ବିଷୁବ ମିଳନର ପ୍ରାକ୍କାଳେ

ଅରୁଣ କୁମାର ମିତ୍ର

ନବ ବରଷର ପୂଣ୍ୟ ବାସରେ
କାଳ ବୈଶାଖୀ ମାରଇ ଉଙ୍କି
ବିଷୁବ ମିଳନେ ମଣିଷଙ୍କ ମେଳ
ସର୍ବେ ହରଷିତ ସଭିଙ୍କୁ ଦେଖି ।

ସକାଳେ ଦିଶିଲା ମେଘୁଆ ପାଗଟେ
ମୃଦୁ ମୃଦୁ ବହେ ଶୀତଳ ବାୟୁ
ଉଷ୍ମତା ହୀନ ଦିନଟି ଆଜି କି
ଶୁଭ ବେଳଟିଏ ଭଲରେ ଯାଉ ।

ଅନନ୍ତ ଆଶା ଭରସାକୁ ନେଇ
ଓଡ଼ିଆର ଏଇ ପହିଲି ଦିନ,
ନାତିଶୀତୋଷ୍ଣ ପରିବେଶ ଦେଖି
ପରମାନନ୍ଦେ ବିତଇ କ୍ଷଣ ।

ପଣା ସଂକ୍ରାନ୍ତି, ଗୃହେ ଗୃହେ ସବା
ପୂଜାପାଠ ଆଦି ସକାଳୁ ଚାଲେ
ଶିଶୁ ମହିଳାର ସଦଭାବନାରେ
ଜୀବନର ଧାରା ଛନ୍ଦେ ତାଳେ ।

ଚୈତ୍ରର ଇତି କୋଇଲି ଉଦାସୀ
ଭାସି ଆସେ କାନେ ମଧୁର ତାନ
ଶାଖାରେ ବସିକି ଡାକେ ଦିନସାରା
ନୂତନ ଦିନକୁ କରେ ଆହ୍ୱାନ ।

ଧୂ ଧୂ ଫାଙ୍କା ବିଲ ଆନନ୍ଦେ ସାମିଲ
ବହେ ନଦୀ ଜଳ ଧୀର ଗତି
କୂଳରେ ତରୁର ଡାଳେଡାଳେ ବସି
ଚଢ଼େଇ ଖେଳନ୍ତି ଫୁଲେଇ ଛାତି ।

ପୁରପଲ୍ଲୀରେ କୋଣରେ କୋଣରେ
ଉତ୍ସବମୁଖର ସନ୍ଧ୍ୟା କାଳ
ବନ୍ଦେ ଉତ୍କଳ ଜନନୀ ଗୀତରେ
କମ୍ପମାନ ଆଜି ସାରା ଉତ୍କଳ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *