ସତ୍ୟନାରାୟଣ ଗନ୍ତାୟତ

ଗାନ୍ଧୀ ବିରାଜିଛନ୍ତି
କର୍ପୋରେଟ ହାଉସ୍-କୃତ
ପାର୍କ ଭିତରେ
ନାନା ଜାତି ଫୁଲଙ୍କ ମେଳରେ
ପ୍ରତିମୂର୍ତ୍ତିଟେ ହୋଇ
ସବୁ ଥିଲାବାଲାଙ୍କୁ
ତଥାପି ଘାରିଥିବା
ନାହିଁ ନଥିବା ଜଞ୍ଜାଳରୁ
ମୁକ୍ତି ଦେଇ, ସରସ କରିବା ପାଇଁ !

ପ୍ରବଳ ଭିଡ଼ ପାର୍କ ବାହାରେ
ଖଣ୍ଟ ଦଲାଲ ଓ ଡକାୟତଙ୍କୁ ନେଇ
କବଳିତ ଭୀତତ୍ରସ୍ତ ଏବେ ସମୟ
ମିଛିମିଛିକା ଗାନ୍ଧୀଗିରିର ରାଜୁତିରେ !
ଦେଖ, ବାଡ଼ି ଧରି କେମିତି
ଠିଆ ହୋଇଛି ସେଠି
ସବୁଠୁ ଗରୀବ ମଣିଷଟି
ଅବିକଳ ଗାନ୍ଧୀଙ୍କ ପରି
ଭିକାରୀ ବେଶରେ !

ଲାଗୁଛି
ସତେ ଅବା
ଅବତରି ଆସିଛନ୍ତି ନିଜେ ଗାନ୍ଧୀ
ମାଗୁଛନ୍ତି
ସତ୍ୟ ଧର୍ମ ଅହିଂସାର ଭିକ
ଭିକାରୀ ବେଶରେ
ଠିକ୍ ପାର୍କର ସାମନା ଛକରେ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *