ଭୁବନେଶ୍ଵର : କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ୨୦୨୫ ପାଇଁ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର (ଜନ୍ମ ୧୯୮୨) ପାଇବେ ବୋଲି ଗତକାଲି ଏକ ପ୍ରେସ ବିବୃତ୍ତିରେ ଘୋଷଣା କରାଯାଇଛି । ବାଲେଶ୍ଵରର ବିଶିଷ୍ଟ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତି ରକ୍ଷା ନିମନ୍ତେ ଗଠିତ ‘ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି’ ପକ୍ଷରୁ ୨୦୧୭ରୁ ଆରମ୍ଭ ହୋଇଥିବା ଏହି ସ୍ମୃତି ଉତ୍ସବ ଅବସରରେ ପ୍ରତିବର୍ଷ ୪୫ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଓଡ଼ିଆ କବିଙ୍କୁ ଚୟନ କରାଯାଇ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ମନୋନୀତ ହୋଇଥିବା କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ୮ଟି କବିତା ପୁସ୍ତକ ଓ ଗୋଟିଏ ପତ୍ର ଉପନ୍ୟାସର ସ୍ରଷ୍ଟା ହୋଇଥିବା ବେଳେ ଓଡ଼ିଆ କବିତା କ୍ଷେତ୍ରରେ ସେ ବେଶ ପରିଚିତ । ଏବଂ ନିରବଚ୍ଛିନ୍ନ ଭାବେ ସେ କବିତା ସର୍ଜନାରେ ବି ସକ୍ରିୟ ରହିଛନ୍ତି ।
ସୂଚନାନୁଯାୟୀ ସ୍ମୃତି କମିଟି ପକ୍ଷରୁ ଆଗାମୀ ଜୁଲାଇ ୫ ତାରିଖ ରବିବାର ଦିନ ଷ୍ଟେସନ କ୍ଲବ ସଭାଗୃହରେ ଆୟୋଜିତ ହେଉଥିବା ୯ମ ବାର୍ଷିକ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ ପାଳନ ପରିପ୍ରେକ୍ଷିରେ ବିଜୟୀ ପ୍ରତିଭାଙ୍କୁ ମାନପତ୍ର ଓ ଉପଢୌକନ ଅର୍ପଣ କରି ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ କୃଷ୍ଣ କୁମାର ମହାନ୍ତି ଏବଂ ଉତ୍ପଳ ମହାନ୍ତି ଜଣାଇଛନ୍ତି । ଏହି ସ୍ମୃତି ଉତ୍ସବରେ ବିଶିଷ୍ଟ କବି ବିପିନ ନାୟକ ଏବଂ ସୁଖ୍ୟାତ କବି କେ. ଶ୍ୟାମବାବୁ ଦୋରା ଅତିଥି ଭାବେ ଯୋଗ ଦେବାର ମଧ୍ୟ କାର୍ଯକ୍ରମ ରହିଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିବେ ସଭାପତି ସୁବାସ ଚନ୍ଦ୍ର ପାତ୍ର ।