ଲତିକା ମହାପାତ୍ର

ଆଜିକାଲି ଖୁବ ହଇଚଇ
ଗୋଟେ ତୁମ୍ଭି ତୋଫାନ
ଅସମ୍ଭବ ଦରଦର ସୁଅ
ଲେଖନୀମାନେ ଚଳଚଞ୍ଚଳ
ମୁଖା ତଳେ ଜାନୁଆର ହସ
କୁତ୍ସିତ କଟାକ୍ଷ
ଦରଦର ଝୀନ ଆବରଣ ତଳେ
କାମନାର କୋଳାହଳ …

ଆମେ କେଉଁ ସବୁ ଦୁଃଖକୁ ବଖାଣିବା
ବିକଳରେ କ୍ରନ୍ଦନ କରିବା
ମୁହଁ ଲୁଚେଇ ଅତଳ ଗର୍ଭରେ ପୋତି ହୋଇଯିବା …

ପୁରୁଷାକାରର ଅହଂରେ
ଆଡ଼ମ୍ବରରେ
ବେଖାତିର ପଣରେ
ପାଶବିକ ଜିଘାଂସାରେ
କାମନାର କରାଳ ଦାବାନଳରେ

ଉଲ୍ଲଙ୍ଘନ କରାଯାଇପାରେ
ବର୍ବରତାର ସବୁ ସୀମାରେଖା

ପୈଶାଚିକ ବିକୃତ ଆନନ୍ଦରେ
ନରରୂପୀ ଜହ୍ଲାଦଗଣ
ପାଷାଣ୍ଡରୁ ଆହୁରି ଭୟାନକ
ଜଘନ୍ୟ ଓ ଘୃଣ୍ୟ

ମାନସ ମୋହିନୀ, ଛବିରାଣୀ, ବେବିନା
ନିର୍ଭୟା ଓ ଆଉରି ଅନେକ ଭାରତ ମାଆର
ପଣତରେ ରକ୍ତର କରୁଣ ସ୍ଵାକ୍ଷର

କାହା ପାଶେ ନଥାଏ ଉତ୍ତର

ଛ’ ମାସର କୋମଳ ଶିଶୁ ପୁଣି ଅଶୀତିପର ବୃଦ୍ଧା …
କିଏ ଏଠି ବଞ୍ଚିପାରେ ମର୍ଯ୍ୟାଦାରେ ?

ନାରୀ ହୋଇ ଜନ୍ମିବାର ଅପରାଧରେ
ଏଠି ଦଣ୍ଡ ଭୋଗିବା ଅନିବାର୍ଯ୍ୟ

ମଣିପୁର ମାଟିରେ ନାରୀ ମର୍ଯ୍ୟାଦା ସହ
ବିଭତ୍ସ କ୍ରୀଡ଼ାରେ ରତ ନର୍କକୀଟ
କଣ ସନ୍ତାନ ଭାରତ ଜନନୀର ?
କେଉଁ ସ୍ତନ୍ୟଦାତ୍ରୀର କୋଳମଣ୍ଡନ କରି
ଭୂମିଷ୍ଠ ହୋଇଥିଲେ ମୋ ଭାରତ ବର୍ଷରେ ?

କେଉଁ ଶିଶୁକନ୍ୟାର ଜନକ ସେମାନେ
କେଉଁ କିଶୋରୀର ଭ୍ରାତା
କେଉଁ ମାଆର ସନ୍ତାନ ?

ଆଉ ଏ ଦେଶ ନୁହେଁ ନାରୀ ବାସଯୋଗ୍ୟ
ଏ ସଂସ୍କୃତି, ସଭ୍ୟତା, ନିୟମ, ଦର୍ଶନ, ଶାସନ, ପ୍ରଶାସନ, ବିଧି, ବ୍ୟବସ୍ଥାକୁ ଶତ ଧିକ
ଅନ୍ତରର ଅଭିଶାପ

ମ୍ଳେଛ, ତୁଚ୍ଛ, ଘୃଣ୍ୟ ପଶୁ ଦଳ
ଭାରତର ନାରୀଶକ୍ତି
ତୁମ ସକଳ ଅତ୍ୟାଚାରକୁ
ଅତିକ୍ରମ କରି
ଆତ୍ମଶକ୍ତି ବଳେ
ଉଠିବ ଉଜ୍ଜ୍ୱଳି
ସିଂହବାହିନୀ
ମା ଦୁର୍ଗାଙ୍କ ପରି … ।

ତାଳଚେର, ଅନୁଗୁଳ

ଲେଖକ ପରିଚୟ

ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।

Related Posts

One thought on “ମଣିପୁର ଓ ବ୍ୟଥା

Leave a Reply

Your email address will not be published. Required fields are marked *