ସତ୍ୟନାରାୟଣ ଗନ୍ତାୟତ

ମଣିଷ ମାନେ ଇ’ ଲୋକ । ତେବେ ତଥାକଥିତ ଶ୍ରେଷ୍ଠଜୀବ ବୋଲା ଯାଉଥିଲେ ହେଁ ଏମାନଙ୍କୁ ନେଇ ଯାବତ ଗଡ଼ବଡ଼ । କିଆଁ କହିଲେ ? ଲୋକେ ଲୋକ ହୋଇ ରହିନଥାନ୍ତି । କିଏ ବଡ଼ଲୋକ ହୋଇଯାଇଥାଏ ତ ଆଉକିଏ ସାନଲୋକ । ଆପଣ ଭାବୁଥିବେ ବୟସାନୁସାରେ ବଡ଼ ସାନ ତ ରହିବ ଇ’ ରହିବ । ନା ଆଜ୍ଞା, ସେମିତି ନୁହଁଇ । ବୟସରେ ବଡ଼ଙ୍କୁ ଆମର ସମସ୍ତ ସମ୍ମାନ ଏକ୍ଷଣି ସବିନୟ ଜଣାଇବା ସହ ସାନମାନଙ୍କ ଉପରେ ଆମର ସକଳ ସ୍ନେହ ଢାଳି ଦେଉଅଛୁ ।
ଏଠି ଲୋକ ନାନାମତେ ଅଚାନକ ‘ବଡ଼’ ବନିଯାଇ ‘ବଡ଼ଲୋକ’ ଭାବେ ମଥା ତୋଳିଥାନ୍ତି । ଯାହିତାହି ମୁଠେ ଖାଇ ଯେନତେନ ପ୍ରକାରେଣ ଭଙ୍ଗା ଘରେ ଚକାଜହ୍ନ ଦିଶୁଥିବା ଘରେ ରହି ଆସିଥିବା ଲୋକ ଯେବେ ଗାଆଁ ମାଟିର ବରଡ଼ା ତାଟିର ଘର ଛାଡ଼ି ସହରକୁ ଆସି କେତେ ନା କେତେ ଫନ୍ଦି ଫିକରକାଦି କରତଃ ତ୍ରିତଳ ହର୍ମ୍ୟାଧିପତି ହୋଇଯାଏ, ସେ ତାକୁ ମୂଳରୁ ଦେଖି ଆସିଥିବା ଲୋକଙ୍କ ନଜରରେ ଅବଶ୍ୟ ବଡ଼ଲୋକ ବନିଯାଏ ।
ଏମିତି କେହି ଧନରେ ବଡ଼ ହୋଇଥିବା ବେଳେ ଆଉକିଏ କେହି କାହା ବୋଲହାକ କରୁକରୁ କ୍ଷମତା କଣ ଟିକେ ଚାଖି ଦିଅନ୍ତେ ଲାଳାୟିତ ହୋଇଉଠେ ଶୀଘ୍ର କ୍ଷମତା ହାସଲ କରି ଅନ୍ୟକୁ ହାଙ୍କ ଛାଡ଼ିବାକୁ । ଏମିତି ତା ହାବଭାବ ବି ବଡ଼ଲୋକ ସୁଲଭ ପାଲଟିଯାଏ । ଏମାନଙ୍କ ଭିନ୍ନ ଆଉ ଏକ ପ୍ରଜାତିର ବଡ଼ଲୋକ ବି ଥାନ୍ତି । ସେମାନେ ତୁଚ୍ଛାକୁ ଏତେ ହୋଇ ମୁଦି ହିଁ ନୁହଁ ନିଜର ଖାସ୍ କିଛି ନଥିଲେ ସୁଦ୍ଧା ନିଜକୁ ଏତେ ସରି କଚଡ଼ାକଚଡ଼ି କରନ୍ତି ଯେ ସେସବୁ ଦେଖି ସାଧାରଣରେ ଧାରଣା ହୋଇଯାଏ “ଆରେ ହେ, ଇଏ ବି ଖାସା ଲୋକଟେ ହୋଇଥିବେ ହୋ !” ଅସଲରେ କିନ୍ତୁ ଏମାନେ ସୁଦ୍ଦୁ ଲୋକଦେଖାଣିଆ ବଡ଼ଲୋକ ।
ତେବେ ଯେନତେନ ପ୍ରକାରେଣ ଜଣେ ବଡ଼ଲୋକ ହୋଇଯିବା ପରେ ତାଙ୍କ ପାଖେ ଲୋକ ରହିବା ଦେଖାଯାଏ । ଅତଃ ବଡ଼ଲୋକ ନିଜ ବଡ଼ପଣ ପ୍ରଦର୍ଶନାର୍ଥେ ଯେଉଁ ଲୋକକୁ ଲୋଡ଼ନ୍ତି ସେ ତାଙ୍କ ପାଖେପାଖେ ରହି ଅଚିରେ ଶଂସିତ ବଡ଼ଲୋକଙ୍କ ପାଖଲୋକ ପାଲଟିଯାଏ । କେହିକେହି ବଡ଼ଲୋକ ନିଜ ବଡ଼ପଣାନୁସାରେ ଅନେକ ପାଖଲୋକ ରଖି ଦେଖାଇ ହୁଅନ୍ତି । ଏମିତି ପାଖଲୋକ ହୋଇ ସେମାନେ ସେମାନଙ୍କ ନିତ୍ୟ ଲୀଳା ପ୍ରଦର୍ଶନ କରିବା ଅବଧାରିତ । କାରଣ ବଡ଼ଲୋକ କିଛି କହିବା ଆଗରୁ ଏମାନେ ତାଙ୍କ ନିୟାମକ ସୁଲଭ ସୂଚନା ପ୍ରଦାନ, ସିଦ୍ଧାନ୍ତ ଗ୍ରହଣ, କାର୍ଯ୍ୟ ସମ୍ପାଦନାଦିରେ ନିଜକୁ ସାମିଲ କରି ସେମାନେ ଯେ ତୁଚ୍ଛା ପାଖଲୋକ ନୁହଁନ୍ତି , ବରଂ ବଡଲୋକଙ୍କ ଏକାନ୍ତ ଆତ୍ମୀୟ ଓ ଅତି ଆପଣାର ବୋଲି ନିଜକୁ ସାବ୍ୟସ୍ତ କରିବାରେ ଲାଗି ପଡିଥାନ୍ତି ।
ବଡଲୋକଙ୍କ ପାଖେ ପାଖେ କାୟା ସହ ଛାୟା ପ୍ରାୟେ ରହିଥିବା ଏହି ପାଖଲୋକ ମାନଙ୍କ କାର୍ଯ୍ୟ କଳାପ ସମ୍ପର୍କେ ଜାଣିବା ପାଇଁ ଆପଣ ଆଗ୍ରହୀ ହେବା ଠଉରାଇଲୁଣି । ତ ଜାଣନ୍ତୁ ଯେ ଏମାନଙ୍କୁ କେତେ କେତେ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡିଥାଏ। ସବୁବେଳେ ହାଁ ଜୀ ହାଁ ଜୀ ହୋଇ ବଡଲୋକଙ୍କ ମୁଖ ନିଃସୃତ ପ୍ରତିଟି ଶବ୍ଦ ଶୁଣିବାକୁ କର୍ଣ୍ଣ ସହ ମନ ବି ସଜିଲ କରି ରଖିବାକୁ ହୁଏ । ବଡଲୋକଙ୍କ ସାମାନ୍ୟ ଛିଙ୍କ ବି ଏକ ଐତିହାସିକ ଛିଙ୍କ ଥିଲା ବୋଲି ଏମାନେ ଚଟାପଟ ଘୋଷଣା କରି ପାରନ୍ତି ।
ଲୋକ ଥରେ ବଡ ହୋଇ ଗଲେ ଦେଖାଇ ହେବା ପାଇଁ ପାଖଲୋକ ନିଶ୍ଚେ ରଖନ୍ତି । ତେଣିକି ସେମାନଙ୍କ ବିନା ନିଜକୁ ବଡ ଅସହଜ ମଣିଥାନ୍ତି । କହନ୍ତିନି ” ବଡ ଘର ବଡ ଗୁମର” ବୋଲି ? ଜାଣନ୍ତୁ ଯେ ପାଖଲୋକ ହେଲେ ଏହି ଗୁମରଙ୍କ ରକ୍ଷକ । ଅପର ପକ୍ଷରେ ଏମାନେ ଆଉ ଆଉ ମାନଙ୍କ ଗୁମର ଛାନଭିନ କରତଃ ଆଣି ବଡଲୋକଙ୍କ କାନରେ କହି ମନରେ ଭରି ଦେବା ଭଳି ରୋଚକ କର୍ମଟି ସମ୍ପାଦିବାରେ ସେମାନେ କେଡେ ଘାଏଁ ଧୁରନ୍ଧର ବଡଲୋକଙ୍କୁ ସୂଚାଇ ଦେଇଥାନ୍ତି ।
ବଡଲୋକଙ୍କ ପାଖଲୋକ ହେଲେ ସେମାନଙ୍କ ଭାଉ କିଛି ବଢିଯାଏ ନିଶ୍ଚୟ । ତ ସେମାନେ ତାକୁ ଠିକଣା ଥାନ ମାନଙ୍କରେ କାମରେ ଲଗାଇ ଛୋଟଠୁ ଆରମ୍ଭ କରି ମୋଟ ପର୍ଯ୍ୟନ୍ତ ସକଳ କିସମର କାମ ମାନ କରି ପାରନ୍ତି । ଏଣୁ ସେମାନଙ୍କୁ ଯୋଗାଡିଆ ,ଚାମଚା , ବୋଲକରା ନୌକରାଦି ବୋଲାଯାଏ । ତେବେ ସେମାନେ ସେଥକୁ ତିଳେ ହେଁ କାନ ଦିଅନ୍ତି ନାହିଁ। କହିବା ପରି ଯୋତା ସିଲେଇଠୁ ଆରମ୍ଭି ଚଣ୍ଡୀ ପାଠ ଯାଏ ଯାବତ କ୍ଷେତ୍ରରେ ଏମାନଙ୍କଠି ଅଭିଜ୍ଞତା ଠୁଳ ହୋଇ ରହିଥିବାରୁ ଏମାନେ ବଡଲୋକଙ୍କ ପାଇଁ କରିତ କର୍ମା ସାବ୍ୟସ୍ତ ହୋଇଥାନ୍ତି। ହାତ ମଳି ମଳି ଅହର୍ନିଶ ଦିହଲଗା ହୋଇ ହେଁ ହେଁ ହେଉଥିବା ପାଖଲୋକଙ୍କ ମାଧ୍ୟମରେ ବଡଲୋକେ ବେଶ୍ ଆମୋଦଦାୟୀ ଅନୁଭବ ମଧ୍ୟ ପାଇଥାନ୍ତି । ବଡଲୋକ ବି ମଣିଷ।। ସୁତରାଂ ସ୍ଶଭାବତଃ ପ୍ରଶଂସା ପ୍ରିୟ । ତଥାପି ସେ ଯେତେ ପ୍ରଶଂସନୀୟ ନୁହଁନ୍ତି ତାଠୁ କାହିଁ କେତେ ଗୁଣ ପ୍ରଶଂସା ପ୍ରତି ମୃହୁର୍ତ୍ତରେ କରିବାରେ ହେଳା କରନ୍ତି ନାହିଁ ପଖଲୋକ । ଫଳତଃ ଅଲକ୍ଷ୍ୟରେ ମିଛ ହେଉ ପଛେ ବଡଲୋକଙ୍କ ଆତ୍ମ ବଡିମା ଆହୁରି ବଢି ଚାଲେ।
ପାଖଲୋକ ହେବାକୁ ସତେ ଅବା ଜନମିଥାନ୍ତି କେତେକ । ବଡଲୋକଙ୍କ ନଜରରେ କେମିତି ପଡିବେ,କେମିତି ସେମାନଙ୍କ ପାଖଲୋକ ହେବେ ସେ ନେଇ ନାନାଦି ଚେଷ୍ଟା ଓ ଅପଚେଷ୍ଟା ଚଳାଇଥାନ୍ତି । ଏମିତି ପାଖଲୋକ ହୋଇ ନିଜକୁ ନ୍ୟୂନ ନିକୁଛିଆ କରି ସୁଦ୍ଧା ଏମାନେ ଭ୍ରୃତ୍ୟୋପମ ହେବାକୁ ହିଁ ନିଜର ପରମ ସୌଭାଗ୍ୟ ମଣିଥାନ୍ତି ।
ସମକାଳରେ ଏଭଳି ଚରିତ୍ର ମାନେ ଆହୁରି ଯୁଗୋପଯୋଗୀ ହୋଇ ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଆଦି ଜାତୀୟ ବଡଲୋକଙ୍କ ପିଛା ଲାଗି ଲାଗି ଅବଶେଷେ ନିଜ ଈପସିତ ପାଖଲୋକ ଭୂମିକା ପାଇ ଧରାକୁ ଏକାନଟେ ସରା ମଣି ଉତ୍ତଳା ହୁଅନ୍ତି। । ସେମାନେ ବଦଳି ଗଲେ ବା ଅବସର ଗ୍ରହଣ କଲେ ବା ପଦବୀରୁ ଅନ୍ତର ହେବା ପରେ ସୁଦ୍ଧା ସେମାନଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଆଗରେ ନିଜ ମହାର୍ଘ ମହାନତା ପ୍ରଦର୍ଶନ କରିବା ମାଧ୍ୟମରେ ତାଙ୍କୁ ଉପଯୋଗ କରି ତାଙ୍କ ପରେ ଆସିଥିବା ବଡଲୋକଙ୍କ ପାଖରେ ଏମାନଙ୍କ ତାରିଫ୍ କରିବା ପାଇଁ ବେଳ କାଳ ଉଣ୍ଡି ନେହୁରା ହୋଇ ଥାନ୍ତି । ସେମାନଙ୍କ ସୁପାରିଶ ହାସଲ କରିବା ପରେ ନୂଆ ବଡଲୋକଙ୍କ ପାଖରେ ଫୁଲତୋଡା ଧରି ହାଜର ହୋଇଯାନ୍ତି । ଏଥିରୁ ଜଣାପଡେ ଯେ କେତେକ ଭୃତ୍ୟ ଭାବେ କାଲକ ବିତାଇ ଦେବାର୍ଥେ ହିଁ ଜନମିଥାନ୍ତି।
ତେବେ ଇଦାନୀଂ ବଡଲୋକ ଓ ଫାଖଲୋକ କ୍ଷେତ୍ରରେ ବହୁ ଅଭାବନୀୟ ବିବର୍ତ୍ତନ ସଙ୍ଘଟିତ ହେଲାଣି । କିଛି ବଡଲୋକ ନିଜ ପାଖଲୋକଙ୍କ ଗତିବିଧି ସଯତ୍ନ ନିରେଖି ଥାନ୍ତି । ଏମାନେ ଭାଗରୁ ବଳକା ହେଲେ ଅଚିରେ ଚିତ୍ ଫଟାଂ ହୋଇ ଯାନ୍ତି। ଏମିତିରେ ବୋଇଲା ପରି ଭାତ ଫୋପିଡିଲେ କାଉ ଏବେ କୋଉ ଅଭାବ ଯେ ? ଜଣେ ଗଲେ ପଣେ ଥାଆନ୍ତି । ଯେତେ ଵାଛି ଆଣିବ ଆଣ । ଯେତେ ନିଜ ଫଟୋ ସହ ବଡଲୋକଙ୍କ ଫଟୋ ଯୋଡ଼ି ନିର୍ଲଜ ହୋଇ ଗୁଣ କୀର୍ତ୍ତନ କରୁଥିଲେ ବି କେମିତି କୋଉ ଛଟକରେ ବଡଲୋକେ ଏମିତିକା ଅତି ଧୂର୍ତ୍ତ ପାଖଲୋକଙ୍କୁ ଠିଆ ନାତ ମାରି ଫୋପାଡ଼ି ଦିଅନ୍ତି ଯେ ବିଚରା ପାଖଲୋକ ଅକସ୍ମାତ ଆଚମ୍ବିତ ହୋଇ ନିଜ କାନ୍ଦ ଲୁଚାଇ ରହିବା ବ୍ୟତୀତ ଗତ୍ୟନ୍ତର ନ ଥାଏ। ଏଭଳି ତଡାଖିଆଏ ପୁନରପି ଯେତେ ଲାଙ୍ଗୁଳ ହଲାଇ ଲହଲହ ଶ୍ୱାନ ସୁଲଭ ଭଙ୍ଗୀମାନ ଦେଖାଇଲେ ହେଁ ସହଜରେ କେହି ପାସଙ୍ଗରେ ପକାନ୍ତି ନାହିଁ !
ଆପଣ ଏସଵୁ ଶୁଣି ଭାବୁଛନ୍ତି କି ଏଣିକି ବଡଲୋକଙ୍କ ପାଖଲୋକ ହେବାକୁ କେହି ଆଗେଇ ଆସିବେନି ? ନା ଆଜ୍ଞା, ଦଳ ବଦଳ କେବଳ ଏକ ରାଜନୈତିକ ବ୍ୟାପାର ହୋଇ ହିଁ ଆଉ ରହିନି ପରା ! ସବୁ କ୍ଷେତ୍ରରେ ଏହା ବ୍ୟାପୀ ଯାଇଛି । ଫଳତଃ ଜଣେ ଠାଏ ତଡା ଖାଇଛି ବୋଲି ଜାଣିଥିଲେ ବି ଆଉ ଠାଏ ଅଲୋଡା ନ ହୋଇ କେମିତି ହେଲେ ପଶିଯାଏ । ଯେମିତି ହେଉ ବଡଲୋକଙ୍କ ପାଇଁ ନିଜ ନିଜର ବଡପଣ ଜାହିର କରିବା ନିହାତି ଲୋଡା ପରା !
ଏଣୁ ଏହି ମଉକାରେ ଦିନେ କିଛି ଅନାମଧେୟ ବି ପାଖଲୋକ ହେବାର ଆଶା ରଖି ବଡଲୋକଙ୍କ ଦ୍ୱାରା ବାସି ପାଣିରେ ସୁଦ୍ଧା ପଚରା ଯିବାକୁ ସେମାନେ ଅଯୋଗ୍ୟ ବୋଲି ଜାଣି ଥିଲେ ହେଁ ବଡଲୋକ ଦେଖିଲେ ନିଜକୁ ଜବରଦସ୍ତ ଫିଟଫାଟ କରି ତାଙ୍କ ପାଖେ।ଯାଇ ଠିଆ ହୋଇ ଯାଇ ଫଟୋଟେ ଉଠାଇ ପକାନ୍ତି। ତଦୁତ୍ତାରେ ତାକୁ ଧରି ଥେଇ ଥେଇ ହୋଇ ଅତ୍ର ତତ୍ର ସର୍ବତ୍ର ଉପରେ ପଡି ଡୁଙ୍ଗି ବାରେ ଲାଗି ପଡିଥାନ୍ତି ଏଇ ଆଶାରେ ଯେ “କାଳେ ବଡଲୋକଙ୍କ କରୁଣା ହେଲେ ସେ ତାଙ୍କ…..’ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

