କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ୧୨୧ତମ ଜୟନ୍ତୀ

ଭୁବନେଶ୍ଵର : ଏ ମାଟିର ବିଶିଷ୍ଟ କବି ସାହିତ୍ୟିକ ତଥା ଶିକ୍ଷାବିତ୍ କବି ଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । କାର୍ଯ୍ୟସୂଚୀ ଅନୁସାରେ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଢେଙ୍କାନାଳ ଦେଉଳ ସାହି,ଜୁବିଲି ଟାଉନ, କବିଭୂଷଣ ମାର୍ଗ ସ୍ଥିତ କବିଙ୍କ ନିଜସ୍ୱ ବାସଭବନ କବି କୁଟୀରଠାରେ ଯୁବରାଜ ଅମର ଜ୍ୟୋତି ସିଂହଦେଓଙ୍କ ପୌରହିତ୍ୟରେ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଉପସଭାପତି ଡ. ସମୀର କୁମାର ସାହୁ, ଉପସଭାପତି ଡ. ପ୍ରମୋଦ କୁମାର ନାୟକ,ସଂପାଦକ, କବିପୁତ୍ର ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, କନ୍ୟା ସୁରମା, ପ୍ରତିମା ଓ ସୁକାନ୍ତି, ବୋହୂ ସୁମିତାରାୟ ପଟ୍ଟନାୟକ, ପୁତ୍ରବଧୂ ଅଞ୍ଜୁ ଅସ୍ମିନ, ନାତି ପି.ପରମଜିତ୍, ନାତୁଣୀ କିରଣମୟୀ ପ୍ରୀତିପୂଜା, ପୁତୁରା ଅବନିଶ ପଟ୍ଟନାୟକ, କବି ନିର୍ମଳା ମହାପାତ୍ର, କବିତା ମହାନ୍ତି, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ, ପଣ୍ଡିତ ଡା. ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ, ରେଣୁବାଲା ସ୍ମୃତି ସଂସଦର ଆଜୀବନ ସଭ୍ୟ, ତଥା କବିଭୂଷଣ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର ଓ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ. ଅନୁପମା ମିଶ୍ର ପ୍ରମୁଖ କବିଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ, ପୁଷ୍ପ ଓ ଚନ୍ଦନ ଅର୍ପଣ କରିଥିଲେ ।

ଏକଦା କବିଙ୍କର ଚାକିରି ସ୍ଥାନ ଥିବା ସ୍ଥାନୀୟ ଜର୍ଜ ସ୍କୁଲ୍ ପ୍ରାଙ୍ଗଣରେ କବିଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବା ପାଇଁ ସମୂହ ଭାବରେ ପ୍ରସ୍ତାବ ଆଗତ ହୋଇଥିଲା । ଏ ଅବସରରେ ଦିବା ୩ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ସଭାମୁଖ୍ୟ ତଥା ଓଡ଼ିଶା ଲେଖିକା ସଂସଦର ଆବାହିକା କବୟିତ୍ରୀ ସୁକାନ୍ତି ସାହୁ ତଥା ସମ୍ମାନୀତ ଅତିଥି ଡ. ପ୍ରମୋଦ କୁମାର ନାୟକଙ୍କ ଦିଗ୍ଦର୍ଶନରେ କରାଯାଇଥିଲା । ଏଥିରେ ଶତାଧିକ କବି କବିତା ପାଠ କରିଥିଲେ। ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସଂଯୋଜିକାଙ୍କ ଆସନ ଗ୍ରହଣ କରିଥିଲେ ସୁଶ୍ରୀ କାଦମ୍ବରୀ ମହାଖୁଡ ଓ ସୁଶ୍ରୀ ମମତା ମହାନ୍ତି । କାର୍ଯ୍ୟକ୍ରମକୁ ଉତ୍ସବ ମୁଖର କରିବା ପାଇଁ ସଂସଦର ଉପସଭାପତି ତଥା ସାଂଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସମୀର କୁମାର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ସାଂଧ୍ୟ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଗୁରୁ ଆଶିଷ କୁମାର ପାଲଙ୍କ ମାର୍ଗଦର୍ଶନରେ ସ୍ଥାନୀୟ ନିତା ନୃତ୍ୟାଙ୍ଗନା ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା କବି କୁଟୀର ତରଫରୁ କବି ଭୂଷଣଙ୍କ ନାତୁଣୀ ହିରଣମୟୀ ପ୍ରୀତିପୂଜା ନୃତ୍ୟ ପରିବେଷଣ କରିଥିଲେ । ସଂଧ୍ୟା ୬ଟାରେ ଶ୍ରଦ୍ଧାଞ୍ଜଳି ସଭା ସଭାପତି ଶଙ୍କର୍ଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *