ବିଶିଷ୍ଟ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ ପାଇବେ ‘କଥାକାର ସମ୍ମାନ’

ଭୁବନେଶ୍ଵର : ଓଡ଼ିଶାର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ୨୦୨୪ ବର୍ଷ ନିମନ୍ତେ ‘ଗଳ୍ପ ଗଞ୍ଜାମ ସମ୍ମାନ’ ଘୋଷଣା କରାଯାଇଛି । ସମ୍ପାଦକ ଭାଗୀରଥି ବେହେରାଙ୍କ କହିବାନୁସାରେ ସବୁ ବର୍ଷ ସଂକଳନ ‘ଗଳ୍ପ ଗଞ୍ଜାମ’ ସଂକଳନରେ ସ୍ଥାନ ପାଇଥିବା ଗାଳ୍ପିକଙ୍କ ମଧ୍ୟରୁ ବିଚାର କରାଯାଇ ‘କଥାକାର ସମ୍ମାନ’, ‘ଯୁବ ଗାଳ୍ପିକ ସମ୍ମାନ’, ‘ଗଳ୍ପ ପୁସ୍ତକ ସମ୍ମାନ’ ଏବଂ ‘ଗଳ୍ପ ପ୍ରତିଭା ସମ୍ମାନ’ ଘୋଷଣା କରାଯାଏ ।

ଏହି ବର୍ଷ ‘ସମୁଦ୍ର ଶୋଷ’, ‘ଆକ୍ରାନ୍ତ’, ‘ମାୟାରୂପ’, ‘ମଧୁମିତା’, ‘ନର୍ତ୍ତକୀ’, ‘ଆରପାଖ’ ଆଦି ଉପନ୍ୟାସ ଓ ଗଳ୍ପ ପୁସ୍ତକ ରଚୟିତା ଭୁବନେଶ୍ଵରରୁ ବିଶିଷ୍ଟ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ ପାଇବେ କଥାକାର ସମ୍ମାନ ଏବଂ ‘ନିଷିଦ୍ଧାଞ୍ଚଳ’, ‘ଅବସନ୍ନ ଅପରାହ୍ନ’, ‘ଅସରନ୍ତି ଅଶ୍ରୁଧାର’ ଆଦି ଗଳ୍ପ ପୁସ୍ତକର ରଚୟିତା ଖୋର୍ଦ୍ଧାରୁ ଗାଳ୍ପିକ ଗୋପୀନାଥ ଦାଶ ପାଇବେ ଯୁବ ଗାଳ୍ପିକ ସମ୍ମାନ ।

ଗଞ୍ଜାମ ଜିଲ୍ଲା କୋଦଳା ମାଟିର ଗାଳ୍ପିକ ଦୀପକ କୁମାର ବିଶୋଇ ପାଇବେ ତାଙ୍କରି ଗଳ୍ପ ପୁସ୍ତକ ‘ ନିଃସନ୍ତାନ’ ପାଇଁ ‘ଗଳ୍ପ ପୁସ୍ତକ ସମ୍ମାନ’ । ଏହାବ୍ୟତୀତ ଗଳ୍ପ କ୍ଷେତ୍ରରେ ନବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟରେ ଏ ବର୍ଷ ଖୋର୍ଦ୍ଧାର ଗାଳ୍ପିକା ଅନିତା ପାଣି, ଗଞ୍ଜାମ ଜିଲ୍ଲାରୁ ଗାଳ୍ପିକ ଧର୍ମାନନ୍ଦ ମହାରଣା ଓ ପ୍ରିୟଙ୍କା ମହାପାତ୍ର, ଗୁଣପୁରର ଗାଳ୍ପିକ ସୁରେନ୍ଦ୍ର ମଲ୍ଲିକ ପାଇବେ ‘ଗଳ୍ପ ପ୍ରତିଭା ସମ୍ମାନ’ ।

ଏହି ସମସ୍ତ ଗାଳ୍ପିକଙ୍କୁ ଆସନ୍ତା ମଇ ମାସ ୫ ତାରିଖ ରବିବାର ଦିନ ବ୍ରହ୍ମପୁର ସହରରେ ଆୟୋଜିତ ହେବାକୁ ଯାଉଥିବା ‘ଗଳ୍ପ ଗଞ୍ଜାମ ୨୦୨୪’ ଉତ୍ସବରେ ‘ଗଳ୍ପ ଗଞ୍ଜାମ’ ସଂକଳନ ଉନ୍ମୋଚିତ ହେବା ସହ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯିବ ବୋଲି ସଭାପତି ଡ. ରାଜେନ୍ଦ୍ର କୁମାର ବେହେରା କହିଛନ୍ତି ।

ଏହି ଉତ୍ସବରେ ଗାଳ୍ପିକ ଗଦାଧର ପାତ୍ରଙ୍କ ପୁସ୍ତକ ‘ଅଭୁଲା ସ୍ମୃତି ଦାରିଙ୍ଗବାଡି’, କବି ନର୍ମଦା ଦେବୀଙ୍କ କବିତା ପୁସ୍ତକ ‘ଈପ୍ସିତ ବେଦନା’, ଗାଳ୍ପିକ ଗୋପୀନାଥ ଦାଶଙ୍କ ଗଳ୍ପ ସଙ୍କଳନ ‘ଅସରନ୍ତି ଅଶ୍ରୁଧାର’, ଶିଶୁ ଲେଖିକା ଜ୍ୟୋତ୍ସ୍ନା ରାଣୀ ଦେବୀଙ୍କ ପୁସ୍ତକ ‘ଚକର ଘାଇଁ’ ଏବଂ ଶିଶୁ ଲେଖିକା ସରୋଜବାଳା ପଟ୍ଟନାୟକଙ୍କ ପୁସ୍ତକ ‘ସୁନାପିଲା’ ଉନ୍ମୋଚନ ହେବ ବୋଲି ନିଶ୍ଚିନ୍ତ ହୋଇଛି ।

ଏହି ଉତ୍ସବରେ ଓଡ଼ିଶାର ଅନେକ ସାହିତ୍ୟିକ ଯୋଗ ଦେବାକୁ ଥିବାବେଳେ ସମ୍ମାନୀତ ହେବାକୁ ଯାଉଥିବା ସାହିତ୍ୟିକଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଗଦାଧର ପାତ୍ର, ସହ ସମ୍ପାଦିକା ଜୟନ୍ତୀ ବେହେରା, ସୌଜନ୍ୟ ସମ୍ପାଦକ ଇଂ ନଳିନୀକାନ୍ତ ନାୟକ, ଶିକ୍ଷାବିତ ଭାଗିରଥୀ ପଣ୍ଡା, ଅଧ୍ୟାପକ ତ୍ରିଲୋଚନ ଦାଶ, ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ସହ ଅନ୍ୟାନ୍ୟ ସଦସ୍ୟସଦସ୍ୟା ଶୁଭେଚ୍ଛା ଜଣାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *