ପ୍ରେମାନନ୍ଦଙ୍କୁ ଦୋଳଗୋବିନ୍ଦ ଶାସ୍ତ୍ରୀ ସାରସ୍ଵତ ସମ୍ମାନ

ଭୁବନେଶ୍ଵର : ଖ୍ୟାତନାମା ସାରସ୍ଵତ ସାଧକ ପ୍ରଫେସର ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ସ୍ମୃତିରେ ଏକ ସାରସ୍ଵତ ଉତ୍ସବ ସୋମବାର ଦିନ ଶାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଡ. ଦୋଳଗୋବିନ୍ଦ ଶାସ୍ତ୍ରୀ ଫାଉଣ୍ଡେସନ ପକ୍ଷରୁ ସଭାପତି ଡ. (ଇଂ) ପ୍ରଭାକର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଶିକ୍ଷାବିତ ଡ. ସତ୍ୟକାମ ମିଶ୍ର ଉତ୍ସବକୁ ଉଦଘାଟନ କରି କହିଲେ, ‘ଓଡ଼ିଆ ସାରସ୍ଵତ ଜଗତକୁ ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ଅବଦାନ ଅତୁଳନୀୟ । ନାଥ ସାହିତ୍ୟ ଉପରେ ତାଙ୍କର ଉଚ୍ଚାଙ୍ଗ ଗବେଷଣା ଆଗାମୀ ପିଢି ପାଇଁ ଦିଗଦର୍ଶନ ହୋଇରହିବ ।’ ସମ୍ମାନିତ ଅତିଥି ଭାବେ ଡ. ମଞ୍ଜୁଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଲେ, ‘ଦୋଳଗୋବିନ୍ଦ ବାବୁ ଜଣେ ମହାନ ବିଦ୍ଵାନ ଥିଲେ । ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ଵ କାଳ ଧରି ସାହିତ୍ୟ ମାଧ୍ୟମରେ ଓଡ଼ିଆ ଜାତୀୟ ଜୀବନକୁ ସମୃଦ୍ଧ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ।’

ଅନ୍ୟତମ ସମ୍ମାନିତ ଅତିଥି ଡ. ଧରଣୀଧର ନାଥ ତାଙ୍କ ବକ୍ତବ୍ୟରେ ଶାସ୍ତ୍ରୀଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଡ. ବିରଞ୍ଚି କୁମାର ସାହୁ କହିଲେ, ‘ଓଡ଼ିଆ ଓ ବଙ୍ଗଳା ଭାଷାରେ ଶାସ୍ତ୍ରୀଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା ।’ ସଭାପତି ଡ. ସ୍ଵାଇଁ କହିଲେ, ‘ଡ. ଶାସ୍ତ୍ରୀ ଏକାଧାରରେ ଜଣେ ଉଚ୍ଚକୋଟୀର ଗବେଷକ, ସାହିତ୍ୟ ସାଧକ, ସମ୍ପାଦକ ଓ ସଂଗଠକ ଥିଲେ । ଓଡ଼ିଶାର ଜଣେ କୃତବିଦ୍ୟ ପ୍ରଜ୍ଞାପୁରୁଷ ଭାବେ ସେ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲେ ।’ ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ରଙ୍କୁ ଚଳିତ ବର୍ଷର ଦୋଳଗୋବିନ୍ଦ ଶାସ୍ତ୍ରୀ ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନ ସମ୍ପାଦକ ଡ. ଚୌଧୁରୀ ସତ୍ୟ ଦାସ ବିବରଣୀ ପାଠ, ଉପସଭାପତି ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଡ. ମଞ୍ଜୁଶ୍ରୀ ଶାସ୍ତ୍ରୀ ମାନପତ୍ର ପାଠ କରିଥିଲେ । ଶିକ୍ଷୟତ୍ରୀ ବର୍ଷାରାଣୀ ପୃଷ୍ଟି ଓ ମହାବିଦ୍ୟା ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହି ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *