ସତ୍ୟନାରାୟଣ ଗନ୍ତାୟତ

ବୟସ୍କମାନେ ବଡ଼ ଲୋକ, ଅନେକ କିଛିରେ ବଡ଼ ହୋଇଥିବା ସହ ବୟସରେ ତ ନିଶ୍ଚୟ ! ତେବେ ଏମାନେ ବି ଜନମି ଥାନ୍ତି ଶିଶୁ ହୋଇ । ସମୟ ସହ ତାଳ ଦେଇ ଜୀବନଯାପନ ଭିତରେ ବୟସ୍କ ପାଲଟି ଯାଆନ୍ତି । ଦେହ କ୍ୱଚିତ ଆଗ ପରି ସବଳ ରହେ । ହେଲେ ମନ କଥା କିନ୍ତୁ ଅଲଗା । ଯଦିଓ ଦେହ ସହ ମନ ବି ଆଉ ଆଗ ପରି ଏତେଟା ଉତ୍ତଳା ହୁଏନି ସିନା, ମନେମନେ କିନ୍ତୁ ଏମାନେ ସତେଜ ରହିବା ସମ୍ଭବ । ଯେମିତି ଗଛର ପତ୍ର ପାଚିଲା ହୋଇ ଯାଇଥାଏ, ହେଲେ ତା ଭିତରେ ସାଇତା ହୋଇ ରହିଥାଏ ସବୁଜ ମନ !
ଦେହ ଠିକ୍ ଠାକ୍ ରଖିବା ପାଇଁ ଔଷଧ ପଥ୍ୟାଦି ସହ ସେବା, ଯତ୍ନ ପ୍ରଦାନ ଗତାନୁଗତିକ ଭାବେ ଚାଲିଥାଏ । କିନ୍ତୁ ବୋଇଲା ପରି ମନ ଦରଜକୁ ବନ୍ଧୁ ମାଲିସ କରାଯାଉ ନଥାଏ ।
ଆମେ ସଚରାଚର ବୟସ୍କମାନଙ୍କୁ ସେମାନଙ୍କ ଦୈହିକ ସ୍ଥିତି ଦୃଷ୍ଟିରୁ ହିଁ ବିଚାର କରିଥାଉ । କିନ୍ତୁ ସେମାନେ ସର୍ବାଦୌ ବଡ଼ ମଣିଷ । ଜୀବନର ତରାଜୁରେ ସେମାନେ ଭାରୀ ହୋଇ ରହିଥାନ୍ତି, ତମାମ ଆୟୁଷ ଘରର ଓ ସଂସାରର ସକଳ ଓଜନ ସମ୍ଭାଳି ନେଇଥାନ୍ତି ସହିବା ପଣେ ଅବିକଳ ମାଟି ପ୍ରାୟେ ହୋଇ ! ଆମେ ଆମ ଜୀବନର ଅଟ୍ଟାଳିକାକୁ ଯେତେ ହର୍ମ୍ୟ ବୋଲାଇଲେ ବି, ସେମାନେ ଯେ ସତତ ଦମ୍ଭ ଦାୟୀ ଭିତ୍ତି ! ସେମାନେ ଯେ ଆମଠାରୁ କାହିଁ କେତେ ଗୁଣରେ ଓଜନିଆ : ଯେଉଁଦିନ ଏହି ବଡ଼ପଣକୁ ଆମେ ସହୃଦୟ ସ୍ୱୀକାର କରିନେବା, ସେଦିନ ସେମାନେ ଗୋଟାପଣେ ଆମର ଏକାନ୍ତ ନିଜର ହୋଇଯିବେ । ସୁତରାଂ ପରିଣତ ବୟସରେ ସେମାନେ ଅଦରକାରୀ ଆସବାବପତ୍ର ପରି ନୁହଁନ୍ତି, ବରଂ ପୁରୁଣା ସୁନା ପରି ଆପଣାଇ ଜୀବନାନୁଭବରେ ପରିପୁଷ୍ଟ ହୋଇ ଆପଣାଛାଏଁ ଝଲସୁଥାନ୍ତି । ଇଦାନୀଂ ବୟସର ଅପରାହ୍ନରେ ସେମାନଙ୍କ ମନ ଏକ ବିଚିତ୍ର ସ୍ଥିତିରେ ଥାଏ । ଆଉ ସାଂସାରିକ ଓଜନର ଅଦୌତିରେ ଅତିଷ୍ଠ ନହୋଇ ଚାହୁଁଥାଏ କିଞ୍ଚିତ ହାଲୁକାଫୁଲକା ହୋଇ ସମୟ ବିତାଇବା ପାଇଁ ।
ଏହି ସମୟରେ ଆମକୁ ସମୟ ଏକ ମହତ୍ତର ସୁଯୋଗ ଦିଏ ଏହି ବଡ଼ ମଣିଷମାନଙ୍କ ସହ ସାନ ଭାବରେ ହୋଇ ଆହୁରି ନିବିଡ଼ ହୋଇ ଭାବଦୋସ୍ତି ନିଭାଇବା ପାଇଁ । ଆମ ଆଡୁ ପ୍ରଦର୍ଶିତ ଟିକିଏ ଆନ୍ତରିକତା ସେମାନଙ୍କ ଜୀବନରେ ସହଜାନୁଭବ ଆଣି ଦେଇଥାଏ । ଅନ୍ୟଥା ସେମାନେ ନିଜନିଜ ମନଟି ମାନଙ୍କୁ ଏକରକମ ମାରି ଦେଇ ଗୁମସୁମ ହୋଇ ନିଜ ଭିତରେ ନିଜେ ଅପାଂକ୍ତେୟ ହୋଇ ରହିବା ହିଁ ସେମାନଙ୍କ ନିୟତି ମଣି ରହିଥାନ୍ତି ।
ବୟସାଧିକ୍ୟର ଏତାଦୃଶ ନିସଙ୍ଗ ନୀଡ଼ରୁ ସେମାନଙ୍କ ମନପକ୍ଷୀ ମୁକୁଳିବା ପାଇଁ ସତତ ଛଟପଟ ହେଉଥାଏ । ଫଳତଃ ସେଯାବତ ପଣ୍ଡସ୍ ପାଉଡର , କାଶ୍ମୀର ସ୍ନୋ ଓ ଆଇକେକ୍ସ ପଲ୍ଲବୀ କଜ୍ଜଳ ମାଖି ଆପଣାକୁ ସଜାଇ ଆସିଥିବା ଜେଜେମା ନିଜ ଜେନ୍ ଜି ନାତୁଣୀକୁ ତା ମାମା କରୁଥିବା ପରି ଫେସିଆଲ ନାମଧେୟ ସେଇ ଚିଜଟି ଥରୁଟେ କରି ତା ସହ ପାଉଟ ନାମରେ ସେ କରୁଥିବା ଘୁଷୁରୀ ବାଗିଆ ମୁହଁ କରି ମୋବାଇଲରେ ଦୁଇ ଆଙ୍ଗୁଳି ଦେଖାଇ ନିଜର ବି ଫଟୋଟିଏ ଉଠାଇବାକୁ କହିବି କହିବି ହୋଇ କହି ନପାରି ମୌନମୁହିଁ ହୋଇ ସେମିତି ପଡ଼ି ରହିଥାନ୍ତି ।
ସେମିତି ଜେଜେ ବି ଆଉ ଚାଲିଚାଲି ମର୍ଣ୍ଣିଂୱ।କରେ ନଯାଇ ତାଙ୍କର ବି.ଟେକ୍ ପଢୁଆ ନାତି ଟୋକା ପିନ୍ଧୁଥିବା “ରେଡ଼ି ଫର୍ ଏଭ୍ରିଥିଂ” ଜାତୀୟ ଲେଖାଥିବା ଟି’ସାର୍ଟ ମାନ ଜୀନ୍ସର ହାଫ୍ ପ୍ୟାଣ୍ଟ ସହ ପିନ୍ଧି ସାନ ନାତୁଣୀର ଲେଡି ବାର୍ଡ୍ ସାଇକେଲ ଚଳାଇ ଫି’ ସକାଳ ସହରର ସୀମାନ୍ତରେ ଥିବା “ପ୍ରେମ ପାହାଡ଼” ଆଡ଼େ ଘେରାଏ ଘୂରି ଆସିବା ପାଇଁ ହମହମ ହେଉଥିଲେ ହେଁ ନିରବି ଯାଇ ସେଇସେଇ କୁର୍ତ୍ତା ପାଇଜାମା ଭିତରେ ହିଁ ରହି ଯାଇଥାନ୍ତି ।
ପୁଣି ଏଭଳି ନିଃସଙ୍ଗ ପକ୍ଷୀଙ୍କ ମନ ଗମ୍ଭୀରା ଭିତରେ ସଂଗୋପନେ ରହିଥାଏ ତମାମ ଆୟୁଷର ସଞ୍ଚିତ ଆହୁରି କେତେକେତେ କଥା ଓ ବ୍ୟଥା । ହେଲେ ଆମେ ସେମାନଙ୍କ ଦୃଶ୍ୟମାନ ବୟସାଧିକ୍ୟକୁ ହିଁ ଗୁରୁତ୍ୱ ଦେଇ ହୁଏତ ଅନୁଗ୍ରହ ଦେଖାଇ ଥାଉ ଅନେକ ସମୟରେ । ସେମାନେ କିନ୍ତୁ ଚାହିଁ ରହିଥାନ୍ତି ଆମଆଡୁ ସେମାନଙ୍କ ମନ ମୁତାବକ ଆଗ୍ରହ କେବେ ଆମେ ଦେଖାଇବୁ ! ସେତେବେଳେ ସତେ ଅବା ସେମାନେ ପାଇଯିବେ ଏକ ମୁକ୍ତାକାଶେ ପ୍ରଦକ୍ଷିଣ କରିବାର ଈପସିତ ଆନନ୍ଦ !
ଏହା ସମ୍ଭବ କରିବା ଆଦୌ ଦୁଷ୍କର ନୁହେଁ । ବାସ୍ ଆମେ କିଞ୍ଚିତ ସମୟ ଦେଇ ସେମାନଙ୍କ ପାଖରେ ବସି, ସେମାନଙ୍କ ଥାନରେ ନିଜକୁ ରଖି ସେମାନଙ୍କ ମନକଥା ଶୁଣିବା ଲୋଡ଼ା । ସେମାନଙ୍କ ଅତୀତର ପୁନଃପୁନଃ ବଖାଣକୁ ସଧୈର୍ଯ୍ୟ ଶୁଣି ପ୍ରକାରାନ୍ତରେ ସେମାନଙ୍କ ଅମୂଲ୍ୟ ଅନୁଭବମାନଙ୍କୁ ସାଉଁଟି ନେଇ ନିଜ ଭିତରେ ସମାହିତ କରିବା ଚାହି । ଏହା ନକରି ଯୁଗ ଧର୍ମ ନାମରେ ଆମ ମତ ଆମ କଥା ସେମାନଙ୍କୁ ଗ୍ରହଣ କରାଇବା ବଦଳରେ ବରଂ ଶ୍ରଦ୍ଧା ଭରେ ତାଙ୍କ ପାଖରେ ବସିବା ଲୋଡ଼ା । ତାଙ୍କ ପାଦକୁ ଟିକେ ଆଉଁସି, ପାପୁଲିକୁ ନିଜ ହାତ ମୁଠାରେ ଧରି ମିଠାମିଠା ଦି’ପଦ କଥା କହିଲେ ଦେଖିବେ ସେମାନେ ନିଜ ମନ ଗମ୍ଭୀରାର ସବୁ କବାଟ ଏକାଥରକେ ଖୋଲିଦେବେ । ସେତେବେଳେ ଲାଗିବ କେଡ଼େ ସରଳ ଓ ତରଳ ଏହି ପ୍ରାଜ୍ଞ ଓ ପ୍ରବୀଣମାନେ ସତରେ !
ସେମାନେ କେବଳ ଅତି ଆତୁର ହୋଇ ଅନାଇ ରହିଥାନ୍ତି ଭଲ ଶ୍ରୋତାଟିଏକୁ, ଯିଏ ସେମାନଙ୍କୁ ଅନୁଗ୍ରହ ଅପେକ୍ଷା ଆଗ୍ରହ ପ୍ରଦାନ ପୂର୍ବକ ସେମାନଙ୍କ ମନକଥା ଶୁଣିବ । ସତ କହିବାକୁ ଗଲେ ଆମ ସମାଜରେ ବହୁ ସମୟରେ ଅନେକ ଅବାଞ୍ଛିତ ଲୋକଙ୍କୁ ନାନା କାରଣରୁ ବିବଶ ହୋଇ ଅଯଥା ଖାତିର ଦେଖାଇ ସେମାନଙ୍କ ସେହିସେହି ଘଷରା କଥାମାନ ଶୁଣି ଆମେ ଆମ ମଥାଟିମାନଙ୍କୁ ଗରମ କରି ନଥାଉ କି ? ସେମାନଙ୍କ ଦୌରାତ୍ମ୍ୟକୁ ସହି ନେଉ, ହେଲେ ଯେଉଁମାନେ ଆମକୁ ଗଢ଼ିଛନ୍ତି, ସେମାନଙ୍କ କଥା ଆମକୁ ଅସହ୍ୟ ଲାଗେ କେମିତି ? ସେମାନେ ଆଜୀବନ ଆମର ଯଥାର୍ଥ ମାର୍ଗଦର୍ଶକ । ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ସେମାନେ ଅନୁଭବ ପୁଷ୍ଟପ୍ରବୀଣ ।

ହଁ, ଏମାନେ ବୟସ୍କ ହେଲେ ହେଁ ଏବେ ଶିଶୁସୁଲଭ । କୁହାଯାଇଥିବା ଭଳି ଏମାନଙ୍କ କ୍ଷେତ୍ରରେ ବାଳ ବୃଦ୍ଧ ଏକାକାର ! ତେବେ ଆମେ ପରା ଶିଶୁ ଥିଲେ ଓ ଏମାନେ ହିଁ ଆମକୁ ଜୀବନ ପଥରେ ଚଲାଇବା ଶିଖାଇ ଶିଖାଇ ଆଜି ପରିଣତ ବୟସ୍କ ହୋଇଛନ୍ତି ? ସୁତରାଂ ଶିଶୁଙ୍କ ଭଳି ଲାଳନପାଳନ ହିଁ ଝୁରୁଥାଏ ଏମାନଙ୍କ ସବୁଜ ମନ ! ଏଥକୁ ଆଉ କିଛି ନୁହେଁ, ଅଳ୍ପ ସମ୍ବେଦନଶୀଳତା ଯାହା ଦରକାର ହୁଏ !!
ଆମଆଡୁ ଯଦି ଟିକିଏ ସ୍ନେହ ଓ ଆଦର ମିଳିଯାଏ, ସେମାନେ ନିଜ ମନର ସଂଗୁପ୍ତ ଇଚ୍ଛାଙ୍କୁ ପ୍ରକାଶ କରିବାକୁ ସାହସ ପାଇଯାନ୍ତି । ସେମାନେ ବି ସେମାନଙ୍କ ବାଲ୍ୟକାଳେ ଲଭି ନଥିବା ଅନେକ କଥା ଏବେ ପାଚିଲା କେଶ ସହ ସବୁଜ ମନ ନେଇ ଆମଠୁ ଅନେକ କିଛି ଶିଖି, ଆଧୁନିକତାର ଲେପ ମାଖି ଆମରି ଭଳି ହେବାର ଆନନ୍ଦ ପାଇବାକୁ ମନ ବଳାନ୍ତି ।
ଏ ଦୁନିଆରେ ଶିଶୁ ହେବା ସହିତ ଜଣେ ବୟସ୍କ ଶିଶୁ ହେବା ଅବଧାରିତ ଅଟେ । ସମୟ ହାତରେ ଆମ ସବୁରି ଜୀବନ ଡୋରି ! ସୁତରାଂ ଏହି ବୟସ୍କ ଶିଶୁଙ୍କୁ ସେମାନଙ୍କ ମନୋପୂତ ଜୀବନଯାପନରେ ସହାୟତା ପ୍ରଦାନ କରିବା ଆମ ମୌଳିକ କର୍ତ୍ତବ୍ୟ । କାରଣ ସେମାନଙ୍କ ଆଜି ହିଁ ତ ଆମର ଆସନ୍ତାକାଲି !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
