ପରିଚୟେ ଧର୍ମମଙ୍ଗ

ମଧୁମିତା ମିଶ୍ର

ଜନ୍ମରୁ ନାମରେ ପରିଚିତ ନର କର୍ମେ ଉତ୍ତର ଜୀବନେ
ପରିବାର ବନ୍ଧୁ ସାଙ୍ଗ ମହଲରେ ଆପଣା ପର ଗହଣେ
କିଏ ଜାଣେ ସେ ଯେ ସନ୍ତାନ ତାଙ୍କରି କିଏ କୁହେ ସହୋଦର
କିଏ ପୁଣି କୁହେ ସଙ୍ଗୀ ତୁମେ ମୋର ଏ ଜନ୍ମ ଆରଜନ୍ମର ।

ଜୀବନ ଜୀବିକା ପରିଚୟ ଦିଏ ସେବା ସାହାଯ୍ୟ ବି ଦିଏ
ମନ ମଧ୍ୟେ ସ୍ଥିତ ଈଶ୍ୱର ନାମରେ ଧର୍ମ ପରିଚୟ ଦିଏ
କେଉଁ ରୂପେ ସତେ ଦେଖିବ ପରମେ ଅଦେଖା ରୂପ ଯାହାରି
ଧାର୍ମିକ ବିଶ୍ୱାସ ବଳେ କିନ୍ତୁ ସଦା ନାମରେ ହୁଏ ଗୁହାରି ।

ମଣିଷ ଜନ୍ମର ପରିଚୟ କଣ କର୍ମ ହୁଏ ନାହିଁ କେବେ
ସଂକୀର୍ଣ୍ଣ ଧର୍ମର ଦାୟରେ ବିଭକ୍ତ ସତେ ସମାଜ କି ଭବେ
ଧର୍ମ କି ଶିଖାଏ ହିଂସା ଘୃଣା ଦ୍ୱେଷ ଅସହ୍ୟ ଅସୂୟା ଭାବ
ଧର୍ମ କି ଶିଖାଏ ରକ୍ତପାତ ସତେ ରଚେ କି ମୃତ୍ୟୁ ତାଣ୍ଡବ ।

ସୂର୍ଯ୍ୟ ଚନ୍ଦ୍ର ତାରା ମରୁତ ସମାନ ଅଭିନ୍ନ ରକ୍ତର ରଙ୍ଗ
ଧର୍ମ ପରିଚୟେ ସଂହାର କରିବା ଅଟେ କେଉଁ ଧର୍ମମଙ୍ଗ ।

ଭୁବନେଶ୍ଵର, ଖୋର୍ଦ୍ଧା, ମୋ – ୯୪୩୮୪୭୦୮୦୭

ଲେଖକ ପରିଚୟ

“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।

Related Posts

Leave a Reply

Your email address will not be published. Required fields are marked *