ସଂଘମିତ୍ରା ସାମନ୍ତରାୟ

କେତେ ଭାବିଚିନ୍ତି ମତି ହେଜି
ଘରେ ତୁମ ନା ଦେଇଥିଲେ ନୀଳୋତ୍ପଳ !
ନୀଳ ପୁଣି ଉତ୍ପଳ….ଆହାଃ,
କେତେ ସୁନ୍ଦର ସତେ, କେଡ଼େ କମନୀୟ !
ହେଲେ ଦିନେ ଭଲା କୋଉ ଗଭାରେ ସାଜିଲ ଦରଫୁଟା କଇଁ ହୋଇ,
ମୁଁ ଯାହା ଝୁରିଲି, ସରିଲି ଓ ସରି ସରି ମରିଲି ।

ଦିନେ କେବେ ଆକାଶ ପରି ବ୍ୟାପ୍ତ ହୋଇ ନଥାନ୍ତ
ଥରଟେ ତ ବର୍ଷିଥାନ୍ତ ମେଘ ହୋଇ,
ବାସ୍ ସେତିକିରେ ଭିଜିଥାନ୍ତି, ବତୁରିଥାନ୍ତି ମୁଁ,
ଗଜୁରିଥାନ୍ତା ଆତ୍ମା ମୋର,
ମହକିଥାନ୍ତା ନିଭୃତ କଦମ୍ବ ବନ
ଲଭିଥାନ୍ତି ନାଭି ଭିତରେ କସ୍ତୁରୀ ସନ୍ଧାନ ।

ଦିନେ କାଳେ ସମୁଦ୍ର ପରି ଅଥୟ ଉଦ୍ଭ୍ରାନ୍ତ ହୋଇ ନଥାନ୍ତ
ଲହଡ଼ି ହୋଇ କୂଳ ଲଂଘି ଛୁଇଁ ଥାନ୍ତ ଏ ଉତପ୍ତ ବେଳାଭୂଇଁ
ସେତିକିରେ ତ ଶୀତଳତାର ଛୁଆଁ ପାଇଥାନ୍ତି ମୁହିଁ,
ଉପଳ କି ମୋତି ନହେଲି ନାହିଁ,
ବାଲିଗରଡ଼ା ହୋଇ ପଡ଼ି ରହିଥାନ୍ତି ଯୁଗଯୁଗ ପାଇଁ ।

ଏବେ କ’ଣ ଭାବିବି ବା ଭାବିପାରେ ତୁମକୁ ମୁଁ,
ତୁମେ ହୁଏତ ଅନିଚ୍ଛୁକ, ଜାଣିବା ପାଇଁ,
ଯେମିତି ମୋ ଭାବିବାରେ ତୁମର କିଛି ଯାଏଆସେ ନାହିଁ
ତମେ ତ ଚିରକାଳ ନିର୍ମୋହୀ, ସଂସାର ଭିତରେ ତ୍ୟାଗୀ
ନୀଳୋତ୍ପଳ ନୁହଁ, ହଳାହଳ କଣ୍ଠସ୍ଥକାରୀ ନୀଳକଣ୍ଠ
ତୁମେ ଧୂର୍ଜଟୀ !

ମୁଁ ଭୋଗୀ, କେମିତି ମୂର୍ଚ୍ଛିବି, ସଂସାର ମୋହ
ମନ ଅଛି, ଦେହ ଅଛି, ଅଛି ଆସକ୍ତି ଏସବୁରୁ ନେଇ ନାହିଁ ମୁକ୍ତି,
ଫୁଲ ତୋଳେ, ମାଳା ଗୁନ୍ଥେ, ଗଭା ସଜାଏ,
ଅଥଚ ଗଭାର ମହକରେ ମହକାଇ ପାରେନା ତୁମକୁ
ନିଜ ଉପରେ ଦୟା ଆସେ, ସକାଳୁ ଖୋଲିଦିଏ ଗଭା,
ଫିଙ୍ଗିଦିଏ ଗଜରା, ଜାଣେ ମୁଁ ଆଉ ମୋ ଭାଗ୍ୟ
କିଛି କମ୍ ନୁହେଁ, ସେମିତି ଲଟକି ରହିଛି, ରହିଥିବ
ନୁଆଁଣିଆ ଶାଖାର ଏଇ ଖସିବି ଏଇ ଖସିବି,
ଶଂକା ଜର୍ଜରିତ ଶିଉଳି ଫୁଲଟେ ହେଇ ।

ଭୁବନେଶ୍ଵର, ମୋବାଇଲ – ୯୯୩୭୬୧୪୧୬୨

ଲେଖକ ପରିଚୟ

ସ୍କୁଲ ହେଉ ଅବା କଲେଜ, ପଢ଼ା ସମୟରେ କିଛି କିଛି ଲେଖୁଥିଲି ହେଲେ ପ୍ରକୃତ ଲେଖିବା ନିଶା ଘାରିଲା ୧୯୯୫ ମସିହାରୁ । ଅଧିକାଂଶ କବିତା ମୋର ପ୍ରଜାତନ୍ତ୍ର, ସାପ୍ତାହିକି ଓ ଅଫିସ୍ ମ୍ୟାଗାଜିନ୍ ରେ ଗୁଡ଼ିକରେ ପ୍ରକାଶିତ ହୋଇଛି ଓ ହେଉଛି ବି । ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ । ଚାକିରିରୁ ଯେତେବେଳେ ବି ସମୟ ମିଳିଲା ଲେଖିବା ଆରମ୍ଭ ହୋଇଯାଏ ଓ ତାହା କ୍ରମେ ନିଶାରେ ପରିଣତ ହୋଇଗଲା । “ମଉଳା ମନର ମୁକୁଳା କଥା”, “ନଈ ସେପାଖ ସଞ୍ଜ”, “ଟିପେ ପୃଥିବୀର ମୋହ” ନାମରେ ଏଯାବତ୍ ତିନୋଟି କବିତା ସଂକଳନ ପ୍ରକାଶ ପାଇଛି ।

Related Posts

Leave a Reply

Your email address will not be published. Required fields are marked *