ଲତିକା ମହାପାତ୍ର
ବେଶ କିଛି ସମୟ ଧରି
କିଛିଗୋଟେ ଜମିଗଲାଣି
ପଥୁରିଆ ଏ ବୁକୁରେ …
ଚାଲ ! ଖୋଜିବା ତା’ ସ୍ୱରୂପ
ଆବିଷ୍କାର କରିବା ତା’ ରୂପରେଖ !
ସେ ବଡ଼ ବିଚିତ୍ର
ଅଦ୍ଭୁତ ଯାହା ସ୍ୱରୂପ
ମୁଁ କଣ ବୁଝିପାରିବି ତାରେ ?
କିସମ କିସମ ଦୁଃଖ ଫେଣ୍ଟି ହୋଇ
ଉତୁରିଚି ତା’ ନିଆରା ରଙ୍ଗ ।
ସେ କଷ୍ଟ କୋହକୁ ପଢିବାକୁ
ମାଡ଼ିମକଚି ଚାଲିବାକୁ ହୁଏ
ସଭିଙ୍କୁ ଆପଣାର କରି
ନିଃସ୍ୱ ହେଇଯିବାକୁ ହୁଏ,
ଭଲପାଇବାର ଉପହାର ପ୍ରାୟତଃ
ଛଳନା … କପଟ … ଉପେକ୍ଷା …
ହୃଦୟର କଅଁଳ ଗୁହାରେ କାନ୍ଦକାନ୍ଦ କେତେ ଗପ
ଚୁପ୍
ସବୁ କ’ଣ ଖୋଲିହେବ ?
ନିଷ୍କପଟ ଭଲପାଇ ଦେଖ୍
ନିରୋଳା ନିଚ୍ଛନ୍ଦ ଜୀଇଁ ଦେଖ୍
ଜମାଟ ବାନ୍ଧିଯିବ ଦୁଃଖ
ବରଫ ହୋଇ …
ତମେ କହିବ କହିବ ହୋଇ
ପାରିବନି କହି,
ଭିତରେ ଚୁପଚାପ
କେମିତି ବହୁଚି
ଲୁହର ଗୋଟେ ନଈ ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।