ଲତିକା ମହାପାତ୍ର
ଉତ୍ତପ୍ତ ମଧ୍ୟାହ୍ନରେ ଜୀବନର
ଭିନ୍ନ ଗୋଟେ ବାସ୍ନା
ଜହ୍ନ ଅଛି ଜ୍ୟୋତ୍ସ୍ନା ନାହିଁ
ରାତି ଅଛି ରତି ନାହିଁ
ପ୍ରିୟ ପାଶେ ପ୍ରୀତି ନାହିଁ
ଜୀବନର ମଧ୍ୟାହ୍ନରେ..
ମୁଁ ନିଜକୁ ପଚାରେ ଏମିତି
କହେ କିଛି ଅଛି କିଛି ନାହିଁ
ଜ୍ୱଳନ ଅଛି
ଦହନ ଅଛି
ଶିଖା ଯାର ଧିମି ଧିମି
ଅବଶୋଷ ଅଛି
ଏ ବୁକୁର ଉଆଁସୀ ଅନ୍ଧାରେ ଛପି ଛପି
ବ୍ୟାକୁଳ କରୁଥିବା ଭାବର
ବହଳ ଆସ୍ତରଣ ତଳେ ଘୁମନ୍ତ ହୃଦୟ
କେତେ କଣ ସବୁ ଅଧା ଅଧା
ବ୍ୟାକୁଳ ଅଧୀର ଇଚ୍ଛାଙ୍କ ଅଜବ ଭଗ୍ନାଂଶ
ମୁଁ ଜଳୁଛି ଓ ଜଳୁଛି
ତମାମ ସମୟ ଏକ୍ଲା ଏକ୍ଲା
କହିବାକୁ କିଛି ଅଛି କିଛି ନାହିଁ ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।