ପୁସ୍ତକରେ ଲୋକସମ୍ପର୍କର ଆମୂଳାନ୍ତ ବିଭବ

ପୁସ୍ତକ: ଲୋକସମ୍ପର୍କ ଓ କର୍ପୋରେଟ ଯୋଗାଯୋଗ
ଲେଖକ: ଡ. ମୃଣାଳ ଚାଟାର୍ଜୀ ଓ ସୌମ୍ୟ ରଞ୍ଜନ ବିହାରା
ପ୍ରକାଶକ: ଶେଫାଳୀ କମ୍ୟୁନିକେଶନ୍ସ, ଢେଙ୍କାନାଳ
ପୃଷ୍ଠା: ୨୪୮
ମୂଲ୍ୟ: ୩୦୦ ଟଙ୍କା
ସମୀକ୍ଷା: ହରପ୍ରିୟା ଷଡ଼ଙ୍ଗୀ

____________________

ଗଣମାଧ୍ୟମ, ଗଣ ଯୋଗାଯୋଗ ଓ ସମାଜର ଏକ ପ୍ରମୁଖ ଅଙ୍ଗ ହେଉଛି ଲୋକସମ୍ପର୍କ । ପୂର୍ବର ପାରମ୍ପରିକ ପ୍ରଚାରପତ୍ର ସହ ଅତ୍ୟାଧୁନିକ କୃତ୍ରିମ ମେଧାଯୁକ୍ତ ଚାଟ୍‍ ବଟ୍‍ର ପ୍ରୟୋଗ ‘ଲୋକସମ୍ପର୍କ’ରେ କରାଯାଉଛି । ଏନେଇ ଲୋକସମ୍ପର୍କ ଅଧିକାରୀମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଛନ୍ତି । ଏମିତି ଏକ ସ୍ଥିତିରେ ଲୋକସମ୍ପର୍କର ଆମୂଳାନ୍ତ ବିଭବକୁ ନେଇ ପ୍ରକାଶିତ ହୋଇଛି ପୁସ୍ତକ ‘ଲୋକସମ୍ପର୍କ ଓ କର୍ପୋରେଟ୍‍ ଯୋଗାଯୋଗ’ । ଭାରତୀୟ ଜନସଞ୍ଚାର ସଂସ୍ଥାନ ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଓ ଏକାଡେମିକ ଆସୋସିୟେଟ୍‍ ସୌମ୍ୟ ରଞ୍ଜନ ବିହାରାଙ୍କ ଦ୍ୱାରା ରଚିତ ଏହି ପୁସ୍ତକର ପ୍ରକାଶନ କରିଛନ୍ତି ଢେଙ୍କାନାଳର ଶେଫାଳୀ କମ୍ୟୁନିକେଶନ୍ସ ।

ଓଡ଼ିଆ ଭାଷାରେ ଗଣମାଧ୍ୟମ ସମ୍ପର୍କିତ ଖୁବ୍‍ କମ୍‍ ସଂଖ୍ୟକ ବହି ପ୍ରକାଶିତ ହୋଇଛି । ତେବେ ଲୋକସମ୍ପର୍କ ଉପରେ ସେମିତି କିଛି ବହି ପ୍ରାୟତଃ ନାହିଁ । ଲୋକସମ୍ପର୍କ ଉପରେ ଏହା ହେଉଛି ସମ୍ଭବତଃ ପ୍ରଥମ ଓଡ଼ିଆ ବହି । ଏଥିରେ ଲୋକସମ୍ପର୍କର ଇତିହାସ ଓ କ୍ରମବିକାଶଠାରୁ ଆରମ୍ଭ କରି ଏହାର ବିଭିନ୍ନ ମଡେଲ୍‍, ଥିଓରୀ, ଉପାଦାନ, କୌଶଳ ଓ ବିଭିନ୍ନ ବିଭବ ଉପରେ ଅଧ୍ୟାୟମାନ ରହିଛି । ଏହାସହ ଲୋକସମ୍ପର୍କର ବ୍ୟାବହାରିକ ଦିଗଟି ଉପରେ ମଧ୍ୟ ଏହି ପୁସ୍ତକରେ ବେଶ୍‍ ଭଲ ଭାବରେ ଆଲୋଚନା କରାଯାଇଛି । ପ୍ରେସ୍‍ ବିଜ୍ଞପ୍ତିଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ, ନିଉଜ୍‍ଲେଟର, କାର୍ଯ୍ୟକ୍ରମ ପରିଚାଳନା ଆଦି ଅନେକ ବିଷୟ ପ୍ରତି ଦୃଷ୍ଟି ଦିଆଯାଇଛି । ସେହିପରି ଲୋକସମ୍ପର୍କର ବିଭିନ୍ନ ଆଇନଗତ ଓ ନୈତିକ ଦିଗ ଉପରେ ମଧ୍ୟ ଏକ ଅଧ୍ୟାୟ ରହିଛି । ଏଥିରେ ମାନହାନି ମକଦ୍ଦମା, ରାଇଟ୍‍ ଟୁ ପ୍ରାଇଭେସି, ଇଣ୍ଟେଲେକ୍‍ଚୁଆଲ୍‍ ପ୍ରପର୍ଟି ରାଇଟ୍ସ, ପେଟେଣ୍ଟ ଆଇନ୍‍, କପିରାଇଟ୍‍ ଆଇନ୍‍, ଟ୍ରେଡ୍‍ମାର୍କ ଆଇନ୍‍, ଖାଉଟି ସୁରକ୍ଷା ଆଇନ ସହ ଗୁରୁତ୍ୱପୂର୍ଣ୍ଣ ନୈତିକ ଦିଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ବର୍ତ୍ତମାନ ଅର୍ଥନୀତିର ଅଗ୍ରଗତି ସହିତ କର୍ପୋରେଟ୍‍ ଯୋଗାଯୋଗ ମଧ୍ୟ ଏକ ସ୍ୱତନ୍ତ୍ର ବିଷୟ ଓ ପେସା ଭାବରେ ଉଭା ହେଲାଣି । ଏହାକୁ ଆଖି ଆଗରେ ରଖି ଯୁବବର୍ଗ ଏ କ୍ଷେତ୍ରକୁ ଆସୁଛନ୍ତି । ପୂର୍ବାପେକ୍ଷା କର୍ପୋରେଟ୍‍ ଯୋଗାଯୋଗର ଚାହିଦା ବଢ଼ିବାରେ ଲାଗିଛି । ଉତ୍ପାଦ ଓ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ନିଜ ସଂସ୍ଥାର ଭାବମୂର୍ତ୍ତି ଉଜ୍ଜ୍ୱଳ ରଖିବା ତଥା ଏକ ସକାରାତ୍ମକ ଛବି ହାସଲ ପାଇଁ କର୍ପୋରେଟ୍‍ ଯୋଗାଯୋଗକୁ ଗୁରୁତ୍ୱ ଦେଉଛନ୍ତି । କେବଳ ବଡ଼ କମ୍ପାନୀ ନୁହେଁ, ଛୋଟ ଛୋଟ କମ୍ପାନୀଗୁଡ଼ିକ ମଧ୍ୟ କର୍ପୋରେଟ୍‍ ଯୋଗାଯୋଗ ମାଧ୍ୟମରେ ନିଜ ସଂସ୍ଥାର ସୁନାମ ବଜାୟ ରଖିବାକୁ ଗୁରୁତ୍ୱ ଦେଉଛନ୍ତି । ଏହିପରି ସ୍ଥିତିରେ କର୍ପୋରେଟ୍‍ ଯୋଗାଯୋଗର ବିଭିନ୍ନ ଦିଗକୁ ନେଇ ପୁସ୍ତକରେ ଏକ ଅଧ୍ୟାୟ ରହିଛି । ଏଥିରେ କର୍ପୋରେଟ୍‍ ସେକ୍ଟର କ’ଣ, କର୍ପୋରେଟ୍‍ ଯୋଗାଯୋଗ କିପରି କରାଯାଏ, କର୍ପୋରେଶନର ଆଭ୍ୟନ୍ତରୀଣ ଲୋକ ଓ ବାହ୍ୟ ଲୋକ, କର୍ପୋରେଟ୍‍ ଯୋଗାଯୋଗର ନୀତି ଆଦି ବିଭିନ୍ନ ପ୍ରସଙ୍ଗରେ ଲେଖାମାନ ରହିଛି । ସେହିପରି କର୍ପୋରେଟ୍‍ ଯୋଗାଯୋଗର ଅନ୍ୟତମ ମୁଖ୍ୟ ବିଭବ ‘କର୍ପୋରେଟ୍‍ ସାମାଜିକ ଦାୟିତ୍ୱ’ ବା ସିଏସ୍‍ଆର୍‍ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି ।

ଲୋକସମ୍ପର୍କର ପରିସର ଭିତରେ ବିପତ୍ତି ପରିଚାଳନା ଏକ ମୁଖ୍ୟ କାର୍ଯ୍ୟ । ସରକାରୀ ସଂସ୍ଥା ହେଉ କି ଘରୋଇ ସଂସ୍ଥା ସବୁଠାରେ ବିପତ୍ତିର ଆଶଙ୍କା ରହିଥାଏ । କେତେବେଳେ କେଉଁ ପରିସ୍ଥିତିରେ ବିପତ୍ତି ଆସେ, ତାହା କହିହୁଏନି । ଏଣୁ ସଂସ୍ଥାଗୁଡ଼ିକୁ ଆଗୁଆ ସତର୍କ ଓ ସଚେତନ ରହିବାକୁ ହୋଇଥାଏ । ଏ କାର୍ଯ୍ୟ ସାଧାରଣତଃ ଲୋକସମ୍ପର୍କ ଅଧିକାରୀମାନେ କରିଥା’ନ୍ତି । ବିପତ୍ତିର ପ୍ରକାର ଚିହ୍ନଟ ତଥା ଏହାର ନିରାକରଣ ପାଇଁ ବିଭିନ୍ନ ପଦକ୍ଷେପମାନ ନେବାକୁ ପଡ଼ିଥାଏ । ବିପତ୍ତି ସମୟରେ ବିପତ୍ତି ପରିଚାଳନା ଟିମ୍‍ ସହଭାଗୀତାରେ କିପରି ବିପତ୍ତି ପରିଚାଳନା କରିହେବ, ସେନେଇ ନାନା କାର୍ଯ୍ୟ କରିବାକୁ ପଡ଼ିଥାଏ । ଏସବୁ ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା ହୋଇଛି । ଏହାସହ କାଡ୍‍ବରୀ, କୋକାକୋଲା ପରି କେତୋଟି କମ୍ପାନୀ ସମ୍ମୁଖୀନ ହୋଇଥିବା ବିପତ୍ତିର କେସ୍‍ ଷ୍ଟଡି ମଧ୍ୟ ସ୍ଥାନିତ ହୋଇଛି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ‘ଫାଇଲିନ୍‍’ର ପରିଚାଳନା କିପରି ହୋଇଥିଲା ଏବଂ କୋଭିଡ୍‍-୧୯ ମହାମାରୀ ସମୟରେ ଲୋକସମ୍ପର୍କ କିପରି କାର୍ଯ୍ୟ କରିଥିଲା, ତାହା ମଧ୍ୟ ଉଦାହରଣ ଭାବେ ଦର୍ଶାଯାଇଛି । ଏଥିରୁ ଲୋକସମ୍ପର୍କ ପାଠ୍ୟକ୍ରମ ଛାତ୍ରଛାତ୍ରୀ ତଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ବେଶ୍‍ ଉପକୃତ ହେବେ ବୋଲି ଆଶା ।

ଲୋକସମ୍ପର୍କ ବିଷୟରେ ଆଦୌ ଜାଣିନଥିବା ବା ଅଳ୍ପ ଜାଣିଥିବା ଲୋକଙ୍କ ପାଇଁ ମଧ୍ୟ ପୁସ୍ତକଟି ଉପାଦେୟ ହୋଇପାରିବ । ପ୍ରସ୍ତର ଯୁଗରୁ ଲୋକସମ୍ପର୍କର ବ୍ୟବହାର କିପରି ହେଉଥିଲା, ବିଭିନ୍ନ ଧର୍ମଶାସ୍ତ୍ରରେ ଲୋକସମ୍ପର୍କକୁ କିଭଳି ଭାବରେ ଦର୍ଶାଯାଇଥିଲା ତଥା ଆଧୁନିକ ଯୁଗରେ ଲୋକସମ୍ପର୍କର ବ୍ୟବହାର ନେଇ ପୁସ୍ତକରେ ଆଲୋଚନା ହୋଇଛି । ଗାନ୍ଧିଜୀ କିପରି ଲୋକସମ୍ପର୍କକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ, ତାହା ମଧ୍ୟ ଦର୍ଶାଯାଇଛି । ସେହିପରି ଗଣମାଧ୍ୟମ ଓ ଗଣଯୋଗାଯୋଗ କ୍ଷେତ୍ରରେ ଲୋକସମ୍ପର୍କର ଗୁରୁତ୍ୱକୁ ମଧ୍ୟ ଉପସ୍ଥାପିତ କରାଯାଇଛି । ଏଣୁ ସବୁ ବର୍ଗର ଛାତ୍ରଛାତ୍ରୀ ତଥା ଲୋକସମ୍ପର୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପୁସ୍ତକଟି ଏକ ଅମୂଲ୍ୟ ସମ୍ପଦ ।

Related Posts

Leave a Reply

Your email address will not be published. Required fields are marked *