ସୂର୍ଯ୍ୟ ଆଉ ଆଗ ପରି ନାହିଁ

ବିନୟ ମହାପାତ୍ର

ସୂର୍ଯ୍ୟ ଆଉ ଆଗ ପରି ନାହିଁ,
ବହୁତ ବଦଳି ଯାଇଛି,
ଜଣା ନାହିଁ,
ଆଜିକାଲି କଣ ହୋଇଛି ତା’ର,
କାହିଁକି ସେ ରାଗରେ ଗରଗର,
ସବୁବେଳେ କ୍ରୋଧରେ ଜଳୁଛି !
ପ୍ରଭାତରେ ବାଳ ଅରୁଣର
ସୌମ୍ୟ ସୁଶୋଭିତ
କମନୀୟ କାନ୍ତି ତ ଦିଶୁଛି,
କିନ୍ତୁ ଛଳନାରେ ଭ୍ରମିତ ହୁଅନି ବନ୍ଧୁ,
ସାପ ଛୋଟ, ହେଲେ ବିଷ ଟାଣ ଅଛି,
ଏବେ କାହିଁକି କେଜାଣି ସବୁବେଳେ
ସୂର୍ଯ୍ୟ ଖାଲି କ୍ରୋଧରେ ଜଳୁଛି ।

ସୂର୍ଯ୍ୟ ଏବେ ପ୍ରତି ପ୍ରଭାତରେ
କୁନି ଛୁଆଟିଏ ପରି ଲାଲ ଟୁକ୍ ଟୁକ୍
ଅବା ସଂଧ୍ୟାରେ ବାର୍ଦ୍ଧକ୍ୟର ଶାନ୍ତ,
ଶିଥିଳତା ଦେଖାଇ ହୁଏ,
କିନ୍ତୁ ସକାଳୁ ସଂଧ୍ୟା ଯାଏ
ଆକାଶରୁ ଅଗ୍ନି ବର୍ଷୁଛି,
ସୂର୍ଯ୍ୟ ସତେ କ୍ରୋଧରେ ଜଳୁଛି ।

ଭାଟି ଭିତରର ଇଟା ପରି
ମଣିଷକୁ ଜଳାଇ ଦେଉଛି,
ଗମ୍ ଗମ୍ ଝାଳ ବୋହିଯାଏ
ସୁଶୀତଳ ଜଳ ଖୋଜେ ପ୍ରାଣ,
ମଣିଷ ସତେ ଅବା
ନର୍କର, ଗରମ ତେଲରେ ଫୁଟୁଛି ।

ପ୍ରକୃତିର ବିନାଶ କରିଛୁ,
ସଭ୍ୟତା ନାଆଁରେ
ଗଛ ସବୁ କାଟି, ଜଳାଇ ସାରିଛୁ,
ଏବେ ସୂର୍ଯ୍ୟ ତଳେ
ସୁଶୀତଳ ଆଶ୍ରୟ ଖୋଜୁଛୁ !

ପ୍ରକୃତି ମିତ୍ରର ବଂଶନାଶ ଯଜ୍ଞ କରି
ମିତ୍ରଭାନୁ ଠାରୁ ମିତ୍ରତା ଚାହୁଁଛୁ,
ନିଜ ହାତେ ନିଜ ଜିହ୍ୱା କାଟି ଦେଇ
ଏବେ ସଂଗୀତ ନୁହେଁ,
ଯନ୍ତ୍ରଣାରେ ଆର୍ତ୍ତଚିତ୍କାର କରୁଛୁ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *