ସତ୍ୟନାରାୟଣ ଗନ୍ତାୟତ

ଶୁଭ ତ’ ଶୁଭ,ଫେର୍ ଲାଭ ବି ! କାହାକୁ ଏସବୁ ଲୋଡା ନାଇଁ ଯେ ? ତେଣୁ ତ’ କିଛି ଘରର ଦୁଆର ମୁହଁରେ ବା ଦୋକାନର କାନ୍ଥରେ ‘ଶୁଭଲାଭ’ ଲେଖା ହୋଇଥାଏ ! ପୁଣି ଏହାର ପ୍ରତୀକ ସ୍ୱସ୍ତିକ ଚିହ୍ନ ବି ହୋଇଥାଏ ଅଙ୍କିତ । ଏହା ବହୁଳାଂଶରେ ଆଣି ଦେଇଥାଏ ଏକ ଆଧ୍ୟାତ୍ମିକ ଆଶ୍ୱସ୍ତି । ପୁଣି କିଛି ମାତ୍ରାରେ ଏହା ଏକ ଗତାନୁଗତିକ ସାଂସାରିକ ଆକାଂକ୍ଷା ମଧ୍ୟ ।

ଶୁଭ ମନାସ ମଧ୍ୟରେ ସନ୍ନିହିତ ମଙ୍ଗଳ କାମନାର ମହକ । ସେମିତି ଲାଭ ହେଉଛି ସମ୍ପନ୍ନତା ଓ ସମୃଦ୍ଧିର ବାହକ। ଶୁଭ ମନାସିବା ଏକ ମାଙ୍ଗଳିକ ଅଭୀପ୍ସାରୁ ସୃଷ୍ଟ । ଲାଭ କିନ୍ତୁ ଗତାନୁଗତିକ ଭାବେ ସାଂସାରିକ ଦୃଷ୍ଟିରୁ ବହୁ ଈପସିତ । ଚଳମାନ ଜୀବନ ପାଇଁ ଦୁହିଁଙ୍କ ସହାବସ୍ଥାନ ସୁତରାଂ ଏକାନ୍ତ କାମ୍ୟ । ଶୁଭଲାଭର ପହିଲି ଶବ୍ଦ ଶୁଭ ,ଯାହା ଅର୍ଥ ଆଗରୁ କହି ରଖିଛୁ, ମଙ୍ଗଳ ବୋଲି । ତେବେ ଏହି ମଙ୍ଗଳର ସ୍ୱରୂପ କେମନ୍ତ ? କେବଳ ନିଜର ମଙ୍ଗଳ ନା ସବୁରି ମଙ୍ଗଳ ? ଐକାନ୍ତିକ ଭାବେ ନିଜ ପାଇଁ ମଙ୍ଗଳ ଇଚ୍ଛିବା ଯଦି ଅନ୍ୟ ପାଇଁ ଅନ୍ତତଃ ଅମଙ୍ଗଳର ହେତୁ ନ ହୁଏ ତେବେ ଯାଇ ତାକୁ ଶୁଭ ବୋଲାଯିବ, ନା ନାହିଁ ? ଏଠେଇଁ ହିଁ ଲୁଚି ରହିଛି ପରବର୍ତ୍ତୀ ଶବ୍ଦ ଲାଭ । ଅନ୍ୟର ହିତ ନ ହୋଇ କେବଳ ନିଜ ହିତ ସାଧନ ହେଲେ ତାହା ଆଉ କି ଲାଭ ଯେ ? ଅତଃ ‘ଶୁଭ ଲାଭ’ ଲେଖିବା ତୁଚ୍ଛା ସଜାଇବା ବା ପ୍ରଦର୍ଶନ ଧର୍ମୀ ଆଦୌ ନୁହେଁ, ବରଂ ଏହା ମାଧ୍ୟମରେ ନିଜ ସହ ଅନ୍ୟ ପ୍ରତି ବି ଶୁଭେଚ୍ଛା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଅଟେ ।

ଶୁଭ ପରେ ଲାଭ କଥା ଉଠିବା ମାନେ ସଚରାଚର ଅର୍ଥ ଲାଭ ହିଁ ତୁରିତେ ମନକୁ ଆସିଯାଏ। ଏହା ବି ସ୍ୱାଭାବିକ । ତେଣୁ ତ କୁହାଯାଇଛି ଯେ ମୁଦ୍ରା ବଶଂ ଇଦଂ ଜଗତ୍ । ତେବେ କିଞ୍ଚିତ ଗଭୀରକୁ ଗଲେ ଲାଭର କେତେ ଯେ ରୂପ ରହିଛି ହୃଦବୋଧ ହୋଇଥାଏ। କାହା ପାଇଁ ଏହା କେଉଁ ରୂପ ଗ୍ରହଣ କରି ଥାଏ । ବଣିକ ପାଇଁ କିଣାଠୁ ବିକ୍ରି ବେଶୀ ହେଲେ ଏହା ମିଳେ ତ ଖରାବର୍ଷା ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷବାସରେ ମଗ୍ନ ଚାଷୀ ପାଇଁ ଏହା ଭଲ ଫସଲର ଅମଳ ହୋଇଥିବା ବେଳେ ମିଳିଥାଏ । ସେମିତି ମନଧ୍ୟାନ ପ୍ରଦାନ ପୂର୍ଵକ ଅଧ୍ୟୟନ କରିଥିବା ବିଦ୍ୟାର୍ଥୀଙ୍କ ପାଇଁ ଲାଭ କହିଲେ ପରୀକ୍ଷାରେ ଲବ୍ଧ କୃତିତ୍ୱ । ଏସବୁ ବିଚାରକୁ ନେଲେ ଲାଭର ଅର୍ଥ ହେଲା ଏକ ଅମୂଲ୍ୟ ଓ ଅନନ୍ୟ ବା ଅତୁଳନୀୟ ପ୍ରାପ୍ତି, ଯାହା କେବଳ ଧନାଗମ ବା ଅର୍ଥଲାଭକୁ ହିଁ ବୁଝାଏ ନାହିଁ ।

ଫଳ ସ୍ୱରୂପ, ଶୁଭଲାଭ କହିଲେ ଏହି ସୂଚନା ମିଳିଥାଏ ଯେ ସତେ ଅବା ଶୁଭ ଏକ ନୈତିକ ନିର୍ଦ୍ଦେଶ ଦେଇଥାଏ ଲାଭ ଚିନ୍ତା କରିବା ପୂର୍ବରୁ । ଅର୍ଥାତ ଉଭୟ ଉପାୟ ଓ ଉପେୟ ଶୁଭପ୍ରଦ ହେବା ଧ୍ୟେୟ ,ନୋହିଲେ ଶୁଭଲାଭର ଇଚ୍ଛା ବାସ୍ତବରେ ଫଳପ୍ରସୂ ହୋଇ ନ ଥାଏ। ଅନ୍ୟଥା ଲାଭାର୍ଥେ କରିବା କର୍ମ ସର୍ବଦା ଶୁଭପ୍ରଦ ହୋଇ ନ ପାରେ । ହଁ , ମଣିଷ ମାତ୍ରେ ହିଁ ମୂଳତଃ ଲାଭାଶାୟୀ । ସେ ସର୍ବତ୍ର ଲାଭର ଆଶା ରଖିଥାଏ । କେତେବେଳେ ତାହା ହୋଇଥାଏ ମୁନାଫା ତ’ କେତେବେଳେ ପୁରସ୍କାର , ପ୍ରଶଂସା ବା ପ୍ରତିଷ୍ଠା । ଏହା ଯେତେବେଳେ ଅସ୍ୱାଭାବିକ ହୋଇ କେବଳ ଲାଭ ହିଁ ସର୍ବସ୍ବ ପାଲଟି ଯାଇ ଏକମାତ୍ର ଧ୍ୟେୟ ହୁଏ, ତେବେ ତାହା ମଣିଷକୁ ମୋହ ମୁହାଁ କରିବାରମ୍ଭ କରେ ଓ କ୍ରମଶଃ ମଣିଷ ମୋହଗ୍ରସ୍ତ ହୋଇ ସକଳ ନୀତି ନିୟମ ଉଚିତ ଅନୁଚିତାଦି ଯାବତ ଚିଜଙ୍କୁ ଭୁଲି ଯାଏ । ଲାଭ ଲୋଭୀ ମଣିଷ ତେଣିକି ଅନ୍ୟର ଅଧିକାର ଉପରେ ଆକ୍ରମଣ କରେ । ଅନ୍ୟର ଅସହାୟତା ଦେଖି ଅତ୍ୟାଚାର କରେ । ଖଚ ମିଛ ଲାଞ୍ଚ ଆଦିଙ୍କୁ ଆୟୁଧ କରତଃ ଯେନ ତେନ ପ୍ରକାରେଣ ଲାଭ ପାଇଁ ଲାଳାୟିତ ହୋଇ ଚାଲେ । ଏମିତି ଅର୍ଜିତ ଲାଭ ପହିଲେ ପହିଲେ ତା ପାଇଁ ଶୁଭ ଭଳି ମନେ ହୁଏ ସିନା ପଛନ୍ତେ ତା’ର ଅଚିନ୍ତନୀୟ ଅନେକାନେକ ଦୁଃଖ ଓ ଦୁର୍ଦ୍ଦଶାର କାରଣ ସାବ୍ୟସ୍ତ ହୋଇଥାଏ। ସେତେବେଳେ ତାହା ଆଉ କି ଶୁଭଲାଭ ଯେ ? ଏ ବେଳେ ଲାଗେ କାନ୍ଥରେ ହିଁ ଯେମିତି ଚାପି ହୋଇ ଯାଇଛନ୍ତି ଶୁଭ ଓ ଲାଭ ! କର୍ତ୍ତବ୍ୟ ବେଳକୁ କିନ୍ତୁ ହାୟ, କେଡେ ଦୟନୀୟ ଦୁହିଁଙ୍କ ଭାଗ୍ୟ, ସତରେ !

ପ୍ରସଙ୍ଗ କ୍ରମେ ଯଥାର୍ଥରେ କୁହାଯାଇଥିବା “ଧନ ଅର୍ଜିଲେ ଧର୍ମ କରି, ଧର୍ମେ ପ୍ରାପତ ନରହରି” ସୂକ୍ତି ମନକୁ ଆସିଥାଏ । ଶୁଭ କର୍ମ ସମ୍ପାଦନାର୍ଥେ ଏହାକୁ ଏକ ନୀତି ବାଣୀ ଭାବେ ପାଳନ କରିଲେ ସ୍ୱତଃ ଦିବ୍ୟକୃପା ଭଳି ମହତ୍ତର ଲାଭ ପ୍ରାପ୍ତ ହୋଇଥାଏ । ଏତଦ୍ ଭିନ୍ନ ଯଦି ଅଧର୍ମାଚରଣ ମାଧ୍ୟମରେ ଯାହା ଯେତେ ସମ୍ଫାଦି ପାରିଲେ ବି ତାହା ଶୀଘ୍ର ବଢି ବଢି ଅବଶେଷେ ଅଚାନକ ଅବିକଳ ସେଭଳି କ୍ଷୀପ୍ରତାର ସହ ସମୂଳ ନାଶ ହୋଇ ଲାଭ ତ ଛାଡ ବଡ ଅଭାବନୀୟ ଭାବେ କ୍ଷତିଗ୍ରସ୍ତ କରାଇଥାଏ । ତେଣୁ ତ କୁହାଯାଏ : ଅଧର୍ମ ବିତ୍ତ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ” !

ସୁତରାଂ କାହାର କ୍ଷତି ନ କରି ଯଥୋଚିତ ଲାଭ ପାଇଁ ସତ୍ ପଥଗାମୀ ହେଲେ ହିଁ ତାହା ସତତ ଶୁଭର ବାହକ ହୋଇଥାଏ। ତେବେ ଏ କଥା ବି ମନେ ରଖିବା ଆବଶ୍ୟକ ଯେ ଶୁଭ ସବୁବେଳେ ଲାଭ ହିଁ ପ୍ରଦାନ କରି ନ ଥାଏ । ବରଂ କେବେ କେବେ ତ୍ୟାଗ କରିବା ଭଳି ସ୍ଥିତି ଉପୁଜାଇଥାଏ । ଏହାକୁ ସ୍ଥିତ ପ୍ରଜ୍ଞ ହୋଇ ସମ୍ଭାଳି ନେଇ ନିଜ ନୈତିକ ମୂଲ୍ୟବୋଧ ରକ୍ଷା କରି ଆଗୁସାର ହେବା ଭଳି ଆହ୍ୱାନ ଆସେ । ଏହି ଆହ୍ୱାନ ସାମନା କରି ପାରିଲେ ଯେଉଁ ସାଫଲ୍ୟ ମିଳେ, ତାହା ହିଁ ଶାଶ୍ୱତ ଲାଭ ! ବାରାନ୍ତରେ ଏହା କୁହା ଯାଇ ପାରେ ଯେ ଲାଭ ଓ ଲୋଭ ମଧ୍ୟସ୍ଥ ନୀତିନିଷ୍ଠ ସନ୍ତୁଳନ ହିଁ ସଦା ସର୍ବଦା ଶୁଭଲାଭ ହାସଲ ପାଇଁ ଜରୁରୀ ।

କାନ୍ଥରେ ଶୁଭଲାଭ ଲେଖିବା ସହଜ ସିନା ,ଜୀବନରେ ଏହାର ହାସଲ କିନ୍ତୁ ସାଧନାର ଅପେକ୍ଷା ରଖେ। ଶୁଭ ବିନା ଲାଭର କି ମୂଲ୍ୟ ଯେ ? କିନ୍ତୁ ଲାଭ ନ ଥିଲେ ହେଁ ଶୁଭ ସଦାକାଳେ ଶୁଭ । କାରଣ ଲାଭ ତୁଚ୍ଛା ପ୍ରାପ୍ତି ହୋଇଥିବା ବେଳେ ଶୁଭ କିନ୍ତୁ ପ୍ରାପ୍ତିର ପବିତ୍ରତାର ବାହକ। ତେଣୁ ପୁନଃ ପୁନଃ ଦୋହରାଇ ଏମିତି କହି ହେବ ଯେ “ଲାଭ ସତ୍ତ୍ୱେ ଯଦି ତହିଁରୁ ଚେନାଏ ଶାନ୍ତି ମିଳୁ ନାହିଁ, ଅନ୍ୟର ଆଖିରୁ ଝରିଥିବା ଲୁହରେ ଯେଉଁ ଶୁଭ ଭିଜି ଭିଜି ଉପୁଜିଥାଏ, ଅନେକଙ୍କୁ ବଞ୍ଚିତ ଓ ପ୍ରବଞ୍ଚିତ କରି ମିଳିଥିବା ଲାଭ ବାହ୍ୟତଃ ଯେତେ ଝଲସୁଥାଉ ନା କାହିଁକି ,ପ୍ରକୃତ ପକ୍ଷେ କେବେ ବି ଶୁଭ ନୁହେଁ।

ନ୍ୟାୟ, ନୀତି, ସାଧୁତା ସଚ୍ଚୋଟତା, ପରିଶ୍ରମ ଓ ପାରସ୍ପରିକ ଶୁଭ ମନାସରୁ ପ୍ରାପ୍ତ ସାର୍ଥକ ଲାଭ ଯଥାର୍ଥରେ ଶୁଭଲାଭ।

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *