ଏଲି ମହାନ୍ତି

ବାହାରେ ଗୋଟିଏ ଉଜ୍ୱଳ ଖରାବେଳ । ଏମିତି ନିର୍ଭେଜାଲ ଖରାବେଳ ମୋର ଭାରି ପସନ୍ଦ । ଅଯଥା ମେଘଙ୍କର ହସ୍ତକ୍ଷେପ ନଥିବ ଖରା ଉପରେ, କି ଉଦାସ ଖରାବେଳଟେ ଘୋଷାଡ଼ି ହେଇ ଆସୁଥିବ ନଥିବ ସିଫ୍ଟ ୱାର୍କର ପରି ।

ଝରକାରୁ କି ଦୁଆର ପାଖରୁ ଟିକେ ଏକାଗ୍ର ହେଇ ଦେଖିଲେ ଦେଖାଯିବ ଘାସ ଉପରେ ଉଡୁଥିବା ସବୁଠୁ ଛୋଟ ପ୍ରଜାପତି ଓ ଗାଢ ବାଇଗଣି ରଙ୍ଗର ଘାସଫୁଲ । ପିଲାବେଳେ ସେମାନଙ୍କୁ ଦେଖୁଦେଖୁ ସାମ୍ନା ବହିଖାତା ଗାୟବ କରି ମୋ କାନ ଧରି ସାରିଥାଏ ବୋଉ ଆଉ ଏବେ ସର୍ଭିସ ପରେ ଏକୁଟିଆ ଫ୍ଲାଟ୍ ରେ ପୋଡ଼ି ସାରିଥାଏ ତରକାରୀ କି କମ୍ପ୍ୟୁଟର ସ୍ଲିପ ମୋଡ୍ କୁ ଆସି ସାରିଥାଏ । ମୁଁ ବାରମ୍ବାର କୋଉଠି ଗୋଟେ ଦୈାଡ଼ି ପଳାଏ ଓ କିଛି ସମୟ ପରେ ନିଜେ ନିଜର ଅଭିଭାବକ ହେଇ ନିଜକୁ ଡାକି ଆଣେ । ଛୁଟିଦିନମାନଙ୍କରେ ମୋର ଏମିତି ଯିବାଆସିବା ଚାଲେ ଥକିଯିବା ଯାଏ ।

ବାହାର ଖରାକୁ କବାଟ କିଳି ଚଟାଣରେ ଚିତ୍ ହେଇ ଶୋଇ ଛାତକୁ ଯୁଦ୍ଧ ପାଇଁ ଲଲକାରିବା ଗୋଟେ ରାଜକୀୟତା ଯାହା ସବୁଦିନେ କପାଳରେ ଜୁଟେନି । ସେଦିନ ଯୋଉଦିନ କଥା ମୁଁ ବିଶେଷ ଭାବେ ମନେରଖିଛି: ଚଟାଣରେ ଗୋଡ଼ ଲମ୍ବେଇ ଦେହକୁ ମାତ୍ର ପଇଁଚାଳିଶ ଡିଗ୍ରୀ ବଙ୍କେଇବା ବେଳକୁ କଲିଂ ବେଲ୍ ବାଜିଲା ଓ ମୋ ଅନୁଭବ ମୋତେ ତତକ୍ଷଣାତ୍ ନେଇଗଲା ପିଲାଦିନର ସେ କାନମୋଡ଼ା ପାଖକୁ । ମୁଁ ଅପ୍ରସ୍ତୁତ ହେଇ କାନ ମଳିମଳି କବାଟ ଖୋଲିଲି ତ ସେ ଛିଡ଼ା ହେଇଥିଲେ । ଡିଷ୍ଟ୍ରେସ କଣ୍ଡିସନ ହେଲେ ଆଖି ପୂର୍ବ ପରି ଉଜ୍ୱଳ । ଏତେଦିନ ପରେ ଅଚାନକ ଏମିତି କିଛି ଦୃଶ୍ୟ ମୋ ଆଖିରେ ପଡ଼ିବ, ଭାବି ନଥିଲି ।

ମୁଁ ଘୁଞ୍ଚିଗଲି ଓ ସେ କିଛି ନକହି ଭିତରକୁ ଆସିଲେ ଯଦିଓ ୟା ପୂର୍ବରୁ ମାତ୍ର ଥରେ ସେ ମୋ ଘରକୁ ଆସିଥିଲେ । ଚାରିପଟକୁ ଥରେ ଆଖି ବୁଲେଇ, ୱାସରୁମ ….? ବୋଲି ପଚାରିଲେ । ମୁଁ ବି ୱାଶ୍ ରୁମ ଦେଖେଇବା ଭିତରେ ବଢେଇ ଦେଲି ଟାୱେଲ୍ । ଆମ ଦୁଇଜଣଙ୍କ କାର୍ଯ୍ୟକଳାପ ଏମିତି ଥିଲା ଯେମିତି ସେ ଏ ଘରର ସଦସ୍ୟ ଓ ବାହାରକୁ କାମରେ ଯାଇ ଫେରିଥିଲେ ।

ଯେତିକି ଖୁସି ଥିଲି ଆଉଟିକେ ଖୁସି ହେଇଗଲି ତାଙ୍କୁ ଦେଖି । ମୋତେ ବେଶି ଆକୃଷ୍ଟ କରନ୍ତି ଏମିତି ଚାଲିଚଳନର ମଣିଷମାନେ । ତିଳେମାତ୍ର ଅଭିନୟ ମୋର ପସନ୍ଦ ହୁଏନି ଚିରାଚରିତ ଜୀବନରେ । ସେ ଯଦି ମୁଁ ନଡାକିବା ଯାଏ ଭିତରକୁ ଆସି ନଥାନ୍ତେ କି ଆସିବା ପରେ ଏତେ ଦିନର ନିରବତା ପାଇଁ କୈଫିୟତ ଦବା ଆରମ୍ଭ କରିଥାନ୍ତେ କି ମୁଁ ତାଙ୍କୁ ଥଣ୍ଡା/ ଗରମ ପାନୀୟ ପଚାରିଥାନ୍ତି ଔପଚାରିକତା ପାଇଁ….ଯେମିତି କରନ୍ତି ଅତିଥି କିମ୍ଵା ପରିଚିତ ଲୋକ….?

ୱାଶ୍ ରୁମରୁ ବାହାରିବା ପରେ ଗୋଟେ ଗ୍ଲାସ ଲେମ୍ବୁ ପାଣି ପସନ୍ଦ ବୋଲି ଶୁଣିଥିଲି ଥରେ ଫୋନରେ ଓ ସେହି ଅନୁସାରେ ଲେମ୍ବୁପାଣି ରଖିଲି ଡାଇନିଂ ଉପରେ । ସେ ଥରେ ଗ୍ଲାସକୁ ଓ ଥରେ ମୋତେ ଦେଖି ଚେଞ ପାଇଁ ରୁମକୁ ପଶିବା ପୂର୍ବରୁ କହିଲେ, ଏତେ ଅହଂକାର କାହିଁକି ? ଅଭିନୟ କାହିଁକି ?

ଆଶ୍ଚର୍ଯ୍ୟ ମୁଁ ,ଏକଦମ୍ ନିରବ ବି ।

: ମାଗିବା ଆଗରୁ ଦେଇ ଦବା, ଗୋଟେ ଅଭିନୟ”….ପରଦା ପଛରେ ତେବେ କଣ ? ଅହଂକାର ନୁହେଁ ??

: ଅପ୍ରତ୍ୟାଶିତତା କେବଳ ।

: ହେଲେ ମୁଁ ତୋତେ ଖୋଲିବାକୁ ଚାହେଁ ମୋ ଅନୁସାରେ, ମୋ କପାଳ ଉପର କେରାଏ କେଶ ସଜାଡ଼ି ଦଉଦଉ କହିଲେ ସେ ଧୀରେଧୀରେ, ଯେତିକି ଧୀରେ ଓହ୍ଲେଇ ଆସନ୍ତି ମୋ ଘର ପାହୁଚମାନେ ଓ ମିଶିଯାଆନ୍ତି ଚଟାଣରେ ।

: ଘରେ ତାଲା ପକେଇବା ଯଦି ନିହାତି ଦରକାର ଥାଏ ତେବେ ମୁଁ ଅପେକ୍ଷା କରିବି ନହେଲେ ମୋ ହାତ ଧରି ଯିବୁ କି ବାଇକ୍ ଯାଏଁ ?

ମୁଁ ମୋତେ ଦେଖିନେଲି, ଗୋଟେ ୱାନ୍ ଥାର୍ଡ ମେକ୍ସି ଓ ମୁଣ୍ଡରେ କ୍ଲଚର । ଏମିତି ଯିବି ???

ସେ ଧରି ସାରିଥିଲେ ମୋ ଡାହାଣ ହାତର ପାପୁଲି । ଘରର ସଦର ଦରଜା ହାଁ କରି ଆମକୁ ଦେଖୁଥିଲା ।

ଦୂରରେ ଦିଶୁଥିଲା ଏୟାରପୋର୍ଟ । ତାଙ୍କୁ କାହାଣୀ ଗଢିବାକୁ ଯେହେତୁ ବେଶି ସମୟ ଲାଗେନି ତେଣୁ କହିଲେ, ଦେଖ୍ ତତକ୍ଷଣାତ ଉଡ଼ିବା ପାଇଁ ଗୋଟେ ଛୋଟ ପକ୍ଷୀର ଯେତିକି ସାହସ ସେତିକି ସଂଗ୍ରହ ପାଇଁ ଗୋଟେ ପ୍ଲେନକୁ ଦୈାଡ଼ିବାକୁ ପଡ଼େ ରନୱେରେ । ପ୍ରଥମେ ଧୀରେଧୀରେ ପରେ ସେତିକି ସ୍ପିଡ୍ ଯେତିକି ତାକୁ ଟେକି ନେଇ ଫୋପାଡ଼ି ଦେଇପାରିବ ପବନର ଅଧିକୃତ ଅବଜ୍ଞା ଭିତରେ ।

: ମାନେ ?

: ମାନେ, କାହା ଅବଜ୍ଞା ଭିତରକୁ ସାଧାସିଧା ଡେଇଁପଡ଼ ଓ ଓଟାରିନେ ତା ଭିତରର ଭାରିପଣ । ମୁଁ ଆଜି ତୋ ବାପାଙ୍କ ଅବଜ୍ଞା ଭିତରକୁ ଡେଇଁଛିରେ । ତୁ ଚାହିଁଲେ ବାଇକ୍ ରୁ ଓହ୍ଲେଇ ଯାଇ ପାରୁ ହେଲେ ମୁଁ ବାଇକ୍ ଚଲେଇବା ବନ୍ଦ କରିବିନି ।

: ହେ ଭଗବାନ୍ । ଚଳନ୍ତା ବାଇକ୍ ରୁ ଓହ୍ଲେଇ ଯିବି ? କେମିତି ?

: ଯେମିତି ଓହ୍ଲେଇ ଗଲେ ମୋ ବାପା ଗୋଟେ ଚଳନ୍ତା ପୃଥିବୀରୁ, ରାତି ଖାଇବା ବଢା ହେଇଥିବା ଅବସ୍ଥାରେ ! ଯେମିତି ଓହ୍ଲେଇ ଆସିଲି ମୁଁ ତୋ ବାପାଙ୍କ କଥାର ପୂର୍ଣ୍ଣଚ୍ଛେଦ ଉପରୁ ।

: ହେଲେ ତୁମେ କାହିଁକି ଏମିତି କଲ ?

ମୁଁ ବୁଝେଇଥାନ୍ତି ବାପାଙ୍କୁ ।

କିଛି ବାଟ ବାଇକ୍ ଗଡ଼ିଲା ପଚାଶ/ ପଞ୍ଚାବନ ସ୍ପିଡ୍ ରେ । ଦୁହେଁ ନିରବ ।

ବ୍ରିଜ୍ ଆରମ୍ଭ ହେବା ଆଗରୁ ଗୋଟିଏ ଛୋଟ ଦୋକାନ ଆଗରେ ବାଇକ ରଖି ସେ ଆଣିଲେ ଦିଟା ଚକୋବାର୍ । ବାଇକ ସେଇଠି ରହିଲା । ମୁଁ ପ୍ରାୟ ଦୈାଡ଼ିଦୈାଡ଼ି ତାଙ୍କ ସହ ଚାଲୁଥାଏ ଓ ସେ ବ୍ରିଜ୍ ଉପରେ ଠିଆ ହେଇ ମୋ ହାତକୁ ବଢେଇଲେ ଗୋଟେ ଆଇସକ୍ରିମ୍ ।

ଏତିକି ଅଳ୍ପ ସମୟରେ ମଧ୍ୟ ଅତ୍ୟଧିକ ହ୍ୟୁମିଡ଼ିଟି ଯୋଗୁଁ ଚକୋବାର୍ ତରଳିବାକୁ ଆରମ୍ଭ କରିଥାଏ । ମୋର ଅଧା ଆଇସକ୍ରିମ ପଡ଼ିବପଡ଼ିବ ହେଉଛି, ମୁଁ ବାଁ ହାତ ଜାଣିକି ଉଠେଇଲିନି ଆଇସକ୍ରିମ ତଳକୁ । ଦେଖିଲି ସେ କେତେ ସୁନ୍ଦର ଭାବେ ଆଇସକ୍ରିମ ଖାଇଲେ ଓ ଷ୍ଟିକ ଫୋପାଡ଼ି ନଦୀକୁ ଦେଖିଲେ ଗୋଟେ ପରିପୂର୍ଣ୍ଣ ମୁଦ୍ରାରେ ।

ବ୍ରିଜ୍ ବାଡ଼ାକୁ ଆଉଜି ଆମେ ତଳକୁ ଦେଖୁଥିଲୁ ଓ ପ୍ରାୟ ନିରବ ହିଁ ଥିଲୁ । ମୁଁ ଭାବୁଥିଲି ବାପାଙ୍କ କଥା । ସେ ପଚାରିଲେ, ଜାଣୁ କ୍ରିମ୍ ଡେଜାର୍ଟକୁ ବାର୍ ଆଇସକ୍ରିମ ଯିଏ କଲା ସେ କଣ ଭାବିଥିବ ?

ଅଧା ଆଇସକ୍ରିମ ତଳେ ପଡିଯିବା କାରଣରୁ ମୋର ରାଗ ଥିଲା ତେଣୁ କହିଦେଲି , ଭାବିଥିବ ଚୋପା….

: ଧରି ପାରିବାର କୈାଶଳ । ବୁଝିଲୁ ? hold an ice without leaking…! ସେତିକି ଯିଏ ପାରେନି ସେ ସୁଧାର ହେଇପାରେ ହେଲେ ସଫଳ ନୁହେଁ ।

ଆମ ଚାରିପାଖ ଗମ୍ ଗମ୍ । ଏତେ ଗମ୍ଭୀର କଥା ସବୁ !

: ତୁମ ବାଇକ ? ଚୋରି ହେବନି ତ ?

: ତୋ ଘର ବି ଖୋଲା ଅଛି ତ ! କଣ ହେଲା ସେଇଠୁ ?

ମୋର ଘର କଥା ମନେ ନଥିଲା । ମୁଁ ପୁଣି ଚୁପ ହେଇଗଲି ।

ଆମେ ପୁଣି ଧୀରେଧୀରେ ଚାଲିବାକୁ ଲାଗିଲୁ ।

: ଭାବିଥିଲି ଆଇସକ୍ରିମ ଭିତରେ ରିଂ ରଖି ତୋତେ ପ୍ରୋପୋଜ କରିବି ।

: ବାଃ…କ୍ୟା ଆଇଡ଼ିଆ….ସର୍ ଜୀ ! ଆଉ ମୁଁ ଯଦି ଆଇସକ୍ରିମ ସହ ରିଂ କୁ ଢୋକି ଦେଇଥାନ୍ତି ?

: ହେଃ….ରିଂ କେହି ଢୋକି ପାରେ…?

: ଯଦି…

: ଯଦି ….ହା..ହା…ତୁ ରିଂ ଢୋକିଥିଲେ ତୋତେ ନେଇ ତୋ ଘରେ ଛାଡିଦେଇ ଆସିଥାନ୍ତି ।

: ମାନେ ? ମରିବା ପାଇଁ ?

: ମନେ ନାହିଁ ମାଛ ପେଟରୁ ବାହାରିଲା ମୁଦି । ମୁଦି ଦେଖି ରାଜା ଚିହ୍ନିଲେ ପ୍ରେମିକା ….

କିଛି ସମୟର ନିରବତା ପରେ ବିନା କିଛି ସଂକୋଚରେ ଅଳ୍ପ ହସି କହିଲେ

: ଏବେ ତୋ ପେଟରୁ ଯୋଉ ମୁଦି ମିଳିବ ତାକୁ ଦେଖି ତୋ ବାପା ଚିହ୍ନିବେ ଶତୃ……

: ତୁମେ କନଫର୍ମ..!!

: କନଫର୍ମ ନୁହେଁ ଡିଅର…ସିଓର….। ଚାଲୁଚାଲୁ ଡାହାଣ ହାତରେ ମୋତେ ପାଖେଇ ନେବାବେଳେ ଦ୍ୱିପ୍ରହର ସହର ମୋତେ ଗୋଟେ ଚଳଚ୍ଚିତ୍ର ପର୍ଦା ଭଳି ଦିଶିଲା ।

ତାଙ୍କ ଆଖିରେ ଅଶିଣର ଚିକମିକ ଖରାବେଳ,

ମୋ ଚାରିପାଖେ ଘାସଫୁଲ, ପ୍ରଜାପତି…

ତା ହେଲେ, ବୋଉ କ’ଣ ପୁଣି କାନ ମୋଡ଼ିବ ????

ବାରିପଦା, ମୟୂରଭଞ୍ଜ, ମୋ – ୯୪୩୯୩୭୮୩୯୦

ଲେଖକ ପରିଚୟ

କବିତା ବହି “ଚିତ୍ର ଆଖିର ବାଘ” ପ୍ରଚୁର ମାତ୍ରାରେ ପାଠକୀୟ ପ୍ରଶଂସା ଗୋଟେଇଛି ସତ ହେଲେ ସୋସିଆଲ ମିଡ଼ିଆରେ ଲେଖିବାକୁ ମୁଁ ଭଲପାଏ । ତେବେ ସ୍କୁଲରେ ପଢିଲାବେଳୁ ହିଁ ଲେଖିବା ମୋ ପାଇଁ ଏକ ନିଶା ଥିଲା କହିଲେ ଭୁଲ ହେବନି । ମୋ ପ୍ରଥମ ଲେଖା ଏକ ଡିଟେକ୍ଟିଭ୍ ଉପନ୍ୟାସ ଥିଲା ଯଦିଓ ସମୟ ଅନ୍ତରାଳରେ ତାହା ପ୍ରକାଶିତ ହୋଇପାରି ନାହିଁ ।  

Related Posts

Leave a Reply

Your email address will not be published. Required fields are marked *