ବିନୟ ମହାପାତ୍ର

ଜୀବନର ଅଗଣାରେ
କେବେ ଫୁଲ,
କେବେ କଣ୍ଟା ବିଛାଇ
ଯୌବନ ମୋ ସାଥେ
ନିତିନିତି ଲୁଚକାଳି ଖେଳୁଥିଲା,
ମୋ ହାତ ଛାଡ଼ି ଚାଲିଯିବ ବୋଲି
ନିତି ନୂଆନୁଆ
ବାହାନା ଖୋଜୁଥିଲା ।
ମୁଁ ସଂଶୟରେ ରହିଗଲି,
ନା ଫୁଲ ସବୁ ଗୋଟାଇ ପାରିଲି,
ନା ପାଦରୁ କଣ୍ଟା ବାହାର କଲି,
ନିଜେ ସଂସାରର ବନ୍ଧନର
ନାଗ ଫାଶେ ବନ୍ଦି ହୋଇଗଲି ।
କ୍ଷତାକ୍ତ ପାଦର ଯନ୍ତ୍ରଣା ସହି
ମୋ ଦାୟିତ୍ଵର ବୋଝ ବୋହିବୋହି
ନିତି ବାଟବଣା ହେଉଥିଲି,
ମୁଣ୍ଡର ବୋଝ ଓହ୍ଲାଇ ହେଲାନି,
ଆଉ ଭିନ୍ନଭିନ୍ନ ପରିଚୟ ଖୋଳପାରୁ
ନିଜକୁ ମୁକୁଳାଇ ପାରିଲିନି ।

ଜୀବନର ଯନ୍ତ୍ରଣା ସହି
ଆଉ କେତେଦିନ,
ବିଚରା ଯୌବନ ମୋତେ
ଅପେକ୍ଷା କରିଥାନ୍ତା
ସେ ବି ମୁଁହ ମୋଡ଼ିନେଲା,
ମୋତେ ଛାଡ଼ି,
ଆପଣାର ବାଟେ ଚାଲିଗଲା ।
ଆଉ, ମୁଁ ଦୁନିଆର ଭିଡ଼ରେ
ନିଜକୁ ହଜାଇ,
ଆଉଥରେ ନିଜକୁ ଖୋଜୁଥିଲି,
ଜୀବନର ଅନ୍ଧ ଗଳିରେ ବାଟବଣା ହୋଇ
ନିଜସ୍ୱ ଠିକଣା ପଚାରୁଥିଲି,
ମୋର ପୁରୁଣା ଦିନ ସବୁ
ଫେରାଇ ଦେବାକୁ,
ଦର୍ପଣ ସାମ୍ନାରେ
ବାରମ୍ବାର ନେହୁରା ହେଉଥିଲି ।

ଗଲାବେଳେ ଯୌବନ
କେବଳ ଏତିକି ପଚାରିଲା,
ଜୀବନକୁ ଭୋଗିବାକୁ
କେତେ ଯେ ସୁଯୋଗ ମିଳିଲା,
କେତେ ଯେ ସାଧନ ଥିଲା,
ହେଲେ ସୁଖ ସବୁ ଭୋଗିବାକୁ
କିଏ ତୋତେ ମନା କରିଦେଲା?
ସବୁବେଳେ ଅନ୍ୟର ଖୁସି ପାଇଁ
ନିଜ ସୁଖ କଥା ପଛକୁ ଘୁଞ୍ଚାଇଦେଲୁ,
ଆଉ କାହା ସ୍ୱପ୍ନ ସାକାର କରିବାକୁ
ନିଜ ଖୁସି, ନିଜର ସ୍ୱପ୍ନକୁ ଭୁଲିଲୁ !

ଆଜି ମୁଁ, ସବୁ ଅମିମାଂସିତ ପ୍ରଶ୍ନର
ଉତ୍ତର ମାଗୁଛି,
ମୋ ସୁନେଲି ପୁରୁଣାଦିନ ଗୁଡ଼ିକୁ
ଆଉଥରେ ମନେମନେ ଖୋଜୁଛି ।
ସମୟର ହରଡ଼ଘଣା
ପ୍ରାଣରୁ ମୋ ତେଲ ନିଗାଡ଼ି ଦେଲା,
ଆଜି ସମୟର ଘୂର୍ଣ୍ଣିବାତ୍ୟାରୁ
ମୁକୁଳିବାର ପଥ ଖୋଜୁଥିଲି,
ବାହୁଡ଼ିବା ବାଟ ନଜାଣି,
ଚକ୍ରବ୍ୟୁହ ମଝିରେ,
ଅସହାୟ ଅଭିମନ୍ୟୁ,
ଶେଷେ ବଳି ପଡ଼ିଗଲି ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *