ଭୁବନେଶ୍ଵର : ଭାଷାଭିତ୍ତିକ ଓଡ଼ିଶା ଗଠନ ତଥା ଓଡ଼ିଆ ଭାଷା ଆନ୍ଦୋଳନକୁ ଏକଦା ଶକ୍ତି ଦେଇଥିବା ପତ୍ରିକା ‘ମୁକୁର’ ସ୍ମୃତିକୁ ଆଧାର କରି ପ୍ରକାଶ ପାଇଛି ‘ଓଡ଼ିଆ ସାହିତ୍ୟର ମୁକୁର’ । କଟକ ସିଡ଼ିଏର ଲୋକେ ଏକାଠି ହୋଇ ଏହି ସାହିତ୍ୟ ପତ୍ରିକା ପ୍ରକାଶନ କରିଛନ୍ତି । ପ୍ରଥମ ସଂଖ୍ୟାକୁ ଉନ୍ମୋଚନ କରି ଜଷ୍ଟିସ ଶଶିକାନ୍ତ ମିଶ୍ର ‘ମୁକୁର’କୁ ଏକ ପ୍ରବାହ ବୋଲି କହିଛନ୍ତି । ପୁନଃପ୍ରକାଶନର ଆବଶ୍ୟକତା ଅନେକ ଥିଲା ଏବଂ ଓଡ଼ିଆ ସାହିତ୍ୟ ପାଇଁ ଏହା ଏକ ପ୍ରବାହ ସାଜିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ସେହିପରି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଗୌରହରି ଦାସ ଯୋଗ ଦେଇ ‘ମୁକୁର’ ଏକ ସମ୍ଭାବନା ମଞ୍ଚ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଥିଲେ । ସଦ୍ୟ ପ୍ରକାଶିତ ‘ଓଡ଼ିଆ ସାହିତ୍ୟର ମୁକୁର’ ଷାଣ୍ମାସିକ ଭାବେ ପ୍ରକାଶ ପାଇବ ଏବଂ ଓଡ଼ିଆ ସାହିତ୍ୟର କମ୍ବାଦନ୍ତୀଙ୍କ ଲେଖନୀକୁ ପୁଣିଥରେ ପାଠକଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରିବ ବୋଲି କହିଥିଲେ ସମ୍ପାଦକ ଗୌତମ ସିଦ୍ଦିକ ।
ସୂଚନାଥାଉ ଯେ ଆଜିକୁ ୯୫ ବର୍ଷ ତଳେ ବ୍ରଜସୁନ୍ଦର ଦାସଙ୍କ ଦ୍ଵାରା ପ୍ରକାଶିତ ‘ମୁକୁର’ର ପ୍ରକାଶନକୁ ବନ୍ଦ କରିଦିଆ ଯାଇଥିଲା । ୧୯୦୪ ମସିହାରୁ ୧୯୩୦ ଯାଏ ଏହି ପତ୍ରିକା ଓଡ଼ିଶାର ପୁରପଲ୍ଲୀ ତଥା ବୁଦ୍ଧିଜୀବି ମହଲରେ ବେଶ ପ୍ରଭାବ ପକାଇଥିଲା । ଏହାରି ପଦାଙ୍କ ଅନୁସରଣ କରି ‘ଓଡ଼ିଆ ସାହିତ୍ୟର ମୁକୁର’କୁ କଳ୍ପନା କରାଯାଇଥିବା ଶ୍ରୀ ସିଦ୍ଦିକ କରିଥିଲେ । ଚଳିତ ‘ଓଡ଼ିଆ ସାହିତ୍ୟର ମୁକୁର’ର ଏହି ସଂସ୍କରଣରେ ୨୬ ଜଣ ଲେଖକଙ୍କ ଲେଖା ସ୍ଥାନ ପାଇଛି । ଏହି ଉନ୍ମୋଚନ ଉତ୍ସବରେ ପ୍ରଫେସର ଅକ୍ଷୟ ଦାସ ସଭାପତ୍ୟତ୍ଵ କରିଥିଲେ । ଛବିରାଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।