ସତ୍ୟନାରାୟଣ ଗନ୍ତାୟତ

ଏମିତି କହିବାକୁ ଗଲେ ପିଲାଦିନରୁ ଇ ପିଠାପଣା ସହ ଆମ ପରିଚିତି ଆରମ୍ଭ ହୋଇଯାଇଥାଏ । କହୁ ନାହାଁନ୍ତି ଆମ ଘର ମାନଙ୍କରେ ପିଠାପଣାର ଗୁରୁତ୍ୱ ଥିବାରୁ ସିନା “ଏଇ ଘରଟିରେ ଜନମ ମୋର.. ରୁ ଆରମ୍ଭ “ଆମ ଘର” ଶୀର୍ଷକ ପଢାବହିର ସେଇ ପଦ୍ୟଟିରେ ଘର ବିଷୟକ ଆଉ ଆଉ କଥାଙ୍କ ବର୍ଣ୍ଣନା କ୍ରମେ ରୋଷେଇ ଘରେ ମାଆ “ଗଢଇ ପିଠା, ଆରିସା କାକରା ଆହା କି ମିଠା” ବୋଲି ଲେଖା ହୋଇଛି ! ଏଥିରୁ ଆମ ଘର ମାନଙ୍କରେ ପିଠାପଣାର କେତେ ଆଦର ସୁସ୍ପଷ୍ଟ ।
ଆମେ ଇ ଯେବେ ପିଠା ପ୍ରିୟ, ଆମ ଆରାଧ୍ୟ ବଡ଼ଠାକୁରେ କେଡ଼େ ଘାଏଁ ପିଠାପଣା ପ୍ରିୟ ହୋଇ ନଥିବେ ଯେ ? ତେଣୁ ତ’ ଆମଠାରେ ଅତିବେଶୀରେ ଛ’ ତୁଣ ନ’ ଭଜା ଥିଲାବେଳେ ତାଙ୍କ ପାଇଁ ପରା ଖଞ୍ଜା ଛପନ ଭୋଗ ! ଆଉ ତାଙ୍କର ସେହି ମହାର୍ଘ୍ୟ ଛପନ ଭୋଗ ତ’ ଏକକୁ ବଳି ଆରେକ ନାନା ପ୍ରକାରର ପିଠାପଣାରେ ଭରପୁର ।
ଆମର ସବୁକିଛି, କହିବାକୁ ଗଲେ ସାମଗ୍ରିକ ଭାବେ ଆମ ସଂସ୍କୃତି ହିଁ ଜଗନ୍ନାଥଙ୍କୁ ନେଇ । ଧର୍ମପ୍ରାଣ ଆମେ । ବୋଇଲା ପରି, ବାର ମାସରେ ତେର ପରବ ପାଳନ ଆମ ପାଇଁ ଗତାନୁଗତିକ ଅଟଇ । ଆଉ ପ୍ରତି ପରବ ପାଳନ ମାନେ ତା’ସହ ପିଠାପଣା ପ୍ରସ୍ତୁତି ଓ ସେସବୁ ଭୋଗ ବା ପ୍ରସାଦ ରୂପେ ଅର୍ପଣ କରିବା ଜଡ଼ିତ ହୋଇ ରହିଆସିଛି । ପୁଣି କେବଳ ପୂଜାବିଧି ହିଁ ନୁହେଁ, ବରଂ ଏ ଜଗତରେ ହେଉଥିବା ଋତୁ ପରିବର୍ତ୍ତନ ସହ ମଧ୍ୟ ଆମର ପିଠାପଣା ଅତି ନିବିଡ଼ ଭାବେ ସମ୍ପର୍କିତ । ସୁତରାଂ ପିଠା କେବଳ ଆମ ଖାଦ୍ୟ ସଂସ୍କୃତିର ବାହକ ନୁହେଁ, ବରଂ ଏହା ଆମ ଆତ୍ମିକ ଆବେଗର ଏକ ପ୍ରତୀକ ।
ପିଠାପଣା ପ୍ରସଙ୍ଗ ଉଠିଛି ମାନେ ଆପଣଙ୍କ ମନ ମିଠା ହେବାରମ୍ଭ ହେବଣି, ଜାଣୁ । ତେବେ କେଉଁ ପିଠାରୁ ଆରମ୍ଭ କରିବା ? ଏନେଇ ରୀତିମତ ଧନ୍ଦି ହେବାକୁ ପଡ଼େ । ଆଗରୁ ମାଆ ଗଢୁଥିବା ଆରିସା କାକରା ପିଠା କଥା କୁହାଯାଇଛି । ମାଆମାନେ କେବଳ ଏତିକି ନୁହେଁ, ଆହୁରି କେତେ କେତେ ପିଠା ଗଢନ୍ତି । କହିଛୁ ତ ପରବାନୁଯାୟୀ ଆମ ପିଠାଙ୍କ ସମ୍ଭାର ।
ପ୍ରଥମାଷ୍ଟମୀରେ ହଳଦୀପତ୍ରରେ ସିଝା ଏଣ୍ଡୁରି ପିଠା ମିଠା ସହ ଆମ ମନକ ବାସ୍ନାୟିତ କରେ । “ରଜ”, ମାନେ ଦୋଳିକୁ ବଳି ପାନ ସହ ଟକ୍କର ଦେବାକୁ ସଜିଲ ହୋଇଥାଏ ନାନାଦି ପିଠାଙ୍କ ସହ ଖାସ୍ କରି ପ୍ରସ୍ତୁତ ହୋଇଥିବା ପୋଡ଼ପିଠା । ନବାନ୍ନ ବା ନୂଆଖାଇ ବେଳେ ନୂଆ ଚାଉଳରୁ ପ୍ରସ୍ତୁତ ଆରିସା, ମଣ୍ଡା, ଖିରି ଆଦି ମାଆଙ୍କୁ ପ୍ରଥମେ ହୁଏ ଅର୍ପଣ । ତା’ପରେ ସାମୂହିକ ବିତରଣ ଓ ଏକତ୍ର ସେବନ ଆଣିଦିଏ ଅପୂର୍ବ ମଧୁରାନନ୍ଦ । ଗହ୍ମା ପୂର୍ଣ୍ଣିମା,ଗର୍ଭଣା ସଂକ୍ରାନ୍ତି , ମାଣବସା ଗୁରୁବାର ଆଦି ପର୍ବରେ ବି ମଣ୍ଡା, କାକରା ଗଇଁଠା ଭଳି ପିଠାମାନ ପ୍ରସ୍ତୁତ କରାଯାଇ ଭୋଗ ଲାଗି ହୁଏ । ଚିତାଲାଗି ଅମାବାସ୍ୟାର ଚିତଉ ଏକ ନିଆରା ପିଠା, ଯାହା ସଚରାଚର ପିଠା କହିଲେ ବୁଝାଯାଉଥିବା ସର୍ବଜନ ଭୁଞ୍ଜିତ ଚକୁଳି ପିଠା ଭଳି ଏକ ତାୱ।ରେ ସେକା ବା ଭଜା ହୋଇଥିବା ପିଠା ! ସେମିତି ସପ୍ତପୁରି ଅମାବାସ୍ୟା ସାତ କିସମର ପୁର ଭରା ପିଠା ନେଇ ମିଠାର ଏକ ଅପୂର୍ବ ସମ୍ଭାର ।
ହଁ, ପ୍ରଭୁ ଜଗନ୍ନାଥଙ୍କ ଭୋଗରୁ ଆରମ୍ଭ କରିଥିଲେ କଥା । ତେଣୁ ପ୍ରଭୁଙ୍କ ପ୍ରିୟ ଛେନାପୋଡ଼ କଥା ବି ହେଜ କରି ମନ ଆହୁରି ମିଠା ନିଶ୍ଚେ କରିବା । ସେମିତି ପ୍ରଭୁ ନିଜେ ମଧ୍ୟ ରସଗୋଲା ଖୁଆଇ ହିଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାନ୍ତି । ସୁତରାଂ ଏହି ଦୁଇ ସର୍ବଜନାଦୃତ ପିଠାର ମାଧୁର୍ଯ୍ୟ ଅନନ୍ୟ ଓ ଅତୁଳନୀୟ ।
ପିଠାର ଏକ ଭିନ୍ନ ତରଳ ରୂପ ଖିରି, ଖିରା ଅଟକାଳି ଆଦି । ପାରମ୍ପରିକ ଚାଉଳ ଖିରି ସମେତ ଇଦାନୀଂ ଅନେକ ଶସ୍ୟରୁ ବି ଖିରି ପ୍ରସ୍ତୁତ ହେଲାଣି । ପ୍ରତ୍ୟେକ ଭୋଜି ଅସମ୍ପୂର୍ଣ୍ଣ ଲାଗିଥାଏ ଖିରି ବିହୁନେ । ତେବେ କେତେକ କହନ୍ତି, “ଆଜିକାଲିକା ବଫେ ଭୋଜିରେ ଛୋଟିଆ ପ୍ଳାଷ୍ଟିକ କପରେ ଦିଆ ଖିରି ଖିଆ ଗୋଟେ କି ଖିଆ ଯେ ?” ସେମାନଙ୍କ ମତ ବଡ଼ ମଉଜିଆ । ଖାଇବ ତ’ ଥାଳିରେ ଢାଳି, ଖିରି ଖାଇବ ହାପୁରି କରି !! ମଣ୍ଡା ଭଳି ପୁରଦିଆ ପିଠାମାନଙ୍କୁ ପାରମ୍ପରିକ ନଡ଼ିଆ ପୁର ଭିନ୍ନ ବୁଟଡାଲି ଆଦିର ମିଠା ପୁର ଦେଇ ବି ଗଢା ଯାଇଥାଏ ।
ଏବେ ଯୁଗ କାଳ ବଦଳିବା ସହ ପିଠା ଗଢିବା କ୍ରମେ ଆୟାସ ସାଧ୍ୟ ହୋଇ ଯାଇଥିଲେ ସୁଦ୍ଧା ପିଠା ଖାଇବାକୁ ସଭିଏଁ ତୟାର । ତେଣୁ ତ ଆଗ ପରି ଶିଳ, ଚକି, ଢେଙ୍କି ଆଦି ପାରମ୍ପରିକ ମାଧ୍ୟମ ଉପଯୋଗ ନକରି ବି ଗ୍ରାଇଣ୍ଡର ଓଭନ ମାଇକ୍ରୋୱେଭ୍ ଭଳି ଚିଜଙ୍କ ବ୍ୟବହାର କରି ପିଠା ପ୍ରସ୍ତୁତ ହେଲାଣି । ପିଜା ପ୍ରିୟ ହୋଇଥିଲେ ବି ଆଜିକା ପିଲାଙ୍କ ମନଲାଖି ରାଗ, ଲୁଣି ସ୍ୱାଦଯୁକ୍ତ ପୋଡ଼ପିଠା ଖୁଆଇଲେ ଆଦରି ନିଅନ୍ତି । ଅବିକଳ ସେମିତି ମୋମୋସ୍ ଖାଇବାକ୍ରାନ୍ତ ହୋଇଥିଲେ ବି ସିଝା ମଣ୍ଡା ଭିତରେ ରାଗଲୁଣି ସ୍ୱାଦ ଭରି ଆଳୁ ମଟର ଆଦି ପୁର ଦେଇ ସିଝାଇ ପରଷିଲେ ଆଗ୍ରହୀ ହୋଇ ଖାଇ ଦେଉଛନ୍ତି । ପାରମ୍ପରିକ ପିଠାଙ୍କ ନବ୍ୟ ରୂପ ଭେକ ନେଇ ଗଢା ମାଙ୍ଗୋ ପୋଡ଼ ପିଠା, ରାବିଡ଼ି ପୋଡ଼ ପିଠା, ଚକୋଲେଟ କାକରା, ସ୍ପାଇସି ଓ ସାଭୋରୀ ମଣ୍ଡାଦି ବେଶ୍ ଗ୍ରହଣୀୟ ହୋଇ ବରଂ ପ୍ରକାରାନ୍ତରେ ପିଠାର ଗୁରୁତ୍ୱ ହିଁ ବଢାଉଛନ୍ତି ।
ପିଠାଙ୍କ କଥା ବେଶ୍ ଗପିଲା ପରେ ପିଠା ସହ ଯୋଡ଼ା ପଣା କଥା ନକହିଲେ ଅସମ୍ପୂର୍ଣ୍ଣ ଲାଗିବ ନିଶ୍ଚୟ । “ପଣା”, ମାନେ ହିଁ ଏକ ଦିବ୍ୟ ପାନୀୟ । ପ୍ରପାନକ ଭାବେ ଦେବତାଙ୍କୁ ଅର୍ପିତ ହୋଇଥାଏ । ଆମ ପାନାଭ୍ୟାସ ସହ ଏହା ସମ୍ପର୍କିତ । ତୃଷା ନିବାରଣ କରିଥାଏ ଜଳ । କିନ୍ତୁ ଅତିଥି ଅଭ୍ୟାଗତଙ୍କୁ ଆଦରି ନେଇ ଅର୍ପଣ କରାଯାଇଥାଏ ପଣା, ଯହିଁରେ ଅତି ନିକୁଛରେ ମିଠାପଣ ଦ୍ରବୀଭୂତ ହୋଇ ରହିଥାଏ । ତେଣୁ ତ’ ଗ୍ରୀଷ୍ମ କାଳରେ ଜଳଦାନ କ୍ରମରେ ଅକ୍ଷୟ ତୃତୀୟାରେ ପଣା ଦାନ କରାଯାଇଥାଏ । ପୁଣି ବୈଶାଖ ମାସରେ ବେଲ, ଦହି, ଛେନା, ନଡ଼ିଆ, ଛତୁଆଦି ନେଇ ପ୍ରସ୍ତୁତ ଭଳିକିଭଳି ପଣାଙ୍କ ସମ୍ଭାର ଧରି ଆସେ ପଣାସଂକ୍ରାନ୍ତି ନାମେ ଖ୍ୟାତ ମହାବିଷୁବ ସଂକ୍ରାନ୍ତି, ଯେଉଁଦିନୁ ଆମ ନୂତନ ପଞ୍ଜିକା ପାଠ ଓ ନୂତନ ବର୍ଷର ଶୁଭାରମ୍ଭ ହୋଇଥାଏ । ଏଠାରେ ବେଶ୍ ଲକ୍ଷ୍ୟଣୀୟ ଯେ ମାଧୁର୍ଯ୍ୟରେ ଭରପୁର ପଣାର ଦିବ୍ୟ ଅର୍ପଣ, ବିତରଣ ଓ ସେବନ ମାଧ୍ୟମରେ ମାଧୁର୍ଯ୍ୟମଣ୍ଡିତ ହୁଏ ପରିବେଶ । ଆଗାମୀ ବର୍ଷସାରା ବି ଏତାଦୃଶ ମଧୁମୟ ହୋଇ ବିତିବାର ପ୍ରତ୍ୟୟ ଦେଇଥାଏ ସାମୂହିକ ପଣା ପାନ !
ପିଠାପଣା ପ୍ରସ୍ତୁତି ଲୋଡ଼ିଥାଏ ସହଯୋଗ । ପିଠପଣା ସେବନ ବି ସମଭାବେ ବିତରି ଥାନ୍ତି ପରସ୍ପର ମଧ୍ୟରେ ସମ୍ପ୍ରୀତିର ମାଧୁର୍ଯ୍ୟ । ଏହି ସଦା ମହତ୍ତର ମାଧୁର୍ଯ୍ୟ ହିଁ ତ ସଦାକାଳେ ସଭିଙ୍କ କାମ୍ୟ ହୋଇ ଆସିଛି !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

