ବିଶ୍ୱେଶ୍ୱର ମାଝୀ

ପ୍ରଥମଂ ଶୈଳ ପୁତ୍ରୀତି ଦ୍ଵିତୀୟଂ ବ୍ରହ୍ମଚାରିଣୀ
ତୃତୀୟ ଚନ୍ଦ୍ର ଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ।
ପଞ୍ଚମ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀ ତଥା
ସପ୍ତମ କାଳରାତ୍ରେତି ମହାଗୌରୀତି ଚାଷ୍ଟମମ୍
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ ।” (ଦେବୀ କବଚ ସ୍ତୋତ୍ର)

ବାସନ୍ତିକ ବା ଶାରଦୀୟ ଦୁର୍ଗୋତ୍ସବ ସହ ଜଡ଼ିତ ଅନ୍ୟ ଏକ ସାତ୍ତ୍ଵିକ ପରମ୍ପରା ହେଉଛି ନବରାତ୍ର । ଚୈତ୍ର ବା ଆଶ୍ୱିନର ଶୁକ୍ଳପକ୍ଷ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ଏହା ଏକ ଦୀର୍ଘ ଉତ୍ସବ । ଏହାକୁ ଉତ୍ସବ କହିବା ଅତ୍ୟୁକ୍ତି ହେବ କାରଣ ନବରାତ୍ର ପାଳନ ତ୍ୟାଗ ଓ ସାଧନା ଉପରେ ପର୍ଯ୍ୟବେସିତ । କୁମାରୀ ଗୌରୀ କନ୍ୟାମାନଙ୍କୁ ଏହି ନଅ ଦିନ ଧରି ନବଦୁର୍ଗା ବା ଦେବୀ ମହାମାୟା ରୂପରେ ଆନୁଷ୍ଠାନିକ ପୂଜନ ସହ ଦିବ୍ୟଭୋଜନ ପ୍ରଦାନ, ଏହାର ଅଭିନ୍ନ ଅଙ୍ଗ ।

ଆମ ଦେଶରେ କନ୍ୟା ଭୃଣହତ୍ୟା ଓ ପୁତ୍ର ସନ୍ତାନ ତୁଳନାରେ କନ୍ୟା ସନ୍ତାନକୁ ଅବଜ୍ଞାରେ ପାଳନର କୁତ୍ସିତ ପରମ୍ପରା ବିରୁଦ୍ଧରେ, ଏହା କନ୍ୟା ସନ୍ତାନମାନଙ୍କୁ ଶ୍ରଦ୍ଧା କରିବା ଶିଖାଇବାକୁ ଏକ ଅମୋଘ ଅସ୍ତ୍ର । କାରଣ ଆମେ ବାସ୍ତବ ଜୀବନରେ ଯେଉଁ ମୂଷା, ସର୍ପ ପେଚା ଆଦିଙ୍କୁ ଯେଭଳି ଶତ୍ରୁତା ଆଚରଣ କରୁ, ଧର୍ମୀୟ ବିଶ୍ଵାସରେ ସେମାନଙ୍କ ପ୍ରତିମୂର୍ତ୍ତିଙ୍କୁ ସେତିକି ଶ୍ରଦ୍ଧା/ଭକ୍ତି କରୁ ।

ଜୟଦେବକୃତ ଗୀତଗୋବିନ୍ଦର ଦଶାବତାର ମାନବ ସଭ୍ୟତାର କ୍ରମବିକାଶ ପରି ନବମାତୃକା ବା ନବଦୁର୍ଗା ନାରୀଜାତିର କ୍ରମବିକାଶର ଏକ ସୁନ୍ଦର ଚିତ୍ର:

ପ୍ରଥମ ନବରାତ୍ରର ମାତା ଶୈଳପୁତ୍ରୀ: ହିମାଳୟଙ୍କ କନ୍ୟା ଭାବରେ ଜନ୍ମ ନେଇଥିବା ମାତାଙ୍କ ରୂପ ଶୈଳପୁତ୍ରୀ ଭାବରେ ଗ୍ରହଣ କରାଯାଇଛି । ନାରୀ ଜୀବନର ପ୍ରଥମ ଅବସ୍ଥା ବାଳକନ୍ୟା ରୂପରେ ମାତୃରୂପ ଅନୁଭବ କରି ପୂଜନ କରିବା ପାଇଁ ଏହା ସୂଚିତ କରେ ।

ଦ୍ଵିତୀୟ ନବରାତ୍ରର ମାତା ବ୍ରହ୍ମଚାରିଣୀ:
ବାଳିକାଟିଏ ଜନ୍ମ ପରେ କୈଶୋର, ପୌଗଣ୍ଡାଦି ଅତିକ୍ରମ କରି ବିବାହଯୋଗ୍ୟା ହେଲେ ଉତ୍ତମ ବରପ୍ରାପ୍ତି ନିମନ୍ତେ ସାଧନା ବା ତପସ୍ୟାରତ ହୁଏ । ଏ ପରମ୍ପରା ସୃଷ୍ଟି ସମୟରେ ସମାଜରେ ନାରୀ ପରାଧୀନ ହୋଇଥିବାରୁ ଏକ ଉତ୍ତମ ବରପାତ୍ର ପାଇଁ ତପସ୍ୟା କରିବା ସ୍ୱାଭାବିକ । ଶିବଙ୍କୁ ପାଇବାକୁ ମାତା ପାର୍ବତୀ ବ୍ରହ୍ମଚାରିଣୀ ବ୍ରତ ପାଳନ ସମୟରେ ସିଦ୍ଧ ମୁନିଗଣ ତାଙ୍କୁ ସେଥିରୁ ବିରତ ରହିବାକୁ ନାନା ପ୍ରଚେଷ୍ଟା କରି ବିଫଳ ହୋଇଥିଲେ । ଏହି ବ୍ରହ୍ମଚାରିଣୀ ଅବସ୍ଥାର ନାରୀ ସମାଜର ବନ୍ଦନୀୟା, କାରଣ ଏକ ଉତ୍ତମ ପରିବାର ଗଠନ ପାଇଁ ଏହି କଠିନ ବ୍ରତ ।

ତୃତୀୟ ନବରାତ୍ରର ମାତା ଚନ୍ଦ୍ରଘଣ୍ଟା: ଏକ ଯୁବତୀ ନାରୀର ପଦେପଦେ ବିପଦ । ତା’ର କୁମାରୀତ୍ୱ ସୁରକ୍ଷିତ ରଖିବା, ଯୁବତୀଟିଏ ପାଇଁ ଏକ ବିଶାଳ ସମସ୍ୟା । ତେଣୁ ଯୁବତୀଟିଏ ଆତ୍ମରକ୍ଷା ପାଇଁ ଘଣ୍ଟା ଶବ୍ଦର ଆଶ୍ରୟ ନିଏ । ଅପରପକ୍ଷ ଦ୍ଵାରା ସୁରକ୍ଷା ଉପରେ ବିପଦ ଆସିଲେ, ନାରୀ ଘଣ୍ଟା ବଜାଇ ବା ଜୋର ଶବ୍ଦ କରି ପ୍ରତିପକ୍ଷକୁ ଭୟଭୀତ କରାଇବା ସହ ସମାଜର ସାହାଯ୍ୟ ଭିକ୍ଷା କରିଥାଏ । ବ୍ରହ୍ମଚାରିଣୀ, ଯୋଗ୍ୟ ପତି ପାଇବାକୁ ପ୍ରତ୍ୟହ ମନ୍ଦିର ଯାଇ ଘଣ୍ଟା ବଜାଇ ଇଶ୍ଵରଙ୍କ ଆସନ ଦୋହଲାଇ ଦିଏ । ନାରୀର କୁମାରୀତ୍ୱ ସୁରକ୍ଷିତ ରଖିବା ତଥା ଯୋଗ୍ୟ ବର ପ୍ରାପ୍ତି ନିମନ୍ତେ ଏହି ତ୍ୟାଗ ପାଇଁ ଚନ୍ଦ୍ରଘଣ୍ଟା ଅବସ୍ଥାରେ ନାରୀ ଶତତ ପ୍ରଣମ୍ୟା ।

ଚତୁର୍ଥ ନବରାତ୍ରର ମାତା କୁଷ୍ମାଣ୍ଡା:
ଉପଯୁକ୍ତ ବର ପ୍ରାପ୍ତ ହେଲେ ସ୍ଵାଭାବିକ ଭାବରେ ନାରୀଟିଏ ସନ୍ତାନସମ୍ଭବା ହୋଇଥାଏ । ସୃଷ୍ଟି ଚାରି ପ୍ରକାରର: ଅଣ୍ଡଜ, ସ୍ୱେଦଜ, ଜରାୟୁଜ ତଥା ଉଦ୍ଭିଦଜ । ଅନ୍ୟ ତିନି ପ୍ରକାର ମାତୃତ୍ୱର କଷ୍ଟ ଓ ସାଧନା ଜାଜୁଲ୍ୟମାନ ହୋଇନଥାଏ । ମାତ୍ର ଅଣ୍ଡଜ ସନ୍ତାନ ସୃଷ୍ଟିରେ ମାଆଟିଏ କିପରି ଆହାର ତ୍ୟାଗ କରି ଅଣ୍ଡାକୁ ଉଷୁମ କରେ ଓ ଅନେକ ଦିନର ସାଧନା ପରେ ସେଥିରୁ ଶାବକ ଜନ୍ମ ନିଅନ୍ତି, ତାହା ହୃଦୟକୁ ଅଭିଭୂତ କରେ । କୁ+ଉଷ୍ମ+ଅଣ୍ଡ= କୁଷ୍ମାଣ୍ଡ, ଯାହାର ସ୍ତ୍ରୀଲିଙ୍ଗ ଭାବରେ କୁଷ୍ମାଣ୍ଡା ରୂପୀ ବା ସନ୍ତାନସମ୍ଭବା ନାରୀ ସମାଜର ଅଗ୍ରପୂଜ୍ୟା ।

ପଞ୍ଚମ ନବରାତ୍ରର ମାତା ସ୍କନ୍ଦମାତା: ଦେବ ସେନାପତି କାର୍ତ୍ତିକଙ୍କ ଅନ୍ୟନାମ ସ୍କନ୍ଦ । ଏହି ରୂପରେ ସନ୍ତାନ ପ୍ରସବ ପରେ ନାରୀ ଲାଳନପାଳନ କରିବାର ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ଏହି ସମୟରେ ସେ ବାହ୍ୟ ଶତ୍ରୁ ପ୍ରତି ଶତତ ସତର୍କ ଥାଏ । ମର୍କଟ ଜାତିରେ ପୁରୁଷ ମର୍କଟ, ନର ଶାବକକୁ ବଞ୍ଚିବାକୁ ଦିଏ ନାହିଁ । ପୁରୁଷ ଦୃଷ୍ଟି ଆଢୁଆଳରେ ତାକୁ ବଞ୍ଚାଇ, ବଡ଼ କରିବା ମାଆ ପାଇଁ ଏକ ବିଷମ ସମସ୍ୟା । ସୁଧାର ଗାଈଟିଏ ମଧ୍ୟ ବାଛୁରିକୁ ସୁରକ୍ଷା ଦେବାକୁ ସିଂହ ସହ ଲଢିପାରେ । କୁକୁଡ଼ା ପରି ନିରୀହ ତଥା ଉଡ଼ି ପାରୁନଥିବା ପକ୍ଷୀଟିଏ, ଚିଲ ଭଳି ସୁଉଚ୍ଚ ଉଡ଼ିବା ପକ୍ଷୀ ସହ ଆକାଶରେ ଉଚ୍ଚକୁ ଉଡ଼ି ତା ଶାବକକୁ ରକ୍ଷା କରିବାର ବହୁ ଉଦାହରଣ ଅଛି । ଇଶ୍ଵର ମଧ୍ୟ ବରଦାନ ସ୍ୱରୂପ ମାତାର ସ୍ତନ୍ୟରେ ଅମୃତ ଧାରା ଓ ରୋଗ ପ୍ରତିଷେଧକ ଶକ୍ତି ଭରିଦେଇଛନ୍ତି । ମାତୃତ୍ୱ ପ୍ରାପ୍ତ ନାରୀର ଏଭଳି ସାଧନା ପାଇଁ ସମାଜ ମାତୃରୂପା ନାରୀ ନିକଟରେ ଚିର ଋଣୀ ଓ ଉପାସକ ।

ଷଷ୍ଠ ନବରାତ୍ରର ମାତା କାତ୍ୟାୟନୀ: ମହିଷାସୁର ଅତ୍ୟାଚାରରେ ତ୍ରିପୁର ତ୍ରାହି ତ୍ରାହି ଡାକୁଥିବାବେଳେ ଦେବତାମାନଙ୍କର ତେଜପୁଞ୍ଜରୁ ଏକ ଦେବୀମୂର୍ତ୍ତି ସୃଷ୍ଟି ହୋଇଥିଲେ, ଯିଏ ଅତ୍ୟନ୍ତ ବୀରା ଓ ଯୋଦ୍ଧୃ ଗୁଣଯୁକ୍ତ ହୋଇ ମହିଷାସୁରକୁ ସଦଳବଳେ ବଦ୍ଧ କରିଥିଲେ । ମାତ୍ର ସୃଷ୍ଟି ସମୟରେ ଦେବତାଙ୍କ ତେଜପୁଞ୍ଜ ଊଣା ପଡ଼ିବାରୁ କାତ୍ୟାୟନ ଋଷି ତାଙ୍କ ତେଜ ଦାନ କରିଥିଲେ । ସେଥିପାଇଁ ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ଅନ୍ୟ ଏକ ନାମ କାତ୍ୟାୟନୀ ।

ନିଜ ସନ୍ତାନ ମାନଙ୍କର ବା ପରିବାରର ଦୁଃସମୟରେ ନାରୀ ରକ୍ଷାକାରିଣୀ ଭୂମିକାରେ ଆବଶ୍ୟକ ହେଲେ ରଣାଙ୍ଗନକୁ ମଧ୍ୟ ଓହ୍ଲାଇଥାଏ । ପରିବାରର ସବୁ ଦୁଃଖକୁ ଚନ୍ଦନ ପରି ମଥାରେ ବୋଳି ସୁଖ ବାଣ୍ଟିବା ପ୍ରୟାସ କରେ । ନାରୀଟିଏ ଅଣ୍ଟା ଭିଡ଼ିଲେ ହାରିବା ତା ଜାତକରେ ନଥାଏ । ମାତା ଦୁର୍ଗା ଯେପରି ସମାଜର ଆବଶ୍ୟକତା ପାଇଁ ବିବସନା ହେବାକୁ ମଧ୍ୟ ପଶ୍ଚାଦପଦ ହୋଇନଥିଲେ, ସେଭଳି ଅନେକ ଉଦାହରଣ ରଖିଯାଇଛନ୍ତି ରାଣୀ ଲକ୍ଷ୍ମୀବାଈ, ଆଜାଦ ହିନ୍ଦର ନାୟିକା ଲକ୍ଷ୍ମୀ ସେହଗଲ, କଳ୍ପନା ଚାୱଲା ଆଦି ପୂଜ୍ୟା ମହିଳାଗଣ । ପିତ୍ରାଳୟ ତଥା ଶ୍ୱଶୁରାଳୟ ଉଭୟ କୁଳରେ ନିଜର ମହତ୍ଵ ପ୍ରତିପାଦନ କରି ନାରୀ “ଦୁହିତା ଦୁଇ କୁଳକୁ ହିତା” ପଦବାଚ୍ୟ ହୋଇଥାଏ ।

ନବରାତ୍ରର ନଅଟି ରୂପ ମଧ୍ୟରେ ଜଗଜ୍ଜନନୀଙ୍କ ଏହି ରୂପ ବର୍ଣ୍ଣନାତୀତ ତଥା ଶକ୍ତିସ୍ୱରୂପିଣୀ ଭାବରେ ବ୍ରହ୍ମା, ବିଷ୍ଣୁ, ଶିବଙ୍କର ମଧ୍ୟ ପୂଜିତା । ପରିବାର ଓ ସନ୍ତାନର ରକ୍ଷାକର୍ତ୍ତ୍ରୀ ଭାବରେ ନାରୀର କାତ୍ୟାୟନୀ ରୂପ ତାକୁ ଜଗତବନ୍ଦ୍ୟା କରିଥାଏ ।

ସପ୍ତମ ନବରାତ୍ରୀର ମାତା କାଳରାତ୍ରୀ: ସବୁ ଦୁଃଖ ଦୁର୍ଦ୍ଦଶାର ଗରଳ ପାନ କରି ପରିବାର ପାଇଁ କଲ୍ୟାଣୀ, ମମତାମୟୀ ଓ ରକ୍ଷାକବଚ ସାଜିଥିବା ନାରୀର ସାମାନ୍ୟ ଦୋଷ ବା ତୃଟି ନଥାଇ ମଧ୍ୟ ସମାଜ ତା ଚରିତ୍ରରେ ଲାଞ୍ଛନ ଲଗାଇ ଆନନ୍ଦ ପାଏ । ନାରୀର ମର୍ଯ୍ୟାଦା ଉଲ୍ଲଙ୍ଘନ କରି ପରିବାରକୁ ସୁରକ୍ଷା ଦେଲେ ମଧ୍ୟ, ଲାଞ୍ଛନା ସହି, ସେ ହୋଇଉଠେ ଉଗ୍ରରୂପା କାଳୀ । ତା ସମ୍ମୁଖକୁ ସେ ସମୟରେ ଯିଏ ଆସିଲା, ସିଏ ତ୍ରାହି ପାଇବ ନାହିଁ ।

ସେଥିପାଇଁ କାଳରାତ୍ରୀ ନାରୀର ସବୁଠାରୁ ଭୟଙ୍କର ରୂପ । ନାନା କଷ୍ଟ ସ୍ଵୀକାର କରି ସନ୍ତାନଗଣଙ୍କୁ ଛିଡ଼ା କରିଥିବା ମାଆ, ଅନେକ ସମୟରେ ପ୍ରୌଢ଼ତ୍ଵ ବା ବାର୍ଦ୍ଧକ୍ୟରେ ହୁଏ ଲାଞ୍ଛିତା, ଉପେକ୍ଷିତା ବା ଉପହସିତା । ସେତେବେଳେ ନାରୀର ପ୍ରତିକ୍ରିୟା କଟୁ ହୋଇଥିବାରୁ ସମାଜ କଳିହୁଡ଼ି (କାଳୀ) ଆଖ୍ୟା ଦେବାକୁ ପଶ୍ଚାତ୍ପଦ ହୁଏ ନାହିଁ । ସେହି ରୂପରେ ମଧ୍ୟ ନାରୀ ସମସ୍ତଙ୍କୁ ଅବଦମିତ କରେ, ଆଦାୟ କରେ ତାଙ୍କର ପୂଜା, ନତୁବା ଭୟ ଦେଖାଏ, ସେ ସବୁ ଧ୍ଵଂସ କରିବ, ବିନାଶ କରିବ, ତାଣ୍ଡବ ରଚିବ। ସେହି ଅବସ୍ଥାରେ ନାରୀସୁଲଭ ଲଜ୍ଜା, ଲାଳିତ୍ୟ, ସୌନ୍ଦର୍ଯ୍ୟ ଆଦି ଅପେକ୍ଷା ନାରୀ ପୁରୁଷୋଚିତ ଉଗ୍ର ବ୍ୟବହାର କରିଥାଏ । ସମାଜକୁ ଭୟଭୀତ କରି ସମ୍ମାନ ଓ ଭକ୍ତି ଆଦାୟ କରେ । ସେହି ରୂପରେ ସେ କାଳରାତ୍ରୀ, ମହାକାଳୀ, କରାଳୀ, ନୃମୁଣ୍ଡମାଳିନୀ, ରକ୍ତପିପାସୁ ହୋଇ ସମାଜ ଠାରୁ ସମ୍ମାନ ଆଦାୟ କରେ ।

ଅଷ୍ଟମ ନବରାତ୍ରର ମାତା ମହାଗୌରୀ: ଅଷ୍ଟମ ଅବସ୍ଥା ଏକ ସମ୍ମାନଜନକ ଅବସ୍ଥା ତଥା ଶୁଭଙ୍କର ଭାବରେ ପରିଗଣିତ । ନିଜର ତ୍ୟାଗ, ଶୌର୍ଯ୍ୟ, ପରାକ୍ରମ, ସଂଯମ, ସହନଶୀଳତା, ସୁରକ୍ଷା, ଆଦି ସୁଗୁଣ ତଥା ଆବଶ୍ୟକ ପଡ଼ିଲେ କରାଳ ରୂପ ପ୍ରଦର୍ଶନ କରି ସମାଜର ସମ୍ମାନ ପ୍ରାପ୍ତ କଲାପରେ ଝଡ଼ବାତ୍ୟା ପରର ଅବସ୍ଥା ପରି ଏକ ଶାନ୍ତ ରୂପରେ ମାତାମହୀ ଭୂମିକାରେ ଅବତୀର୍ଣ୍ଣ ହୁଏ ନାରୀ । ଅତ୍ୟନ୍ତ ସ୍ନେହଶୀଳା ତଥା ଯତ୍ନଶୀଳା ହୋଇ ତୃତୀୟ ପିଢିର ଲାଳନପାଳନରେ ବ୍ରତୀ ମାତାମହୀଙ୍କୁ ଉଭୟ ପିଢି ଶ୍ରଦ୍ଧା ଓ ସମ୍ମାନର ସହିତ ଆଦର ସତ୍କାର କରନ୍ତି । ତାଙ୍କଠାରେ ଅଦେୟ କିଛି ନଥାଏ । ସାମାନ୍ୟ ପ୍ରଚେଷ୍ଟାରେ ସେ ବରଦାୟ ବା ମହାଗୌରୀ ଭାବରେ ପୂଜନୀୟା ।

ନବମ ନବରାତ୍ରର ମାତା ସିଦ୍ଧିଦାତ୍ରୀ: ନାରୀ ଈଶ୍ଵରଙ୍କ ପ୍ରତିରୂପ । ଅର୍ଦ୍ଧନାରୀଶ୍ୱର ହେଉ କି ପ୍ରକୃତି-ପୁରୁଷ ହେଉ, ସବୁଠାରେ ପାଳନର ରୂପ ସ୍ତ୍ରୀଲିଙ୍ଗ । ସେଥିପାଇଁ ଜଗନ୍ନାଥ ସମସ୍ତଙ୍କର ସ୍ବାମୀ ହେଲେ ମଧ୍ୟ ଅଭ୍ୟନ୍ତରରେ ସ୍ତ୍ରୀ ରୂପ ହେତୁ ସେପରି ଅଳଙ୍କାର, ଆଭୂଷଣ ତଥା ଖଣ୍ଡୁଆ ପାଟ ପରିଧାନ କରନ୍ତି ।

ଉପରୋକ୍ତ ଆଠଟି ସ୍ତର ଦେଇ ନାରୀର ସହିଷ୍ଣୁତା, ମହନୀୟତା, ଓଜଃଶୀଳତା, ଦୟା, କ୍ଷମା, ସ୍ନେହ, ସଦିଚ୍ଛା, ତ୍ୟାଗ, ତପସ୍ୟା ଆଦି ଆଚରଣ ପ୍ରମାଣିତ କରି ତଥା “କାର୍ଯ୍ଯେଷୁ ମନ୍ତ୍ରୀ, କରଣେଷୁ ଦାସୀ, ଭୋଜ୍ୟେଷୁ ମାତା, ଶୟନେଷୁ ରମ୍ଭା” ବିଶିଷ୍ଟ ଗୁଣାବଳୀ ପାଇଁ, ସବୁରୂପରେ ନାରୀ; ଜନନୀ, ଭଗିନୀ, ଜାୟା ଓ କନ୍ୟା, ସବୁରୂପରେ ଆଶିଷଦାୟିନୀ ମାତାଟିଏ । ତେଣୁ ନାରୀର ଯଥୋଚିତ ବନ୍ଦନା, ଅର୍ଚ୍ଚନା କଲେ ସକଳ ସିଦ୍ଧିଦାନ ପାଇଁ ସେ ସମର୍ଥା । ଭାରତୀୟ ସଂସ୍କୃତିରେ:
“ଯତ୍ର ନାର୍ଯ୍ୟସ୍ତ ପୂଜ୍ୟନ୍ତେ, ରମନ୍ତି ତତ୍ର ଦେବତା ।”

ବୈକୁଣ୍ଠ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

2 thoughts on “ନାରୀର କ୍ରମ ପ୍ରଗତି

  1. ଖୁବ ଉପାଦେୟ , ସଂସ୍କୃତି ସଚେତ ,ଜ୍ଞାନଦୃପ୍ତ ତଥା ଭାବଗର୍ଭକ ଆଲେଖ୍ଯ ପାଇଁ ହୃଦୟରୁ ଆପଣଙ୍କୁ ସଦିଚ୍ଛା ଏବଂ ସଶ୍ରଦ୍ଧ ସମ୍ମାନ
    ଜଣାଉଛି ।

    ଜୟ ଜଗନ୍ନାଥ

  2. ନାରୀ ଶବ୍ଦ ର ପୁଙ୍ଖାନୁପୁଙ୍ଖ ଆଲୋଚନା ଆପଣଂକ ଲେଖାର ମୁଖ୍ୟ ବିଷୟ ବସ୍ତୁ. କିନ୍ତୁ ଏତେ ସୁନ୍ଦର ଶବ୍ଦ ର ସଂଯୋଜନା ଖୁବ କମ ପଢ଼ିଛି. ପ୍ରକୃତରେ ପ୍ରକୃତି ର ପ୍ରକୃତ ମାନସାଙ୍କ ଆପଣ ଲେଖି ଦେଇଗଲେ

Leave a Reply

Your email address will not be published. Required fields are marked *