ଭୁବନେଶ୍ଵର : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆନନ୍ଦପୁର ଲେଖକ ସମବାୟ ସମିତିର ବାର୍ଷିକ ଉତ୍ସବରେ ରାଜ୍ୟର ପାଞ୍ଚ ଜଣକ ଲେଖକଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ସମିତିର ସଭାପତି ତଥା ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଯାଇଛି । ଆନନ୍ଦପୁର ସାରସ୍ଵତ ଗଳ୍ପ ସମ୍ମାନ-୨୦୨୫ କେନ୍ଦୁଝରର ଅମୀୟ ବେଜଙ୍କୁ ପ୍ରଦାନ କରାଯିବା ବେଳେ କଟକର ନିରୁପମା ବେହେରାଙ୍କୁ ସାରସ୍ଵତ କବିତା ସମ୍ମାନ, କନ୍ଧମାଳର ପତିତପାବନ ରାଉତଙ୍କୁ ସ୍ଵତନ୍ତ୍ର ସାରସ୍ଵତ କବିତା ସମ୍ମାନ, ଯାଜପୁରର ପୂର୍ଣ୍ଣ ଦାସ ଓ ଆନନ୍ଦପୁରର ଯୁବ କବି ଦିଲ୍ଲୀପ କୁମାର ସାହୁଙ୍କୁ ବି ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।
ସୂଚନାଥାଉ ଯେ ଆସନ୍ତା ୨୬ ତାରିଖ ଦିନ ଆନନ୍ଦପୁର ଲେଖକ ସମବାୟ ସମିତିର ଚତୁର୍ଦଶ ବାର୍ଷିକ ଉତ୍ସବରେ ସମସ୍ତଙ୍କୁ ସମ୍ମାନଫଳକ ସହିତ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉଦ୍ଘାଟକ ଭାବେ ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବିଶେଷ ଅତିଥି ଓ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାରସ୍ଵତ ସାଧକ ଡ. ବାବାଜୀ ଚରଣ ପଟ୍ଟନାୟକ ସେଠାରେ ଉପସ୍ଥିତ ରହିବେ । ଏହାସହିତ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ସୁରେଶ କୁମାର ନାୟକ ଓ ସମ୍ମାନିତ ଅତିଥି ରୂପେ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୌଭାଗ୍ୟମୟୀ ନାୟକ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ରମାକାନ୍ତ ନାୟକ, ଡ. ପ୍ରଦୀପ ମହାନ୍ତି, କୀର୍ତ୍ତନ ସାହୁ, ଡ. ଅଶୋକ ପୁହାଣ, ଅନିଲ ସାହୁ ଓ ସମ୍ପାଦକ ରତ୍ନାକର ଦାସ ଉପସ୍ଥିତ ଥିଲେ ।
