ଜାତୀୟ ସଙ୍ଗୀତର ଅର୍ଥ ବୁଝାଇବା ନୋହିଲା

କିଶୋର ଚନ୍ଦ୍ର ହୋତା

ଏହା ହେଉଛି ୨୦୧୫ ମସିହାର କଥା । ଆଜି ଯେତେବେଳେ ଦେଶରେ ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସ ପାଳନ କରାଯାଏ ବିଗତ ବର୍ଷରେ ଘଟିଥିବା ସେ ଘଟଣାଟି ମନେପଡ଼େ । ଦେଶ ପାଇଁ ଦୁଇଟି ପ୍ରତିଷ୍ଠିତ ଦିବସ, କେଉଁଟି – ଠିକ୍ ମନେପଡୁ ନାହିଁ । ହେଲେ ମୁଁ ସେହି ସମୟରେ ଅଦ୍ୟାବଧି ଏହି ଜୟପୁରର ସୁପ୍ରତିଷ୍ଠିତ ପାଠାଗାରର ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲି । ପ୍ରତିବର୍ଷ ପାଠାଗାରର ଜାତୀୟ ପତାକା ଉତ୍ତୋଳନ ପର୍ବରେ ପୂର୍ବ ଧାର୍ଯ୍ୟମତେ ଜଣେ ବରିଷ୍ଠ ବ୍ୟକ୍ତି ପତାକା ଉତ୍ତୋଳନ କରନ୍ତି, କିଞ୍ଚିତ ମାତ୍ରାରେ ଉପସ୍ଥିତ ଥିବା ଭଦ୍ର ମଣ୍ତଳିଙ୍କୁ ସମ୍ବୋଧନ କରିଦିଅନ୍ତି । ଉପସ୍ଥିତ ବ୍ୟକ୍ତି ଏବଂ ସ୍କୁଲ ପିଲାଙ୍କୁ ମିଷ୍ଟାନ୍ନ ବାଣ୍ଟନ୍ତି । ସେ ବର୍ଷ ଆମେ ସମସ୍ତ ଉପସ୍ଥିତ ବ୍ୟକ୍ତି, ଅପେକ୍ଷାରେ ଥାଉ । ଧାର୍ଯ୍ୟ ବ୍ୟକ୍ତିବିଶେଷ ଜଣକ ପତାକା ଉତ୍ତୋଳନର ଧାର୍ଯ୍ୟ ସମୟରେ କିନ୍ତୁ ସେଠାରେ ଉପସ୍ଥିତ ହେଇପାରିଲେ ନାହିଁ । ଯଦ୍ୱାରା ଅନ୍ୟଜଣେ ବରିଷ୍ଠ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଖୋଜା ପଡ଼ିଲା । ନଜରରେ ମୁଁ ଆସିଗଲି । ମୋତେ କୁହାଗଲା ପତାକା ଉତ୍ତୋଳନ କରିବା ପାଇଁ । ମୁଁ ହଁ ଭରିଲି । ମନେମନେ ଏ କେଉଁ ସଂଖ୍ୟାନ ପାଳିତ ହେଉଥିବା ବର୍ଷ ଖୋଜି ପାଇଲି, ଜାତୀୟ ଗାନ ସହ ପତାକା ଉତ୍ତୋଳନ କରାଗଲା । ବୟସ୍କମାନେ କିଛି ସଂଖ୍ୟାରେ ଆୟୋଜିତ ଦିବସ ସମ୍ବନ୍ଧରେ ଶୁଣି ଚାଲିଗଲେ । ରହିଲେ କେବଳ ଅଧ୍ୟକ୍ଷ, ପରିଚାଳକ ଏବଂ ଅନ୍ୟାନ୍ୟ ସ୍କୁଲର ଛାତ୍ରଛାତ୍ରୀ ବୃନ୍ଦ, ମିଷ୍ଠାନ୍ନ ପାଇବେ ବୋଲି । ବଣ୍ଟନ ପୂର୍ବରୁ ମୁଁ ମନସ୍ଥ କଲିକି- ଗାନ କରାଯାଇଥିବା ଜାତୀୟ ସଙ୍ଗୀତର ମର୍ମକୁ ବୁଝାଇ କହିବି । କାରଣ କୌଣସି କାଳେ ଏହି ସଙ୍ଗୀତର ମର୍ମକୁ କେବେ ବି ସ୍କୁଲ, କଲେଜ, କର୍ମସ୍ଥାନ, ସଦର, ଜିଲ୍ଲା ଆଦିରେ ଆୟୋଜିତ ପରେଡ଼ ପଡ଼ିଆରେ କେହି ହେଲେ ବି ଚର୍ଚ୍ଚା କରନ୍ତି ନାହିଁ । ଏହା ମୋର ଅନୁମେୟ । ତେବେ ଦିଲ୍ଲୀ ଦରବାର ବିଷୟରେ ମୁଁ ଜାଣିନାହିଁ ।

ତେବେ ଜନ-ଗଣ-ମନ ଗାନ କରିଥିବା ସ୍କୁଲ ପିଲାଙ୍କୁ ମୁଁ ପୁଣିଥରେ ଧାଡ଼ି ମୁତାବକ ବୋଲିବା ପାଇଁ ଆଗ୍ରହ କରାଇଲି । ଝିଅମାନେ ଅସୁନ୍ତଳିତ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଗାନ- ଜନ ଗଣ ମନ ଅଧିନାୟକ ଜୟହେ ଭାରତ ଭାଗ୍ୟ ବିଧାତା – ଏହି ପଂକ୍ତିକୁ ମୁଁ ବୁଝାଇବା ଆରମ୍ଭ କଲି । ଯଥା :- ଜନ= ଜନତା । ମନ = ସେହି ଜନତାଙ୍କ ମନ ଓ ବିଚାର । ଗଣ= ଜନସମୂହ ହିଁ । ଅଧିନାୟକ = କିଏ ସେହି ଅଧିନାୟକ ଅର୍ଥାତ୍ ସେହି ଜନସମୂହ ଅର୍ଥାତ୍ ଏହି ଭାରତ ବର୍ଷର ସମସ୍ତ ଜନତାଙ୍କୁ ବୁଝାଉଛି ( ସମସ୍ତ ବାଳ, ବୃଦ୍ଧ ତଥା ଜାତି ଧର୍ମ ନିର୍ବିଶେଷ । ଏହାର ମୂଳମନ୍ତ୍ର ହେଲା ଜନତା ଜନାର୍ଦ୍ଦନ ଜନ ବା ଗଣର ତନ୍ତ୍ର । ଏଣୁ ଆମ୍ଭ ସମ୍ବିଧାନ ପୂର୍ବକ ଆମ ଦେଶାତ୍ମକ ନାଆରେ ଆମେ ହିଁ ନାଉରୀ ।

ଏହି ସମସ୍ତ ପ୍ରସଙ୍ଗ ଆମ୍ଭ ପାଠାଗାରର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳକ ଉପସ୍ଥିତ ହୋଇ ଶୁଣୁଥିଲେ । ମୋର ବକ୍ତବ୍ୟକୁ ବନ୍ଦ କରିବାକୁ ଅନୁରୋଧ କଲେ (ଡେରି ହେଲାଣି କହି) । ଅଧ୍ୟକ୍ଷ ମହୋଦୟ ଏକାନ୍ତରେ ଡାକି କହିଲେ,

– ଭାଇନା ! ଯେଉଁ ବିଷୟରେ ପିଲାଙ୍କୁ ବୁଝାଇଲ ତାହା ତ ପୂର୍ବରୁ ଦୀର୍ଘ ବର୍ଷଧରି ଶୁଣି ଆସୁଅଛି, କେହି ବଡ଼ବଡ଼ିଆ ସେହି କଥା ବୁଝାଉ ନାହାନ୍ତି । ନା ସ୍କୁଲ ମାନଙ୍କର ପ୍ରଧାନ ଶିକ୍ଷକ ନା କଲେଜର ଅଧ୍ୟକ୍ଷ, ନା ସବ୍ କଲେକ୍ଟର ନା ମୁନିସିପାଲିଟିର ଏକଜୁକୁଟିଭ୍ ଅଫିସର । ଏହା ମୁଁ କେବେ ବି ଶୁଣି ନାହିଁ । ତୁମ୍ଭେ କାହିଁକି ବୁଝାଉ ଅଛ ; ଏହା ଠିକ୍ ନୁହେଁ ।

ସତ୍ ଜନ ଆଜ୍ଞା, ଆଉ ମୁଁ କି ଅଧିକା କହିବା ହେବି ? ସ୍ୱାଧୀନତାର ସ୍ୱାତନ୍ତ୍ର୍ୟ ମୌନ ହୋଇଗଲା । ଏଣୁ ମୋର ଜାତୀୟ ସଙ୍ଗୀତରେ ରହିଥିବା ଅର୍ଥ ବୁଝାଇବା ନୋହିଲା । ଏ ଦେଶର ବଳ ତୁମ୍ଭେ, କଳ ଓ କୌଶଳ ତୁମ୍ଭେ ।

ପ୍ରସାଦ ରାଓ ପେଟା-୨ୟ ଗଳି, ଜୟପୁର, ମୋ – ୯୩୩୭୨୪୧୭୦୨

ଲେଖକ ପରିଚୟ

ସାହିତ୍ୟିକ ଭିତରେ ଗଣା ହେବି କି ନା ଜାଣିନି । ଅନେକବେଳେ ଅନେକ ବିଚାର ଆସେ ମନକୁ ହେଲେ କାର୍ଯ୍ୟବ୍ୟସ୍ତତା ହେଉ କି ମୋ ଅବହେଳା, ସେସବୁକୁ କାଗଜରେ ଉତାରି ପାରେନି । ଆଉ କେବେକେବେ ଲେଖେ ସତ ହେଲେ ପ୍ରକାଶିତ କରିବାକୁ କେଉଁଠିକି ବି ଦେଇନାହିଁ । ଏହାକୁ ମୋର ପ୍ରଥମ ପ୍ରକାଶିତ ଲେଖା ବୋଲି କହିହେବ ଏବଂ ପ୍ରକାଶନ ପାଇଁ ଲେଖା ଦେବାକୁ ପ୍ରେରଣା ଯୋଗାଇ ଥିବା ମଣିଷ ଜଣକ ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀ ।

Related Posts

Leave a Reply

Your email address will not be published. Required fields are marked *