ଲଲାଟେନ୍ଦୁ କବି

ହୁଡ଼ି କି ବାହୁଡ଼ି ଆସିଲ ନାହିଁ
ଗଲ ଯେ ଚାଲି?
ବିକଳେ ବିଳପେ ଅବଳା ବାଳା
ଲୋତକ ଢାଳି ॥ ୧ ॥

ଅମାବାସ୍ୟା ବାସି ଆସିବ, ଅବା
ଶିବ-ଜାଗରେ ?
ଠକି ଗଲ ଗେଲି ଝିଅକୁ କହି
ଆସିବ ଥରେ ॥ ୨ ॥

ଏ ସନ ଅଶିଣ ଅସିତ ଶୀତ
ନିଶୀଥ ନାଶେ
ବିହ୍ୱଳେ ବଲ୍ଲଭା କାଟିବ କାଳ
ମୁକୁଳା କେଶେ ॥ ୩ ॥

ଶୁଭ୍ର ଚନ୍ଦ୍ରାଲୋକ ପୁଲକ ଲୋକେ
ଗଲେ ଉଦ୍ଭାସି
ବିଜନେ ବିଧୁରା ବିଧବା ବାଳା
ଥିବ ଉଦାସୀ ॥ ୪ ॥

ଦ୍ଵେଷୀ ପାଶେ ଦେଶ ହାରିବ ନାହିଁ
ଶପଥ କଲ;
ଛାତିରୁ ରକତ ନିଗାଡ଼ି ଗାଢ଼
ନିଦେ ଶୋଇଲ ॥ ୫ ॥

ରାତି ଗତେ ଦେଲ
ଅରାତି ହାତେ
ଜୀବନ ହାରି,
ଜାତି-ପ୍ରୀତି-ଝରେ ତଳତ୍ର ! ତନୁ
ତଲ୍ଲୀନ କରି ॥ ୬ ॥

ତୁମ ବଳି ବଳେ ଏ ମାଟି ବାଳା
ଉର୍ଦ୍ଧ୍ଵ-ମଉଳୀ;
ଏ ଦେଶ ସୁତ ମୁଁ ଆନତ ହାତେ
ହବିସ ତୋଳି ॥ ୭ ॥

[ ଶବ୍ଦାର୍ଥ : ବଲ୍ଲଭା=ପତ୍ନୀ; ତଳତ୍ର=ସଶସ୍ତ୍ର ପ୍ରହରୀ ]

ଲାଲଟେନ୍ଦୁ କବି, ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨

ଲେଖକ ପରିଚୟ

ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ । 

Related Posts

Leave a Reply

Your email address will not be published. Required fields are marked *