ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ମଙ୍ଗଳବାର ସନ୍ଧ୍ୟା 7 ଟାରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା । ଗତ ରବିବାର କଟକର ବିଜୁ ପଟ୍ଟନାୟକ ଛକଠାରେ ସେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ସଚିବ ପ୍ରବୋଧ ରାଉତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ. ହୃଷୀକେଶ ମଲ୍ଲିକ,ଉପସଭାପତି ସଂଗ୍ରାମ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମରଶରୀରକୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଧର୍ମାନନ୍ଦ ରାଉତ ଓ ପ୍ରମିଳା ଦେବୀଙ୍କ ପୁତ୍ର ପ୍ରବୋଧ ଏକାଧାରରେ ଜଣେ କବି, ଗୀତିକାର ଓ ନାଟ୍ୟକାର ଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ପଦ ସହିତ ଓକାକରେ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ଵରେ ଥିଲେ । ସେ ଜଗତସିଂହପୁର ଜିଲ୍ଲାର କାଦୁଆପଡ଼ା ଗ୍ରାମ ନିକଟସ୍ଥ ଗୋପାଳପୁର ଗ୍ରାମରେ ୧୯୭୦ ମସିହା ମଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କଟକଠାରେ ସହଧର୍ମିଣୀ, ପୁଅ ଓ ଝିଅଙ୍କ ସହିତ ରହୁଥିଲେ । ରାଉତ ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ପରେ ଆଇନ, ସମବାୟ ପରିଚାଳନା ଓ ରପ୍ତାନି ପରିଚାଳନାରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ । ସେ କବିତା ପୁସ୍ତକ ‘ଅଳ୍ପ ଅଶିଣ ପାପ’ ଏବଂ ଏକାଙ୍କିକା ପୁସ୍ତକ ‘ଦ ମିଷ୍ଟ୍ରି ଅଫ୍ ଦ ବ୍ରୋକେନ ଟ୍ରଙ୍କ’ ଏବଂ ଗଳ୍ପ ସଂକଳନ ‘ଅଜନ୍ତା ଏଲୋରା ପରି’ ଇତ୍ୟାଦି ରଚନା କରିଥିଲେ । ସେ ବେତାର ନାଟକ ପୁରସ୍କାର-୨୦୨୪, ରାଜ୍ୟ କୃଷି ବିପଣନ ପରିଷଦ ପକ୍ଷରୁ କିଷାନ ପରିବାର-ସମ୍ମାନ, ଫକିରମୋହନ ସ୍ମୃତି ସଂସଦ ସମ୍ମାନ, ରାଷ୍ଟ୍ରୀୟ କିଷାନ ପରିବାର ସମ୍ମାନ, ଆଦିକବି ସାରଳା ଦାସ ସାରସ୍ଵତ ସମ୍ମାନ, ଶ୍ରେଷ୍ଠ ଯୁବ ସାହିତ୍ୟିକ ସମ୍ମାନ, ଜାତୀୟ ସାହିତ୍ୟ ରତ୍ନ ସମ୍ମାନ-୨୦୧୭ ଆଜି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Related Posts

Leave a Reply

Your email address will not be published. Required fields are marked *