ସତ୍ୟନାରାୟଣ ଗନ୍ତାୟତ

ମଣିଷ ଦେଖିପାରେ । କାରଣ ତା’ର ଆଖି ଦୁଇ ତାକୁ ଦେଖାନ୍ତି । ଏମିତିରେ ଜନମିବା ପରେପରେ ଯଦିଓ ଶିଶୁର ଆଖି ଖୋଲା ଥାଏ, ତଥାପି ଦେଖିବା ଅର୍ଥରେ ଦେଖିବା କିଛି ଦିନାନ୍ତେ ହିଁ ହୋଇଥାଏ । ସେତେବେଳେ ବି ସେ ଅତି ପାଖ ଚିଜ ହିଁ ଦେଖି ପାରିଥାଏ । ଏହି କ୍ରମରେ ଜନ୍ମଦାତ୍ରୀ ଜନନୀ ସହ ଜଡ଼ିତ ହୋଇ ମାଆ ଦେହର ଉଷ୍ମତା ଓ ମାଆ କ୍ଷୀର ପାନ କରୁଥିବାରୁ ମାଆକୁ ହିଁ ସେ ସବୁବେଳେ ଅତି ପାଖରେ ପାଇ ପହିଲେ ଚିହ୍ନି ଯାଏ । ମାଆ ଭିନ୍ନ ଆଉ କାହା ଦେହର ବାସ୍ନା ବାରି ପାରି, ମାଆ ଭିନ୍ନ ଆଉ କିଏ ଧରିଲେ ତାକୁ ଅଜଣା ଅଚିହ୍ନା ଲାଗେ ଓ ସେ କାନ୍ଦି ଉଠେ । ପୁଣି ମାଆ ହାତକୁ ଯାଉଯାଉ କାନ୍ଦ ବନ୍ଦ ହୋଇ ସେ ସହଜ ହୋଇଯାଏ !

ଏମିତି ଧୀରେଧୀରେ ଶିଶୁଟି ବଢିବଢି ସବୁ ଦେଖେ । ଚିହ୍ନେ । ଘରର ଅନ୍ୟମାନଙ୍କୁ ବି ! ଆଗରୁ କଳାଧଳା ଦେଖି ଆସିଥିବା ଶିଶୁ ଏଣିକି ରଙ୍ଗଙ୍କୁ ଦେଖି ଆକର୍ଷିତ ହୁଏ ଓ ଏହି କ୍ରମରେ ନାନା ରଙ୍ଗ, ନାନା ଶବ୍ଦ ଓ ନାନା ଚିଜଙ୍କୁ ଦେଖି ଆକର୍ଷିତ ହୋଇ ଆପଣାଛାଏଁ ଖେଳେ । ଏହା ଦେଖି ଆମେ ତାକୁ ଭଳିକିଭଳି ଖେଳଣା ଯୋଗାଇ ଦେଉ । କାଖରେ ଧରି ବୁଲାଇବୁଲାଇ ଫୁଲ, ଜହ୍ନ ଆଦି କେତେ କ’ଣ ଦେଖାଉ ଓ ସେ ଏହି କ୍ରମରେ ତା’ ଦିବ୍ୟଦତ୍ତ ଦୃଷ୍ଟିର ଉପଯୋଗ କରେ ।

ତେବେ ଏହି ଦୃଷ୍ଟି ଶକ୍ତି ଆମ ସହ ଥାଏ ସଚରାଚର ଉପଲବ୍ଧ ଏ ବାହ୍ୟଜଗତ ଆମେ ଦେଖିବା ପାଇଁ ହିଁ । କିନ୍ତୁ ଏ ଜଗତରେ ଜୀବନ ଧାରଣ କରି ଆତଯାତ ହେଉଥିବାବେଳେ ଜଗତ ଜନେ ଅନେକ ସମୟରେ ଅନେକ କିଛି ଦେଖିବା କର୍ମଟି ସମ୍ପାଦନ କରିବାବେଳେ କିନ୍ତୁ କେବଳ ସେମାନଙ୍କ ଚର୍ମଚକ୍ଷୁଟି ମାନ ହିଁ ନୁହେଁ, ବରଂ ସେମାନଙ୍କ ଅଲକ୍ଷ୍ୟରେ ମନଟି ମାନ ମଧ୍ୟ ଏହି ଦେଖିବାର୍ଥେ କେଉଁ ଛଟକରେ ନିୟୋଜିତ ହୋଇ ଯାଇଥାନ୍ତି, ସହଜେ ଜାଣି ହୁଏନା । ତେବେ ଏହା ଯେତେବେଳେ ପ୍ରତେ ହୁଏ, ତହିଁରେ ଦୃଷ୍ଟି ସହ ଭଙ୍ଗୀ ମଧ୍ୟ ଯୋଡ଼ି ହୋଇ ଯାଇଥିବାରୁ ତାହାକୁ ହିଁ ଶଂସିତ ଜନଙ୍କ ଦୃଷ୍ଟିଭଙ୍ଗୀ ବୋଲାଯାଇଥାଏ । ଅର୍ଥାତ ଦୃଷ୍ଟି ଓ ଭଙ୍ଗୀର ସମ୍ମିଳିତ ରୂପ ହେଲା ଦୃଷ୍ଟିଭଙ୍ଗୀ । ଦେଖିବାର ଶୈଳୀ ବା ସରଳରେ କହିଲେ ନିଜ ନିଜ ନଜରର ବାଗ ନେଇ ଦେଖିବା ଓ ପରଖିବା ହିଁ ଦୃଷ୍ଟିଭଙ୍ଗୀ ଅଟଇ ।

ତେଣୁ ତ’ ଜାଗତିକ ଦୃଷ୍ଟିରେ ଏତେ ସୁବିଶାଳ ଏ ଧରାକୁ ବି କେହିକେହି ସରା ମଣି ଆପଣା ଦୃଷ୍ଟିଭଙ୍ଗୀ ଜଣାଇ ସଭିଙ୍କୁ ତାଜୁବ୍ କରିପକାନ୍ତି । ଏଥକୁ ଯିଏ ଯେମିତି ଦେଖିବ ସେମିତି ଦିଶିବ ବୋଲି ଉପର ଠାଉରିଆ ଭାବେ କହିଦେଉ ସିନା, ଏଠେଇଁ ଆଖିଦେଖା ସହ ମନରେ ମାପିବା ବି ସମଭାବରେ ଜଡ଼ିତ ବୋଲି ବୁଝିବାକୁ ହେବ । ଏଥିରେ ଫେର୍ ବେଳେବେଳେ କିଞ୍ଚିତ ରଙ୍ଗୀନ ପୁଟ ଦେଇ ଏଇଆ କୁହାଯାଏ ଯେ ଦେଖିବା କାମ କରୁଥିବା ଆଖିରେ ଯଦି କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗର ଚଷମା ପିନ୍ଧିବ ତ’ ତେଣିକି ଖାଲି ଆଖିରେ ଦେଖୁଥିବାଠୁ ଭିନ୍ନ ହୋଇ ସଵୁ ସେଇ ଚଷମା କାଚର ରଙ୍ଗରେ ରଙ୍ଗାୟିତ ହୋଇ ଏକ ଭିନ୍ନଦୃଷ୍ଟି ପ୍ରଦର୍ଶନ କରିବ ।

ଅଧା ଶୂନ୍ୟକୁ କେହି ଅଧା ପୂର୍ଣ୍ଣ ଭାବେ ବର୍ଣ୍ଣିବା ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ପରିଚାୟକ । ଏ ନେଇ ତ’ କିଞ୍ଚିତ ଦାର୍ଶନିକ ସୁଲଭ ଭାବନା ନେଇ ଦେଖିଲେ ପଥ ପ୍ରାନ୍ତରେ ଅଖିଆ ଅପିଆ ହୋଇ ଶୋଇଥିବା ସର୍ବହରା ମଣିଷଟି କାହାକୁ ମୃତ ପ୍ରାୟେ ଦିଶିଥାଏ ତ’ ଆଉ କେହି ତା’ ଦୀର୍ଘ କାଳର ଅର୍ଦ୍ଧମୃତାବସ୍ଥା ପରଖି ତା’ ମୁହଁରେ ପୋଷେ ପାଣି, ପଟେ ରୁଟି ଦେଇ ଜୀଆଇବା ପାଇଁ ତତ୍ପରତା ଦେଖାନ୍ତି । କାହା ଦୃଷ୍ଟିରେ ଭାବ ତ କାହା ଦୃଷ୍ଟିରେ ଭାବର ଅଭାବ ରହିଥାଏ । ତଦନୁସାରେ ଦୃଷ୍ଟିଭଙ୍ଗୀ କେବେ ଅସ୍ତିସୂଚକ ତ କେବେ ହୋଇଥାଏ ତୁଚ୍ଛା ନେତି ନେତିରେ ଭରା !!

ଦେଖିବା ସହ ଯୋଡ଼ା ହୋଇଥିବା ଆମ ମନରେ ବି ହିଂସା, ଈର୍ଷା, ଘୃଣା, ଅବିଶ୍ୱାସ, ସନ୍ଦେହାଦି କିସମ କିସମର ଦୁର୍ଗୁଣ ମାନ ଚଷମାର ହରରଙ୍ଗୀ କାଚ ପରି ଲାଖି ରହିଥାନ୍ତି । ଫଳତଃ ଆମ ଦୃଷ୍ଟିରେ ଆମ ଛଡ଼ା ଆଉ ସଭିଙ୍କର ଯାବତ ମନ୍ଦ ଗୁଣମାନ ହିଁ ଦିଶେ । ଅନ୍ୟଠି ଥିବା ଯତ୍ କିଞ୍ଚିତ ଭଲ ଗୁଣମାନ ବି ଆମ ଦୃଷ୍ଟିରେ ଛାଏଁ ଭେଲ ପାଲଟି ଯାଆନ୍ତି ।

ଯେମିତି କେତେକଙ୍କ ଦୃଷ୍ଟିଭଙ୍ଗୀ ଏମିତି ଯେ ସେମାନଙ୍କ ପାଇଁ ସବୁଠି କେବଳ ସମସ୍ୟା ହିଁ ସମସ୍ୟା । ସେହି ସମସ୍ୟାଙ୍କ ଘେର ସେମାନଙ୍କୁ ଏତେ ସରି କବଳିତ କରି ଦେଇଥାଏ ଯେ ଥରୁଟେ ସେସବୁର ସମାଧାନ ନେଇ ଚିନ୍ତିବା ବି ବିସ୍ମରି ଯାଇଥାନ୍ତି । କିନ୍ତୁ ଅନ୍ୟପକ୍ଷରେ ଊଣାଅଧିକେ ସେହି ସମାନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲେ ହେଁ ଆଉକେହି କ୍ଷଣେ ଅଟକି ନିମିଷେ ଚିନ୍ତି ସେଥିରୁ ମୁକୁଳିବା ନେଇ ପ୍ରୟାସ କରନ୍ତି । କାରଣ ସେମାନେ ସେହି ସମସ୍ୟା ଭିତରୁ ସେମାନଙ୍କୁ ହିଁ ଯେ ମୁକୁଳିବାକୁ ହେବ ବୋଲି ଅନୁଭବି ପାରିଥାନ୍ତି ଏବଂ ଏହାକୁ ଏକ ସୁଯୋଗ ମଣି ପ୍ରୟାସ କରି ଅବଶେଷେ ସଫଳ କାମ ହୋଇଥାନ୍ତି ।

ସୁତରାଂ ଦୃଷ୍ଟି ଶକ୍ତି ସହ ମନର ତାଳମେଳ ଜରୁରୀ । କାରଣ ଜୀବ ହିଁ ଶିବ ବୋଲି କୁହାଯାଏ । ତେଣୁ ପ୍ରତ୍ୟେକ ବେନି ନୟନ ବାଦ୍ ତୃତୀୟ ନୟନର ଅଧିକାରୀ । ତେବେ ଆମେ ବେନି ନୟନେ ଦେଖୁଥିବା ଯାବତ ଚିଜଙ୍କୁ ମହାର୍ଘ ମଣି ଆମ ବୁଦ୍ଧି ବିବେକ ହେପାଜତରେ ଥିବା ତୃତୀୟ ନୟନରେ ଆଦୌ ଦେଖୁନା । ତେଣୁ ତ’ ଆମ ସମୟ ଯାତନା ଜର୍ଜରିତ ଓ ସମାଜ ଆମ ସଂକୀର୍ଣ୍ଣତା ସୃଷ୍ଟ ଯାବତ ବିଶୃଙ୍ଖଳାକ୍ରାନ୍ତ ! ଆମେ ନିଜ ଦୃଷ୍ଟିଭଙ୍ଗୀର ଅଧୀନ ହୋଇ ଯାଇ ‘ହାମ୍ ବଡ଼ା’ ବୋଲାଇବା ଆଗୁ ଯଦି ନିଜକୁ ଅନ୍ୟଠି ଥୋଇ ଅନ୍ୟର ଦୃଷ୍ଟିଭଙ୍ଗୀ ନେଇ ଥରୁଟେ ନିଜକୁ ନିଜେ ତଉଲିବା, ତେବେ ଆମ ଦୃଷ୍ଟିଭଙ୍ଗୀ କେତେ ଯଥାର୍ଥ ସ୍ୱତଃ ଜଣା ପଡ଼ିଯିବ । ଏମିତିରେ ସୌନ୍ଦର୍ଯ୍ୟ ସୌକୁମାର୍ଯ୍ୟ ଯାହା ବୋଲନ୍ତୁ ସବୁ ସଦାକାଳେ ମାନସିକତା ସହ ସମ୍ପର୍କିତ ଅଟନ୍ତି ।

ଅତଏବ, ଦେଖିବା ଯେତେ ବଡ଼ ନୁହେଁ ଦେଖିବାର ଭଙ୍ଗୀ ବରଂ ତହୁଁ ବଳି ବଡ଼ । ତେଣୁ ତ’ ଆପଣା ମନଶ୍ଚକ୍ଷୁରେ ଅବଲୋକନ କରତଃ ସନ୍ଥ କବି ଭୀମ ଭୋଇ ଜଗତର ସକଳ ପ୍ରାଣୀଙ୍କ ଦୁଃଖ କେମିତି ଅପ୍ରମିତ ଓ ଅସହ୍ୟ ବର୍ଣ୍ଣିବାକୁ ଯାଇ ଆପଣାର ଯାତନା ଜର୍ଜରିତାବସ୍ଥାକୁ କେବଳ ପଛରେ ପକାଇ ଦେଇ ନାହାଁନ୍ତି, ବରଂ ନର୍କ ଯାତନା ସୁଦ୍ଧା ବରଣପୂର୍ବକ ଜଗତ ଉଦ୍ଧାର ପାଇଁ ଆତ୍ମା ଚିପୁଡ଼ି ଗାଇ ଯାଇଛନ୍ତି । ଏହା ହିଁ ଦିବ୍ୟତ୍ୱର ଆଭାରେ ଝଲମଲ ଦୃଷ୍ଟିଭଙ୍ଗୀ ସିନା !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *