ଲିଳାବତୀ ମହାପାତ୍ର

ପଶ୍ଚିମ ଆକାଶ ପୀତ ଲୋହିତ ରଙ୍ଗରେ ରଙ୍ଗାୟିତ ହୋଇପଡ଼ିଲେ, ଜୀବଜଗତ ଚଳଚଞ୍ଚଳ ହୋଇ ଉଠିଥାନ୍ତି । ବିହଙ୍ଗମାନେ ସ୍ଵସ୍ଵ ଧ୍ଵନି କରି ଦଳଦଳ ହୋଇ ନୀଳ ଗଗନ ତଳେ ଉଡ଼ି ନୀଡ଼ମୁହାଁ ହେଉଥିବାର ଦୃଶ୍ୟ ଦେଖିବା ପାଇଁ ‌ମିନାକ୍ଷୀଦେବୀଙ୍କୁ ଭାରି ଭଲ ଲାଗେ । ଏ ସମୟରେ ସେ ଘର ଭିତରେ ରହିପାରନ୍ତି ନାହିଁ । ସିଧା ଏର୍ପାଟମେଣ୍ଟର ବଗିଚାକୁ ଚାଲିଆସି ଏ ଦୃଶ୍ୟକୁ ମନଭରି ଉପଭୋଗ କରିଥାନ୍ତି । ତମାମ ଦିନ ଆକାଶ ଡେଇଁ ସୂର୍ଯ୍ୟ ଏବେ ଚକ୍ର ବାଳରେ । ଆଉ କ୍ଷଣକ ପରେ ଲୁଚି ଯିବେ ।

ଠିକ୍ ଏହି ସମୟରେ ସେ ତାଙ୍କ ପିଲାଦିନକୁ ଫେରି ଯାଇଥାନ୍ତି । ହାତ ଯୋଡ଼ିକୁ ଉପରକୁ ମୁହଁ କରି କହି ଉଠନ୍ତି ବକୁଳ ବକୁଳ ଦାଆ ଦେ’ । ତାପରେ ତାଙ୍କ ନଖଗୁଡ଼ିକୁ ନିରୀକ୍ଷଣ କରି ତା’ଉପରେ ଧଳା ଦାଗ ପଡ଼ିଛି କି ନାହିଁ ଦେଖିଥାନ୍ତି । କାରଣ ଅତୀତ ହେଉଛି ଅନୁଭବ । ପିଲାଦିନେ ତାଙ୍କର କାହିଁକି ତାଙ୍କ ବୟସର ସମସ୍ତ ପିଲାଙ୍କ ଦୃଢ ଭାବନା ଥିଲା ଯେ ଏପରି କଲେ ବଗମାନେ ନଖ ଉପରେ ଧଳା ଦାଗ ପକାଇ ଦେଇଥାନ୍ତି । ଯାହା ନଖ ଉପରେ ଧଳା ଦାଗ ଦେଖାଯିଏ ସେ ନୂଆ ପୋଷାକ ନିଶ୍ଚୟ ପାଇବେ । ପିଲାବେଳର କଥା ମନେପକାଇ ହସି ଉଠନ୍ତି ସେ । ଆସ୍ତେଆସ୍ତେ ତାଙ୍କ ସାଙ୍ଗମାନେ ଆସି ଯାଆନ୍ତି । ସେମାନେ ବଗିଚାରେ ପଡ଼ିଥିବା ଗୋଟିଏ ନିର୍ଦ୍ଦିଷ୍ଟ ବେଞ୍ଚ ଉପରେ ବସି କଥାବାର୍ତ୍ତା ହୋଇଥାନ୍ତି । କେହି କେହି ସଂଧ୍ୟା ଭ୍ରମଣ ଉଦ୍ଦେଶ୍ୟରେ ଏପାର୍ଟମେଣ୍ଟର ଚର୍ତୁପାଶ୍ୱରେ ବୁଲିଥାନ୍ତି ।

ମିନାକ୍ଷୀ ଦେବୀ ଗପିବାକୁ ଭାରି ଭଲ ପାଆନ୍ତି । କାରଣ ଦିନସାରା ଘର ଭିତରେ ଶହେ ଚଉରାଶି ଧାରା ଜାରି ହେଲାପରି ସମସ୍ତେ ଚୁପ୍ ହୋଇ ନିଜ ନିଜର କୋଠରି ଭିତରେ ବସି ରହିଥାନ୍ତି । ତେଣୁ ସାଙ୍ଗସାଥି ଦେଖିଲେ ସେ ବୁଲାବୁଲି କରିବା ଭୁଲି ଯାଆନ୍ତି । ସମସ୍ତେ ପ୍ରାୟ ସମ ଦୁଃଖି । ସମ ଦୁଃଖିମାନେ ପୁଅ ବୋହୂଙ୍କ ପାଖରେ ରହନ୍ତି । ଆର୍ଥିକ ଦୃଷ୍ଟିରୁ ସମସ୍ତେ ସ୍ୱଚ୍ଛଳ । ସମସ୍ତଙ୍କ ପୁଅବୋହୂ ଉଭୟେ ବଡ଼ବଡ଼ ପଦପଦବୀରେ ଥାଇ ଅଜସ୍ର ଅର୍ଥ ରୋଜଗାର କରୁଛନ୍ତି । ଏମିତି ନାହିଁ ଯେ ସେମାନେ ନିଜ ପିତାମାତାଙ୍କୁ ଅବହେଳା କିମ୍ବା ଅସମ୍ମାନ କରୁଛନ୍ତି । ସମୟ ଅଭାବରୁ ସେମାନେ ପିତାମାତାଙ୍କ ସହିତ ସମୟ ବିତାଇ ପାରୁନାହାନ୍ତି । ଏଠାରେ ପ୍ରାୟ ସମସ୍ତେ ରୋଷେଇ କରିବା, ଘର କାମ କରିବା ପାଇଁ ଲୋକ ରଖିଛନ୍ତି । ବାଲକୋନୀରେ ହାତଗଣତି କେତେକ କୁଣ୍ଡରେ ଲଗାଇଥିବା ଗଛକୁ ଯତ୍ନ ନେବା ପାଇଁ ମାଳୀ ରଖିଛନ୍ତି । ସମସ୍ତ କାର୍ଯ୍ୟ ପାଇଁ ଏଠାରେ ଅକ୍ଳେଶରେ ଲୋକ ମିଳି ଯାଉଛନ୍ତି । ପିତାମାତାଙ୍କ ଉପରେ କୋଣସି କାର୍ଯ୍ୟର ଭାର ଦିଅନ୍ତି ନାହିଁ । କେବଳ ଏତେ ଗୁଡ଼ିଏ ଅଜଣା ଅଶୁଣା ଲୋକ ଘର ଭିତରେ ଚଳପ୍ରଚଳ ହେଉଥିବା ହେତୁ ସେମାନଙ୍କ ଉପରେ ଟିକିଏ ଦୃଷ୍ଟି ରଖିବା ପାଇଁ କହିଥାନ୍ତି ।

ତଥାପି ସେମାନେ ଖୁସି ନୁହନ୍ତି । ନିଜ ନିଜ ଭିତରେ ରୋଷେଇୟା ମାନେ କିପରି ଅଧିକ ତେଲମସଲା ଦେଇ ତରକାରୀ ରାନ୍ଧୁଛନ୍ତି, ଯାହା କି ଦେହ ପାଇଁ କ୍ଷତିକାରକ; କାଞ୍ଜି, ବେସର, ତାଟିଆ ବସା ଏସବୁ ଖାଦ୍ୟ ପ୍ରାୟ ବିଲୁପ୍ତ ହୋଇଗଲାଣି; ପ୍ରତିଦିନ ଏକାପରି ମସଲା ଦିଆ ତରକାରୀ ଖାଇବା ପାଇଁ ଭଲ ଲାଗୁ ନାହିଁ; ବୋହୂମାନେ କିପରି ଦିନ ନଅଟା ନହେଲେ ଶେଯ ତ୍ୟାଗ କରୁ ନାହାନ୍ତି ଇତ୍ୟାଦି କଥୋପକଥନ ହେଉହେଉ ବେଳେବେଳେ ଅନ୍ୟଆଡ଼କୁ ମଧ୍ୟ କଥାର ମୋଡ଼ ଚାଲି ଯାଇଥାଏ ।

ଆଜି ଶାନ୍ତା ଆମ୍ମା କହୁକହୁ କହି ପକାଇଲେ :

ଆଉ ବଞ୍ଚିବାକୁ ଇଚ୍ଛା ହେଉ ନାହିଁ । ସକାଳୁ ଉଠ, ନିତ୍ୟକର୍ମ ସାର, ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ କରି ପୁଣି ଶୋଇ ଯାଅ । ଭାରି ବୋର୍ ହୋଇଗଲାଣି ଏ ଜୀବନ । ନିଜ ଘର, ନିଜ ଘର ହୋଇଥାଏ । ସେଠାରେ ସ୍ଵାଧୀନତା ଥାଏ । ପରିବାର ଥାଏ । ରାଗ, ଅଭିମାନ, ସୁଖଦୁଃଖ ମିଶ୍ରିତ ଏକ ପରିବାର ଦେହ, ମନକୁ କେତେବେଳେ ଦୁଃଖି କରିଥାଏ ତ କେତେବେଳେ ଆନନ୍ଦ ପ୍ରଦାନ କରିଥାଏ । ମୋ ହୁଗୁଳି ଘର ଭଲ ଥିଲା । ଘର ପଛପଟ ବାଡ଼ିରେ ନଡ଼ିଆ ଗଛ, ଲେମ୍ବୁ ଗଛ, ସଜନା ଗଛ, ମେରସିଙ୍ଗା ଗଛ ସବୁ ଥିଲା । ଘର ସମ୍ମୁଖରେ ସୁନ୍ଦର ଫୁଲ ବଗିଚାଟିଏ ଥିଲା । ସେହି ଗଛ ସବୁର ଯତ୍ନ ମୁଁ ନିଜେ ନେଉଥିଲି । କିନ୍ତୁ ପରିସ୍ଥିତିର ଚକ୍ରବ୍ୟୁହରେ ପଡ଼ି ସେ ଘର ବିକ୍ରି କରି ଦେଇ ଝିଅଜୋଇଁଙ୍କ ପାଖରେ ଆସି ରହୁଛି ।

ଶାନ୍ତା ଆମ୍ମାକୁ ପଞ୍ଚସ୍ତରୀ ପାଖାପାଖି ବୟସ ହୋଇଗଲାଣି । ସେ ଯେ ବୟସ ଦିନରେ ବହୁତ ସୁନ୍ଦର ଥିବେ ଏବେ ତାଙ୍କର ସୁନ୍ଦର ଗୋରା ଦେହ ଦେଖିଲେ ଜଣାପଡ଼ି ଯାଉଛି । ଦେହର ତେଜ ମଳିନ ପଡ଼ି ନାହିଁ କିନ୍ତୁ ଚକ୍ଷୁ ଦୁଇଟି କିପରି ନିଥର ଶୁଷ୍କ ହୋଇ ପଡ଼ିଛି । କଳସୀ ଜଳ ପୂର୍ଣ୍ଣ ହେଲେ ଯେପରି ଉଛୁଳି ପଡ଼ିଥାଏ ଠିକ୍ ସେହିପରି କେବେ କିଛି କହୁନଥିବା ଶାନ୍ତା ଆମ୍ମା ଆଜି ଗପି ଚାଲିଛନ୍ତି । ସେ କହିଲେ:

କଣ କରିବି ଭଗବାନ ? ମୋତେ ଏତେ ବଡ଼ ଦୁଃଖ ଦେଲେ ଯେ ମୋ ଚକ୍ଷୁରୁ ଅଶ୍ରୁ ଶୁଖି ଯାଇଛି । କାହା ପାଇଁ କାନ୍ଦିବେ, କଣ ବୋଲି ଦୁଃଖ କରିବେ ସେ କିଛି ସ୍ଥିର କରିପାରି ନଥିଲେ । ସେ ପରିସ୍ଥିତି ତାଙ୍କୁ ସ୍ଥାଣୁ କରି ଦେଇଛି । ସମୟ ମନୁଷ୍ୟକୁ ବହୁତ କିଛି ଶିକ୍ଷା ଦେଇଥାଏ । ଏମିତି ଗୋଟିଏ ଖରାପ ସମୟ ଭଗବାନ କାହାକୁ ନଦିଅନ୍ତୁ । ମିନାକ୍ଷୀଙ୍କୁ ତାଙ୍କ ଜୀବନୀ ରୂପେଲି ପରଦାର କାହାଣୀ ପରି ଲାଗୁଥାଏ । ସେ ପୁଣି କହିଲେ:

ହଠାତ୍ ୨୦୨୦ ମସିହାରେ ପ୍ରତିଦିନ ପରି ମୋ ପୁଅ ମୋଟରସାଇକେଲରେ ଅଫିସ ଯିବା ପାଇଁ ବାହାରି ଥିଲା । ବାଟରେ ତାକୁ ମୃତ୍ୟୁ ଅପେକ୍ଷା କରି ଥିଲା । ସଡ଼କ ଦୁର୍ଘଟଣାରେ ତାର ମୃତ୍ୟୁ ହୋଇଯାଇ ଥିଲା । ଠିକ୍ ସେହି ସମୟରେ ତାଙ୍କର ତିରିଶି ବର୍ଷର ଝିଅ ଜ୍ଵରରେ ପିଡ଼ୀତ ହୋଇ ଏ ଦୁର୍ଘଟଣାର ଚାରି ଦିନ ପୂର୍ବରୁ ଡାକ୍ତର ଖାନାରେ ଭର୍ତ୍ତି ହୋଇ ଥିଲା । ଜ୍ଵର ଏକ ରୋଗ ନୁହେଁ । ଶରୀରର କିଛି ବ୍ୟତିକ୍ରମ ଦେଖାଗଲେ ଜ୍ଵର ହୋଇଥାଏ । ଡାକ୍ତର ପରୀକ୍ଷା କରି ତାଙ୍କୁ କ୍ୟାନ୍ସର ହୋଇଥିବା କଥା ଜଣାଇଥିଲେ । ଝିଅର ଛୋଟଛୋଟ ଦୁଇଟି ଝିଅ ଥାନ୍ତି । ପୁଅର ଓ ଝିଅଙ୍କ ଏପରି ଖବର ଶୁଣି ମୋ ସ୍ଵାମୀ ସଯ୍ୟ କରିପାରି ନଥିଲେ । ପୁଅ ମୃତ୍ୟୁ ରଣ କରିବାର ଦଶ ଦିନ ଭିତରେ ମୋତେ ଏକୁଟିଆ କରି ସେ ଆରପାରିକୁ ଚାଲି ଯାଇଥିଲେ । ଏହି ସମୟରେ ଝିଅର ସ୍ଵାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଉଥିଲା । ତେଣୁ ଡାକ୍ତର କହିଥିଲେ ଯିଏ ତ ଯିବା କଥା ଚାଲି ଗଲେଣି, ଯିଏ ବଞ୍ଚିଛି ତା କଥା ଆମେ ଚିନ୍ତା କରିବା । ତେଣୁ ଯେତେ ଯାହା ହେଇଯାଉ ଝିଅ ସମ୍ମୁଖରେ କେହି କାନ୍ଦିବେ ନାହିଁ କି ବାପା ଓ ତାଙ୍କ ଭାଇଙ୍କ ମୃତ୍ୟୁ ବିଷୟରେ କହିବେ ନାହିଁ ।
ଦଶ କର୍ମ ଭିତରେ ସେ ଆଉ ଡାକ୍ତର ଖାନାକୁ ଯାଇ ଝିଅକୁ ଦେଖି ପାରି ନଥିଲେ ।

ଝିଅ ତା ସ୍ଵାମୀ ଓ ତାକୁ ଦେଖି ଆସୁଥିବା ବନ୍ଧୁବାନ୍ଧବଙ୍କୁ ବାରମ୍ବାର ପଚାରୁଥାଏ ମୋ ପିତାମାତା ଭାଇ ମୋତେ ଦେଖା କରିବାକୁ ଆସୁ ନାହାନ୍ତି କାହିଁକି । ମୋ ଝିଅ ଆମମାନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇ ଉଠୁଥିଲା । ଫଳରେ ଟିକିଏ ଭଲ ହୋଇ ଆସୁଥିବା ତାର ସ୍ଵାସ୍ଥ୍ୟର ଅବନତି ହେବାକୁ ଲାଗିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ନିଜର ଲୁହକୁ କର୍ତ୍ତବ୍ୟର ଅଗ୍ନିରେ ଶୁଖାଇ ଦେଇ ସଧବା ବେଶ ଧାରଣ କରି ଝିଅ ପାଖକୁ ପ୍ରତିଦିନ ଯିବାକୁ ଲାଗିଲେ ।ବାପା, ଭାଇ ଅଫିସ କାର୍ଯ୍ୟରେ ବାହାରକୁ ଯାଇଛନ୍ତି, ଶୀଘ୍ର ଫେରି ଆସିବେ କହି ତାକୁ ସାନ୍ତ୍ଵନା ଦେଉଥିଲେ । କିନ୍ତୁ ଝିଅଟି ମାଆର ସେ ଶୁଖି ଯାଇଥିବା ଚକ୍ଷୁ ଦୁଇଟିକୁ ଦେଖି ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରୁ ଥିଲା:

ମାଆ ! ତୁମେ ମୋତେ କିଛି ଲୁଚାଉ ନାହଁ ତ ! ବାପା, ଭାଇ ସତରେ କେଉଁଠି ଅଛନ୍ତି ? ସେମାନେ ଯେତେ ଦୂରରେ ଥିଲେ ମଧ୍ୟ ଫୋନ୍ ତ କରି ପାରନ୍ତେ ! କିନ୍ତୁ ସେମାନେ ମୋ ସହିତ କଥା ହେଉନାହାନ୍ତି କାହିଁକି ? ତୁମର ମୁହଁ ଶୁଖି କଳା ପଡ଼ି ଯାଉଛି । ଢଳଢଳ ତୁମ ଚକ୍ଷୁ ଦୁଇଟି ଏପରି ଶୁଖି ଯାଇଛି କାହିଁକି ?ଆଖି ତଳେ କଳା ଦାଗ କାହିଁକି ପଡ଼ି ଯାଉଛି । ଏତିକି କହି ସେ କାନ୍ଦିବାକୁ ଲାଗିଲେ । ଦୀର୍ଘ ଦିନରୁ ଶୁଖି ଯାଇଥିବା ଚକ୍ଷୁ ଆଜି ଲୁହରେ ଆଦ୍ର ହୋଇଉଠିଲା । ତାଙ୍କୁ ଆଶ୍ୱାସନା ଦେବା ପାଇଁ କାହା ମୁହଁରେ ଭାଷା ନଥିଲା ।

ରାଉରକେଲା, ସୁନ୍ଦରଗଡ଼

ଲେଖକ ପରିଚୟ

ଗଳ୍ପ, ଉପନ୍ୟାସ, ହାସ୍ୟ ଗଳ୍ପ ଓ ଭୂତ ଗଳ୍ପ ଇତ୍ୟାଦି ଲେଖିବାକୁ ସଉକ ରଖୁଥିବା ଲେଖିକା ଓଡ଼ିଶା ତଥା ଓଡ଼ିଶା ବାହାରେ ମଧ୍ୟ ଭିନ୍ନଭିନ୍ନ ପତ୍ରପତ୍ରିକାରେ ପାଇଁ ଲେଖନ୍ତି । “କଥାମୃତ”, “ବାସ୍ତବତାର ସ୍ଵର”, “ଝଡ଼” ନାମରେ ତିନି ଗୋଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ବର୍ତ୍ତମାନ “ଜୀବନ ଦୋ’ଛକି”ରେ ନାମକ ଉପନ୍ୟାସ ପ୍ରକାଶନ ପ୍ରତିକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *