ଡମ୍ବରୁଧର ବେହେରା

ଗୋଟିଏ ଗାଆଁରେ ଜଣେ ଭାଇ ଓ ତାର ଭଉଣୀ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ଭଲପାଇବା ଓ ସ୍ନେହ ଶ୍ରଦ୍ଧା ଥିଲା । ଦୁହେଁ କେହି ବି ପରସ୍ପରକୁ ଛାଡ଼ି ରହି ପାରୁନଥିଲେ । ଭଉଣୀ ଖୁବ ପରିଶ୍ରମୀ ଥିଲେ ଏବଂ ଭବିଷ୍ୟତ ପାଇଁ ବ୍ୟାଙ୍କରେ କିଛି ଟଙ୍କା ସଞ୍ଚୟ କରି ରଖିଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା । କିଛି ଦିନ ପରେ ଭଉଣୀ ଜଣକ ଅତ୍ୟନ୍ତ ଗୁରୁତର ଅସୁସ୍ଥ ହୋଇପଡ଼ିଲେ । ନାନା ଉପଚାର କଲା ପରେ ବି ଶେଷରେ ତାଙ୍କର ମୃତ୍ୟୁ ହୋଇଗଲା । ଭଉଣୀକୁ ହରାଇ ଭାଇ ଜଣକ ପୁରା ଭାଙ୍ଗି ପଡ଼ିଲେ । ଜୀବନ ତାଙ୍କର ଦୁଃଖରେ ଭରିଗଲା ।

ଭଉଣୀର ଉପଚାର ପିଛା ଖର୍ଚ୍ଚ ହୋଇଥିବା ଅନେକ ପଇସା ଧାର କରଜ କରି ଆଣିଥିଲେ ଭାଇ ଜଣକ । ଭଉଣୀ ମୃତ୍ୟୁର କିଛି ମାସ ଅତିକ୍ରାନ୍ତ ପରେ ଭାଇ ଭାବିଲେ ଯେ ଭଉଣୀ ଯେଉଁ ଟଙ୍କା ବ୍ୟାଙ୍କରେ ରଖିଥିଲେ, ସେଗୁଡ଼ିକ ଉଠାଇ କିଛି ଆବଶ୍ୟକ କାମରେ ବ୍ୟବହାର କରିବେ । ତେଣୁ ସେ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କୁ ସମସ୍ତ କଥା କହିଲେ । କିନ୍ତୁ ବ୍ୟାଙ୍କ ମ୍ୟାନେଜର ପ୍ରମାଣ ନଦେଖି ସଞ୍ଚିତ ଟଙ୍କା ଦେବାକୁ ମନା କରିଦେଲେ ।

ଭାଇ ବହୁତ ବିନତି କଲେ ବ୍ୟାଙ୍କ ମ୍ୟାନେଜରଙ୍କୁ, କିନ୍ତୁ କେହି ତାଙ୍କ କଥା ଶୁଣିଲେ ନାହିଁ । ଦୁଃଖ ଓ ଅସହାୟତାରେ ବାଧ୍ୟ ହୋଇ ସେ ଭଉଣୀର ମାଟି ତଳେ ପୋତାଯାଇଥିବା ଶବକୁ ବାହାର କଲେ । କାନ୍ଦିକାନ୍ଦି ଭଉଣୀର ଅର୍ଦ୍ଧ ଗଳିତ କଙ୍କାଳ ସାର ଶବକୁ କାନ୍ଧରେ ବୋହି ବ୍ୟାଙ୍କ ଚାଲିଲେ । ସେଠି ପହଞ୍ଚି ବ୍ୟାଙ୍କ ବରଣ୍ଡାରେ ଶବକୁ ଥୋଇଦେଇ ବ୍ୟାଙ୍କ ମ୍ୟାନେଜରକୁ କହିଲେ,

“ଦେଖନ୍ତୁ, ଏହି ହେଉଛନ୍ତି ମୋ ଭଉଣୀ । ଯିଏ ବର୍ତ୍ତମାନ ମୃତ । ଏବେ ତ ଆପଣ ବିଶ୍ୱାସ କରନ୍ତୁ ମୋତେ !”

ଏହି ଦୃଶ୍ୟ ଦେଖି ବ୍ୟାଙ୍କରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ତଥା ଉପଭୋକ୍ତା ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖରେ ଭରିଗଲେ । ବ୍ୟାଙ୍କ ମ୍ୟାନେଜର ମଧ୍ୟ ଭାଇ ଜଣଙ୍କର ଦୁଃଖ ଦେଖି ଗଭୀର ଭାବରେ ପ୍ରଭାବିତ ହେଲେ । ସେ ତୁରନ୍ତ ଭଉଣୀଙ୍କ ସଞ୍ଚୟ ହୋଇଥିବା ଟଙ୍କା ଭାଇଙ୍କୁ ଫେରାଇଦେଲେ । ଭାଇ ଜଣଙ୍କ ଭଉଣୀର ସ୍ମୃତିକୁ ହୃଦୟରେ ରଖି ସେଠାରୁ ଫେରିଗଲେ ।

ନୀତି: ମନୁଷ୍ୟଙ୍କ ଦୁଃଖକୁ ବୁଝି ସହାନୁଭୂତି ଦେଖାଇବା ଉଚିତ ।

ଜଗଦଳପୁର, ବସ୍ତର, ଛତିଶଗଡ଼ମୋ – ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *