ବିନୟ ମହାପାତ୍ର

ଜୀବନ ମାନେ କି ଯନ୍ତ୍ରଣା ଖାଲି,
ଆଉ କେଇ ଟୋପା ଲୁହ,
ଆଖିକୋଣୁ ନିତି ଝରି ବୋହିଯାଏ,
ଭିଜେ ଆଖିପତା, ଓଠକୁ ଭିଜାଏ
ନା’ ତୁମ କାନି, ନା’ ମୋ ଚିବୁକ
କେମିତି ଧରିବ କୁହ ।
ଯନ୍ତ୍ରଣାର ଏଠି, ଅନ୍ତ ନାହିଁ କେବେ
ଅଥଳ ସାଗର ପରି,
ଯନ୍ତ୍ରଣା ଭିତରେ ଜୀବନଟା ଯାହା
ଛଟପଟ ହୁଏ,
ସାଗରେ ଲବଣ ସରି ।
ଜୀବନରେ ଯେତେ ଯନ୍ତ୍ରଣା ଆସେ
ମଣିଷର ମନ କାମନା ଜାତ,
ମନ ମାନେନାହିଁ, ଅବୁଝା ପିଲାଟେ
ସରଗ ଚାନ୍ଦକୁ ବଢାଏ ହାତ,
ଜହ୍ନ ମିଳେ ନାହିଁ ମନ ମରିଯାଏ
ହେଲେ ବୁଝେ ନାହିଁ ମନ,
ସଞ୍ଜ ନଇଁଲେ ଆକାଶକୁ ଚାହେଁ
ଜହ୍ନ ଖୋଜେ ପ୍ରତିଦିନ ।
ନଦୀ ବୋହି ଆଣେ
କେତେ ଯେ ଲବଣ,
ମିଶେ ପ୍ରତିଦିନ ସମୁଦ୍ରେ ଜଳେ,
ଅନ୍ତହୀନ ଏଠି କାମନାର ଧାରା,
ଅନନ୍ତ ଯନ୍ତ୍ରଣା ଜୀବନେ ଭରଇ,
ସଙ୍ଗ ଛାଡ଼େ ନାହିଁ, ମରିବା ଯାଏ ।
କାମନା ବିନାଶେ ଦୁଃଖର ବିନାଶ
ହେଲେ, କାମନା ତ ଅବିନାଶୀ,
ପାରିବ ଯଦି କାମନା ମୁହଁରେ
ଲଗାମ ଲଗାଇ,
ଦୁଃଖ ବି ଯିବ ଆପଣା ପଥେ,
ଜୀବନେ ଫେରିବ ଖୁସି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।