ସତ୍ୟନାରାୟଣ ଗନ୍ତାୟତ

ବଡ଼ବଡ଼ିଆ ଲୋକ ବୋଇଲେ ବିଶାଳ ବପୁଧାରୀଙ୍କୁ ଆଦୌ କହୁ ନାହୁଁ । ତେବେ ବଡ଼ ଲୋକେ ନିଶ୍ଚେ କୌଣସି ନା କୌଣସି ମତେ ବଡ଼ ହୋଇଥାନ୍ତି । ଅନୁମାନ କରନ୍ତୁ ଗୋଟେ ଦପ୍ତରକୁ । ଦପ୍ତର ଭିତରେ ପ୍ରବେଶିଲା ଏକ ଚତୁର୍ଚକ୍ର ବୋଇଲେ କାର୍, ଯହିଁରୁ ସୁଟ୍ ଟାଇ ପରିହିତ ଯୋଉଁ ଫିଲ୍ମ ହିରୋ ବାଗିଆ ବାବୁ ଜଣକ ଓହ୍ଲାଇବା ମାତ୍ରେ ପହଞ୍ଚି ସାଲ୍ୟୁଟ ମାରିଥିବା ୟୁନିଫର୍ମ ପିନ୍ଧା ଲୋକଟି ହାତକୁ ଆପଣା ବ୍ରିଫ୍ କେଶଟି ବଢାଇ ଦେଇ କ୍ଷିପ୍ର ଗତିରେ ଟପ୍ ଟପ୍ ପାହାଚ ପରେ ପାହାଚ ଡେଇଁ ମୁଖ୍ୟ ଦ୍ୱାର ଦେଇ ଯିବାବେଳେ ସେଠେଇଁ ଫେର୍ ସିକ୍ୟୁରିଟି ଗାର୍ଡ ଜଣକ ଦୁଆର ମେଲି ଯାହାଙ୍କୁ ସଲାମ୍ ମାରିଲା, ସେ ବାବୁ ଜଣକ ଯେ ଦପ୍ରରାଧିପତି,ଏଥକୁ ସନ୍ଦେହ ଅଛି କି ?

ତ’ ଜାଣି ରଖନ୍ତୁ ସେ ମହାଶୟ ଜଣେ ବଡ଼ବଡ଼ିଆ ଲୋକ ଅଟନ୍ତି । ନୋହିଲେ କହୁ ନାହାଁନ୍ତି, ସେ ବଡ଼ ଲୋକ ନହୋଇ ମାମୁଲି ସାଇକେଲ, ମୋପେଡ, ସ୍କୁଟି ବା ଅତି ବେଶୀରେ ବାଇକାରୋହୀ କେହି ଦପ୍ତର ଭିତରେ ପ୍ରବେଶିଲେ କଣ ବଡ଼ ବୋଲାଇ ପାରିବେ ? ହଁ ଆଜିକାଲି କେହିକେହି କାରରେ ଅଫିସ ଦପ୍ତରକୁ ଯା’ଆସ କରୁଥିଲେ ହେଁ ସେମାନେ ନିଜେ ନିଜ ଗାଡ଼ି ପାର୍କିଂ କରି ଅନ୍ୟ ସହକର୍ମୀଙ୍କ ପ୍ରାୟେ ଥାଟବାଟ ଶୂନ୍ୟ ସାଧାରଣ ମଣିଷ ଭାବେ ହିଁ ଯା’ଆସ କରୁଥିବା କାରଣରୁ କଦାପି ବଡ଼ବଡ଼ିଆ ହୋଇ ପାରିବେନି । ଏଥିରୁ ଜାଣନ୍ତୁ ଯେ ବଡ଼ବଡ଼ିଆ ହେବା ପାଇଁ ଅନେକ କିଛିରେ ବଡ଼ ହେବାକୁ ହୁଏ !

ଗାଡ଼ି ତ ଲୋଡ଼ା । ତା ଫେର୍ ସର୍ବାଧୁନିକ ଗାଡ଼ି । ପୁଣି ଲୋଡ଼ା ବାଡ଼ି । ମାନେ ଘରବାଡ଼ି ଅର୍ଥାତ ଜମି ।ବଡ଼ବଡ଼ିଆଙ୍କ ରହିବା ଥାନ କେବଳ ବଡ଼ ଇ’ ନୁହଁ, ବରଂ ସୁବିଶାଳ, ମହଲା ଉପରେ ମହଲା, ଯାହା କୋଉଠି ଅମୁକ ଆପାର୍ଟମେଂଟ ତ ଆଉ କୋଉଠି ତାହା ସୁଦୃଶ୍ୟ ଭିଲ୍ଲା । ପୁଣି ସେମାନଙ୍କ ଉଭା ଯେତେ , ଥାଏ ପେତା ହୋଇ ତହୁଁ ବଳି । ଉଭୟ ଜମି ଓ ଜମା ହୋଇଥାଏ ଠୁଳ । ବୋଇଲା ପରି ଧନଧାନ୍ୟରେ ପରିପୂର୍ଣ୍ଣ । ତେଣୁ ତ ସେମାନେ ବଡ଼ବଡ଼ିଆ, ସାକ୍ଷାତ କୁବେର ସମାନ !

ଏମାନେ ଇ’ ଏଇନେ ଛାଏଁ ମାନ୍ୟଗଣ୍ୟ । କ୍ଷମତାର ଚଉକିରେ ଆସୀନ ନେତା ଓ ଶାସକ ଏମାନେ ହିଁ ଆଉ ମାନଙ୍କ ପାଇଁ ସ୍ୱତଃସିଦ୍ଧ ହର୍ତ୍ତା କର୍ତ୍ତା ତଥା ଦୈବ ବିଧାତା ଅଟନ୍ତି । ଅନେକ କ୍ଷେତ୍ରରେ “ନିୟମ ସମସ୍ତଙ୍କ ପାଇଁ ସମାନ” ଜାତୀୟ ମହାର୍ଘ୍ୟ ନିୟମମାନଙ୍କ ବାସ୍ତବ ପ୍ରୟୋଗ ବେଳେ ବଡ଼ବଡ଼ିଆଙ୍କ ଠେଇଁ ସେଇ ନିୟମ ହୁଏତ ବାଟ ଭାଙ୍ଗି ଚାଲିଯାଏ ନତୁବା କୋହଳାଦପି କୋହଳ ହୋଇଯାଏ ।

ଏସବୁ ବଡ଼ପଣର ପ୍ରାବଲ୍ୟ ବେଳେବେଳେ ବଡ଼ବଡ଼ିଆଙ୍କୁ ଉସକାଏ କିଞ୍ଚିତ ମିଛିମିଛିକା ମହାନତା ପ୍ରଦର୍ଶନ କରିବାକୁ । ତ’ କେହିକେହି ଆପଣା ଚେହେରା ମାଜିମୁଜି ଚମକାଇବାର ମହତ ଉଦ୍ଦେଶ୍ୟ ନେଇ ବେଳେବେଳେ ମାଗଣା ଚିକିତ୍ସା ଶିବିରଟାଏର ଆୟୋଜନ ବା ଖରାଦିନେ ଦହି ପାଣି ବଣ୍ଟନ ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରି ବିଭିନ୍ନ ଗଣମାଧ୍ୟମ ଏବଂ ସର୍ବୋପରି ସାମାଜିକ ଗଣମାଧ୍ୟମରେ ଏକାନଟେ ହୁଲସ୍ତୁଲ କରିପକାନ୍ତି ଯେ ସେମାନେ ସତରେ କେତେ କାରୁଣିକ !!

ତେବେ ବଡ଼ବଡ଼ିଆଏ ବଡ଼ବଡ଼ କଥା ନିଶ୍ଚୟ କହନ୍ତି । ଏହା ସେମାନଙ୍କ ପାଇଁ ପତିଆରା ପ୍ରଦର୍ଶନ କରିବା ପାଇଁ ଏକ ସୁଲଭ ମାଧ୍ୟମ । ଅହମିକାକ୍ରାନ୍ତ ହୋଇ ସଭିଙ୍କୁ ହେୟଜ୍ଞାନ କରିବା ବି ବଡ଼ବଡ଼ିଆ ସୁଲଭ ଲକ୍ଷଣ । ଯାହା ଫଳରେ ସମୟ କ୍ରମେ ସେମାନେ ସେମାନଙ୍କ ଭଳି ବଡ଼ବଡ଼ିଆଙ୍କ ମେଳରେ ଆବଦ୍ଧ ହୋଇ ସେଠି ବି ପାରସ୍ପରିକ ଅସୂୟା ଓ ଅସହିଷ୍ଣୁତାର ଶୀକାର ବନିଯାନ୍ତି ।

ସମୟ ଏମିତି ହୁଏ ଯେ ତଳତଳିଆ ଲୋକଟେ ମୁଠେ ଖାଇବା ପାଇଁ ଯାବତ ଧାଁଦୌଡ଼ କରି ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଦଣ୍ଡେ ଶାନ୍ତିରେ ଶୋଇ ପାରୁଥିବା ବେଳେ ଏଇ ବଡ଼ବଡ଼ିଆ ଲୋକେ ଭକ୍ଷ୍ୟ ଅଭକ୍ଷ୍ୟ ଭେଦ ଭୁଲି ସବୁ କିଛି ଖାଇ ବେଳୁବେଳ ଏଡ଼ିଜି ମୋଟେଇ ଯାଆନ୍ତି ଯେ ଶରୀର ଭର୍ତ୍ତି ବର୍ଜ୍ୟ ଚିଜଙ୍କୁ ନିକାଲିବା ଜରୁରୀ ହୋଇପଡ଼ନ୍ତେ ଦୌଡ଼ନ୍ତି ! ତା’ ବି ସାଧାରଣ ଲୋକଙ୍କ ପ୍ରାୟେ ସକାଳ ସଞ୍ଜ ଚଲା କଲେ ମହତ ଚାଲିଯିବା ଥୟ ବୋଲି ଜାଣି ଘରେ ଟ୍ରେଡ୍ ମିଲରେ ଧାଇଁ ଗଳଦଘର୍ମ ହେବା ସାର ହୋଇଥାଏ ।

ବଡ଼ବଡ଼ିଆ ଲୋକମାନେ କିନ୍ତୁ ସବୁବେଳେ ଅନ୍ୟମାନଙ୍କ ପାଇଁ ଆକର୍ଷଣୀୟ ମନେ ହୋଇଥାନ୍ତି ଏବଂ ଏହା ହିଁ ଦୁଃଖଦ । କାରଣ ଅନେକ ଅବିକଳ ସେମାନଙ୍କ ଭଳି ହେବା ପାଇଁ ଲାଗି ପଡ଼ିବା ଦେଖାଯାଏ । ଏହାର ଅର୍ଥ ନୁହେଁ ଯେ ଉଦଯୋଗୀ ଜନ ହୋଇ ଲକ୍ଷ୍ମୀନନ୍ଦନ ହେବା ଉଚିତ ନୁହଁଇ । କିନ୍ତୁ ବଡ଼ଲୋକି ଦେଖାଇ ହେବାକୁ ଯାଇ ଆଜିକାଲି ଲୋକେ ବୋଇଲା ପରି ଋଣ କରି ଘିଅ ପିଇ ଆପଣା ଚର୍ବି ବଢାଇ ଚାଲନ୍ତି । ନାନାଦି ଅଲୋଡ଼ା ଚିଜଙ୍କୁ ଲୋଡ଼ି ନିଜ ଆର୍ଥିକ ସ୍ୱଚ୍ଛଳତାକୁ ତଥାଚର୍ଚ୍ଚିତ “ଇଏମ୍ ଆଇ” ଜାତୀୟ କିସ୍ତିରେ ଭାଗ ବାଣ୍ଟି ସୁଦ୍ଧା ବଡ଼ବଡ଼ିଆ ବୋଲି ଦେଖାଇ ହେବାର ଅପଚେଷ୍ଟା କରିଥାନ୍ତି ।

ଅସଲରେ ବଡ଼ଲୋକ ହେବା ପାଇଁ ଲୋଡ଼ା ପଡୁଥିବା ବଡ଼ପଣ କିନ୍ତୁ ବଡ଼ ମନ ଓ ବଡ଼ ହୃଦୟଧାରୀ ଲୋକଟି ଭିତରେ ଯେ ଚିରକାଳ ରହିଆସିଛି,ଏକଥା ନବୁଝିବା ଯାଏ ଏହି ବଡ଼ବଡ଼ିଆ ଲୋକେ ଏମିତି ଅପରିବର୍ତ୍ତିତ ହୋଇ ରହିଥିବେ ସିନା !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *