ସତ୍ୟନାରାୟଣ ଗନ୍ତାୟତ

ଏମିତିରେ ଆମ ମାମୁଲି ବିଚାରରେ ‘ମଣିଷ’ ଶଦ୍ଦଟି ଆଗରେ ଆଦ୍ୟାକ୍ଷର ‘ଅ’ ଯୋଡ଼ିଦେଲେ ଯେଉଁ ଶବ୍ଦ ଉଦ୍ଭବ ହୋଇଥାଏ ତାହା ହେଲା ‘ଅମଣିଷ’ ! ଏହି ପ୍ରାୟେ ‘ସୁନ୍ଦର’ ବି ହୋଇ ଯାଇଥାଏ ‘ଅସୁନ୍ଦର’ ! ଏମନ୍ତ ଅନେକ ଉଦାହରଣ ନିଶ୍ଚେ ରହିଅଛି । ତେବେ ସେସବୁ ଆଭିଧାନିକ ବିଷୟ ହୋଇଥିବାରୁ ଏଠେଇଁ ଅପ୍ରସଙ୍ଗ ଅଟଇ । କିନ୍ତୁ ଏତିକି ଅବଶ୍ୟ କହିହେବ ଯେ ମଣିଷ କହିଲେ ଜଗତର ଶ୍ରେଷ୍ଠପ୍ରାଣୀକୁ ବୁଝା ଯାଇଥାଏ । ହେଲେ ଅମଣିଷ ?
ଏ ବିଷୟ ହିଁ ବିଚାର୍ଯ୍ୟ ।
ସଚରାଚର ମଣିଷ ହିଁ ଜନମି ଥାଏ । ଅର୍ଥାତ ଜନମିବା ବେଳେ ସଭିଏଁ ମଣିଷ । ଅମଣିଷଟାଏ ଜନମିଲା ବୋଲି କେହି କେବେ କହିବା ଶୁଣିଛନ୍ତି କି ? ନା । ପୁଣି ମଣିଷ ଜନମ ବି ନାନା ବିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଦେଇ ହୋଇଥାଏ ବୋଲି ଉଲ୍ଲେଖ ରହିଛି । ଏନେଇ ତ ଠାଏ “ମଣିଷଙ୍କ ପୂର୍ବପୁରୁଷ କୁଆଡ଼େ ଥିଲେ ମାଙ୍କଡ଼” ବୋଲି ଘୋଷଣା କରାଯାଇଛି । ଅବଶ୍ୟ ଏକଥାକୁ ଖୁବ୍ ବେଶୀ ରଗଡ଼ିବା ଏଥିପାଇଁ ଲୋଡ଼ା ନାହିଁ ଯେ ଯଦି ମଣିଷ ମାଙ୍କଡ଼ ରୂପରୁ ଉନ୍ନୀତ ହୋଇ ମଣିଷ ହୋଇ ଥାଇଁ, ତହୁଁ ଖୋଦ୍ ମାଙ୍କଡ଼ମାନେ ଫେର୍ ଅଦ୍ୟାବଧି ସେମାନଙ୍କ ସ୍ୱଭାବ ସୁଲଭ ଡିଆଡେଇଁ କରତଃ ନିଜ ନିଜକୁ ସସମ୍ମାନ ଶାଖାମୃଗ ବୋଲାଇ ଗୋଟାପଣେ ମହଜୁଦ ରହିଅଛନ୍ତି କେଉଁ ଖୁସିରେ ?
ଏତଦ୍ ଭିନ୍ନ ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର କଲେ ମନକୁ ଆସେ ସୃଷ୍ଟିକର୍ତ୍ତା ବିଧାତା କୀଟପତଙ୍ଗ ସମେତ ଜାତିଜାତି ଜୀବ, ଗଛବୃଛ ଓ ଜଳ ସ୍ଥଳାଦି ଭରା ଏ ସସାଗରାଧରା ସୃଜି ସାରିବା ପରେ କିଆଁ ଏତେ ଉଚ୍ଚାଟ ଅନୁଭବିଥିଲେ ଯେ ପୁନରାୟ ନିଜର ଏକ ରୂପ ଦେଇ ମଣିଷ ସୃଜି ଏ ଧରାଧାମକୁ ଛାଡ଼ିଲେ ? ସମ୍ଭବତଃ ସୃଷ୍ଟିକର୍ତ୍ତା ମଣିଷ ସୃଷ୍ଟି କରି ତା ଅନ୍ତରରେ ବୁଦ୍ଧି ଓ ବିବେକ ଭରି ଛାଡ଼ି ଆଶା ରଖିଛନ୍ତି ଯେ ଏହା ବଳରେ ସେ ଶ୍ରେଷ୍ଠପ୍ରାଣୀ ବୋଲାଇ ତଦନୁରୂପ ସକଳ ସଜୀବ ଓ ନିର୍ଜୀବଙ୍କ ସମେତ ଏ ଧରାର ପ୍ରତ୍ୟେକଙ୍କ ସହ ସହଭାଗୀ ହୋଇ ଏଭଳି ସହାବସ୍ଥାନ କରିବ, ଯେମିତି ଏ ଧରା ହିଁ ସ୍ୱର୍ଗୀୟ ଆନନ୍ଦରେ ଭରା ହୋଇଯିବ । ଏସବୁର ନିୟାମକ ଭାବେ ମଣିଷ କ୍ରମଶଃ ଦେବତ୍ୱ ଆଡ଼କୁ ସ୍ୱତଃ ଅଭିମନ୍ତ୍ରିତ ହୋଇ ଆପଣା ଉଚ୍ଚାରଣ ଓ ଆଚରଣରେ ଉତ୍ତରିତ ହେବ । ଅର୍ଥାତ ମଣିଷର ସୃଷ୍ଟି ଏକ ଦିବ୍ୟ ଉଦ୍ଦେଶ୍ୟରୁ ଏକ ଦିବ୍ୟ ଊଦ୍ଦେଶ୍ୟ ସାଧନ ପାଇଁ ଅଭିପ୍ରେତ ।
ମଣିଷର ସୃଷ୍ଟି ତ ଏମନ୍ତ । ଏପରିକି ବୃକ୍ଷଲତା କୀଟପତଙ୍ଗ ପଶୁପକ୍ଷୀ ଜଳସ୍ଥଳ ସବୁ କିଛି ବିଧାତାଙ୍କ ଦିବ୍ୟ ଉଦ୍ଦେଶ୍ୟ ଚାଳିତ ସର୍ଜନା । ତେଣୁ ତ ଗଛଲତା ଫଳଫୁଲ ବାଦ୍ ଅମ୍ଳଜାନ ଦେଉଥିବାବେଳେ ପଶୁପକ୍ଷୀଏ ସୁଦ୍ଧା କିଛିନା କିଛି ସ୍ୱକୀୟ କର୍ମ ସମ୍ପାଦନ ମାଧ୍ୟମରେ ଏ ଜଗତର କଲ୍ୟାଣ କରିବାରେ ନିୟୋଜିତ ରହିଥାନ୍ତି । ଫଳତଃ ଶିଶୁଟିଏ ବି ପୋଷା କୁକୁର ସହ ନିରାପଦରେ ଖେଳିପାରେ ! ତେଣୁ ଏମାନଙ୍କଠାରୁ ଢେର୍ ଆଗୁଆ ଓ ଉନ୍ନତ ମସ୍ତିଷ୍କଧାରୀ ମଣିଷ ସମ ପରିମାଣରେ କେବଳ ମଣିଷ ସୁଲଭ ହୋଇଯିବା ବଡ଼ କଥା ନୁହେଁ । ବରଂ ତହିଁରୁ ଊର୍ଦ୍ଧ୍ୱକୁ ଉଠି ମଣିଷ ପରି ମଣିଷ ହେବା ନିହାତି ପକ୍ଷେ ବାଞ୍ଛନୀୟ ।
ଅଥଚ ବହୁ ମାତ୍ରାରେ ବହୁ କ୍ଷେତ୍ରରେ ଓ ବହୁ ସମୟରେ ଏମିତି ନହେବା ହିଁ ମଣିଷକୁ ମଣିଷ ବୋଲିବା କ୍ଷେତ୍ରରେ ପ୍ରତିବନ୍ଧକ ସାଜେ । କାରଣ ମଣିଷ ମଣିଷ ନହୋଇ ତଥାକଥିତ ଅମଣିଷଟାଏ ପାଲଟି ଯାଇଥାଏ । ଏହା ହିଁ ଚରମ ବିଡ଼ମ୍ବନା । ଦିବ୍ୟୋପମ ହୋଇ ମାନବିକତାକୁ ଉତ୍ତରଣ ଅଭିମୁଖୀ କରିବା ଦୂରେଥାଉ, ମଣିଷ ଆପଣା ଉଚ୍ଚାରଣ ଓ ଆଚରଣରେ କ୍ରମାଗତ ଭାବେ ଅଧୋମୁଖୀ ହୋଇ ଅବଶେଷେ ‘ଅମଣିଷ’ ହୋଇଚାଲେ । ଆପଣା ଅଭ୍ୟନ୍ତରେ ସନ୍ନିହିତ ଦେବତ୍ୱର ଶିଖର ସ୍ପର୍ଶ ସୁଦୂର ପରାହତ ହୋଇଯାଏ ।
ଏତିକିରେ ସୀମିତ ରହେନି ଅମଣିଷ ସୁଲଭ ହରକତ, ଯାହା ଧୀରେଧୀରେ ପାଶବିକତା ଆଡ଼କୁ ଢଳିଢଳି ତାକୁ ମଧ୍ୟ ବଳି ପଡ଼େ । ହୀନାଦପି ହୀନ ହୋଇଯାଏ ତଥାକଥିତ ଶ୍ରେଷ୍ଠ ମଣିଷର ଜୀବନ । ଏଠାରେ ହିଁ ଏକ ଗଭୀର ଓ ଗମ୍ଭୀର ପ୍ରଶ୍ନ ଉଠେ ଯେ ମଣିଷର ଏମନ୍ତ ଅମଣିଷ ହୋଇଯିବା କି ସତରେ ଶେଷକଥା ?
ଏହି ବିଷୟକ ସଂଶୟ ଉଭେଇଯାଏ ଯେବେ ଅମଣିଷକୁ ପହିଲେ ପୁନର୍ବାର ମଣିଷପଣିଆ ଶିଖାଇ ସେ ଦିଗକୁ ପ୍ରବର୍ତ୍ତାଇବା ସର୍ବାଦୌ କରଣୀୟ ମନେହୁଏ । ଏ ପ୍ରେରଣା ବି ନିଶ୍ଚିତ ଭାବେ ଆନ୍ତରିକ । କାରଣ ମଣିଷ ଭିତରେ ବୁଦ୍ଧି ବିବେକ ଆଦି ଭାବରେ ସାଇତା ଦିବ୍ୟସତ୍ତା ହିଁ ବେଶ୍ ଉଚ୍ଚାଟିତ କରନ୍ତି ଅମଣିଷକୁ ଭୁଲ୍ ବାଟରୁ ଆଣି ଠିକଣା ଥାନରେ ଥୋଇବା ପାଇଁ । ଭୁଲ୍ ଠିକ୍ ବିଚାର କରିପାରିବା ଶକ୍ତି ଟିକକ ଯେବେ ପୁଣି ବଳବତ୍ତର ହୋଇଯାଏ ଅମଣିଷ ତା ମିଛ ରୂପ ଫେଇ ପୁଣି ନିଜେ ହିଁ ନିଜକୁ ସଜାଡ଼ି ନିଏ ।
ଏଥିରୁ ସ୍ପଷ୍ଟ ଯେ ଅମଣିଷ ହେବା ଏକ ବାହ୍ୟ ପରିପ୍ରକାଶ ମାତ୍ର । ସୁତରାଂ ଆଦୌ ଚିରନ୍ତନ ହୋଇ ନପାରେ । କିଞ୍ଚିତ ଆନ୍ତରିକ ଆହ୍ୱାନ ଏହାକୁ ପ୍ରତିହତ କରି ପୁଣି ମଣିଷ ପଣିଆରେ ଛଳଛଳ କରାଇବାକୁ ସମ୍ପୂର୍ଣ୍ଣ ସମର୍ଥ ହୋଇଥାଏ ।
ଆଉ ରହିଲା ମଣିଷ ପରି ମଣିଷ ବା ଆନ୍ତରିକ ଭାବେ ଆଦର୍ଶ ଚାଳିତ ହୋଇ ମଣିଷ ପରି ମଣିଷ ହେବା । ଏହା ବି ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶ । ଏହାର କ୍ରମାଗତ ଓ ସଶ୍ରଦ୍ଧ ଅନୁସରଣ ହିଁ ଦିବ୍ୟତ୍ୱ ପଥରେ ପଦପାତ ହୁଏ ତ ! ଦୟା, କ୍ଷମା, କରୁଣା, ସ୍ନେହ, ପ୍ରେମ, ମମତା ଭଳି ସୁଗୁଣେ ମଣ୍ଡିତ ହେବା ଅର୍ଥ ନିଜେ ଦିବ୍ୟ ଆନନ୍ଦ ଲଭିବା ସହ ଦିବ୍ୟ ଆନନ୍ଦ ବିତରିବା, ଯାହା ସମ୍ଭବ ହେବା ମାଧ୍ୟମରେ ଏ ଧରାରେ ହିଁ ସ୍ୱର୍ଗୀୟାନୁଭବର ଅବତରଣ ହୋଇଥାଏ । ଏସବୁ ଦିବ୍ୟ ଗୁଣଙ୍କ ଉତ୍ତରଣ ହେଲେ ଅମଣିଷଟାଏ ବି ଦିବ୍ୟ ଆଭାରେ ସ୍ୱତଃ ଉଦ୍ଭାସିତ ହୋଇପାରେ, ଏଥକୁ ସନ୍ଦେହ ନାହିଁ ।
ହଁ, ପୌରାଣିକ କଥାନୁସାରେ ଏହି ଭାବେ ହିଁ ତ ସମ୍ଭବ ହୋଇଥିଲା ଦସ୍ୟୁ ରତ୍ନାକରଙ୍କ ଦିବ୍ୟ ଓ ମହାର୍ଘ୍ୟ ବାଲ୍ମିକୀକରଣ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

