ଚିତ୍ତରଞ୍ଜନ ପଧାନ

କେବେ ଘିଅ ସଳିତା ଜାଳି
ଦେବୀଙ୍କ ମୁହଁରେ ସିନ୍ଦୂର ଲଗେଇ
କି କେବେ ରକ୍ତ ଧାରେ ଦେଇ
ବା’ ମୋର କରିନି ପୂଜା
ଆଖି ବନ୍ଦ କରି ପଢି ନାହିଁ-
“ଯା ଦେବୀ ସର୍ବ ଭୂତେସୁ
ମାତୃ ରୁପେଣ ସଂସ୍ଥିତା
ନମ୍ଃ ତସ୍ମୈ ନମ୍ଃ ତସ୍ମୈ
ନମ୍ଃ ତସ୍ମୈ ନମୋ ନମଃ !”

ତଥାପି,
ଦେବୀ ରାଗି ଯାଇ ବନ୍ଦ କରିନି
ଖେତରୁ ଧାନ
ଡଙ୍ଗରରୁ କାଠ
ଝରଣାରୁ ମିଠା ଜଳ
କି ବହି ଯାଉଥିବା ପବନ…!

ଆମ ଚଉଦ ପୁରୁଷ ଏଇ ଖେତରେ ଖଟିଛନ୍ତି
ବା’ ମଧ୍ୟ ଖଟେ
ମାଟିକୁ ହାଣେ, ଝାଳ ନିଗାଡ଼ି ଓଦା କରେ
ଦେବୀ ପାଇଁ ତିଆରି କରେ
ହଲ୍, ନଙ୍ଗଳ, କୋଦଲ ଆଉ ବାନ୍ଧି ରଖେ ଦଳେ ବିଶ୍ଵାସ !

ଏଇ କିଛି ଦିନ ହେବ
ବା’ ମୋର ଦୁର୍ବଳ ହୋଇପଡ଼ିଛି
ଖୁଁଖୁଁ ହେଇ ଖାସୁଛି
ଭଲ ସେ ଖାଉନି, ଖେତକୁ ଯାଉନି
ମୁଣ୍ଡରେ ଓଦା ଲୁଗା ଘଉଡ଼ାଇ ପଡ଼ିଛି ଖଟରେ !

ଦେବୀ ଆସିଥିଲେ ଗଲା ରାତିରେ
ବା’ ର ଭିଜାଭିଜା ଆଖି ଭିତରେ ସପନ ହେଇ
କହିଦେଇ ଗଲେ-‘ବଡ଼ ପୁଅ ମୋ ପୂଜା କରିବ, ମତେ ସବୁଜ ଶାଢୀ ପିନ୍ଧେଇବ !’

ଖେତ ମତେ ଦେଖି ହସିଦିଏ
ମୁଁ ମୋ ନପାରିଲାପଣକୁ ଲୁଚେଇ ଅଣ୍ଟା କଷେ
ଖେତ ରଙ୍ଗ ବଦଳାଏ
ଫଟା ମାଟିରୁ ଶାଗୁଆ ହୁଏ, ଶାଗୁଆରୁ ସୁନେଲି
ଘର ପୁରେ, ଘର ଭିତରୁ ଥାଇ ବା’ ମୋର ମୁରୁକିମୁରୁକି ହସେ !

ଖେତ ପୁଣି ଧରେଇ ଦିଏ ଶୁଖା ଶୁଖା ମାଟି
ଆଉ କିଛି ଭୋକିଲା ପେଟ
ଭିଜାଭିଜା ଆଖି
ମୁଁ ପୂଜା ପାଇଁ ଠୋଲ କରି ବସେ
ବାକି ରହିଥିବା ମୁଠାମୁଠା ସବୁଜ ବିଶ୍ୱାସ !!

ପଦମ୍‌ପୁର୍, ବରଗଡ଼, ମୋ- ୭୦୦୮୯୮୫୯୫୩

ଲେଖକ ପରିଚୟ

ସାହିତ୍ୟ ତ ସମାଜର ଦର୍ପଣ । ସମାଜର କଥା କହିବ । ମୋ ଚାରିପାଖରେ ଘଟୁଥିବା ଘଟଣା, ଚରିତ୍ର, ଅଭାବ ଅସୁବିଧା ମତେ ପ୍ରଭାବିତ କରିଛି ଏବଂ ମୁଁ ତାକୁ କବିତା ଗପ କରିବାକୁ ଚେଷ୍ଟା କରିଛି । ଦଳିତ ଶୋଷିତ ମଣିଷମାନଙ୍କ ସମେତ ପ୍ରାକୃତିକ ପରିବେଶ ଝର୍‌ନା, ବୁଢ଼ା ଡଂଗର୍, ମହୁଲ ବଣ, କିଛି ନଥିବା ସତ୍ତ୍ୱେ ମୁଲ୍‌କି ମୁଲ୍‌କି ହସୁଥିବା ଧାନଫୁଲ, ଗାଆଁ ମତେ ମାଟିମନସ୍କ ହେବା ପାଇଁ ପ୍ରେରଣା ଦେଇଛି । ମୋର ତ ଏଯାଏଁ ବହିଟିଏ ପ୍ରକାଶିତ ହୋଇନାହିଁ ।

Related Posts

Leave a Reply

Your email address will not be published. Required fields are marked *