ଲତିକା ମହାପାତ୍ର
ଏ ଭିତରେ ବିତିଗଲାଣି କେତେ ଯେ ସମୟ !
ବଦଳିଯିବା ସ୍ୱାଭାବିକ …
କହିପାର
ସାଙ୍ଘାତିକ ଅସ୍ୱାଭାବିକ
ବଦଳି ନଯିବା ।
ନିଜକୁ ସାଇତି ରଖିବା ଗୋଟାପଣେ
ଓ ପୂର୍ବବତ ନିଜ ଭଲପାଇବାକୁ
ସମ୍ପର୍କମାନଙ୍କୁ
ଅସ୍ୱାଭାବିକ
ଭୀଷଣ ଅସ୍ୱାଭାବିକ ।
ସମୟ ସହ ତୁମେ ବଦଳିବା ଜରୁରୀ
ସମୟ କହୁଚି
ମୁଖା ଉପରେ ମୁଖା ମଡ଼େଇ ଚାଲିବା ଜରୁରୀ ।
ଖୁବ ଗୋଟେ ସରଳ ନିରୀହ ମୁହଁ
ଆବେଗ ଲୁହ
ଅନାବଶ୍ୟକ ପାଗଳାମି ।
ତୁମେ ବଦଳିଯାଅ
ସମୟ କହୁଛି …
ଭାଇଭଉଣୀ
ପଡ଼ୋଶୀ ଓ ଅଫିସ ସାଙ୍ଗ
କାମବାଲି ଚାକରାଣୀ
ଛାତ୍ରଛାତ୍ରୀ
ସାରା ସଂସାରର
ବଦଳିଗଲାଣି ରଙ୍ଗଢଙ୍ଗ
ହସ ରସ ବେଶ ବାସ
ଭାବିବା ସମୟ ସାଥିରେ
ଉପଯୋଗୀ ଢଙ୍ଗରେ ।
ଅତଏବ ତୁମେ ବଦଳିଯାଅ
ବଦଳାଅ ପରିପାଟୀ
ଆଚରଣ ଉଚ୍ଚାରଣ
ବଦଳାଅ ଭିତର ବାହାର ।
ଛଳନା କରି ଶିଖ
ଓ ଶିଖ ।
ବଦଳିଯିବା ଭଲ ନା ଖରାପ
ଭାବିବା ମନା
ନିଜକୁ ପଚାରିବା ମନା ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।